ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ “ସିଏମଓ”ହେଉଛି କରପସନ୍ ମୋବିଲାଇଜେସନ ଅଫିସ : ବିଜେପି

Spread the love

ଭୁବନେଶ୍ୱର : ଓଡିଶାରେ ଯେତେ ଦୁର୍ନୀତିଗ୍ରସ୍ତ ଅଧିକାରୀ ବା ବ୍ୟବସାୟୀ ଧରାପଡୁଛନ୍ତି ସମସ୍ତଙ୍କର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ସହିତ ମଧୁର ସମ୍ପର୍କ ଅଛି ବୋଲି ସାମନାକୁ ଆସୁଛି । ନବରଙ୍ଗପୁର ପୂର୍ବତନ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଘରୁ ୫ କୋଟିର ଆୟ ବର୍ହିଭୁତ ସମ୍ପତି ଜବତ ହୋଇଥିଲା ଯେଉଁଥିରୁ ୩ କୋଟି ଟଙ୍କା ନଗଦ ଅର୍ଥ ଥିଲା । ହେଲେ ଏହି ସରକାରୀ ଅର୍ଥ ଲୁଟର ରାକେଟରେ ଆଉ କିଏ କିଏ ସାମିଲ ଥିଲେ ତାହା ଭିଜିଲାନ୍ସ ତଦନ୍ତ କରିଲା ନାହିଁ । ମୁଖ୍ୟମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବଙ୍କ ସହିତ ପ୍ରଶାନ୍ତଙ୍କର ସର୍ମ୍ପକ ନିବିଡ ଥିଲା । ଏବେ ଆୟକର ବିଭାଗ ଦ୍ୱାରା ୧୦୦ କୋଟି ଟଙ୍କାରୁ ଅଧିକ କଳା ଟଙ୍କା ଜବତ ହୋଇଥିବା ବ୍ୟବସାୟୀ ଜଗଦିଶ ନାୟକଙ୍କର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସମ୍ପର୍କ ରହିଛି । ମୁଖ୍ୟମନ୍ତ୍ରୀ ତାଙ୍କର ବ୍ୟବସାୟିକ ଉତ୍ସବରେ ଯୋଗ ଦେଉଥିଲେ, ସାଥୀରେ ତାଙ୍କୁ ଜାପାନ ନେଇଥିଲେ । ଆଗରୁ ଆୟ ବର୍ହିଭୁତ ସମ୍ପତି ଠୁଳ ମାମଲାରେ ଗିରଫ ହୋଇଥିବା ଜଣେ ବନ ଅଧିକାରୀ ଅଭୟ ପାଠକଙ୍କ ପରିବାରର ମଧ୍ୟ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଅବାଧ ପ୍ରବେଶ ଥିଲା । ଆଗରୁ ଚିଟଫଣ୍ଡ କମ୍ପାନୀ ମାଲିକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କର ନିବିଡତା କଥା ସମସ୍ତେ ଜାଣିଥିଲେ । ଦୁର୍ନୀତିଖୋରଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କର ଏହି ସର୍ମ୍ପକ ଦିନକୁ ଦିନ ସୁଦୃଢ ହେଉଛି । ଓଡିଶାର ଲୋକମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ “ସିଏମଓ” କୁ “କରପସନ୍ ମୋବିଲାଇଜେସନ ଅଫିସ” ଅର୍ଥାତ ଦୁର୍ନୀତିକୁ ସଞ୍ଚାଳିତ କରୁଥିବା କାର୍ଯ୍ୟାଳୟ ବୋଲି ଭାବୁଛନ୍ତି ବୋଲି ଆଜି ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି ।

ବିଶ୍ୱାଳ କହିଛନ୍ତି ଯେ, ଏନସିଆରବି ରିପୋର୍ଟ ତଥ୍ୟ ଅନୁସାରେ ୨୦୧୯ରେ ଓଡିଶାରେ ୮୮ଟି ଆୟ ବର୍ହିଭୁତ ସମ୍ପତି ମାମଲା ରୁଜୁ ହୋଇଥିଲା ଯାହା ଦେଶରେ ସର୍ବାଧିକ । ୨୦୨୦ରେ ଏହା ଥିଲା ୯୩, ୨୦୨୧ରେ ଏହା ଥିଲା ୯୨ । ଯେଉଁ ମୁଖ୍ୟମନ୍ତ୍ରୀ ୨୦୧୭ରେ କହିଥିଲେ ପିସି ମଷ୍ଟ ଷ୍ଟପ ବୋଲି ସେ ଏବେ କୁହନ୍ତୁ ଯେ ପିସି କମିଛି ନା ବଢିଛି । ଓଡିଶା କେବଳ ଗରିବରେ ଏକ ନମ୍ବର ନୁହେଁ କି ମହିଳା ବିରୋଧୀ ହିଂସାରେ ଏକ ନମ୍ବର ନୁହେଁ ଓଡିଶା ଦୁର୍ନୀତିରେ ବି ଦେଶରେ ଏକ ନମ୍ବର ବୋଲି ବିଶ୍ୱାଳ କହିଛନ୍ତି ।

ଓଡିଶାରେ ଗୋଟିଏ ବର୍ଷରେ ଯେତିକି ଦୁର୍ନୀତି ମାମଲା ରୁଜୁ ହେଉଛି ସେଥିରୁ ନଗଣ୍ୟ ମାମଲାରେ ଫାଇନାଲ ଚାର୍ଜସିଟ ଦାଖଲ ହେଉଛି । ୨୦୨୦ରେ ମୋଟ ୨୪୫ ଟି ମାମଲା ରୁଜୁ ହୋଇଥିଲା ହେଲେ ଫାଇନାଲ ଚାର୍ଜସିଟ ହେଲା ମାତ୍ର ୮ଟିରେ । ୨୦୨୧ରେ ମାମଲା ହେଲା ୨୬୫ଟା, ମାତ୍ର ଫାଇନାଲ ଚାର୍ଜସିଟ ହେଲା ମାତ୍ର ୧୦ଟିରେ । ଏହାର ଅର୍ଥ ହେଉଛି ସରକାର ଚାହାନ୍ତି ନାହିଁ ଯେ ଦୁର୍ନିତି ଗ୍ରସ୍ତ ସରକାରୀ ଅଧୀକାରିମାନେ ଦଣ୍ଡ ପାଆନ୍ତୁ ବୋଲି ବିଶ୍ୱାଳ କହିଛନ୍ତି ।

ଆମ ସରକାର ଦୁର୍ନୀତି ବିରୋଧୀ ନୀତି ( ଜିରୋ ଟଲେରାନ୍ସ ଟୁଆର୍ଡସ କରପସନ ନୀତି ) ଗ୍ରହଣ କରିଛି ବୋଲି ଚିତ୍କାର କରୁଥିବା ବିଜୁ ଜନତା ଦଳ ଜବାବ ଦେଉଯେ କାହିଁକି ଭିଜିଲାନସ ୪ କୋଟି ୨୦ ଲକ୍ଷ ଟଙ୍କାର କୃଷି ସବସିଡ ଘୋଟଲାରେ ରେମୁଣାର ବିଜୁ ଜନତା ଦଳ ବିଧାୟକ ସୁଧାଶୁଂ ପରିଡାଙ୍କ ବିରୋଧରେ ରିପୋର୍ଟ ଦେଲା ପରେ ବି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଆଜି ଯିଏ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅଛନ୍ତି ରଞ୍ଜନ କୁମାର ଦାସ ତାଙ୍କ ବିରୋଧରେ ମଧ୍ୟ ଭିଜିଲାନସ ଯାଜପୁରରେ ହୋଇଥିବା କୋଟି କୋଟି ଟଙ୍କାର କଳାମୁଗୁନି ପଥର ଦୁର୍ନୀତିରେ ସମ୍ପୃକ୍ତ ଥିଲେ । ପୂର୍ବତନ ମନ୍ତ୍ରୀ ଦାମ ରାଉତ ଯେଉଁ ୮୦୦ କୋଟି ଟଙ୍କାର କୃଷି ରୁଣ ଦୁର୍ନୀତି କଥା ଉଠାଇଥିଲେ ତାହାର ତଦନ୍ତ କାହିଁକି କରାଗଲା ନାହିଁ ? ବହୁ ଚର୍ଚ୍ଚିତ ପିପିଇ କିଟ ଓ ମାସ୍କ କିଣାରେ କୋଟି କୋଟି ଟଙ୍କା ଲୁଟ ହୋଇଥିଲା ଯେଉଁଥିରେ ରାଜ୍ୟର ୫ ଜଣ ମନ୍ତ୍ରୀ ଓ କିଛି ସଚିବ ବଜାର ଦର ଠାରୁ ଅଧିକ ଟଙ୍କାରେ ଜିନିଷ କିଣି କୋଟି କୋଟି ଟଙ୍କା ଆତ୍ମସାତ କରିଥିଲେ । ଆଠଗଡର ବର୍ତମାନର ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ବିରୋଧରେ ତାଙ୍କରି ଅଞ୍ଚଳରେ ହୋଇଥିବା କୃଷି ଋଣ ଘୋଟାଲାରେ ସମ୍ପୃକ୍ତ ଥିବାର ଅଭିଯୋଗ ଅଛି । କୋଭିଡ ସମୟରେ ମଧ୍ୟ ଯେତେବେଳେ ପର୍ଯ୍ୟଟନ ସ୍ଥାନ ସବୁ ବନ୍ଦ ଥିଲ ସେତେବେଳେ ଓଡିଶା ପର୍ଯ୍ୟଟନ ନିଗମର ଅଧ୍ୟକ୍ଷା ଗାଡି ଖର୍ଚ୍ଚ ଆକାରରେ ୩୦ ଲକ୍ଷ ଟଙ୍କା ନେଇଯାଇଥିବାର ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏସବୁ କଣ ଦୁର୍ନୀତି ନୁହେଁ କି ? କାହିଁକି ରାଜ୍ୟ ସରକାର ଏ ସମସ୍ତଙ୍କ ବିରୋଧରେ ତାଙ୍କ ଦୁର୍ନୀତି ବିରୋଧୀ ନୀତି ଗ୍ରହଣ କରୁନାହାନ୍ତି ବୋଲି ବିଶ୍ୱାଳ କଟାକ୍ଷ କରି କହିଛନ୍ତି ।

Leave a Reply

Your email address will not be published. Required fields are marked *