ଧନ୍ଦାମୂଳକ ପ୍ରଶିକ୍ଷକଙ୍କ ସ୍ଥାୟୀ ନିଯୁକ୍ତି ଦାବିକୁ ସମର୍ଥନ ଦେଲା ଯୁବ କଂଗ୍ରେସ

Spread the love

ଭୁବନେଶ୍ୱର : ଅଲ୍ ଓଡ଼ିଶା ଭୋକେସନାଲ ଟ୍ରେନର ମହାସଂଘର ନିଯୁକ୍ତିକୁ ସ୍ଥାୟୀ ତଥା ସେମାନଙ୍କୁ ପୂର୍ଣ୍ଣ ଶିକ୍ଷକତା ମାନ୍ୟତା, ସମାନ କାମକୁ ସମାନ ଦରମା ପ୍ରଦାନ ଦାବିରେ ଗତ ୪ ଦିନ ଧରି ଭୁବନେଶ୍ୱର ସ୍ଥିତ ଲୋୟରପିଏମ୍‌ଜିଠାରେ ଚାଲିଥିବା ବିକ୍ଷୋଭ ଓ ଧାରଣାକୁ ସମର୍ଥନ ଜଣାଇଛି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ । ଆଜି ଯୁବ କଂଗ୍ରେସ ସଭାପତି ଡ. ସ୍ମୃତି ରଞ୍ଜନ ଲେଙ୍କା ଆନ୍ଦୋଳନକାରୀଙ୍କୁ ବିକ୍ଷୋଭ ସ୍ଥଳରେ ଭେଟି ସେମାନଙ୍କ ଦାବି ସମ୍ପର୍କରେ ଆଲୋଚନା କରିଥିଲେ । ସଂଘର ସଭାପତି ସୁନିଲ କୁମାର ଦେବତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବିକ୍ଷୋଭ ସଭାରେ ଡ. ଲେଙ୍କା  ରାଜ୍ୟ ସରକାରଙ୍କ ଆଉଟ୍ ସୋର୍ସିଂ ନିଯୁକ୍ତି ପ୍ରଥାକୁ ଘୋର ବିରୋଧ କରିଥିଲେ । ସମାନ କାମକୁ ସମାନ ଦରମା ପ୍ରଦାନ ଏବଂ ଆଉଟ୍ ସୋର୍ସିଂ ନିଯୁକ୍ତିକୁ ସମ୍ପୂର୍ଣ୍ଣ ଉଛେଦ ଦାବିରେ ଯୁବ କଂଗ୍ରେସ ନିରନ୍ତର ଆନ୍ଦୋଳନ ଜାରି ରଖିଛି ବୋଲି ଡ. ଲେଙ୍କା କହିବା ସହ ଧନ୍ଦାମୂଳକ ପ୍ରଶିକ୍ଷକଙ୍କ ନିଯୁକ୍ତି ସରକାର ନିଜ ହାତକୁ ନେଇ ଶିକ୍ଷା ବିଭାଗରେ କମ୍ପାନି ନିଯୁକ୍ତିକୁ ବନ୍ଦ କରିବା ପାଇଁ ଦାବି କରିଥିଲେ ।

ରାଜ୍ୟରେ ଅମଲାତନ୍ତ୍ରୀ ସରକାର ରାଜ୍ୟର ପୁଞ୍ଜି ଯୁବପିଢ଼ିମାନଙ୍କ ଭବିଷ୍ୟତକୁ ନେଇ ଏଭଳି ଖେଳ ନ ଖେଳନ୍ତୁ, ନଚେତ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ଲେଙ୍କା ଚେତାବନୀ ଦେଇଛନ୍ତି ।

କଂଗ୍ରେସ କମିଟିର ମୁଖପାତ୍ର ରବୀନ୍ଦ୍ର ଆଚାର୍ଯ୍ୟ ଏହି ବିକ୍ଷୋଭ ସଭାରେ ଯୋଗଦେଇ ଆଉଟ୍ ସୋର୍ସିଂ ନିଯୁକ୍ତିକୁ ସମ୍ପୂର୍ଣ୍ଣ ରଦ୍ଦ କରିବା ପାଇଁ ଦାବି ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଜ୍ଞାନରଞ୍ଜନ ରାଉତ, ସମ୍ପାଦକ ବିଶ୍ୱଜିତ ଲେଙ୍କା, ଆଉଟ୍ ସୋର୍ସିଂ ମହାସଂଘର ସଭାପତି ଓ ଅନ୍ୟ କର୍ମକର୍ତା ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *