cause behind naba murder

  • ନବଙ୍କ ହତ୍ୟା ପଛର କାରଣ କଣ?

    () ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ବିତିଲାଣି ୪୮ ଘଣ୍ଟାରୁ ଅଧିକ ସମୟ । ଅଭିଯୁକ୍ତ ଗିରଫ ହୋଇଥିଲେ ସୁଦ୍ଧା ପଦାକୁ ଆସିନି ହତ୍ୟାର କାରଣ । ଯାହାକୁ ନେଇ ବିରୋଧି ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ବିଜେପି ସାମ୍ୱାଦିକ ସମ୍ମିଳନୀ କରି ସିବିଆଇ ତଦନ୍ତ ଦାବୀ କରିବା ସହ ସମୟ ଗଡିଲେ ପ୍ରମାଣ ନଷ୍ଟ ହେବା ଆଶଙ୍କା ଥିବା କହିଛି । ଏପଟେ କଂଗ୍ରେସ ମଧ୍ୟ ହତ୍ୟାକାଣ୍ଡରେ ବଡ ବଡିଆଙ୍କ ସଂପୃକ୍ତି ଥିବା ଅଭିଯୋଗ କରିଛି । ସେପଟେ ଶାସକ ଦଳ କହିଛି ଏପରି ସମ୍ୱେଦନଶୀଳ ପ୍ରସଙ୍ଗରେ ରାଜନୀତି କରିବା ଠିକ୍ ନୁହେଁ ।

    ନବଙ୍କ ହତ୍ୟା ବଡ଼ ଷଡ଼ଯନ୍ତ୍ର କି? ହତ୍ୟା ପଛରେ କିଏ? କେବେ ପଦାକୁ ଆସିବ ହତ୍ୟା ପଛର କାରଣ? କାହିଁକି ନିରବ ପୋଲିସ ବିଭାଗ? ତଦନ୍ତ ପ୍ରକ୍ରିୟାକୁ ନେଇ ସନ୍ଦେହ କଲା ବିଜେପି । ଉପରସ୍ତରରେ ଷଡଯନ୍ତ୍ର ହୋଇଥିବା ଅଭିଯୋଗ ଆଣିଲା କଂଗ୍ରେସ । ତଦନ୍ତ ଚାଲିଥିବା କହିଲା ଶାସକ ଦଳ । ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ଘନଉଛି ବିବାଦ । ଯେଉଁଠି ମନ୍ତ୍ରୀ ସୁରକ୍ଷିତ ନୁହଁନ୍ତି ସେଠି ସାଧାରଣ ଜନତା କେମିତି ସୁରକ୍ଷିତ ରହିବେ ବୋଲି ପ୍ରଶ୍ନ କରିଛନ୍ତି ବିରୋଧି । ଦିନ ଦ୍ୱିପ୍ରହରରେ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିବା ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଭୁଷୁଡ଼ି ପଡିଥିବା ଦର୍ଶାଉଛି କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ଏମିତି କି ମୁଖ୍ୟମନ୍ତ୍ରୀ ଆଉ କାଳ ବିଳମ୍ୱ ନ କରି ସିବିଆଇ ତଦନ୍ତ ପାଇଁ ଦିଅନ୍ତୁ ବୋଲି କହିଛି ଦଳ । ଏହାସହ ସମୟ ଗଡିଲେ  ପ୍ରମାଣ ନଷ୍ଟ ପାଇଁ ସମୟ ମିଳିବ ବୋଲି କହିଛି ଦଳ । ଏପଟେ ହତ୍ୟାକାଣ୍ଡକୁ ୪୮ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ହତ୍ୟାର କାରଣ ପୋଲିସ ଖୋଜି ନ ପାରିବା କଥାକୁ ସହଜରେ ଗ୍ରହଣ କରି ପାରିନାହିଁ କଂଗ୍ରେସ । ଏହାସହ ହତ୍ୟାକାଣ୍ଡରେ ବଡ ବଡିଆଙ୍କ ସଂପୃକ୍ତି ଥିବା ଦଳ ଖୋଲାଖୋଲି କହିଛି ।

    ସେପଟେ ଦଳର ଜଣେ ଦକ୍ଷ ନେତାକୁ ହରାଇ ବିଜେଡି ଶିବିରରେ ଶୋକର ଛାୟା ଖେଳିଯାଇଛି । ବର୍ତ୍ତମାନ ତଦନ୍ତ ଚାଲିଛି । କ୍ରାଇମବ୍ରାଞ୍ଚ ସହ ହାଇକୋର୍ଟଙ୍କ ଅନୁମୋଦନରେ ଜୁଡିସିଆଲ ତଦନ୍ତ ଚାଲିଛି । ସବୁ କିଛି ସ୍ୱଚ୍ଛତାର ସହ କରାଯାଉଛି। ବ୍ୟସ୍ତ ନ ହୋଇ ତଦନ୍ତର ଫଳାଫଳକୁ ଅପେକ୍ଷା କରିବାକୁ ପଡିବ ବୋଲି ଶାସକ ଦଳ କହିଛି । ଏହାସହ ଏମିତି ସମ୍ୱେଦନଶୀଳ ପ୍ରସଙ୍ଗରେ ରାଜନୀତି ନ କରିବାକୁ ଦଳ ବିରୋଧିଙ୍କୁ ଅନୁରୋଧ କରିଛି ।

    ତେବେ ଦିନ ଗଡିବା ସହ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ରାଜନୀତି ବଢିବ ଏଥିରେ ସନ୍ଦେହ ନାହିଁ । ପ୍ରତ୍ୟେକ ଦିନ ନୂଆ ନୂଆ କଥା ସାମ୍ନାକୁ ଆସିବ । ହେଲେ କ୍ୟାବିନେଟ ମନ୍ତ୍ରୀଙ୍କୁ ପୁଲିସ ଗୁଳି କରି ମାରିବା ପ୍ରସଙ୍ଗ ବିରୋଧିଙ୍କ ପାଇଁ ଏକ ପ୍ରମୁଖ ଅସ୍ତ୍ର ହୋଇ ରହିବ, ଯାହା ବଳରେ ସରକାରଙ୍କୁ ଘେରିବା ସୁବିଧା ହେବ।

    ନବ କିଶୋର ସାହୁଙ୍କ ରିପୋର୍ଟ

Back to top button