COURT

  • ଉତ୍ତେଜକ ପୋଷାକ ପିନ୍ଧିଲେ ହେବନି ଯୌନ ଉତ୍ପୀଡନର କେସ୍ : କୋର୍ଟ

    କେରଳର କୋଝିକୋଡ ଜିଲ୍ଲା ଅଦାଲତଙ୍କ ଏକ ଯୌନ ଉତ୍ପୀଡନ ମାମଲାରେ ଦେଇଥିବା ଟିପ୍ପଣୀକୁ ନେଇ ଆରମ୍ଭ ହୋଇଛି ବିବାଦ । ଅଭିଯୁକ୍ତକୁ କୋର୍ଟ ଆଗୁଆ ଜାମିନ ପ୍ରଦାନ କରିଥିବାରୁ ସାଧାରଣରେ ପ୍ରକାଶ ପାଇଛି ଅସନ୍ତୋଷ । ଅଦାଲତ କହିଛନ୍ତି, ‘ଯଦି ମହିଳା କିମ୍ବା ଯୁବତୀ ଉତ୍ତେଜକ ପୋଷାକ ପିନ୍ଧନ୍ତି ତେବେ ଅଭିଯୁକ୍ତ ବିରୁଦ୍ଧରେ ଆଇପିସିର ଧାରା ୩୫୪ ଆଧାରରେ ଯୌନ ଉତ୍ପୀଡନ ମାମଲା ହୋଇପାରିବ ନାହିଁ’।

    ତେବେ କୋର୍ଟଙ୍କ ଏହି ରାୟକୁ ନେଇ ଆରମ୍ଭ ହୋଇଯାଇଛି ବିବାଦ । ଜଷ୍ଟିସ୍‌ ଏସ. କୃଷ୍ଣକୁମାର, ଲେଖକ ସିବିକ୍‌ ଚନ୍ଦ୍ରନଙ୍କୁ ଅଗ୍ରୀମ ଜାମିନ ପ୍ରଦାନ କରିବା ସହିତ ଏଭଳି ଟିପ୍ପଣୀ ଦେଇଛନ୍ତି । ଚନ୍ଦ୍ରନ ବିରୁଦ୍ଧରେ ଦୁଇ ବର୍ଷ ପୂର୍ବରୁ ଜଣେ ଲେଖିକା ଦୁର୍ବ୍ୟବହାର କରିଥିବାର ଅଭିଯୋଗ କରିଥିଲେ ।

    ଅଦାଲତଙ୍କ ରାୟକୁ ନେଇ ମହିଳା ସାମାଜିକ କର୍ମୀ ଏବଂ ପୂର୍ବତନ ବିଚାରପତି ଆପତ୍ତି ଉଠାଇଛନ୍ତି । କେବଳ ସେତିକି ନୁହେଁ ଏହି ମାମଲାରେ ଏବେ ହାଇକୋର୍ଟ ହସ୍ତକ୍ଷେପ କରିବା ଉଚିତ ବୋଲି ଜଣେ ପୂର୍ବତନ ବିଚାରପତି କହିଛନ୍ତି । ଅନ୍ୟପଟେ ପୀଡିତା କହିଛନ୍ତି, ବିଚାରପତିଙ୍କ ରାୟକୁ ନେଇ ସେ ଖୁବଶୀଘ୍ର ହାଇକୋର୍ଟ ଯିବେ ।

    ମାମଲାର ଶୁଣାଣି ବେଳେ ବିଚାରପତି କହିଥିଲେ, ଅଭିଯୁକ୍ତ ନିଜ ପକ୍ଷ ରଖିବା ସହିତ ପ୍ରମାଣ ଆକାରରେ ଯେଉଁ ଫଟୋ କୋର୍ଟଙ୍କ ନିକଟରେ ଉପସ୍ଥାପନ କରିଥିଲେ ସେଥିରେ ସ୍ପଷ୍ଟ ଜଣାପଡୁଥିଲା ଯେ, ଅଭିଯୋଗକାରୀ ଏଭଳି ଡ୍ରେସ ପିନ୍ଧିଥିଲେ ଯାହାକି ଉସକାଇବା ଭଳି ଥିଲା । ଏ କ୍ଷେତ୍ରରେ ଆଇପିସିର ଧାରା ୩୫୪କେ ଅନୁଯାୟୀ ଅଭିଯୁକ୍ତ ବିରୁଦ୍ଧରେ ମାମଲା ହୋଇପାରିବ ନାହିଁ’। ଅନ୍ୟପଟେ ସୋସିଆଲ ମିଡିଆର କିଛି ଫଟୋକୁ ନେଇ ଅଦାଲତଙ୍କ ନିକଟରେ ଉପସ୍ଥାପନା କରାଯାଇଥିବା ପୀଡିତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

    ଅଦାଲତ ଏହା ମଧ୍ୟ କହିଛନ୍ତି, ‘ଘଟଣାର ୨ ବର୍ଷ ପରେ କାହିଁକି ମାମଲା ରୁଜୁ କଲେ ପୀଡିତା । କାହିଁକି ତୁରନ୍ତ ଥାନାରେ ଅଭିଯୋଗ କରିନଥିଲେ । ମାମଲା ୨୦୨୦ ଫେବୃଆରୀରେ ଘଟିଥିଲେ ସୁଦ୍ଧା ୨ ବର୍ଷ ପରେ ପୀଡିତା ଏଫଆଇଆର୍‌ ଦେଇଛନ୍ତି । ପୀଡିତା ମହିଳାଙ୍କ କହିବା କଥା ଯେ, ଲେଖକଙ୍କ ଏକ ସମ୍ମୀଳନୀ ଚାଲିଥିବା ବେଳେ ଏଭଳି ଘଟଣା ଘଟିଥିଲା । ଅଭିଯୋଗରେ ମହିଳା କହିଥିଲେ ଯେ, ଅଭିଯୁକ୍ତ ଚନ୍ଦ୍ରନ ବାରମ୍ବାର ତାଙ୍କୁ ଫୋନ କରୁଥିଲେ ଏବଂ ହଇରାଣ କରୁଥିଲେ । ଏଭଳି ହରକତ୍ ଅସହ୍ୟ ହେବାରୁ ବାଧ୍ୟ ହୋଇ ସେ ମାମଲା ରୁଜୁ କରିଥିଲେ ।

    ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଅଭିଯୁକ୍ତ ସିବିକ୍‌ ଚନ୍ଦ୍ରନଙ୍କ ବୟସ ହେଉଛି ୭୪ ବର୍ଷ । ତେଣୁ ପରିଣତ ବୟସରେ ଜଣେ କିଭଳି ଭାବେ ଯୌନ ଉତ୍ପୀଡନ କରିବେ ଏବଂ ଦୁର୍ବ୍ୟବହାର କରିବେ ବୋଲି କୋର୍ଟ ପ୍ରଶ୍ନ କହିଛନ୍ତି l ଏହି ରାୟ ପରେ ଏବେ ବିବାଦ ଦେଖିବାକୁ ମିଳିଛି l

  • ବିଚାରାଧୀନ ବନ୍ଦୀଙ୍କୁ ମୁକ୍ତ କରିବାକୁ ତ୍ୱରିତ ପଦକ୍ଷେପ ନିଅ : ପ୍ରଧାନମନ୍ତ୍ରୀ

    ବିଚାରାଧୀନ ବନ୍ଦୀଙ୍କୁ ମୁକ୍ତ କରିବାକୁ ତ୍ୱରିତ ପଦକ୍ଷେପ ନିଅ। ସେମାନଙ୍କୁ ଆଇନଗତ ସହାୟତା ଯୋଗାଇଦିଅ। ଜିଲ୍ଲା ଲିଗାଲ୍ ସର୍ଭିସ ଅଥୋରିଟିଙ୍କୁ ଏଭଳି ବାଗରେ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସର୍ବଭାରତୀୟ ଜିଲ୍ଲା ଲିଗାଲ୍ ସର୍ଭିସ ଅଥୋରିଟିର ପ୍ରଥମ ବୈଠକରେ ଏହାକୁ ନେଇ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ। ଲୋକଙ୍କ ବିଶ୍ୱାସ ନ୍ୟାୟିକ ବ୍ୟବସ୍ଥା ଉପରେ ଅତୁଟ ରହିଛି। ଏଥିଲାଗି ଯେ, ନ୍ୟାୟାଳୟର ଦ୍ୱାର ତାଙ୍କ ଲାଗି ସବୁବେଳେ ଖୋଲା। କେହି ସେମାନଙ୍କ ଅସୁବିଧା ନ ଶୁଣିଲେ ବି ଅଦାଲତ ଅଛି ବୋଲି ଏ ବିଶ୍ୱାସ ମନରେ ରହିଛି। ଗଲା ୮ ବର୍ଷ ଭିତରେ ସରକାର ନ୍ୟାୟାଳୟର ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ଏଥିଲାଗି ୯ ହଜାର କୋଟି ଟଙ୍କା ବି ମଞ୍ଜୁରୀ ପାଇଛି। ଜିଲ୍ଲା କୋର୍ଟରେ ୧ କୋଟି, ସୁପ୍ରିମକୋର୍ଟ ଓ ବିଭିନ୍ନ ହାଇକୋର୍ଟରେ ୬୦ ଲକ୍ଷ ମାମଲା ଭର୍ଚ୍ଚୁଆଲରେ ଶୁଣାଣୀ ହୋଇଛି। ବିଶେଷ କରି କୋଭିଡ୍ ସମୟରେ ଭର୍ଚ୍ଚୁଆଲ ଶୁଣାଣୀରେ ଗୁରୁତ୍ୱ ବାରି ହୋଇପଡ଼ିଥିଲା। ସମ୍ୱିଧାନସମ୍ମତ ନିଜର ଅଧିକାର ଓ କର୍ତ୍ତବ୍ୟ ବାବଦରେ ଲୋକଙ୍କୁ ସଚେତନ କରିବା ଅଧିକ ଜରୁରୀ ବୋଲି ମତବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ।

    ଲୋକଙ୍କ ବିକାଶ ପାଇଁ ପରବର୍ତ୍ତୀ ପୀଢିକୁ ଟେକ୍ନୋଲୋଜି ଉପରେ ଅଧିକ ଫୋକସ୍ କରିବାକୁ ହେବ ବୋଲି ପରାମର୍ଶ ଦେଇଛନ୍ତି ମୋଦି। ସେପଟେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି.ରମଣା କହିଛନ୍ତି କି, ଜିଲ୍ଲା ନ୍ୟାୟିକ ବ୍ୟବସ୍ଥା ଏବେକାର ସମୟ ପାଇଁ ଅତି ଅପରିହାର୍ଯ୍ୟ ହୋଇପଡ଼ିଛି। ବିଶେଷ କରି ତଳକୋର୍ଟକୁ ସୁଦୃଢ଼ କରିବା ଅଧିକ ଆବଶ୍ୟକ। କାରଣ ଜିଲ୍ଲା କୋର୍ଟ ହିଁ ଲୋକଙ୍କୁ ନ୍ୟାୟ ଦେବାର ପ୍ରଥମ କଣ୍ଟାକ୍ଟ ପଏଣ୍ଟ। ପ୍ରତି ପ୍ରଗତିଶୀଳ ନୀତି ଏକ ସୁଦୃଢ଼ ମୂଳଦୁଆ ଆବଶ୍ୟକ କରେ। ଆଉ ଏହି ସମାନ କଥା ଜୁଡିସିଆରୀରେ ବି ଦରକାର। ଲୋକମତରେ ଜିଲ୍ଲା କୋର୍ଟରୁ ହିଁ ନ୍ୟାୟାଳୟର ଦ୍ୱାରସ୍ଥ ହୋଇ କି ଅନୁଭୂତି ସାଉଁଟିଛନ୍ତି, ଏଇଠୁ ହିଁ ଲୋକେ ଅଭିଜ୍ଞତା ହାସଲ କରିନିଅନ୍ତି। ସେଥିଲାଗି ତ ତଳକୋର୍ଟର କାନ୍ଧରେ ବଡ଼ ଗୁରଭାର ରହିଛି। କାରଣ ତଳକୋର୍ଟ ହିଁ ଲୋକଙ୍କ ଅସୁବିଧା ଓ ସାମାଜିକ ପ୍ରସଙ୍ଗକୁ ଠିକ୍ ଭାବରେ ବୁଝିପାରିବାର ପ୍ରକୃଷ୍ଠ କ୍ଷେତ୍ର ଅଟେ। ଆଉ ଏଥିପାଇଁ ମଲଟିଫେସେଟ୍ ଟାସ୍କ ଓ ରୋଲ୍ ନିର୍ବାହ କରିବାକୁ ପଡ଼ିବ ଜିଲ୍ଲା କୋର୍ଟଗୁଡିକୁ ବୋଲି ପରାମର୍ଶ ଦେଇଛନ୍ତି ପ୍ରଧାନ ବିଚାରପତି।

    ଯଦି କୋର୍ଟ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଲୁଚାଇବ, ଚାପରେ ରହିବ ଓ ଠିକଣା ଭାବରେ ଜଣାଇବନି, ତେବେ ସିଷ୍ଟମ ହଲିଯିବ। ଏପରିକି ପ୍ରଧାନ ବିଚାରପତି ଆଶଙ୍କା ବି କରିଛନ୍ତି କି, ଏଭଳି ମନୋଭାବ ରହିଲେ, ସାମାଜିକ ନ୍ୟାୟ ଦେବାରେ ଅଦାଲତ ନିଜର ସାମ୍ୱିଧାନିକ ଦାୟିତ୍ୱ ନିର୍ବାହ କରିପାରିବନି। ସେଥିଲାଗି ଡିବେଟ୍ ଓ ଡିସାଇଡ୍ ଥିଓରୀକୁ ଅନୁସରଣ କରିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ରମଣା। ଚାକିରୀର ସର୍ତ୍ତ, ପାରିଶ୍ରମିକ ଓ ଭିତ୍ତିଭୂମିର ଆହ୍ୱାନ ଯେମିତି ଚାପର ଗୋଟିଏ ଗୋଟିଏ ଆଧାର ବୋଲି ଦର୍ଶାଇଛନ୍ତି ଜଷ୍ଟିସ ରମଣା। ବିଚାରାଧୀନ ବନ୍ଦୀଙ୍କ ବାବଦରେ ତ୍ୱରିତ ଶୁଣାଣୀ ଓ ବିଚାରକୁ ନେଇ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନ ବିଚାରପତି। ଓକିଲଙ୍କ ପ୍ରଭାବଶାଳୀ ଯୁକ୍ତି ଓ ତର୍କ ଯେତିକି ଜରୁରୀ। ସେଭଳି ଭାବରେ ଓକିଲ ବି ସମର୍ପିତ ହେବା ଦରକାର।

    କାରଣ ବିଚାରାଧୀନ ବନ୍ଦୀ ତଥା ସେମାନଙ୍କ ମହକିଲର ସ୍ଥିତି ଓ ଆବଶ୍ୟକତାକୁ ହୃଦୟଙ୍ଗମ କରିବା ଦରକାର ଓକିଲ। ସେଥିଲାଗି ଜେଲକୁ ଭିଜିଟ୍ କରି ମହକିଲଙ୍କ ବାସ୍ତବତାକୁ ବୁଝିବା ଦରକାର। ଏଡିଆର ଓ ଲୋକଅଦାଲତକୁ ସୁଦୃଢ କଲେ ଅଦାଲତରେ ଗଡ଼ୁଥିବା ମାମଲାର ବୋଝ ଓ ବ୍ୟାକଲଗ୍ ଦୂର ହୋଇପାରିବ ବୋଲି ମତପୋଷଣ କରିଛନ୍ତି ପ୍ରଧାନ ବିଚାରପତି। କାରଣ ଏହି ଦୁଇଟି ପ୍ଲାଟଫର୍ମରେ ଲକ୍ଷ ଲକ୍ଷ ଲୋକ ନିଜର ଅଭିଯୋଗର ସମାଧାନ ପାଇପାରୁଛନ୍ତି। ଦେଶର ଶକ୍ତି ହେଉଛନ୍ତି ଯୁବବର୍ଗ। ଯଦି ସେମାନଙ୍କୁ ଉପଯୁକ୍ତ ତାଲିମ ଦିଆଯାଏ, ତେବେ ସେମାନଙ୍କର ଦକ୍ଷତାକୁ ସାମାଜିକ ଓ ଅର୍ଥନୈତିକ ପ୍ରଗତିରେ ଲଗାଯାଇପାରିବ। ଜନସଂଖ୍ୟାର ୭୦ ପ୍ରତିଶତ ଲୋକଙ୍କୁ ମାଗଣା ଆଇନଗତ ସହାୟତା ଯୋଗାଇଦେବାର ଲକ୍ଷ୍ୟ ରହିଛି। ସେପଟେ କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜ୍ଜୁ କହିଛନ୍ତି କି, ଫ୍ୟାମିଲି କୋର୍ଟରେ ଗଡ଼ୁଥିବା ମାମଲାକୁ ତ୍ୱରିତ ସମାଧାନ ଲାଗି ସୁନିଶ୍ଚିତ କରାଯାଉଛି। ଏବେ ୧୧ ଲକ୍ଷରୁ ବେଶୀ ମାମଲା ପେଣ୍ଡିଂ ଅଛି। ପରିବାରରେ ବଡ଼ଙ୍କ ଭିତରେ ବିବାଦରୁ କାହିଁକି ଛୋଟ ପିଲା ଭୋଗିବେ।

    ସେଥିଲାଗି ପରିବାର ଅଦାଲତରେ ଗଡ଼ୁଥିବା ମାମଲାର ତ୍ୱରିତ ବିଚାର ଲାଗି ଜିଲ୍ଲା ଜଜ୍ ଙ୍କୁ ଅପିଲ୍ କରିଛନ୍ତି ମନ୍ତ୍ରୀ ରିଜ୍ଜୁ। ଲୋକସଭାରେ ଫ୍ୟାମିଲି କୋର୍ଟ ଆମେଣ୍ଡମେଣ୍ଟ୍ ବିଲ୍ ୨୦୧୧ ପାରିତ ହୋଇସାରିଛି। ଆସନ୍ତା ସପ୍ତାହରେ ରାଜ୍ୟସଭାରେ ଉପସ୍ଥାପିତ ହେବ। ଟେଲି- ଲ ପ୍ରୋଗ୍ରାମ ପାଇଁ ପ୍ରତି ଜିଲ୍ଲାରେ ନାଲସା ୭ଶହ ଆଇନଜୀବିଙ୍କୁ ନିଯୁକ୍ତି ଦେବାକୁ ଯାଉଛି। ଏହି ଏମପ୍ୟାନେଲ୍ ଲୟର ରେଫେରାଲ ଲୟର ଭାବରେ ପରିଗଣିତ ହେବେ ଓ ସମସ୍ୟାକୁ ଏଡ଼ାଇବା ସହ ପ୍ରି-ଲିଟିଗେସନ ଷ୍ଟେଜ୍‌ରୁ ସମସ୍ୟା ତୁଟାଇବାକୁ ପ୍ରୟାସ କରିବେ। ନ୍ୟାୟବନ୍ଧୁ ଯୋଜନାରେ ୧୧୨ ଆକାଙ୍କ୍ଷୀ ଜିଲ୍ଲାରେ ଲୋକଙ୍କୁ ଆଇନଗତ ଶିକ୍ଷା, ସଚେତନ କରାଇବାକୁ ପ୍ରୟାସ ଜାରି ରହିଛି। ଅଗଷ୍ଟ ୧୫ ନଚେତ୍ ତା ଆଗରୁ ଅଧିକରୁ ଅଧିକ ବିଚାରାଧୀନ କଏଦୀଙ୍କୁ ମୁକ୍ତ କରିବାକୁ ଟାର୍ଗେଟ ରହିଛି। ଆଜାଦି କି ଅମୃତ ମହୋତ୍ସବ ପାଳନ କରୁଥିବାରୁ ଏହି ଟାର୍ଗେଟ ରହିଛି ବୋଲି କହିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ।

    • ପ୍ରଦୀପ ନାୟକଙ୍କ ରିପୋର୍ଟ
  • ସତେନ୍ଦ୍ର ଜୈନ ମାମଲା: ଇଡିକୁ କୋର୍ଟଙ୍କ ଭର୍ତ୍ସନା

    ନୂଆଦିଲ୍ଲୀ: ସତେନ୍ଦ୍ର ଜୈନ ମାମଲାରେ ଇଡିକୁ ଦିଲ୍ଲୀ ରାଉଜ ଏଭେନ୍ୟୁ କୋର୍ଟଙ୍କ ଭର୍ତ୍ସନା। ଇଡିର ଚାର୍ଜସିଟ ଉପରେ କୋର୍ଟ ଶୁଣାଣି କାଳରେ କହିଛନ୍ତି, ଯେଉଁ କମ୍ପାନୀ ସହ ସତେନ୍ଦ୍ରଙ୍କୁ ଦୋଷୀ କରାଯାଇଛି, ସେହି କମ୍ପାନୀ ସହ ସତେନ୍ଦ୍ରଙ୍କର କୌଣସି ସମ୍ପର୍କ ବା ଭାଗିଦାରୀ ନାହିଁ। ତ କଣ ତୁମ ଲେଖିବା ଦ୍ବାରା କମ୍ପାନୀ ସତେନ୍ଦ୍ରଙ୍କର ହୋଇଯିବ ବୋଲି କୋର୍ଟ ପ୍ରଶ୍ନକରିଛନ୍ତି।

    ମନିଲଣ୍ଡରିଂ ମାମଲାରେ ଇଡି ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତେନ୍ଦ୍ର ଜୈନ, ତାଙ୍କ ପତ୍ନୀ, ୮ ଅନ୍ୟଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି। ଶୁଣାଣି କାଳରେ ଇଡିର ଚାର୍ଜସିଟ ଉପରେ କୋର୍ଟ ଏକାଧିକ ପ୍ରଶ୍ନ କରିବା ସହ ସଂସ୍ଥାକୁ ଭର୍ତ୍ସନା କରିଛନ୍ତି। ଜଷ୍ଟିସ ଗୀତାଞ୍ଜଳି ଗୋଏଲଙ୍କ ଖଣ୍ଡପୀଠ ଏହି ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ସମନ କରିଛନ୍ତି, ଯେଉଁମାନଙ୍କୁ ଏଯାବତ୍ ଗିରଫ କରାଯାଇ ନାହିଁ। ଏଥିରେ ୪ କମ୍ପାନୀଙ୍କୁ ମଧ୍ୟ ସାମିଲ କରାଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୬ରେ ହେବ। ଏଥିସହ କୋର୍ଟ ଅଭିଯୁକ୍ତ ଅଜୀତ କୁମାର ଓ ସୁନିଲ କୁମାର ଜୈନଙ୍କୁ ଏକ ଲକ୍ଷ ବ୍ୟକ୍ତିଗତ ମୁଚାଲିକାରେ ଜାମିନ ପ୍ରଦାନ କରିଛନ୍ତି।

    • ଶିଳା ରାୟଙ୍କ ରିପୋର୍ଟ
  • ବଳାତ୍କାରୀକୁ ଜାମିନ ଦେବାକୁ ମନା

    ଆହ୍ଲାବାଦ ହାଇକୋର୍ଟର ବଡ ଶୁଣାଣୀ। ଯୁବତୀଙ୍କୁ ନିଶା ସେବନ କରି ଅଚେତ ଅବସ୍ଥାରେ ବଳାତ୍କାର କରିଥିବା ୨ ଅଭିଯୁକ୍ତଙ୍କ ଜାମିନ ଖାରଜ କରିବା ସହ ସ୍ୱତନ୍ତ୍ର ଅଦାଲତ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶକୁ ସର୍ମଥନ କରିଛନ୍ତି। ଅଭିଯୁକ୍ତ ହେଲେ ଆୟାନ, ଓୌରିୟାର ଅୟୁବ ଖାନ୍ ଓରଫ ଗୁଡୁ। ସ୍ୱତନ୍ତ୍ର କୋର୍ଟ ଆଦେଶକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ଆବେଦନ ଶୁଣାଣି କରିଥିଲେ ଜଷ୍ଟିସ ସଞ୍ଜୟ କୁମାର ସିଂ। ସୂଚନା ଅନୁଯାୟୀ, ଯୁବତୀ ଜଣଙ୍କ ରାସ୍ତାରେ କାହାକୁ ଅପେକ୍ଷା କରିଥିଲେ।

    ଗାଁର ଯୁବକମାନେ ଆସି ଏକ ଟ୍ରକ ଅଟକାଇ ଯୁବତୀଙ୍କୁ ଲିପ୍ଟ ଦେଇଥିଲେ। ସେହି ଟ୍ରକରେ ଯୁବକ ୨ ଜଣ ମଧ୍ୟ ଯାଇଥିଲେ। ପରେ ଯୁବତୀଙ୍କୁ ଥଣ୍ଡାରେ ନିଶା ମିଶାଇ ପିଆଇ ଥିଲେ। ଯୁବତୀ ଜଣଙ୍କ ଚେତାଶୂନ୍ୟ ହୋଇପଡିବା ପରେ ତାଙ୍କୁ ଏକ ନିର୍ଜନ ସ୍ଥାନକୁ ନେଇ ବଳତ୍କାର କରାଯାଇଥିଲା। ଯୁବତୀ ଜଣଙ୍କ ସ୍ଥାନୀୟ ଥାନାରେ ଏନେଇ ଏକ ଏଫେୟାର ରୁଜୁ କରିଥିଲେ। ଅଭିଯୁକ୍ତମାନେ କହିଛନ୍ତି ଯେ, ତାଙ୍କଠାରୁ ଟଙ୍କା ନେବା ପାଇଁ ତାଙ୍କ ଉପରେ ମିଥ୍ୟା ଅଭିଯୋଗ ଲଗାଯାଇଛି।

    ସରକାରୀ ଓକିଲ କହିଛନ୍ତି ଯେ, ବଳତ୍କାର କରାଯାଇଥିବା ସମୟରେ ଅଭିଯୁକ୍ତମାନେ ଭିଡିଓ କରିଥିଲେ। ସୋସିଆଲ ମିଡିଆରେ ଏହି ବିଡିଓ ଭାଇରାଲ ହେଉଛି। ସେପ୍ଟମ୍ୱର ୨୧ରୁ ଦୁଇଜଣ ଜେଲରେ ଅଛନ୍ତି। ଅପରାଧ ଓ ଦଣ୍ଡର ସମ୍ଭାବନାକୁ ଦୃଷ୍ଟିରେ ରଖି କୋର୍ଟ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

    • ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ
  • ୨୫ ହଜାର ନ୍ୟାୟିକ ଅଧିକାରୀଙ୍କୁ ଅଶ୍ଵସ୍ତି

    ନୂଆଦିଲ୍ଲୀ: ଦେଶର ପ୍ରାୟ ୨୫ ହଜାର ନ୍ୟାୟିକ ଅଧିକାରୀଙ୍କୁ ଅଶ୍ଵସ୍ତି । ଖୁବ ଶ୍ରୀଘ୍ର ମିଳିବ ବର୍ଧିତ ବେତନ । ୧ ଜାନୁଆରୀ ୨୦୧୬ ରୁ ବଢିଥିବା ବେତନ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହା ସହ ତିନୋଟି କିସ୍ତିରେ ଲାଗୁ ବକେୟା ଏରିଅର ଦେବା ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ କହିଛନ୍ତି । ପ୍ରଥମ ତିନି ମାସ ମଧ୍ୟରେ ୨୫ ପ୍ରତିଶତ ବକେୟା ଦିଆଯିବ । ଏହାର ତିନି ମାସ ମଧ୍ୟରେ ୨୫ ପ୍ରତିଶତ ବକେୟା ଦରମା ୩୦ ଜୁନ୍ ୨୦୨୩ ସୁଦ୍ଧା ମିଳିପାରିବ ।

    ଏହା ପୂର୍ବରୁ ତେଲେଙ୍ଗାନାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟ ବିଚାରପତି ଏନଭି ରମଣା କହିଥିଲେ ଯେ ମାନସିକ ଶାରୀରିକ ସୁସ୍ଥତା ପାଇଁ ବିତ୍ତୀୟ କଲ୍ୟାଣ ଏକ ମହତ୍ବପୂର୍ଣ୍ଣ ପ୍ରସଙ୍ଗ ଅଟେ । ଖୁବଶୀଘ୍ର ବେତନ ଆୟୋଗ ସମ୍ବର୍ଦ୍ଧିତ ପ୍ରସଙ୍ଗରେ ନ୍ୟାୟିକ ଅଧିକାରୀଙ୍କୁ ଖୁସି ଖବର ମିଳିବ । ସପ୍ତମ ବେତନ ଆୟୋଗଙ୍କ ସୁପାରିଶ କ୍ରମେ କେନ୍ଦ୍ର ସରକାରଙ୍କ କର୍ମଚାରୀ ( ୧ ଜାନୁଆରୀ ୨୦୧୬ ) ବର୍ଦ୍ଧିତ ବେତନ ଲାଗୁ ହେବ ।

    ଗତ ୨୦୦୬ ରେ ଜିଲ୍ଲା ନ୍ୟାୟପାଳିକାଙ୍କ ନ୍ୟାୟାଧୀଶଙ୍କ ବେତନ ସଂଶୋଧନ କରାଯାଇଥିଲା । ଏହା ପରେ ସର୍ବୋଚ୍ଚ ନ୍ୟାୟାଳୟ ନ୍ୟାୟପାଳିକାଙ୍କ ବେତନ, ସେବା, ସର୍ତ୍ତ ଆଦିର ସମୀକ୍ଷା କରି ୨୦୧୭ ରେ ଦ୍ବିତୀୟ ରାଷ୍ଟ୍ରୀୟ ନ୍ୟାୟିକ ବେତନ ଆୟୋଗର ଗଠନ କରିଥିଲେ । ଏହା ବିରୋଧରେ କେତେକ ରାଜ୍ୟ ଆପତ୍ତି ଉଠାଇଥିଲେ । ନ୍ୟାୟପାଳିକା ବର୍ଗ ଅଲଗା ହୋଇଥିବା ସେମାନେ ଦାବି କରିଥିଲେ । ସଂଶୋଧିତ ନିୟମ ଲାଗୁ ହୋଇଥିଲେ କିଛି ସ୍ତରର ନ୍ୟାୟିକ ଅଧିକାରୀଙ୍କୁ ସିଭିଲ ସର୍ଭିସରେ ଉତ୍ତୀର୍ଣ୍ଣ ଅଧିକାରୀଙ୍କ ବେତନ ଠାରୁ ଅଧିକ ପ୍ରାପ୍ୟ ମିଳିଥାନ୍ତା ।

    • ସ୍ମରଜିତ ଆର୍ଯ୍ୟଙ୍କ ରିପୋର୍ଟ
  • ଅକ୍ଟୋବର ଯାଏ ସ୍ଥଗିତ ରହିଲା ଜ୍ଞାନବାପି ଶୁଣାଣି

    ନୂଆଦିଲ୍ଲୀ:  ଗୁରୁବାର ଦିନ ସୁପ୍ରିମକୋର୍ଟ ଜ୍ଞାନବାପି ମସଜିଦ ମାମଲାରେ ଅଞ୍ଜୁମନ ଇନ୍ତେଜେମିଆ ମସଜିଦର ଯାଚିକାକୁ ଅଗଷ୍ଟ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। କୋର୍ଟ କହିଛନ୍ତି ମାମଲାରେ ବାରାଣସି ଜିଲ୍ଲା କୋର୍ଟରୁ ରାୟ ପ୍ରକାଶ ପାଇନାହିଁ। ରାୟ ପାଇଁ ଅପେକ୍ଷା କରାଯାଉଛି। ତେଣୁ ଏହି ମାମଲାକୁ ଅକ୍ଟୋବର ପ୍ରଥମ ସପ୍ତାହରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ଜଣାଇଛନ୍ତି।

    ସୂଚନା ଅନୁଯାୟୀ,  ମସଜିଦ କମିଟିର ସ୍ବତନ୍ତ୍ର ଲିଭ ପିଟିସନକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯିବା ସହ ଅକ୍ଟୋବର ପ୍ରଥମ ସପ୍ତାହରେ ଶୁଣାଣି କରାଯିବ। ଏଥିସହ ସର୍ଭେ କାଳରେ ଶିବ ଲିଙ୍କକୁ ପୂଜା କରିବାକୁ ଦେଇଥିବା ଅଧିକାର ଉପରେ ହୋଇଥିବା ଯାଚିକାର ଶୁଣାଣି କରିବାକୁ କିନ୍ତୁ ମନା କରି ଦେଇଛନ୍ତି ସର୍ବୋଚ୍ଚ କୋର୍ଟ। ଶୁଣାଣି କାଳରେ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡଙ୍କ କୋର୍ଟରେ ଓକିଲ ହୁଜେଫା ଅହମ୍ମଦି କହିଥିଲେ ନିୟମ ବିରୋଧରେ ମସଜିଦ ଭିତରେ ସର୍ଭେ କାର୍ଯ୍ୟ ହୋଇଥିଲା।

  • କୋଭିଡ ମୃତ୍ୟୁ: କ୍ଷତିପୂରଣକୁ ନେଇ ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ

    ନୂଆଦିଲ୍ଲୀ: କୋଭିଡରେ ମୃତ୍ୟୁକୁ ନେଇ ୧୮ ଜୁଲାଇରେ ସର୍ବୋଚ୍ଚ ନ୍ୟାୟାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ଦେଇଛନ୍ତି କଡା ନିର୍ଦ୍ଦେଶ। କୋଭିଡରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ଦେବା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ। ବିରଚପତି ଏମ ଆର ସାହା ଓ ବିଚାରପତି ବିବି ନାଗରତ୍ନଙ୍କ ଖଣ୍ଡପୀଠ କହିଛନ୍ତି, ଯଦି କୌଣସି ଦାବିଦାରଙ୍କୁ କ୍ଷତିପୂରଣ ନ ଦେବାର ଅଛି କି ତାଙ୍କ ଦାବିକୁ ଖାରଜ କରିବାର ଅଛି ତେବେ ଏନେଇ ଅଭିଯୋଗ ନିବାରଣ ସମିତିକୁ ଯାଆନ୍ତୁ।


    ଅଭିଯୋଗ ନିବାରଣ ସମିତିକୁ କ୍ଷତିପୂରଣ ଦାବିଦାରଙ୍କ ଆବେଦନ ଉପରେ ଜଣାଇବାକୁ ୪ ସପ୍ତାହ ସମୟ ଦିଆଯାଇଛି। ସେପଟେ ଆନ୍ଧ୍ର ସରକାର ଉପରେ ଏସଡିଆରଏଫ ଖାତାରୁ ବ୍ୟକ୍ତିଗତ ଜମା ଖାତାକୁ ହସ୍ତାନ୍ତର ଅଭିଯୋଗରେ ହୋଇଥିବା ଯାଚିକା ଉପରେ ଖଣ୍ଡପୀଠ କଡା ଆଭିମୁଖ୍ୟ ପୋଷଣ ପୂର୍ବକ ତୁରନ୍ତ ଏହି ମାମଲାରେ ତୁରନ୍ତ ଉତ୍ତର ରଖିବାକୁ ଶେଷ ମୌକା ଦେଇଛନ୍ତି। ଆନ୍ଧ୍ର ଏସଡିଆରଏଫ ମାମଲାରେ ଯାଚିକା କର୍ତ୍ତାଙ୍କ ପକ୍ଷରୁ ତାଙ୍କ ଓକିଲ କୋର୍ଟଙ୍କୁ ଜଣାଇଥିଲେ କି, ଏସଡିଆରଏଫରୁ ଧନରାଶିକୁ ସରକାର ଅନ୍ୟ କାର୍ଯ୍ୟରେ ନିୟୋଜିତ କରୁଛନ୍ତି।

    • ଶିଳା ରାୟଙ୍କ ରିପୋର୍ଟ
  • ମୁସଲିମ ଛାଡପତ୍ରକୁ ନେଇ ଜୁଲାଇ ୨୨ରେ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ

    ନୂଆଦିଲ୍ଲୀ: ସୁପ୍ରିମ କୋର୍ଟ ସୋମବାର ଦିନ ମୁସଲିମ ଛାଡପତ୍ର ମାମଲାକୁ ନେଇ ଆସନ୍ତା ଜୁଲାଇ ୨୨ରେ ଏକ ରିଟ ପିଟିସନର ଶୁଣାଣି କରିବାକୁ ତାଲିକାଭୁକ୍ତ କରିଛନ୍ତି। ରିଟ ଯାଚିକା ତଲାକ ଏ ହାସାନର ମୁସଲିମ ପର୍ସନାଲ ଲ ପ୍ରାକ୍ଟିସ ପକ୍ଷରୁ ଦାୟର ହୋଇଛି ଯାଚିକା। ଯେଉଁଥିରେ କୁହାଯାଇଥିଲା କି, ଜଣେ ବ୍ୟକ୍ତି ତାର ସ୍ତ୍ରୀକୁ ମାସରେ ଥରେ କରି ତିନି ମାସ ଧରି ତଲାକ କହିଲେ ଛାଡପତ୍ର ଦେଇ ପାରିବେ। ଓକିଲ ପିଙ୍କି ଆନନ୍ଦଙ୍କ ଦ୍ବାରା ଦାୟର ଏହି ଯାଚିକା ମୁଖ୍ୟ ବିଚାରପତି ଏନ ଭି ରମଣା, ଜଷ୍ଟିସ କ୍ରିଷ୍ଣା ମୁରାରୀ ଓ ଜଷ୍ଟିସ ହିମା କୋହଲିଙ୍କ ଖଣ୍ଡପୀଠଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ସେ ବେଞ୍ଚଙ୍କ ସମ୍ମୁଖରେ ମାମଲାର ଶୁଣାଣି ପାଇଁ ଅପିଲ କରିବା ସହ ଜଣାଇଥିଲେ କି, ସେ ୩ ଟି ତଲାକ ନୋଟିସ ପାଇଛନ୍ତି, ଯାହା ବର୍ତ୍ତମାନ ପରିବର୍ତ୍ତନ କରାଯାଇ ପାରିବ ନାହିଁ। ଏହା ପରେ ଖଣ୍ଡପୀଠ ୪ ଦିନ ପରେ ମାମଲାର ଶୁଣାଣି କରିବାକୁ କହିଛନ୍ତି।

    ଯାଚିକା କର୍ତ୍ତା ଅଭିଯୋଗ ଆଣିଥିଲେ କି, ତାଙ୍କ ସ୍ସାମୀ ଏପ୍ରିଲ ୧୯ରେ ସ୍ପିଡ ପୋଷ୍ଟରେ ପ୍ରଥମ ତଲାକ ନୋଟିସ କରିଥିଲେ। ଏହା ପରେ ପରବର୍ତ୍ତୀ ୨ ମାସରେ ସେ ଦୁଇଟି ତଲାକ ନୋଟିସ ପାଇଥିଲେ। ଏହାକୁ ଯାଚିକା କର୍ତ୍ତା ପକ୍ଷପାତିତା କହିଛନ୍ତି। କାହିଁକି ତଲାକ କେବଳ ପୁରୁଷଙ୍କ ଦ୍ବାରା ଦିଆଯିବ। ଏହି ପ୍ରଥାକୁ ସେ ପକ୍ଷପାତିତା ଓ ଅସମ୍ବିଧାନିକ ବୋଲି ଅଭିଯୋଗ ମଧ୍ୟ କରିଛନ୍ତି। ଏହା ଧାରା ୧୪, ୧୫, ୨୧ ଓ ୨୫ ର ଉଲ୍ଲଙ୍ଘନ ବୋଲି ଅଭିଯୋଗ କରିଛନ୍ତି।

    ଶିଳା ରାୟଙ୍କ ରିପୋର୍ଟ

  • ପୂର୍ବତନ ବିଚାରପତିଙ୍କ ବିରୋଧରେ କୋର୍ଟ ଅବମାନନା ମାମଲା…

    ନୂଆଦିଲ୍ଲୀ: ପୂର୍ବତନ ଦିଲ୍ଲୀ ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ ଏନ ଏନ ଡିଙ୍ଗେ, ପୂର୍ବତନ ଅତିରିକ୍ତ ସଲିସିଟର ଜେନେରାଲ ଅମନ ଲେଖି ଓ ଓକିଲ କେ ଆର କୁମାରଙ୍କ ବିରୋଧରେ କୋର୍ଟ ଅବମାନନା ମାମଲାରେ ନିଜ ସମ୍ମତି ଦେବାକୁ ଭାରତର ଆଟର୍ଣ୍ଣି ଜେନେରାଲ କେ କେ ବେଣୁ ଗୋପାଳ ମନା କରିଦେଇଛନ୍ତି। ଏମାନେ ନୂପୁର ଶର୍ମା ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ବାରା ମୌଖିକ ଟିପ୍ପଣୀକୁ ବିରୋଧ କରିବା ସହ ସମାଲୋଚନା କରିଥିଲେ। ଏହାକୁ ନେଇ ଏମାନଙ୍କ ବିରୋଧରେ ସୁପ୍ରିମକୋର୍ଟ ଅବମାନନା ମାମଲା ଦାୟରକୁ ସମ୍ମତି ଦେଇ ନାହାନ୍ତି ଆଟର୍ଣ୍ଣି ଜେନେରାଲ।

    ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ବୟାନ ଦେବା ପରେ ନୂପୁର ଶର୍ମାଙ୍କ ବିରୋଧରେ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ମାମଲା ହୋଇଥିବାରୁ ଶର୍ମା ସୁପ୍ରିମକୋର୍ଟଙ୍କ ନିକଟରେ ସମସ୍ତ ମାମଲାକୁ ଦିଲ୍ଲୀ ସ୍ଥାନାନ୍ତର କରିବାକୁ ଅପିଲ କରିଥିଲେ। ଏହାର ଶୁଣାଣି କାଳରେ ଦୁଇ ଜଣିଆ ଖଣ୍ଡପୀଠ ନୂପୁରଙ୍କୁ ନାନାଭାବେ ଭର୍ତ୍ସନା କରିବା ସହ ନୂପୁରଙ୍କ ପାଇଁ ଦେଶ ଜଳୁଛି ଓ ଉଦୟପୁର ଟେଲରଙ୍କ ହତ୍ୟା ତାଙ୍କ ପାଇଁ ହୋଇଥିବା କହିଥିଲେ। ଏହାକୁ ନେଇ ସେତେବେଳେ ସମସ୍ତ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା। ଜଷ୍ଟିସ ଏନ ଏନ ଡିଙ୍ଗେ, ପୂର୍ବତନ ଅତିରିକ୍ତ ସଲିସିଟର ଜେନେରାଲ ଅମନ ଲେଖି ଓ ଓକିଲ କେ ଆର କୁମାର ସୁପ୍ରିମ କୋର୍ଟଙ୍କ ମୌଖିକ ଟିପ୍‌ପଣୀର ସମାଲୋଚନା କରିଥିଲେ।

    ଶିଳା ରାୟଙ୍କ ରିପୋର୍ଟ

  • ନୂପୁର ଶର୍ମା ବିବାଦ- ଟାର୍ଗେଟରେ କୋର୍ଟ

    ନୂପୁର ଶର୍ମା ବିବାଦରେ ସୁପ୍ରିମକୋର୍ଟଙ୍କ ଟିପ୍ପଣୀ ପରେ ଦେଶରେ କୋର୍ଟଙ୍କୁ ମିଶ୍ର ପ୍ରତିକ୍ରିୟାର ସମ୍ମୁଖୀନ ହେବାକୁ ହୋଇଛି। କୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ଅନେକ ଏହାକୁ ସ୍ବାଗତ କରିଥିବା ବେଳେ ଦେଶଠାରୁ ବିଦେଶ ପର୍ଯ୍ୟନ୍ତ ଅନେକ ନୂପୁରଙ୍କ ପକ୍ଷରେ ଠିଆ ହୋଇଛନ୍ତି। ଏପରି କି, ଖଣ୍ଡପୀଠ ଦେଇଥିବା ବୟାନ ଫେରାଇ ନେବାକୁ ମଧ୍ୟ ମୁଖ୍ୟ ନ୍ୟାୟାଧୀଶଙ୍କୁ ଏକ ଲେଟର ପିଟିଶନ ହୋଇଛି।

    ନୂପୁର ଶର୍ମା ବିବାଦରେ ଟାର୍ଗେଟରେ ସର୍ବୋଚ୍ଚ ନ୍ୟାୟାଳୟ। ଖଣ୍ଡପୀଠଙ୍କ ବୟାନ ଅଯୁକ୍ତିକର। କୋର୍ଟ ବୟାନ ଫେରାଇ ନେବାକୁ ଅପିଲ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ଦିଆଯାଇଥିବା ବୟାନକୁ ବିରୋଧ। କୋର୍ଟଙ୍କ ବୟାନ ବିରୋଧରେ ସୋସିଆଲ ମିଡିଆରେ ଟ୍ରେଣ୍ଡିଂ। ଦେଶରୁ ବିଦେଶ, ନୂପୁରଙ୍କ ସପକ୍ଷରେ ଠିଆ ହେଉଛନ୍ତି ଅନେକ। ଶୁକ୍ରବାର ନୂପୁର ଶର୍ମା ବିବାଦରେ ସୁପ୍ରିମକୋର୍ଟ କଡା ଆଭିମୁଖ୍ୟ ପୋଷଣ କରିଥିଲେ। ଦେଶର ସାମ୍ପ୍ରତିକ ସାମ୍ପ୍ରଦାୟିକ ସ୍ଥିତି ଓ ଉଦୟପୁର ହତ୍ୟା ପାଇଁ ସର୍ବୋଚ୍ଚ କୋର୍ଟଙ୍କ ଖଣ୍ଡପୀଠ ନୂପୁରଙ୍କୁ ଦାୟୀ କରିବା ସହ ଟେଲିଭିଜନ ମାଧ୍ୟମରେ ନିସର୍ତ୍ତ ଓ ସାର୍ବଜନୀନ କ୍ଷମପ୍ରାର୍ଥନା କରିବାକୁ ଦେଇଛନ୍ତି ନିର୍ଦ୍ଦେଶ। ଏହା ପରେ ନୂପୁରଙ୍କ ସପକ୍ଷରେ ବାହାରିଛନ୍ତି ଅନେକ। କେହି ଏହାକୁ ବାକ ସ୍ବାଧୀନତାର ହତ୍ୟା କହିବା ସହ କେହି ଶୁଣାଣିକାରୀ ବିଚାରପତିଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛାଇ ନାହାନ୍ତି। ଏପରିକି, ଖଣ୍ଡପୀଠଙ୍କ ଦ୍ବାରା ଜାରି ଟିପ୍‌ପଣୀକୁ ଫେରାଇ ନେବାକୁ ସୁପ୍ରିମକୋର୍ଟଙ୍କ ଜଣେ ଓକିଲ ମୁଖ୍ୟ ବିଚାରପତିଙ୍କୁ ପତ୍ର ଲେଖିଛନ୍ତି।

    ଶୁକ୍ରବାର ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ପ୍ରକାଶ ପାଇବା ପରେ ଓକିଲ ଅଜୟ ଗୌତମ, ମୁଖ୍ୟବିଚାରପତି ଜଷ୍ଟିସ ଏନଭି ରମଣାଙ୍କୁ ଏକ ଲେଟର ପିଟିଶନ ଦେଇଛନ୍ତି। ସେ ତାଙ୍କ ପିଟିସନରେ ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ପାରଦିବାଲାଙ୍କ ଖଣ୍ଡପୀଠ ଦେଇଥିବା ଟିପ୍ପଣୀକୁ ଫେରାଇ ନେବାକୁ ନିର୍ଦ୍ଦେଶ ଦେବାକୁ ଅପିଲ କରିଛନ୍ତି। ସେହିପରି ବିଶ୍ବ ହିନ୍ଦୁ ପରିଷଦ ବା ଭିଏଚପି ସର୍ବୋଚ୍ଚ କୋର୍ଟଙ୍କ ବୟାନକୁ ଅନୌପଚାରିକ କହିବାକୁ ପଛାଇନି। ସଂଗଠନର ସଭାପତି ଆଲୋକ କୁମାର ପ୍ରତିକ୍ରିୟାଶୀଳ ହୋଇ କହିଛନ୍ତି, ନୂପୁର ଅପରାଧ କରିଛନ୍ତି କି ନାହିଁ ତାହା ନିର୍ଦ୍ଧାରଣ କୋର୍ଟଙ୍କ କାମ ନ ଥିଲା। ଦେଶବ୍ୟାପୀ ନୂପୁରଙ୍କ ନାମରେ ମାମଲା ରହିଥିବାରୁ ସେସବୁ ସ୍ଥାନକୁ ଯାତ୍ରା ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବାରୁ ଦିଲ୍ଲୀକୁ ମାମଲା ସ୍ଥାନାନ୍ତର ପାଇଁ ଆବେଦନ ହୋଇଥିଲା। ଶୁଣାଣି କାଳରେ କୋର୍ଟ ଦେଇଥିବା ଟିପ୍ପଣୀ ଅନୌପଚାରିକ ହୋଇଥିବାରୁ ଏହାକୁ କୋର୍ଟଙ୍କ ନିଷ୍ପତ୍ତି ଭାବେ ଗ୍ରହଣ କରା ନ ଯାଉ।

    ଏହି ପ୍ରସଙ୍ଗରେ ନୂପୁରଙ୍କୁ ଜଣେ ହିରୋ କହିଛନ୍ତି ନେଦରଲ୍ୟାଣ୍ଡର ପାର୍ଟି ଫର ଫ୍ରିଡମର ସଭାପତି ଗୋର୍ଟ ବାଇଲ୍ଡର୍ସ। ବାଇଲ୍ଡର୍ସ କହିଛନ୍ତି ନୂପୁର କଦାପି କ୍ଷମା ମାଗିବା ଆବଶ୍ୟକ ନୁହେଁ । ସେ ନୂପୁରଙ୍କ ବୟାନକୁ ସତ୍ୟ କହିବା ସହ ସତ୍ୟ କହି କ୍ଷମା ପ୍ରାର୍ଥନା ଅନାବଶ୍ୟକ କହିଛନ୍ତି। ଉଦୟପୁର ଘଟଣା ପାଇଁ ନୂପୁର ଦାୟୀ ନ ଥିବା କହିଛନ୍ତି। ବାଇଲ୍ଡର୍ସ ପୂର୍ବରୁ ମଧ୍ୟ ପ୍ରଫେଟ ମହମ୍ମଦ ବିବାଦରେ ନୂପୁରଙ୍କୁ ସମର୍ଥନ କରି ଆସିଛନ୍ତି। ସେ କହିଛନ୍ତି, ତୁଷ୍ଠୀକରଣ କଦାପି କାମ କରିନଥାଏ। ଏହା ସ୍ଥିତିକୁ ଆହୁରି ଖରାପ କରିଥାଏ। ସେ ଆହୁରି କହିଛନ୍ତି, ଭାରତରେ ଥିବା ମୋର ପ୍ରିୟ ବନ୍ଧୁମାନେ… ଇସଲାମିକ ଦେଶମାନଙ୍କ ପ୍ରୋତ୍ସାହନାରେ ନ ପଡନ୍ତୁ। ନିଜ ସ୍ୱାଧୀନତା ପାଇଁ ଠିଆ ହୋଇ ଗର୍ବ କରନ୍ତୁ । ନୂପୁର ଜଣେ ପ୍ରକୃତ ହିରୋ ବୋଲି ମଧ୍ୟ କହିଛନ୍ତି ବାଇଲ୍ଡର୍ସ।

    ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠଙ୍କ ଭର୍ତ୍ସନା ପରେ ପରେ ବଲିଉଡ ମଧ୍ୟ ନୂପୁରଙ୍କ ସମର୍ଥନରେ ବାହାରିଛନ୍ତି। ଫିଲ୍ମ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ, ଅନୁପମ ଖେର ନୂପୁରଙ୍କ ସପକ୍ଷରେ ବାହାରିଛନ୍ତି। ବିବେକ ଟ୍ବିଟ କରି ଉଲ୍ଲେଖ କରିଛନ୍ତି କି, ଆଜି ନ୍ୟାୟପାଳିକା ଆମ ଜୀବନ ଜୀଇଁବାର ଅଧିକାର ଛଡାଇ ନେଇଛି। ଯଦି ତାଙ୍କ ସହ କିଛି ହୋଇଯାଏ, କାହା ବୟାନ ଦାୟୀ ହେବ? ସେହିପରି ପ୍ରସିଦ୍ଧ ଅଭିନେତା ଅନୁପମ ଖେର ସିଧାସଳଖ ବିଚାରପତିଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ସେ ଟ୍ବିଟର ହ୍ୟାଣ୍ଡେଲରେ ବିଚାରପତିଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି, ଜଜ୍‌ ସାହାବ ନିଜ ସମ୍ମାନ ପାଇଁ କିଛି ସମ୍ମାନଜନକ କାର୍ଯ୍ୟ କରନ୍ତୁ। ସେପଟେ ପୁଣି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସାମ୍ନାକୁ ଆସିଛନ୍ତି। ନୂପୁର ବିବାଦରେ ରାହୁଲ ଗାନ୍ଧୀ ବିଜେପିକୁ ପୁଣି ଟାର୍ଗେଟ କରିଛନ୍ତି। ଘୃଣା ନୂପୁର ନୁହଁନ୍ତି, ବିଜେପି ପ୍ରସାର କରୁଛି। ତେବେ ନୂପୁର ପ୍ରସଙ୍ଗରେ କୋର୍ଟଙ୍କ କଡା ଟିପ୍ପଣୀ ଓଲଟା କୋର୍ଟଙ୍କୁ ବିବାଦ ଘେରକୁ ଟାଣି ଆଣିଛି।  

    ଶିଳାସ୍ମିତା ରାୟଙ୍କ ରିପୋର୍ଟ ନକ୍ଷତ୍ର ନ୍ୟୁଜ୍

Back to top button