ମୃତ୍ୟୁକୁ ମାତ ଦେଲେ ପନ୍ତ

Spread the love

ନୂଆଦିଲ୍ଲୀ: ମୃତ୍ୟୁକୁ ଅଳ୍ପକେ ମାତ ଦେଇ ବର୍ତ୍ତି ଯାଇଛନ୍ତି ଭାରତୀ କ୍ରିକେଟର ରେସବ ପନ୍ତ। ଦିଲ୍ଲୀରୁ ଉତ୍ତରାଖଣ୍ଡ ଯାଉଥିବା ବେଳେ ଭୋର ପ୍ରାୟ ୫ଟା ୨୧ରେ ରୁର୍କୀଠାରେ  ତାଙ୍କ ମର୍ସିଡିଜ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରୁର୍କୀଠାରେ ଡିଭାଡରରେ ଧକ୍କା ହେବାରୁ କାର୍‌ରେ ନିଆଁ ଲାଗିଯାଇଥିଲା। କାର୍‌ଟି ସଂପୂର୍ଣ୍ଣ ପୋଡି ଯାଇଥିବା ବେଳେ କିନ୍ତୁ ପନ୍ତ ଉପସ୍ଥିତ ବୁଦ୍ଧି ଖଟାଇ କାରର କାଚ ଭାଙ୍ଗି ବାହାରକୁ ବାହାରି ଯାଇଥିଲେ।  ଏହି ଦୁର୍ଘଟଣାରେ ପନ୍ତଙ୍କ ଶରୀରର ବିଭିନ୍ନ ଅଂଶରେ କ୍ଷତ ଲାଗିଥିବା ବେଳେ ସେ ବିପଦ ମୁକ୍ତ ଥିବା ଡାକ୍ତର ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ପନ୍ତ ନୂଆ ଦିଲ୍ଲୀରୁ ଝାରଖଣ୍ଡ ଅଭିମୁଖେ ନିଜ ମର୍ସିଡିଜରେ ଏକାକୀ ଯାତ୍ରା କରୁଥିଲେ। ଭୋର ୫.୨୧ରେ ରୁର୍କୀର ମହମ୍ମଦପୁର ଜାଟ ନିକଟରେ ତାଙ୍କ କାର ଡିଭାଇଡରର ଧକ୍କା ହୋଇଥିଲା। ଡିଭାଇଡର ରେଲିଂ ଭାଙ୍ଗି ଯାଇଥିବା ବେଳେ କାରରେ ନିଆଁ ଲାଗି ଜଳିଥିଲା। ତେବେ ପନ୍ତ ସାହସର ସହ କାରର କାଚ ଭାଙ୍ଗି କାରରୁ ବାହାରି ଆସିବାରେ ସମର୍ଥ ହୋଇଥିଲେ। ସେପଟେ କାରଟି ନିଆଁରେ ପୋଡି ଜଳି ଯାଇଛି।

ପନ୍ତ ରାସ୍ତା ଉପରେ ଗୁରୁତର ଅବସ୍ଥାରେ ପଡି ରହିଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଠାଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ରାସ୍ତା ଉପରେ ପନ୍ତ ଅସହାୟ ଅବସ୍ଥାରେ ପଡିଥିବା ବେଳେର ଭିଡିଓ ସାମ୍ନାକୁ ଆସିବାରେ ଲାଗିଛି।

ଉତ୍ତରାଖଣ୍ଡ ଡିଜିପି ଅଶୋକ କୁମାର ପନ୍ତଙ୍କ ଦୁର୍ଘଟଣା ସମ୍ପର୍କରେ କହିଛନ୍ତି କି,  ଭୋର ପ୍ରାୟ ୫.୩୦ରେ ପନ୍ତ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ରୁର୍କୀ ନିକଟସ୍ଥ ମହମ୍ମଦପୁର ଜାଟ ନିକଟରେ ଦୁର୍ଘଟଣା ଘଟିଛି। ପନ୍ତ ଏକାକୀ ଗାଡ଼ି ଚଳାଉଥିବା ବେଳେ ତାଙ୍କ ଆଖି ଲାଗି ଯାଇଥିଲା। ଫଳରେ କାର୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼ ଡିଭାଡରରେ ପିଟି ହୋଇ ଜଳି ଯାଇଥିଲା। ପନ୍ତଙ୍କୁ ପ୍ରଥମେ ରୁର୍କୀ ହସ୍ପିଟାଲକୁ ନିଆଯାଇଥିଲା। ଏହାପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଡେରାଡୁନର ମାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ତାଙ୍କ କପାଳ ଓ ଆଣ୍ଠୁରେ ଗଭୀର ଆଘାତ ଲାଗିଛି। ଗାଡ଼ିଟି ସଂପୂର୍ଣ୍ଣ ଜଳି ଯାଇଥିଲେ ମଧ୍ୟ ତାଙ୍କର ଶରୀରର କୌଣସି ବି ସ୍ଥାନ ପୋଡ଼ି ନାହିଁ। ସ୍କାନିଂ ପରେ ଡାକ୍ତର ଏହି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *