ଡିଜିଟାଲ ଉପକରଣ ଆଧାରରେ ସିସୋଦିଆ ଗିରଫ

Spread the love

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତିରେ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ସନ୍ଦେହଜନକ ଭୂମିକାକୁ ନେଇ ସିବିଆଇ ଏକ ଡିଜିଟାଲ ଉପକରଣ ଜବତ କରିଥିଲା। ଦିଲ୍ଲୀ ଅବକାରୀ ବିଭାଗରୁ ଏହି ସିଜ କରାଯାଇଥିଲା। ଗତକାଲି ପ୍ରାୟ ୮ ଘଣ୍ଟାର ଜେରା ପରେ ରାତିରେ ସିବିଆଇ ଗିରଫ କରିଥିଲା ସିସୋଦିଆଙ୍କୁ । ଆଜି ସିସୋଦିଆଙ୍କୁ ଏହି ମାମଲାରେ କୋର୍ଟରେ ଉପସ୍ଥିତ କରାଯିବ। ତେବେ ଉପମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସିବିଆଇର ଅଭିଯୋଗକୁ ଖଣ୍ଡନ କରିଛି ଆପ।

ସିବିଆଇ ସୂତ୍ର ଅନୁଯାୟୀ, ଅଗଷ୍ଟ ୧୯ ତାରିଖରେ ଦିଲ୍ଲୀ ଅବକାରୀ ବିଭାଗରେ ସିବିଆଇ ଚଢାଉ ବେଳେ ଏକ ଡିଜିଟାଲ ଉପକରଣ ସିଜ କରାଯାଇଥିଲା। ଏହାର ପରୀକ୍ଷା ବେଳେ ଅବକାରୀ ନୀତିର ଏକ ଡ୍ରାପ୍ଟ ଦସ୍ତାବିଜ ସିଷ୍ଟମରୁ ମିଳିଥିଲା, ଯାହା ଏକ୍ସାଇଜ ଡିପାର୍ଟମେଣ୍ଟର  କାର୍ଯ୍ୟଶୈଳୀ ଅନ୍ତର୍ଗତ ଆସୁନଥିଲା। ଏନେଇ ବିଭାଗର ଅଧିକାରୀଙ୍କୁ ପ୍ରଶ୍ନ କରିବାରୁ ସେଠାରୁ ସିସୋଦିଆଙ୍କ ଅଫିସରୁ ଏକ ସୁରାକ ମିଳିଥିଲା। ଏହି ସୂତ୍ର ଆଧାରରେ ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାନୁଆରୀ ୧୪ରେ ସିଷ୍ଟମ ସିଜ କରାଯାଇଥିଲା।

ତେବେ ସିଷ୍ଟମର ଅଧିକାଂଶ ଫାଇଲ ଡିଲିଟ କରାଯାଇଥିବା ବେଳେ ସିବିଆଇ ଫରେନ୍ସିକ ଟିମ ପକ୍ଷରୁ ସେସବୁକୁ ପୁନରୁଦ୍ଧାର କରିବାକୁ ଚେଷ୍ଟା କରାଯାଇଥିଲା। ଫରେନ୍ସିକ ପରୀକ୍ଷାରୁ ଜଣାପଡିଛି କି, ସ୍କାନରର ଥିବା ଡକୁମେଣ୍ଟ ସବୁ ବାହାରେ ପ୍ରସ୍ତୁତ ହୋଇଥିବା ବେଳେ ହ୍ବାଟ୍ସଆପ ମାଧ୍ୟମରେ ଆସିଥିଲା।

ଏହାକୁ ନେଇ ସିବିଆଇ ଦିଲ୍ଲୀ, ଆଣ୍ଡାମାନ ନିକୋବର, ଲକ୍ସଦୀପ, ଡାମନ ଡ୍ୟୁ ଓ ଦାଦ୍ରା ନଗର ହାବେଲି ପ୍ରଶାସନିକ ସେବାର ଜଣେ ୧୯୯୬ ବ୍ୟାଚର ଅଧିକାରୀଙ୍କୁ ସମନ କରିଛି, ଯିଏ ସିସୋଦିଆଙ୍କ ସଚିବ ଭାବେ କାର୍ଯ୍ୟ କରିଥିଲେ ଓ ତାଙ୍କୁ ସନ୍ଦିଗ୍ଧ ଫାଇଲ ସମ୍ପର୍କରେ ପ୍ରଶ୍ନ କରାଯାଇଛି। ତାଙ୍କ ଷ୍ଟେଟମେଣ୍ଟକୁ ଫେବୃଆରୀ ପ୍ରଥମ ସପ୍ତାହରେ ଜଣେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ରେକର୍ଡ କରାଯାଇଥିବା ସିବିଆଇ ସୂତ୍ରରୁ ପ୍ରକାଶ।

ଜେରା ସମୟରେ ଉକ୍ତ ଅଧିକାରୀ ସିବିଆଇକୁ କହିଥିଲେ କି, ସିସୋଦିଆ ତାଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ମାର୍ଚ୍ଚ ୨୦୨୧ରେ ଡକାଇ ଅବକାରୀ ନୀତି ଉପରେ କିଛି ମନ୍ତ୍ରୀମାନଙ୍କ କପି ତାଙ୍କୁ ହସ୍ତାନ୍ତର କରିଥିଲେ। ଅଧିକାରୀ ଆହୁରି କହିଥିଲେ କି, ଦିଲ୍ଲୀ ମନ୍ତ୍ରୀ ସତେନ୍ଦ୍ର ଜୈନ, ଯିଏ ବର୍ତ୍ତମାନ ଜେଲରେ ଅଛନ୍ତି, ସେ ମଧ୍ୟ ଏହି ମିଟିଂରେ ଉପସ୍ଥିତ ଥିଲେ ବୋଲି ସିବିଆଇ ସୂତ୍ରରୁ ଦିଆଯାଇଛି ସୂଚନା ।

ଗ୍ରୁପ ଅଫ ମିନିଷ୍ଟରସ୍ ବା ସିଓଏମ ରିପୋର୍ଟରୁ ଜଣାପଡିଛି କି, ୧୨% ପ୍ରଫିଟ ମାର୍ଜିନ କ୍ଲଜ ଏଥିରୁ ସୃଷ୍ଟି କରାଯାଇଥିଲା। କିନ୍ତୁ ଏହି ପ୍ରଫିଟକୁ ନେଇ କୌଣସି ପାଇଲ ବା କୌଣସି ଆଲୋଚନାର ରେକର୍ଡ ନ ଥିବା ସିବିଆଇ ପକ୍ଷରୁ କୁହାଯାଇଛି। ସିସୋଦିଆଙ୍କୁ ଜେରା ବେଳେ ସେହି ଡ୍ରାପ୍ଟ ଦସ୍ତାବିଜ ସମ୍ପର୍କରେ ପଚରାଯାଇଥିଲେ ମଧ୍ୟ ସିସୋଦିଆ ଏହାର ବିବୃତ୍ତି ଦେବାକୁ ମନା କରିଦେଇଥିଲେ। ସିସୋଦିଆଙ୍କୁ ପଚରାଯାଇଥିବା ବହୁ ପ୍ରଶ୍ନର ସେ ସଠିକ ଉତ୍ତର ଦେଇ ନ ପାରିବାରୁ ତାଙ୍କୁ ଗିରଫ କରାଯାଇଥିବା କହିଛି ସିବିଆଇ।

Leave a Reply

Your email address will not be published. Required fields are marked *