child marriage

  • ବିବାହ: ବଦଳୁଛି ପ୍ରଥା ପରମ୍ପରା

    ଭାରତୀୟ ସଂସ୍କୃତିରେ ବାହାଘର ଏକ ଗୁରୁତ୍ୱପୁର୍ଣ୍ଣ ବ୍ୟବସ୍ଥା। ପରିବାର ଏହି ବିବାହ ନାମକ ଅନୁଷ୍ଠାନର ଦାନ ବୋଲି କୁହାଯାଏ। ପୁଅ ଝିଅ ସମ୍ପର୍କ ବୈଧ କି ଅବୈଧ ତାହା ବିବାହ ସ୍ଥିର କରେ। ସନ୍ତାନର ଅସ୍ଥିତ୍ୱ ମଧ୍ୟ ବିବାହ ସହ ଜଡ଼ିତ ଏକ ପ୍ରସଙ୍ଗ। ପ୍ରତ୍ୟେକ ଧର୍ମ, ଜାତି ଓ ସମ୍ପ୍ରଦାୟ ସହ ଅଞ୍ଚଳ ବିଶେଷରେ ଏହାର ସ୍ୱତନ୍ତ୍ରତା ବାରି ହୁଏ। ଯାହା ଆମେ ଜାଣୁ ଯେ, ଭୋଜି, ଭାତ, ଆନନ୍ଦ ଉତ୍ସବ, ନୂଆ ନୂଆ ପୋଷାକ, ନୂଆ ବନ୍ଧୁ ପରିଜନ ଓ ଦେବାନେବାର ଏକ ବିରାଟ ଆୟୋଜନ ହେଉଛି ବିବାହ। ସମାଜ ସେ ସବୁ ପରେ ହିଁ ବୈବାହିକ ବନ୍ଧନକୁ ବୈଧ ବୋଲି ମୋହର ମାରୁଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଆରେଞ୍ଜ ମ୍ୟାରେଜ ଠାରୁ ଭିନ୍ନ ହୋଇ କିଛି ଲୋକ ସ୍ୱଇଛାରେ ଲଭ୍ ମ୍ୟାରେଜ କଲେ, ଯେଉଁଠି ଘର ଲୋକଙ୍କ ସହମତି ନଥିଲେ ବିବାହ ନିରାଡମ୍ବର ଭାବେ କୋର୍ଟ କଚୋରୀରେ ହେଲା। କିଛି ପୁଣି କଣ୍ଟ୍ରାକ୍ଟ ମ୍ୟାରେଜକୁ ବାଛିଲେ। ଯଦି ସବୁ ଠିକ୍ ରହିବ ତେବେ ଅଧିକ ଅବଧି ଯାଏଁ ବୈବାହିକ ଜୀବନ ଆଗକୁ ବଢିବ ନହେଲେ ଯେତିକି ହେଲା ସେତିକି ଢେର କହି କଣ୍ଟ୍ରାକ୍ଟ କିଛି ବର୍ଷ ପରେ ଭାଙ୍ଗିଦେଲେ । ଯାହା ବିଦେଶରେ ହେଉଥିଲା ଏବେ କିଛି କିଛି ଭାରତୀୟ ଯୁବପିଢି ସେ ଧାରା ଧରିଲେଣି। ନଚେତ୍ ଲିଭ୍ ଇନ୍ ରେ ରହିବେ ବିନା କୌଣସି ପ୍ରତିବଦ୍ଧତାରେ ବିଶେଷ କିଛି ଆବେଗ ଓ ଭାବପ୍ରବଣତା ରେ ବାନ୍ଧି ନହୋଇ ଚଳିବେ। ଯଦି ମନ ଖୁବ ଜୋରରେ ମିଶିଗଲା ତେବେ ବିବାହ ମଧ୍ୟ କରିପାରନ୍ତି ।

    ତେବେ ଏତେ ସବୁ କଥାର ଗୋଟିଏ ନିଷ୍କର୍ସ ସମୟ ସହ ବିବାହକୁ ନେଇ ପୂର୍ବ ସ୍ଥିରିକୃତ ନୀତି, ନିଷ୍ପତ୍ତି ଓ ଅବଧାରଣା ବଦଳୁଛି। ଯେମିତି ବାହାଘରରେ ପୁଅ ପକ୍ଷକୁ ବିଶେଷ ଗୁରୁତ୍ୱ ଦିଆଯାଏ। ତାଙ୍କ ଡିମାଣ୍ଡ, ତାଙ୍କ ମର୍ଯ୍ୟଦା, ତାଙ୍କ ସାମାଜିକ ପ୍ରତିଷ୍ଠା ଏସବୁର ଭୂମିକା ଝିଅଘର ପକ୍ଷଠାରୁ ଅଧିକ ପ୍ରାଥମିକତା ପାଏ। ବର ପକ୍ଷ ଯାହା କହିବେ କନ୍ୟା ପକ୍ଷ ତାହା ସହିବେ । ବର ଯେମିତି ହେଲେ ବି କନ୍ୟା ତା ସହ ମୁହଁ ବନ୍ଦ କରି ବିବାହ ବନ୍ଧନରେ ବାନ୍ଧି ହୋଇଯିବ। ତାହା ଏବେ କିଛି ସ୍ଥାନରେ ବଦଳିଗଲାଣି ବୋଲି ପ୍ରତୀୟମାନ ହେଉଛି। ଝିଅମାନେ ଶିକ୍ଷିତ ଓ ଆର୍ଥୀକ ସ୍ୱାବଲମ୍ବି ହେବା ସହ ନିଜ ଅଧିକାର ସମ୍ପର୍କରେ ସଚେତନ ହେବା ଏ ପରିବର୍ତ୍ତନର ଏକ ଗୁରୁତ୍ୱପୁର୍ଣ୍ଣ ଦିଗ ହୋଇପାରେ। ବାହା ହେବାକୁ କଥା ଦେଇ ପ୍ରତାରଣା କଲେ ସମାଜ ଜାଣିଯିବ ଭୟରେ ଝିଅ ନିରବ ହୋଇ ପ୍ରେମିକର ବିବାହ ଦେଖିବ ଏବଂ ପରିବାର କଥାରେ ଅନ୍ୟତ୍ର ବୋହୁ ହୋଇ ଯିବ। ଏସବୁ ଆଉ ଚଳେଇ ନେବା ମାନସିକତାରେ ନାହାଁନ୍ତି ନୂଆ ପିଢିର ଝିଅ। ହକ୍ ପାଇଁ ଥାନା କଚେରୀ ଯାଏଁ ଯିବାକୁ ଆଉ ଭୟ କରୁ ନାହାଁନ୍ତି। ଲୋକଲଜ୍ଜା, ସମାଜ କ’ଣ କହିବ ସେକଥା ଅଛି କିନ୍ତୁ ତାଙ୍କୁ ଖାତିର ନକରି ଆଗକୁ ବଢିବା ଯୁବତୀଙ୍କ ସଂଖ୍ୟା ବଢୁଛି ।

    ବିବାହ ଯେହେତୁ ବ୍ୟକ୍ତିଗତ ନିଷ୍ପତ୍ତି ତେଣୁ ତାକୁ ବ୍ୟକ୍ତି ଉପରେ ଛଡ଼ାଯାଉ ସେ କେଉଁ ଭଳି ସମ୍ପର୍କ ଗଢିବାକୁ ଚାହେଁ। ଯେଉଁଠି ଚାଇଲ୍ଡ ମ୍ୟାରେଜ, ଆରେଞ୍ଜ ମ୍ୟାରେଜ୍ ଓ ଫୋର୍ସ ମ୍ୟାରେଜ ଭଳି କଥା ଆଜି ବି ସମାଜରେ ବହୁଳ ଭାବେ ଜାରି ରହିଛି ସେଠି ସହମତି ଥିବା ଓ ନଥିବା ଗୁରୁତ୍ୱପୁର୍ଣ୍ଣ ହେଲାଣି। ସବୁଠାରୁ ବଡ କଥା ଝିଅର ପସନ୍ଦ ନାପସନ୍ଦ ସମ୍ପର୍କ ଆଗକୁ ବଢିବ ନବଢିବର ମାପକାଠି ହୋଇ ସାରିଛି। କମ୍ ସେ କମ୍ ପୁଅ ତା ପାଇଁ ଯୋଗ୍ୟ କି ଅଯୋଗ୍ୟ ସେ କଥା ଖୋଲା ଖୋଲି କହିବାର ସାହସ ରଖୁଛନ୍ତି କିଛି ଝିଅ। ଜୀବନସାଥୀ ବାଛିବାର ସର୍ବନିମ୍ନ ଅଧିକାର ପାଉନଥିବା ଝିଅ ଏବେ ଏ ପୁରା ପ୍ରସଙ୍ଗ ଘରର ବଡ଼ଙ୍କ ଉପରେ ନୁହେଁ ବରଂ ନିଜ ହାତରେ ରଖିବାକୁ ଚାହୁଁଛନ୍ତି। କିଛି ଦିନ ଧରି ଯେଉଁ ସବୁ ଘଟଣା ଘଟିଚାଲିଛି ତାରି ଆଧାରରେ ଏସବୁ ଚର୍ଚ୍ଚା ବଢିଛି। କେଉଁଠି ବାହାଘର ଦିନକ ପରେ ପୁଅ ଅଯୋଗ୍ୟ ଜାଣି ଘରୁ ପଳାଉଛି ସଦ୍ୟ ବିବାହିତ ଝିଅ। କେଉଁଠି ବେଦୀ ଉପରେ ଘରଲୋକଙ୍କ ଚାପରେ ବସିଥିବା ଝିଅ ସାହସ ଜୁଟାଇ ପୂର୍ବରୁ ବାହାଘର ହୋଇସାରିଛି କହି ଚୁଡ଼ି ଶଙ୍ଖା ଖୋଲି ଫୋପାଡି ଦେବାରେ ସମର୍ଥ ହୋଇଛି। ପୁଣି କେଉଁଠି ନିଶାସକ୍ତ ବରକୁ ଦେଖି ବିଜୟମାଳା ଛିଣ୍ଡେଇ ବିବାହକୁ ଅଗ୍ରାହ୍ୟ କରିଛନ୍ତି। ଆଉ କେଉଁଠି ତ ସମୟକୁ ଖାତିର ନକରି ବରଯାତ୍ରୀ ସହ ନାଚିବାରେ ମସଗୁଲ ବରର ମାନସିକତା ଦେଖି ସେଇଠି ଆଉ ଜଣଙ୍କୁ ବିବାହ କରି ଭାବି ବରକୁ ପାନେ ଚଖେଇଛି ବିବାହ ମଣ୍ଡପରେ ବସିଥିବା ଝିଅ। ଜୁନ ମାସରେ ତ ପୁରା ଦେଶରେ ଚହଳ ପକାଇଦେଲେ ୨୪ ବର୍ଷୀୟ ଗୁଜରାତି ଝିଅ କ୍ଷମା ବିନ୍ଦୁ। ଯେତେବେଳେ ସେ ପ୍ରଚାର କଲେ ଯେ ହିନ୍ଦୁ ରିତିନୀତିରେ ବାହା ତ ହେବେ କିନ୍ତୁ ସେ ବାହାଘରରେ ବର କିଏ ରହିବେନି ବରଂ ସେ ନିଜ ସହ ହିଁ ବିବାହ କରିବେ। ବହୁ ବିରୋଧ ହେଲା, ତା ସତ୍ତ୍ୱେ ସେ ପାରମ୍ପରିକ ବେଶଭୂଷାରେ ବିବାହ ମଣ୍ଡପରେ ବସିଲେ ବାହାଘର ବିଧି ହେଲା, ନିଜକୁ ନିଜେ ସିନ୍ଦୁର ଓ ମଙ୍ଗଳସୂତ୍ର ପିନ୍ଧି ବିବାହିତ ହୋଇଗଲେ। ଏପରିକି ବିବାହ ପରର ହନିମୁନ ଯିବା ପାଇଁ ସେ ଡେଷ୍ଟିନେସନ୍ ପ୍ଲାନ୍ କରି ସାରିଥିବା ମଧ୍ୟ ଶୁଣିବାକୁ ମିଳିଲା। ଅନ୍ୟ କାହାକୁ ନୁହେଁ ବରଂ ନିଜକୁ ଭଲପାଇ ସେ ‘ସୋଲୋଗାମୀ’ର ରାସ୍ତା ବାଛିଲେ ବୋଲି କହିଲେ। ଏଭଳି ବିବାହ ବ୍ୟତିକ୍ରମକୁ ନେଇ ସମସ୍ତେ ନିଜ ନିଜ ସ୍ତରରେ ବିଚାର କରିଲେ। କିଏ ସ୍ୱେଛାଚାରି କିଏ ଚରିତ୍ରହୀନା କିଏ ଉଗ୍ର ଆଧୁନିକତା ବୋଲି କହିଲେ। ସମାଜିକ ଗଣମାଧ୍ୟମ ଏସବୁ ଝିଅଙ୍କୁ ବିଭିନ୍ନ ଢଙ୍ଗରେ ଚିତ୍ରଣ କରି ଚାଲିଲା। ଘର ପରିବାରର ସଂସ୍କୃତି, ସମାଜର ଅଧୋଗତି, ନୀତି, ନୈତିକତା ନେଇ ମତ ଦିଆଗଲା । କିଛି ଏଭଳି ମେସେଜ ସୋସିଆଲ ମିଡିଆରେ ଦିଆଗଲା ଯାହାକୁ ଦେଖି ଲାଗିବ ବାସ୍ତବରେ ଝିଅମାନେ ଆମ ସାମାଜିକ ଚଳଣି, ଆମ ସଂସ୍କୃତିକୁ ବେଖାତିର କରୁଛନ୍ତି ।

    ବିଗତ ଦିନରେ ବହୁ ସେଲିବ୍ରିଟି ବିଗଫ୍ୟାଟ୍ ୱେଡିଂ ବଦଳରେ ନିରୋଳାରେ ପରିବାର ଲୋକଙ୍କ ଗହଣରେ ବିବାହ କରି ଜଣାଇଛନ୍ତି ଯେ ବିବାହ ମାନେ କେବଳ ଖର୍ଚ୍ଚ ନୁହେଁ। ସାଧାସିଧାରେ ବିବାହ ସମ୍ଭବ। ଘର ଭିତରେ ନିଜେ ହାତରେ ସଜ ହୋଇ, ନିଜମାଙ୍କ ବିବାହ ବେଳର ଶାଢୀ ପିନ୍ଧି ବାହାହେଲେ ବଲିଉଡର ଜଣେ ଆଗଧାଡିର ହିରୋଇନ୍। ଆଉ ଗୋଟିଏ ଲୋକପ୍ରିୟ ଯୋଡ଼ି ତ ବିଦେଶରେ ବାହା ହେବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଘର ଲନରେ ବିନା ଖାସ୍ ମେକଅପ୍ ଓ ତାମଝାମରେ ବାହାଘର ସାରିଦେଲେ। ଆଉ ବିବାହ ପରେ ଫ୍ୟାନକୁ ଘର ଗେଟ ବାହାରେ ଆସି କହିଲେ ଆମେ ବାହା ହୋଇଗଲୁ। ଆଉ ଜଣେ ଏସବୁରୁ ଆଉ ପାଦେ ଆଗକୁ ବଢି, ବର୍ଷ ବର୍ଷର ପରମ୍ପରା ଭାଙ୍ଗିଲେ। ନିଜ ବିବାହରେ ପୁରୁଷ ପୁରୋହିତ ନୁହେଁ ମହିଳାଙ୍କ ଦ୍ୱାରା ବିବାହ ବିଧି ସମ୍ପନ୍ନ କରି ଜଣାଇଦେଲେ ଯେ ମନ୍ତ୍ରପାଠ ଗୁରୁତ୍ୱପୁର୍ଣ୍ଣ । କିଏ ପଢିଲେ, ସେ ମହିଳା କି ପୁରୁଷ ତାର କୌଣସି ଗୁରତ୍ୱ ନାହିଁ। ତା ଛଡ଼ା ପିଲା ଜନ୍ମ ପରେ ବିବାହ କରିବା। ପିଲାଙ୍କ ବାହାଘର ପରେ ପରିଣତ ବୟସରେ ପୁର୍ନବିବାହ କରିବା। ତମାମ ବ୍ୟତିକ୍ରମ ବିବାହକୁ ନେଇ ଦେଖିବାକୁ ମିଳୁଛି। କାହାକୁ ଅଡ଼ୁଆ ଲାଗୁ ଥାଇପାରେ କିନ୍ତୁ ବିବାହାର ରୁପ ବଦଳୁଛି। ଏବଂ ପରମ୍ପରାର ପୂର୍ବ ଅବଧାରଣା ଝିଅମାନେ ବଦଳାଇବାରେ ପ୍ରମୁଖ ଭୁମିକା ନେଉଛନ୍ତି।

    ଧରାବନ୍ଧା ନିୟମ ବଦଳୁ। ସମୟ ବଦଳେଇ ଦେଉ କି ଆମ ସଚେତନତା । ବ୍ୟକ୍ତି ସ୍ବାଧିନତାର ଗୁରୁତ୍ବ ରହୁ । ପୁରୁଣା ଚଳଣି ଯାହା ଭେଦଭାବ ସୃଷ୍ଟିକାରୀ ସେ ସବୁରୁ ସମାଜ ମୁକ୍ତ ହେଉ। ବଦଳିଯାଉ ସେ ସବୁ ନିୟମ ଯେଉଁଥିରେ ଗୋଟେ ପକ୍ଷ ଆଉ ଗୋଟେ ପକ୍ଷ ନିକଟରେ ମାନ, ମର୍ଯ୍ୟଦା, ସ୍ବାଭିମାନ, ଆତ୍ମସମ୍ମାନ ସବୁ ଅଜାଡ଼ି ଦେଉ ବୋଲି ଆଶା ରହେ । ସେଠି ସବୁ କଥା ବଦଳିବା ଦରକାର । ପୁଅ ଝିଅ ଉଭୟ ଉଭୟଙ୍କୁ ଜାଣନ୍ତୁ । ଜାଣିଲା ବୁଝିଲା ପରେ ବିବାହ ହେଉ, ପୁଅ ଝିଅଙ୍କ କିଣାବିକା ନହେଉ । ଚରିତ୍ର କେବଳ ଝିଅର ନୁହେଁ ପୁଅ ର ମଧ୍ୟ ବିଚାରକୁ ଆସୁ । ସମ୍ପର୍କ ବିଶ୍ବାସ ଉପରେ ପ୍ରତିଷ୍ଠିତ ହେଉ। ଯଦି ଜୀବନର କୈଣସି ମୁହୁର୍ତ୍ତରେ ବୈବାହିକ ଜୀବନ ଅଣନିଃଶ୍ବାସୀ ହେଉଛି ସେଥିରୁ ମୁକୁଳିବା ଅଧିକାର ମିଳୁ । ବିଚ୍ଛେଦ ପାଇଁ କେବଳ ଗୋଟିଏ ପକ୍ଷକୁ ଦାୟୀ କରାନଯାଉ । ଫମ୍ପା ଆବେଗରେ ଦିନେ ମାସେ ବର୍ଷେ ଚଳି ହୁଏ । ବର୍ଷ ବର୍ଷ ସମ୍ପର୍କ ତିଷ୍ଠିବାକୁ ହେଲେ ଉଭୟ ପକ୍ଷର ନିଷ୍ଠା ଅପରିହାର୍ଯ୍ୟ । ତେଣୁ ବିବାହକୁ ବନ୍ଧନ ଭାବି ସବୁ ପ୍ରତିକୂଳ ପରିସ୍ଥିତିରେ ବାନ୍ଧି ହୋଇ ରହିବା ଓ ପରମ୍ପରା ବଦଳେନାହିଁ ବୋଲି ଭାବି ଧାରକରଜ କରି ବାହାଘର କରିବା ଧାରା ବଦଳିବା ଦରକାର ।

    • ସୁପ୍ରିୟା ଦାଶଙ୍କ ରିପୋର୍ଟ  
  • ବାଲ୍ୟ ବିବାହ ଉପରେ ଲାଗୁନି ରୋକ୍

    ସମାଜରେ ବାଲ୍ୟ ବିବାହ ପ୍ରଥା ଆଜି ବି ଚାଲିଛି I ବୟସ ହେବା ପୂର୍ବରୁ କୁନି କୁନି ପିଲାଙ୍କୁ ବିବାହ କରାଉଛନ୍ତି ପରିବାର ଲୋକ I ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ୧୫ବର୍ଷର ଝିଅକୁ ବିବାହ କରାଉଥିଲେ ପରିବାର ଲୋକେ I ହେଲେ ଘଟଣା ଘଟିବା ପୂର୍ବରୁ ଘଟଣାସ୍ଥଳରେ ପହଂଚି ବାହାଘରକୁ ବନ୍ଦ କରିଛି ପ୍ରଶାସନ I ଅନ୍ୟପଟେ ନିଜର ମାନବିକତା ଦେଖାଇ ଝିଅଟିର ସମସ୍ତ ପଢ଼ା ଖର୍ଚ୍ଚ ବହନ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି ସ୍ଥାନୀୟ ସରପଞ୍ଚ I ପିପିଲି ଅଞ୍ଚଳରୁ ଦେଖିବାକୁ ମିଳିଛି ଏଭଳି ଘଟଣା ।

    ଝିଅର ବାହାଘର ପାଇଁ ସରିଥିଲା ସବୁ ପ୍ରସ୍ତୁତ । ରାତି ପାହିଲେ ହୋଇଥାନ୍ତା ବାହାଘର।  ହେଲେ ବନ୍ଦ ହୋଇଗଲା ବିବାହ। ଘଟଣାଟି ଦେଖିବାକୁ ମିଳିଛି ପିପିଲି ନିକଟସ୍ଥ ସଁଅପୁର ଗାଁରେ। ଗରିବୀ ଅଭାବର ପରିସ୍ଥିତିରେ ପଡି ନିଜର ନାବାଳିକା ଝିଅକୁ ଜାଣି ଶୁଣି ବାହା କରାଇଦେଉଥିଲେ ବାପା ମା। ଝାଟି ମାଟି ଚାଳ ଘର ଯୋଉଠି ହାଣ୍ଡି ସେଇଠି ଶୋଇବା, ଡିବି ଆଲୁଅରେ ପାଠପଢା । ସତେ ଯେମିତି ସବୁ ସରକାରୀ ଯୋଜନା ଏମାନଙ୍କ ପାଇଁ ସାତ ସପନ । ନାଁ ଅଛି ବିଜୁଳି ନାଁ ଅଛି ପକାଘର।  ଦିନ ମଜୁରିଆ ବାପା ମା।  ଝିଅର ବିବାହ କରିବାକୁ ବାପା ମାଙ୍କୁ ଘାରିଥିଲା ଚିନ୍ତା । ପରିସ୍ଥିତିକୁ ଦୃଷ୍ଟିରେ ରଖି ୧୫ ବର୍ଷର ଝିଅକୁ ଚାକିରୀଆ ଜ୍ୱାଇଁ ସହ ବିବାହ କରାଇବାକୁ ବସିଥିଲେ ବାପା ମା । ଝିଅ ମଧ୍ୟ ବାପା ମାଙ୍କୁ ଦେଖି ବିବାହ ପାଇଁ ରାଜି ହୋଇଥିଲା ।

    ନାବାଳିକା ଜଣଙ୍କ ନବମ ଶ୍ରେଣୀର ଛାତ୍ରୀ ଅଟନ୍ତି। ବାହାହେବା ପାଇଁ ଇଚ୍ଛାନଥିଲେ ବି ବାହାଘର ପାଇଁ ରାଜି ହୋଇଥିଲେ ନାବାଳିକା। ଏନେଇ ସେ ନିଜ ସହପାଠୀଙ୍କୁ ଜଣାଇଥିଲା। ସାଙ୍ଗ ଜଣଙ୍କ କାହାକୁ ଖାତିରି ନ କରି ସ୍ଥାନୀୟ ସରପଞ୍ଚଙ୍କୁ ଏନେଇ ଅବଗତ କରାଇଥିଲା। ଫଳରେ ବିବାହର କିଛି ସମୟ ପୂର୍ବରୁ ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ସରପଞ୍ଚ ଘଟଣା ସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରି ବାଲ୍ୟ ବିବାହ ବନ୍ଦ କରିଥିଲେ। ଏଥିସହ ସ୍ଥାନୀୟ ସରପଞ୍ଚ ନାବାଳିକା ଝିଅର ପାଠ ପଢା ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ବାଲ୍ୟବିବାହ ନେଇ ବାରମ୍ୱାର ସଚେତନ କରାଇବା ପରେ ମଧ୍ୟ ବନ୍ଦ ହେଉନି ବାଲ୍ୟ ବିବାହ।

    ପିପିଲିରୁ ସନ୍ତୋଷ କୁମାର ପ୍ରଧାନଙ୍କ ରିପୋର୍ଟ

Back to top button