ପବିତ୍ର ଜନ୍ମାଷ୍ଟମୀରେ ପୁରପଲ୍ଲୀ ଉତ୍ସବମୁଖର। କିନ୍ତୁ ୧୬ ବର୍ଷ ତଳେ ଏହି ପବିତ୍ର ଦିନରେ ରକ୍ତରଞ୍ଜିତ ହୋଇଥିବା ଜଲେଶପଟ୍ଟା ଆଶ୍ରମ ଓ ଏହାର ମୁଖ୍ୟ ସ୍ୱର୍ଗତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ କେବେ ମିଳିବ ନ୍ୟାୟ। ଏ ପ୍ରଶ୍ନ ଆଜି ବି ଆନ୍ଦୋଳିତ ହେଉଛି। ବହୁ ଚର୍ଚ୍ଚିତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡ ମାମଲାର ତଦନ୍ତ କମିଶନ ରିପୋର୍ଟ ଆଜିଯାଏ ସାର୍ବଜନୀନ ହୋଇପାରିଲାନି। ଯାହାକୁ ନେଇ ରାଜନୀତି ପୁଣି ତେଜିଛି। କାରଣ ଏହାରି ଭିତରେ ସରକାର ବଦଳିସାରିଲାଣି।
ଅଗଷ୍ଟ ୨୩, ୨୦୦୮। ଜନ୍ମାଷ୍ଟମୀ ଦିନ ଚକାପାଦସ୍ଥିତ ଜଲେଶପଟ୍ଟା ଆଶ୍ରମରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଓ ତାଙ୍କର ୪ ସହଯୋଗୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହାକୁ ନେଇ ବଡ଼ ଧରଣର ଦଙ୍ଗା ସୃଷ୍ଟି ହୋଇଥିଲା। ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଥିଲେ ନବୀନ ସରକାର। ହାଇକୋର୍ଟରେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଶରତଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ କମିଶନ ୭ଶହରୁ ଅଧିକ ସତ୍ୟପାଠ, ୬୫ରୁ ଅଧିକ ସରକାରୀ ଓ ଶହେରୁ ଅଧିକ ବେସରକାରୀ ସାକ୍ଷୀ ଗ୍ରହଣ କଲେ। କିନ୍ତୁ ୨୦୧୨ରେ ଜଷ୍ଟିସ ମହାପାତ୍ରଙ୍କ ବିୟୋଗ ପରେ ତଦନ୍ତ ଅଟକିଗଲା। ଜଷ୍ଟିସ ଏଏସ ନାଇଡ଼ୁ ଏହା ପରେ ତଦନ୍ତ କରି ଡିସେମ୍ୱର ୨୨, ୨୦୧୫ରେ ସରକାରଙ୍କୁ ରିପୋର୍ଟ ଦେଲେ। କିନ୍ତୁ ଦୀର୍ଘ ୯ ବର୍ଷ ହେଲା ଏହି ରିପୋର୍ଟ ବିଧାନସଭାରେ ଉପସ୍ଥାପନ ହୋଇପାରିନି। ପୁରପଲ୍ଲୀ ଆଜି ଜନ୍ମାଷ୍ଟମୀରେ ଉତ୍ସବମୁଖର। କିନ୍ତୁ ଜଲେଶପଟ୍ଟା କନ୍ୟାଶ୍ରମରେ ଅଭିଭାବକଙ୍କ ସହ ଶ୍ରଦ୍ଧାଳୁ ସେହି ଅଘଟଣର ଦିନକୁ ସ୍ମରଣ କରି ସ୍ୱାମୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଆଜି ବି ନ୍ୟାୟ ଅପେକ୍ଷାରେ। କୌଣସି ଅଘଟଣ ଆଶଙ୍କାରେ ପୁଲିସ ପ୍ରଶାସନ ବି ସତର୍କତା ଅବଲମ୍ୱନ କରିଥିଲା। ପୁରା ଜିଲ୍ଲାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ମନ୍ତ୍ରୀ ରବି ନାଏକ ଓ ସୂର୍ଯ୍ୟବଂଶୀ ସୂରଜ ସ୍ୱାମୀଜିଙ୍କ ୧୭ତମ ବଳିଦାନ ଦିବସରେ ଆଶ୍ରମରେ ସାମିଲ୍ ହୋଇଥିଲେ। ଉଭୟ ମନ୍ତ୍ରୀ ପ୍ରତିଶୃତି ଦେଇଥିଲେ, ସ୍ୱାମୀଙ୍କ ବଳିଦାନ ବ୍ୟର୍ଥ ଯିବନି। ତଦନ୍ତ କମିଶନଙ୍କ ରିପୋର୍ଟ ସାର୍ବଜନୀନ ହେବ।
ସାଧାରଣ ନିର୍ବାଚନ ପୂର୍ବରୁ ମେ ୧୩ ତାରିଖରେ ବିଜେପିର ୫ ବରିଷ୍ଠ ନେତା ଭୁବନେଶ୍ୱରରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟାମାମଲାକୁ ନେଇ ସାମ୍ୱାଦିକ ସମ୍ମିଳନୀ କରିଥିଲେ। ସାଂସଦ ପ୍ରତାପ ଷଡ଼ଙ୍ଗୀ ଏଥିଲାଗି ସିଧା ନବୀନ ପଟ୍ଟନାୟକଙ୍କୁ ଦାୟୀ କରିଥିଲେ। ରାଜ୍ୟ ସରକାର ୨ଟି ନ୍ୟାୟିକ ତଦନ୍ତ କମିଶନର ରିପୋର୍ଟ କାହିଁକି ପ୍ରକାଶ କରୁନାହାନ୍ତି ବୋଲି ଆରୋପ ଆଣିଥିଲେ। ରିପୋର୍ଟ ପ୍ରକାଶ ପାଇଲେ ବିଜେଡି ନେତାଙ୍କ ମୁଖା ଖୋଲିଯିବ ବୋଲି କହିଥିଲେ। ହତ୍ୟାକାଣ୍ଡର ତଦନ୍ତ ରିପୋର୍ଟ ସାର୍ବଜନୀନ କରିବା ସହ ଘଟଣାର ସିବିଆଇ ତଦନ୍ତ ଲାଗି ବି ଅନେକଥର ପୂର୍ବତନ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଦାବି କରିଥିଲେ ବିଧାନସଭାରେ। ହେଲେ ଏବେ ବିଜେପି ସରକାର କ୍ଷମତାରେ। ବିଧାନସଭା ବି ଚାଲିଛି। ରିପୋର୍ଟ ପ୍ରକାଶ ପଛରେ ଅସୁବିଧା କଅଣ ବୋଲି ପଚାରିଲେଣି ବିରୋଧୀ ଦଳ। ସେପଟେ ଆଇନ ମନ୍ତ୍ରୀ କହିଛନ୍ତି, ଖୁବ ଶୀଘ୍ର ସାର୍ବଜନୀନ ହେବ ତଦନ୍ତ ରିପୋର୍ଟ। ମୁଖ୍ୟମନ୍ତ୍ରୀ ଏ ନେଇ ବିସ୍ତୃତ ଆଲୋଚନା କରିଛନ୍ତି। ଯାହା କହିଥିଲୁ, ତାହା ପାଳନ କରିବୁ।
ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଲାଗି ହାଇକୋର୍ଟରେ ମାମଲା ଚାଲିଛି। ମାର୍ଚ୍ଚ ୫, ୨୦୨୪ରେ ବିଜେଡି ସରକାର ସତ୍ୟପାଠରେ ଯୁକ୍ତି ଦର୍ଶାଇଥିଲେ ଯେ, ଘଟଣାର ୧୫ ବର୍ଷ ପରେ ସିବିଆଇ ତଦନ୍ତ ଲାଗି ଦାବି କରାଯାଉଛି। ଯେହେତୁ ଘଟଣାରେ ଫୁଲବାଣୀର ଅତିରିକ୍ତ ସେସନ୍ସ କୋର୍ଟ ୨୦୧୩ରେ ଶୁଣାଣୀ କରି ଦଣ୍ଡ ଦେଇସାରିଛନ୍ତି। ସେଥିଲାଗି ସିବିଆଇ ତଦନ୍ତକୁ ଖାରଜ କରାଯାଉ। ବଡ଼କଥା ହେଲା, କନ୍ଧମାଳ ଦଙ୍ଗା ପରେ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିଥିଲା। ଧର୍ମନିରପେକ୍ଷତାର କଷଟିରେ ବିଜେପିକୁ ମେଣ୍ଟରୁ ଦୂରେଇ ଦେଇଥିଲେ ସେତେବେଳେ ନବୀନ।
Naxatra News is now on Whatsapp
Join and get latest news update delivered to you via whatsapp
Join Now