delhi

  • ଦିଲ୍ଲୀ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଇନଫ୍ଲୁଏଞ୍ଜା ଆଡଭାଇଜରି ଜାରି

    ନୂଆଦିଲ୍ଲୀ: ଦେଶରେ ଏଚ୩ଏନ୨ ଇନଫ୍ଲୁଏଞ୍ଜାର ଭାରି ବୃଦ୍ଧି ଦେଖିବାକୁ ମିଳିଛି। ଏହା ମଧ୍ୟରେ ଦିଲ୍ଲୀ ପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀ ସୌରଭ ଭରଦ୍ବାଜ ଏଚ୩ଏନ୨ ଭୂତାଣୁକୁ ନେଇ ଜାରି କରିଛନ୍ତି ଆଡଭାଇଜରି। ରାଜଧାନୀରେ ଏହି ଭୂତାଣୁ ସଂକ୍ରମଣଜନିତ ମାମଲାର ସଠିକ ତଥ୍ୟ ସଂଗ୍ରହ ପାଇଁ ଶୀଘ୍ର ଯାଞ୍ଚ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାର୍ଚ୍ଚ ଶେଷ ସୁଦ୍ଧା ଇନଫ୍ଲୁଏଞ୍ଜା ସଂକମ୍ରଣ ସାଧାରଣତଃ କମିଯାଇଥାଏ। କିନ୍ତୁ ଚଳିତ ଥର ଏହା ବୃଦ୍ଧି ପାଉଛି। ତେଣୁ ଏହାକୁ ନେଇ ଲୋକଙ୍କୁ ସତର୍କ ରହିବାକୁ ହେବ।

    ଶୁକ୍ରବାର ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସୌରଭ ଭରଦ୍ବାଜ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କି, ଯେଉଁ ଲୋକମାନେ ଗମ୍ଭୀର ରୂପେ ଆସ୍ଥମା ପ୍ରଭାବିତ ବା କୋଭିଡ-୧୯ରେ ସଂକ୍ରମିତ, ସେମାନେ ଅଧିକ ଏହି ଇନଫ୍ଲୁଏଞ୍ଜାରେ ସଂକ୍ରମିତ ହେଉଛନ୍ତି। ପାଞ୍ଚ ବର୍ଷରୁ କମ ବୟସର ଶିଶୁ ଓ ୬୫ ବର୍ଷରୁ ଅଧିକ ବୟସର ବୟସ୍କଙ୍କୁ ତେଣୁ ଅଧିକ ସାବଧାନ ରହିବାର ଆବଶ୍ୟକତା ରହିଛି।

    ଆଗକୁ ଭରଦ୍ବାଜ କହିଛନ୍ତି କି, କେନ୍ଦ୍ର ଛଅ ରାଜ୍ୟକୁ କୋଭିଡ ପରାମର୍ଶ ଜାରି କରିଛି, ଏଥିରେ ଦିଲ୍ଲୀ ନାହିଁ। ତଥାପି ଇନଫ୍ଲୁଏଞ୍ଜା ସଂକ୍ରମଣକୁ ରୋକିବାକୁ ପରାମର୍ଶ ଜାରି କରାଯାଇଛି। ଇନଫ୍ଲୁଏଞ୍ଜା ମାମଲାର ସଠିକ ତଥ୍ୟ ଜାଣିବାକୁ ଅଧିକାରୀମାନଙ୍କୁ ଶୀଘ୍ର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଦିଲ୍ଲୀର ହସ୍ପିଟାଲଗୁଡିକରେ ଅଧିକ ଇନଫ୍ଲୁଏଞ୍ଜା ମାମଲା ନାହିଁ। ତଥାପି ଆମକୁ ସତର୍କ ରହିବାକୁ ହେବ ବୋଲି କହିଛନ୍ତି ମନ୍ତ୍ରୀ। ସେହିପରି, ସାର୍ବଜନୀନ ସ୍ଥାନକୁ ଯିବାରୁ ବର୍ତ୍ତିବାକୁ, ବାରମ୍ବାର ହାତ ଧୋଇବା ପରି ସାବଧାନତା ଅବଲମ୍ବନ କରିବା ଆବଶ୍ୟକ ବୋଲି କହିଛନ୍ତି ମନ୍ତ୍ରୀ।

    ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଦ୍ବାରା ଜାରି ଆଡଭାଇଜରିରେ କୁହାଯାଇଛି କି, ୬୦ ବର୍ଷରୁ ଅଧିକ ବୟସ୍କ ଓ ପୁରୁଣା ଫୁସଫୁସ ଜନିତ ରୋଗ ସହ ଜଡିତ ଲୋକେ ଅଧିକ ସତର୍କତା ଅବଲମ୍ବନ କରିବା ଉଚିତ। ନିତ୍ୟାବଶ୍ୟକ ସ୍ଥଳେ ହିଁ କେବଳ ସାର୍ବଜନୀନ ସ୍ଥାନକୁ ଯାଆନ୍ତୁ। ଜନଗହଳିପୂର୍ଣ୍ଣ ସ୍ଥାନରେ ଚଟାଣ, କାନ୍ଥକୁ ଛୁଅଁନ୍ତୁ ନାହିଁ। ବାରମ୍ବାର ହାତ ଧୁଅନ୍ତୁ। ଆଖି ଓ ନାକରେ ହାତ ଲଗାନ୍ତୁ ନାହିଁ ବୋଲି କୁହାଯାଇଛି ଆଡଭାଇଜରିରେ।

  • ଦିଲ୍ଲୀରେ ସ୍ବାଇନ ଫ୍ଲୁ ଭୟ

    ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣ ବୃଦ୍ଧି ପାଇଚାଲିଛି। ଦୈନିକ କରୋନା ସଂକ୍ରମଣ ଦର ୨୦ପ୍ରତିଶତକୁ ବୃଦ୍ଧି ପାଇଛି। ଏପରି ସମୟରେ ଦିଲ୍ଲୀରେ ମଙ୍କି ପକ୍ସ ପରେ ପରେ  ସ୍ବାଇନ ଫ୍ଲୁ ମଧ୍ୟ ଭୟର ବାତାବରଣ ସୃଷ୍ଟି କରିଛି। ଏପର୍ଯ୍ୟନ୍ତ ୨ଟି ସ୍ବାଇନ ମାମଲା ସାମ୍ନାକୁ ଆସିଲାଣି। ନୂଆ ସ୍ବାଇନ ଫ୍ଲୁରେ ସଂକ୍ରମିତ ଦ୍ବିତୀୟ ରୋଗୀଙ୍କ ବୟସ ୪୯। ଏହା ପରେ ଦିଲ୍ଲୀ ସରକାରର ସ୍ବାସ୍ଥ୍ୟ ବିଭାଗ ଏହାକୁ ନେଇ ଜାରି କରିଛି ଆଲର୍ଟ।

    ବର୍ତ୍ତମାନ ଆଫ୍ରିକାରେ ଦ୍ରୁତ ବେଗରେ ବୃଦ୍ଧି ପାଇଚାଲିଛି ସ୍ବାଇନ ଫ୍ଲୁ। ଦିଲ୍ଲୀରେ ମଧ୍ୟ ଦୁଇ ଜଣ ସ୍ବାଇନ ଫ୍ଲୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ହଠାତ୍ ଦିଲ୍ଲୀରେ ଘୁଷୁରୀଙ୍କ ମୃତ୍ୟୁର ଏକାଧିକ ମାମଲା ସାମ୍ନାକୁ ଆସିଥିଲା। ମହରୋଲି ଓ ଦକ୍ଷିଣପୁରୀ ଅଞ୍ଚଳରେ  ଘୁଷୁରୀ ମୃତ୍ୟୁକୁ ନେଇ ଅଧିକ ମାମଲା ସାମ୍ନାକୁ ଆସିଥିଲା।

    ସେପଟେ ସ୍ବାଇନ ଫ୍ଲୁରେ ସଂକ୍ରମିତ ଜଣେ ବ୍ୟକ୍ତିଙ୍କର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ଦ୍ବିତୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ପରେ ସ୍ବାସ୍ଥ୍ୟ ବିଭାଗ ସତର୍କ ହୋଇ ଯାଇଛି। ବିଭାଗ ପକ୍ଷରୁ କୁହାଯାଇଛି କି, ସରକାର ଏହାକୁ ନେଇ ସମ୍ପୂର୍ଣ୍ଣ ରୂପେ ଆଲର୍ଟ ରହିଛି। ଦ୍ବିତୀୟ ସ୍ବାଇନ ଫ୍ଲୁ ସଂକ୍ରମିତ ଆକାଶ ହସ୍ପିଟାଲ, ଦ୍ବାରକାରେ ଭର୍ତ୍ତି ହୋଇଛନ୍ତି। ସଂକ୍ରମଣ ନ ବଢିବା ପାଇଁ ପୁରା ବ୍ୟବସ୍ଥା କରାଯାଇଛି।

    ସ୍ବାଇନ ଫ୍ଲୁ ଚିକିତ୍ସା ପାଇଁ ଦିଲ୍ଲୀ ସରକାର ପକ୍ଷରୁ ସରକାରୀ ଓ ଘରୋଇ  ଏହି ପରି ୬ଟି ହସ୍ପିଟାଲରେ ୩୫ ଟି ବେଡ ସଂରକ୍ଷିତ ରଖାଯାଇଛି।

  • ପାଳନ ହେଲା ବିଭାଜନ ବିଭୀଷିକା ସ୍ମୃତି ଦିବସ

    ଦେଶର ବିଭାଜନର ଯନ୍ତ୍ରଣାକୁ ସ୍ମରଣ କରି ଭାରତୀୟ ଜନତା ପାର୍ଟି ଆଜି “ବିଭାଜନ ବିଭୀଷିକା ସ୍ମୃତି ଦିବସ” ପାଳନ କରିଛି । ଏହି ସମୟରେ ବିଜେପି ସାରା ଦେଶରେ ଏକ ନିରବ ପଦଯାତ୍ରା ଆୟୋଜନ କରିଛି । ଦିଲ୍ଲୀରେ ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର, ପୀୟୁଷ ଗୋୟଲ ଏବଂ ଅନ୍ୟ ବିଜେପି ନେତାମାନେ ଏହି ଅବସରରେ ଏକ ନିରବ ପଦଯାତ୍ରାରେ ଭାଗ ନେଇଥିଲେ। ଏହି ପଦଯାତ୍ରାରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଜି କିଶନ ରେଡ୍ଡୀ ଏବଂ ଅର୍ଜୁନ ରାମ ମେଘୱାଲ ମଧ୍ୟ ଭାଗ ନେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ବର୍ଷ ସ୍ୱାଧୀନତା ଦିବସ ଅଭିଭାଷଣରେ ଏହା ଘୋଷଣା କରିବା ପରେ ଭାରତ ପ୍ରଥମ ଥର ପାଇଁ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ କରୁଛି ।

    ଦେଶ ବିଭାଜନ ସମୟରେ ସାମ୍ପ୍ରଦାୟିକ ଦଙ୍ଗାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବିଭାଜନ ପୀଡିତଙ୍କ ଦ୍ୱାରା ଦେଖାଯାଇଥିବା ଧର୍ଯ୍ୟକୁ ମଧ୍ୟ ସେ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି, “ବିଭାଜନ ବିଭୀଷିକା ସ୍ମୃତି ଦିବସ” ରେ ମୁଁ ବିଭାଜନ ସମୟରେ ପ୍ରାଣ ହରାଇଥିବା ସମସ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଗତ ବର୍ଷ ସ୍ୱାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ 14 ଅଗଷ୍ଟକୁ “ବିଭାଜନ ବିଭୀଷିକା ସ୍ମୃତି ଦିବସ” ଭାବରେ ପାଳନ କରିବାକୁ ଘୋଷଣା କରିଥିଲେ।

    • ଅଭିଷେକ ପୁରୋହିତଙ୍କ ରିପୋର୍ଟ
  • ରାଜଧାନୀରେ ୫ମ ମଙ୍କିପକ୍ସ ଚିହ୍ନଟ

    ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପଞ୍ଚମ ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇଛନ୍ତି। ସେ ମାସେ ତଳେ ନାଇଜେରିଆ ଯାଇଥିଲେ ଓ ଆଫ୍ରିକୀୟ ମହିଳା । ନାଇଜେରିଆରୁ ଫେରିବା ପରେ ଦେହ ଖରାପ ହେବାରୁ ସେ ଦୁଇ ଦିନ ତଳେ ଲୋକନାୟକ ଜୟ ପ୍ରକାଶ ନାରାୟଣ (ଏଲଏନଜେପି) ହସପିଟାଲରେ ଭର୍ତ୍ତି ହୋଇଥିଲେ। କିନ୍ତୁ ଶୁକ୍ରବାର ରାତିରେ ସେ ମଙ୍କିପକ୍ସରେ ସଂକ୍ରମିତ ଥିବା ରିପୋର୍ଟ ଆସିଥିଲା ।
    ଦିଲ୍ଲୀରେ ବର୍ତ୍ତମାନ ପର୍ଯ୍ୟନ୍ତ ୫ ଜଣ ମଙ୍କିପକ୍ସରେ ସଂକ୍ରମିତ ହୋଇସାରିଲେଣି । ସେମାନଙ୍କ ମଧ୍ୟରୁ ଏହି ମହିଳାଙ୍କୁ ମିଶାଇ ୨ ଜଣ ମହିଳା ଅଛନ୍ତି । ୫ ସଂକ୍ରମିତଙ୍କ ମଧ୍ୟରୁ ଜଣେ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଯାଇଥିବା ବେଳେ ୪ ଜଣଙ୍କ ଚିକିତ୍ସା ଜାରି ରହିଛି । ଦେଶରେ ମୋଟ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି।
    ଦେଶରେ ମଙ୍କିପକ୍ସ ମାମଲା ବଢ଼ୁଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଗାଇଡଲାଇନ୍ ଜାରି ହୋଇଛି । ଗାଇଡଲାଇନ୍‌ରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଆଇସୋଲେସନରେ ରହିବା ପାଇଁ କୁହାଯିବା ସହ ଏହା ଏକ ସଂକ୍ରମିତ ରୋଗ ହୋଇଥିବାରୁ ସମସ୍ତଙ୍କୁ ସାବଧାନତାର ପରାମର୍ଶ ଦିଆଯାଇଛି। ଏଥିରେ ମଧ୍ୟ ବାରମ୍ବାର ସାବୁନରେ ହାତ ଧୋଇବା, ମାସ୍କ ପିନ୍ଧିବାକୁ ତଥା ହାତରେ ଗ୍ଲୋବ୍ସ ପିନ୍ଧିବା ପାଇଁ କୁହାଯାଇଛି ।
    ମଙ୍କିପକ୍ସ ମାମଲାର ଯାଞ୍ଚ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପୂର୍ବରୁ ଏକ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରିଛି। ନିତି ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଭିକେ ପଲ୍ ଏହି ଟାସ୍କ ଫୋର୍ସର ମୁଖ୍ୟ ଏବଂ ଏହାର ସଦସ୍ୟମାନଙ୍କ ମଧ୍ୟରେ ମନ୍ତ୍ରାଳୟର ଅଧିକାରୀ ଅଛନ୍ତି।

  • ସ୍ୱାଧୀନତା ଦିବସ ପୂର୍ବରୁ ଦିଲ୍ଲୀରେ ୨୦୦୦ ଜୀବନ୍ତ ଗୁଳି ଜବତ, ୬ ଗିରଫ

    ରାଜଧାନୀ ଦିଲ୍ଲୀରେ ଅଗଷ୍ଟ 15 ପୂର୍ବରୁ 2 ହଜାର ଜୀବନ୍ତ ଗୁଳି ଜବତ କରାଯାଇଛି। ୭୫ତମ ସ୍ୱାଧୀନତା ଦିବସକୁ ଧୂମଧାମରେ ପାଳନ ପାଇଁ ଦିଲ୍ଲୀ ପ୍ରସ୍ତୁତ ହେଉଥିବା ବେଳେ ଏହି ଘଟଣା ଆତଙ୍କର କାରଣ ପାଲଟିଛି। ସ୍ୱାଧୀନତା ଦିବସ ପାଳନର ୩ ଦିନ ପୂର୍ବରୁ ଏଭଳି ଗୁଳି ଜବତ ବାସ୍ତବିକ ଚିନ୍ତାଜନକ। ମାମଲରେ ପୋଲିସ ୬ ଜଣଙ୍କୁ ଅଟକ ରଖି ପଚରା ଉଚରା ଚଳାଇଛି। ଏଥର ସମଗ୍ର ଦେଶ ସ୍ୱାଧୀନତାର 75 ତମ ବାର୍ଷିକୀ ପାଳନ କରିବାକୁ ଯାଉଛି। ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଉଛି ଯାହା ଦ୍ୱାରା ଏହି ଖୁସି ପରିବେଶରେ କୌଣସି ପ୍ରତିବନ୍ଧକ ନହୁଏ |

    ଚଳିତ ସପ୍ତାହ ପୂର୍ବରୁ ରାଜଧାନୀ ଦିଲ୍ଲୀରେ ଜଣେ ସକ୍ରିୟ ଆଇଏସଆଇଏସ ସଦସ୍ୟକୁ ପୋଲିସ ଗିରଫ କରିଥିଲା। ଗିରଫ ଯୁବକ ଜାମିଆ ମିଲିଆ ଇସ୍ଲାମିଆ ୟୁନିଭର୍ସିଟିର ଦ୍ୱିତୀୟ ବର୍ଷର ଛାତ୍ର ବୋଲି ଜଣାପଡିଛି। ଗିରଫ ଯୁବକ ମହସିନ ଅହମ୍ମଦ ଆଇଏସଆଇଏସର ଜଣେ ସକ୍ରିୟ ସଦସ୍ୟ ଓ ଭାରତରେ ପାଣ୍ଠି ସଂଗ୍ରହ କାର୍ଯ୍ୟରେ ନିୟୋଜିତ ଥିଲା। ସେ ସଂଗ୍ରହ କରୁଥିବା ଅର୍ଥକୁ କ୍ରିଫ୍ଟୋ କରେନ୍ସୀରେ ପରିବର୍ତ୍ତିତ କରି ସିରିଆ ଓ ଅନ୍ୟ ସ୍ଥାନମାନଙ୍କୁ ପଠାଉଥିଲା। ଭାରତ ସୋମବାର ୭୫ତମ ସ୍ୱାଧୀନତା ଦିବସ ପାଳନ କରିବ। ସ୍ୱାଧୀନତାର ୭୫ତମ ବାର୍ଷିକ ପାଳନ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଥିବା ବେଳେ ଆତଙ୍କବାଦ ତତ୍ୱ ଦେଶର ଖୁସିକୁ ଫିକା କରିବା ଯୋଜନାରେ ଅଛନ୍ତି।

    ଏଣୁ ରାଜଧାନୀ ଦିଲ୍ଲୀ ସମେତ ସାରା ଦେଶରେ ସୁରକ୍ଷା କଡାକଡି କରାଯାଇଛି। ଏଥର ଅଗଷ୍ଟ 15 ରେ ଲାଲକିଲା ସୁରକ୍ଷା ପାଇଁ 10 ହଜାର ପୋଲିସ କର୍ମଚାରୀ ନିୟୋଜିତ ହେବେ। ଅଗଷ୍ଟ 15 ପୂର୍ବରୁ ମଧ୍ୟ ସମଗ୍ର ଦିଲ୍ଲୀକୁ ସତର୍କ କରାଯାଇଛି। ଦିଲ୍ଲୀ ପୋଲିସ କମିଶନର ନିଜେ ବିଭିନ୍ନ ଗୁପ୍ତଚର ଏଜେନ୍ସି ଏବଂ ସୁରକ୍ଷା ପ୍ରତିଷ୍ଠାନର ମୁଖ୍ୟଙ୍କ ସହିତ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିଛନ୍ତି। ସେ ଯଥାସମ୍ଭବ ଚେଷ୍ଟା କରୁଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାରେ କୌଣସି ଅସୁବିଧା ନହେବା ଉଚିତ୍।

    • ଅଭିଷେକ ପୁରୋହିତଙ୍କ ରିପୋର୍ଟ

  • ରାହୁଲ ହେବେ ପରବର୍ତ୍ତୀ ଏଆଇସିସି ଅଧ୍ୟକ୍ଷ!

    ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କୁ ନେଇ ଏବେ ବଡ ଧରଣର ଚର୍ଚ୍ଚା । କିଏ ଧରିବ କଂଗ୍ରେସର ମଙ୍ଗ । ରାହୁଲୁଙ୍କୁ ମିଳିବ କି ପୁଣି ଥରେ ଏଆଇସିସି   ଦାୟିତ୍ବ ।ଏଆଇସିସି ଅଧ୍ୟକ୍ଷ ପଦ ନେଇ ଚର୍ଚ୍ଚା ଥମିନଥିବା ବେଳେ ସାଧୁମାନେ ଭବିଷ୍ୟବାଣୀ କଲେଣି କି ରାହୁଲ ଗାନ୍ଧୀ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ । ରାହୁଲ ଲିଙ୍ଗାୟତ ଦୀକ୍ଷା ଗ୍ରହଣ କରିବା ସମୟରେ ଜଣେ ସାଧୁ ଭବିଷ୍ୟବାଣୀ  କରିଛନ୍ତି । ରାହୁଲଙ୍କ କର୍ଣ୍ଣାଟକ ଗସ୍ତ ସମୟରେ ଘଟିଛି ଏହି ଘଟଣା । ଏହି ସମୟରେ  ଡି.କେ ବେନୁଗୋପାଲଙ୍କ ସହ ଚିତ୍ରାଦୁର୍ଗସ୍ଥିତ  ଶ୍ରୀ ମୁରୁଗାରାଜେନ୍ଦ୍ର ମଠ ପରିଦର୍ଶନ କରିଥିଲେ । ଆସନ୍ତା ବର୍ଷ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଲିଙ୍ଗାୟତ ସମ୍ପ୍ରଦାୟକୁ ଆକୃଷ୍ଟ କରିବା ପାଇଁ ରାହୁଲ ଏହି ଦୀକ୍ଷା ଗ୍ରହଣ କରିଥିବା କୁହାଯାଉଛି । ସେଠାରେ ୧୫ ରୁ ୧୭ ପ୍ରତିଶଥ ଲିଙ୍ଗାୟତ ସମ୍ପ୍ରଦାୟର ଭୋଟ  ରହିଛି ।   ରାହୁଲ  ଏଆଇସିସି ସଭାପତି ନ ହେଲେ କିଏ ହେବ ପରବର୍ତ୍ତୀ ସଭାପତି  । ଗାନ୍ଧୀ ପରିବାର ବାହାରକୁ ଚାଲିଯିବ କି ଏଆଇସିସି ସଭାପତି ପଦ । ପୂର୍ବରୁ ସୀତାରାମ କେଶରୀ ଏଆଇସିସି ସଭାପତି ଥିଲେ କିନ୍ତୁ ରିମୋଟ ଥିଲା ଗାନ୍ଧୀ ଫ୍ୟାମିଲି ହାତରେ ଥିଲା । ତେବେ ଯେଉଁଦିନ ଏହାକୁ ସୀତାରମ କେଶରୀ , ଶରଦ ପାୱାର , ତାରିକ ଅନୱାର ବିରୋଧ କଲେ ସେ ଦିନ ମଧ୍ୟ୍ୟାହ୍ନ ଭୋଜନ ସାରି ବୈଠକକୁ ଆସିବା ବେଳକୁ ତାଙ୍କୁ ପାର୍ଟି ବାହରର ରାସ୍ତା ଦେଖାଇ ଦିଆଗଲା । ନୂଆ ଚର୍ଚ୍ଚା ଏବେ ସାମନାକୁ ଆସିଛି । ଜାତୀୟ ଗଣମାଧ୍ୟମ ଚର୍ଚ୍ଚା ଅନୁସାରେ ରାହୁଲ ଗାନ୍ଧୀ ସଭାପତି ହେବା ପାଇଁ  ରାଜି ନହେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ଏଆଇସିସି ସଭାପତି ହେବେ । ବର୍ତ୍ତମାନ କଂଗ୍ରେସ ସଙ୍ଗଠନରେ ନିର୍ବାଚନ ପ୍ରକିୟା ଜାରି ରହିଛି । ଆଗାମୀ ସେପ୍ଟେମ୍ବର, ଅକ୍ଟୋବର ମାସ ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ କରିବାକୁ ସମୟସୀମା ଧାର୍ଯ୍ୟ କରାଯାଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ରାହୁଲଙ୍କ ପକ୍ଷରୁ ଗ୍ରୀନ ସିଗନାଲ ମିଳିନାହିଁ । ଅଧୀରଙ୍କ ପ୍ରଶ୍ନରେ ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦରେ ବସିବେ କି ନା ଚିନ୍ତା କରିବା ବୋଲି କହିବା ପରେ ସସପେନ୍ସ ବଢିଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦଛାଡିବା ପାଇଁ ଚାହୁଁନାହାଁନ୍ତି ଅଶୋକ ଗେହେଲଟ । ଯଦି ରାହୁଲ ମନା କରନ୍ତି ତେବେ ଗେହେଲଟଙ୍କ ନା ରେ ବାଜିପାରେ ମୋହର । କାରଣ ଗାନ୍ଧୀ ପରିବାର ପ୍ରତି ଅଶୋକ ଗେହଲଟଙ୍କ ଆନୁଗତ୍ୟ କାହାକୁ ଅଛପା ନାହିଁ । ୨୦୨୪ ନିର୍ବାଚନ ପୂର୍ବରୁ ଦଳ ନୂଆ ଅଧ୍ୟକ୍ଷଙ୍କୁ ନେଇ ନିର୍ବାଚନ ମୈଇଦାନକୁ ଓହ୍ଲାଇବା ପାଇଁ ସ୍ଥିର କରିଛି । ରାହୁଲ ଗାନ୍ଧୀଙ୍କୁ ରାଜନୈତିକ ବିରୋଧୀମାନେ ପପୁ କହି ସମାଲୋଚନା କରୁଥିବା ବେଳେ ବର୍ତ୍ତମାନର ଚର୍ଚ୍ଚା କିଛିସମୟ ପାଇଁ ବିରୋଧୀଙ୍କ ମୁହଁରେ ବ୍ରେକ ଲଗାଇବ।

    • ସ୍ମରଜିତ ଆର୍ଯ୍ୟ
  • ସତେନ୍ଦ୍ର ଜୈନ ମାମଲା: ଇଡିକୁ କୋର୍ଟଙ୍କ ଭର୍ତ୍ସନା

    ନୂଆଦିଲ୍ଲୀ: ସତେନ୍ଦ୍ର ଜୈନ ମାମଲାରେ ଇଡିକୁ ଦିଲ୍ଲୀ ରାଉଜ ଏଭେନ୍ୟୁ କୋର୍ଟଙ୍କ ଭର୍ତ୍ସନା। ଇଡିର ଚାର୍ଜସିଟ ଉପରେ କୋର୍ଟ ଶୁଣାଣି କାଳରେ କହିଛନ୍ତି, ଯେଉଁ କମ୍ପାନୀ ସହ ସତେନ୍ଦ୍ରଙ୍କୁ ଦୋଷୀ କରାଯାଇଛି, ସେହି କମ୍ପାନୀ ସହ ସତେନ୍ଦ୍ରଙ୍କର କୌଣସି ସମ୍ପର୍କ ବା ଭାଗିଦାରୀ ନାହିଁ। ତ କଣ ତୁମ ଲେଖିବା ଦ୍ବାରା କମ୍ପାନୀ ସତେନ୍ଦ୍ରଙ୍କର ହୋଇଯିବ ବୋଲି କୋର୍ଟ ପ୍ରଶ୍ନକରିଛନ୍ତି।

    ମନିଲଣ୍ଡରିଂ ମାମଲାରେ ଇଡି ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତେନ୍ଦ୍ର ଜୈନ, ତାଙ୍କ ପତ୍ନୀ, ୮ ଅନ୍ୟଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି। ଶୁଣାଣି କାଳରେ ଇଡିର ଚାର୍ଜସିଟ ଉପରେ କୋର୍ଟ ଏକାଧିକ ପ୍ରଶ୍ନ କରିବା ସହ ସଂସ୍ଥାକୁ ଭର୍ତ୍ସନା କରିଛନ୍ତି। ଜଷ୍ଟିସ ଗୀତାଞ୍ଜଳି ଗୋଏଲଙ୍କ ଖଣ୍ଡପୀଠ ଏହି ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ସମନ କରିଛନ୍ତି, ଯେଉଁମାନଙ୍କୁ ଏଯାବତ୍ ଗିରଫ କରାଯାଇ ନାହିଁ। ଏଥିରେ ୪ କମ୍ପାନୀଙ୍କୁ ମଧ୍ୟ ସାମିଲ କରାଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୬ରେ ହେବ। ଏଥିସହ କୋର୍ଟ ଅଭିଯୁକ୍ତ ଅଜୀତ କୁମାର ଓ ସୁନିଲ କୁମାର ଜୈନଙ୍କୁ ଏକ ଲକ୍ଷ ବ୍ୟକ୍ତିଗତ ମୁଚାଲିକାରେ ଜାମିନ ପ୍ରଦାନ କରିଛନ୍ତି।

    • ଶିଳା ରାୟଙ୍କ ରିପୋର୍ଟ
  • ସଂସଦରେ ୮ ବର୍ଷର କୁନି ଝିଅ

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ସଂସଦରେ ଜଣେ ୮ ବର୍ଷର ଶିଶୁକନ୍ୟା ସହ ସାକ୍ଷାତ୍‌ କରିଛନ୍ତି। ଏହି ସମୟରେ ପିଏମ୍ ମୋଦି କୁନି ଝିଅଟିକୁ କିଛି ପ୍ରଶ୍ନ ପଚାରିଥିଲେ। ଝିଅର ଉତ୍ତର ଏପରି ଥିଲା କି ମୋଦି ହସି ପକାଇଥିଲେ।

    ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶର ଉଜ୍ଜେନରେ ବିଜେପି ସାଂସଦ ଅନିଲ ଫିରୋଜିଆ ବୁଧବାର ଦିନ ତାଙ୍କ ପରିବାରକୁ ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଭେଟ କରାଇଥିଲେ। ଏହି ସମୟରେ ତାଙ୍କ ସାନ ଝିଅ ମଧ୍ୟ ପିଏମ୍ ମୋଦିଙ୍କୁ ଭେଟି ଥିଲେ। ସାକ୍ଷାତ୍ ସମୟରେ ବିଜେପି ସାଂସଦ ଅନିଲ ଫିରୋଜିଆଙ୍କ ସାନ ଝିଅ ଆହାନା ଫିରୋଜିଆଙ୍କୁ ମୋଦି ପଚାରିଥିଲେ କି, ତମେ ଜାଣିଛ ମୁଁ କିଏ? ଝିଅ ଆହାନା ଉତ୍ତର ଦେଇଥିଲେ ହଁ ଜାଣିଛି, ଆପଣ ମୋଦି ଜି। ଆପଣଙ୍କୁ ମୁଁ ଟିଭିରେ ଦେଖିଥିଲି। ଆପଣ ଲୋକସଭା ଟିଭିରେ ଚାକିରୀ କରନ୍ତି। ପିଏମ ମୋଦି ଏବଂ କୁନି ଝିଅ ମଧ୍ୟରେ ଚାଲିଥିବା ବାର୍ତ୍ତାଳାପ ପରେ ରୁମରେ ଉପସ୍ଥିତ ଥିବା ଲୋକମାନେ ହସିବାକୁ ଲାଗିଲେ। ପରେ ପିଏମ ମୋଦି କୁନି ଝିଅଟି ହାତରେ ଚକୋଲଟେ ଦେଇଥିଲେ।

    • ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ
  • ଆଉ ଜଣେ ମଙ୍କିପକ୍ସ ଚିହ୍ନଟ

    ନୂଆଦିଲ୍ଲୀ: ଦିଲ୍ଲୀରେ ଆଉ ଜଣଙ୍କଠାରେ ମଙ୍କିପକ୍ସ ଲକ୍ଷଣ ପ୍ରକାଶ ପାଇଛି । ତାଙ୍କୁ ଚିତ୍କିସା ପାଇଁ ଦିଲ୍ଲୀ ଏଲଏନଜିପି ହସପିଟାଲରେ ଚିତ୍କିସା କରାଯାଇଛି । ବ୍ୟକ୍ତିଙ୍କ ଶରୀରରେ ଚକଡା ଚକଡା ପରି ଚିହ୍ନ ହେବା ସହ ଜ୍ବର ରହିଛି । ବ୍ୟକ୍ତିଙ୍କର ରକ୍ତ ନମୁନା ପରୀକ୍ଷା ପାଇଁ ପୁଣେର ନ୍ୟାସନଲ ଇନିଷ୍ଟିଚ୍ୟୁଟ ଅଫ ଭାଇରୋଲୋଜିକୁ ପଠାଯାଇଛି । ତେବେ ଏହାକୁ ମିଶାଇ ଦେଶରେ ୪ ଜଣଙ୍କ ଠାରେ ମଙ୍କିପକ୍ସର ଲକ୍ଷମ ସାମନାକୁ ଆସିଛି । ଏହି ଘଟଣା ପରେ ଅନ୍ୟସବୁ ରାଜ୍ୟକୁ ହାଇଆଲର୍ଟ ଜାରି କରାଯାଇଛି ।

    ସମସ୍ତେ ସତର୍କ ରହିବା ନିର୍ଦ୍ଦେଶ ଦିଆଯାଇଛି । ସନ୍ଧିଗ୍ଧ ରୋଗୀ ନିକଟରେ ବିଦେଶ ଯାତ୍ରାରୁ ଫେରିଥିବା କୁହାଯାଉଛି। ଦିଲ୍ଲୀରେ ମଙ୍କିପକ୍ସ ଆକ୍ରାନ୍ତ ହୋଇଥିବା ପ୍ରଥମ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ପରେ ଏହି ବ୍ୟକ୍ତି ଜଣଙ୍କ ଶରୀରରେ ଯନ୍ତ୍ରଣା ହୋଇଥିବା ଅଭିଯୋଗ କରିଥିଲେ। ତେବେ ତାଙ୍କ ହସପଟିଲାରେ ଅବଜରଭେସନରେ ରଖାଯାଇଛି ।

    • ସ୍ମରଜିତ ଆର୍ଯ୍ୟଙ୍କ ରିପୋର୍ଟ
  • ଫ୍ରିଜରୁ ୫୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

    ଦିଲ୍ଲୀ ଗୌତମପୁରୀ ଅଞ୍ଚଳରେ ଚାଞ୍ଚଲ୍ୟ। ଫ୍ରିଜରୁ ୫୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ତାଙ୍କ ସମ୍ପର୍କୀୟ ଫୋନ ଉଠାଉନାହାନ୍ତି ବୋଲି ଦିଲ୍ଲୀ ସେଲାମପୁର ପୋଲିସକୁ ଖବର ଦେଇଥିଲେ ଜଣେ ବ୍ୟକ୍ତି। ପୋଲିସ ସେହି ବ୍ୟକ୍ତିଙ୍କ ଘରେ ପହଞ୍ଚି ଫ୍ରିଜ ଭିତରେ ମୃତଦେହ ଥିବା ଦେଖିବାକୁ ପାଇଥିଲା। ଏହାସହ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଚିହ୍ନ ଥିବା ମଧ୍ୟ ପୋଲିସ ଦେଖିଥିଲା। ଏନେଇ ପୋଲିସ ଘଟଣାର ଖୋଳତାଡ ଆରମ୍ଭ କରିଛି । ଶୁକ୍ରବାର ସନ୍ଧ୍ୟା ସମୟରେ ଜଣେ ଯୁବକ ପୋଲିସକୁ କହିଥିଲେ ଯେ, ତାଙ୍କ ସମ୍ପର୍କୀୟ ଫୋନ ଉଠାଉନାହାନ୍ତି।

    ସଙ୍ଗେ ସଙ୍ଗେ ସେଲାମପୁର ପୋଲିସ ଗୌତମପୁରୀ ଅଞ୍ଚଳରେ ପହଞ୍ଚିଥିଲା। ଘରର କବାଟ ଖୋଲି ଭିତରକୁ ପଶି ତଲାସି କରିଥିଲା। ଶେଷରେ ଫ୍ରିଜରୁ ୫୦ ବୟସ୍କ ବୃଦ୍ଧଙ୍କ ମୃତଦେହ ଜବତ କରିଥିଲା। ତେବେ ମୃତକ ହେଉଛନ୍ତି ଜାକିର। ତେବେ ଏହି ଘରେ ଜାକିର ଏକୁଟିଆ ରହୁଥିବା ବେଳେ ତାଙ୍କ ପତ୍ନୀ ଏବଂ ପିଲାମାନେ କିଛି ଦୂରରେ ଅଲଗା ରହୁଥିବା ପୋଲିସ ପକ୍ଷରୁ ଜଣାପଡିଛି। ସମ୍ପତ୍ତି ବିବାଦକୁ ନେଇ ଜାକିରଙ୍କୁ ହତ୍ୟା କରାଯାଇଥିବା ପୋଲିସ ଅନୁମାନ କରୁଛି। କ୍ରାଇମବ୍ରାଞ୍ଚ ଏବଂ ଏଫଏସଏଲ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ତେବେ ଘଟଣାର ତଦନ୍ତ ପରେ ସତ୍ୟାସତ ଜଣାପଡିବ।

    • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ
Back to top button