family

  • ସରୋଗାସି…ନୂଆ ଆଇନ, ନୂଆ ବିତର୍କ

    ଶିଶୁଟିଏ ଜନ୍ମ ହେବା ପରିବାର ପାଇଁ ସୁଖଦ ଖବର ଏବଂ ଉଭୟ ପିତା ମାତାଙ୍କ ପାଇଁ ଏକ ସୁନ୍ଦର ଅନୁଭୂତି ମଧ୍ୟ । ସୁସ୍ଥ ସନ୍ତାନ ପ୍ରସବ ପାଇଁ ଅନେକ ସତର୍କତା ଅବଲମ୍ବନ କରିବାକୁ ହୁଏ । ସାମାନ୍ୟ ଅବହେଳା ଉଭୟ ମା’ ଓ ଶିଶୁ ପ୍ରତି ବିପଦ ଆଣିପାରେ । ତେବେ ଏସବୁ କଥା ଅନେକଙ୍କ ପାଇଁ ଆହୁରି ଜଟିଳ ହୋଇଯାଏ ଯେଉଁଠି ବିଭିନ୍ନ ଶାରୀରିକ କାରଣରୁ ଡାକ୍ତର ସନ୍ତାନ ଧାରଣ ସମ୍ଭବ ନୁହେଁ ବୋଲି କୁହନ୍ତି । ଆଜି କାଲି ଏ ସଂଖ୍ୟା ଢେର ବଢିଛି ଯେଉଁଠି ନିଃସନ୍ତାନ ହେଉଛନ୍ତି ଦମ୍ପତ୍ତି । ଏପରିକି ଭାରତରେ ୧୦ରୁ ୧୪% ଙ୍କ ମଧ୍ୟରେ ଗର୍ଭଧାରଣରେ ସମସ୍ୟା ରହୁଛି । ଅର୍ଥାତ୍ ପ୍ରତି ୬ ଜଣରୁ ଜଣେ ନିଃସନ୍ତାନ । ଏଭଳି କ୍ଷେତ୍ରରେ କିଛି ପରିବାର ପୋଷ୍ୟ ଗ୍ରହଣ କରି ସନ୍ତାନ ସୁଖ ପାଉଛନ୍ତି । ପୁଣି କିଛି ପରିବାର ଆଇଭିଏଫ୍, ସରୋଗାସି ଭଳି ଉପାୟ ଆପଣାଉଛନ୍ତି । ଏଥିରେ ନିଜ ଶରୀରର ଅଂଶ ଓ ବଂଶରକ୍ଷା ଭଳି କଥା ମଧ୍ୟ ରହିଛି । ସହଜରେ ବୁଝିବାକୁ ହେଲେ ସନ୍ତାନ ଚାହୁଁଥିବା ଦମ୍ପତ୍ତି ପାଇଁ ଅନ୍ୟ ଜଣେ ମହିଳା (ସରୋଗେଟ୍) ଗର୍ଭଧାରଣ କରିବେ । ଏବଂ ସନ୍ତାନ ପ୍ରସବ ପରେ ଚୁକ୍ତି ମୁତାବକ ମୂଳ ଦମ୍ପତ୍ତିଙ୍କୁ ଶିଶୁ ହସ୍ତାନ୍ତର କରିବେ । କିଛି ବର୍ଷ ମଧ୍ୟରେ ସରୋଗାସିର ଲୋକପ୍ରିୟତା ବୃଦ୍ଧି ପାଇଛି ।

    ନିଃସନ୍ତାନ ଦମ୍ପତ୍ତିଙ୍କ ପାଇଁ ସରୋଗାସି ଏବେ ଶେଷ ବିକଳ୍ପ ହୋଇଛି। ପ୍ରଜନନରେ ଅକ୍ଷମତା ଥିଲେ ହିଁ ଏହି ପ୍ରକ୍ରିୟା ପାଇଁ ଆଇନତଃ ଅନୁମତି ମିଳୁଛି । ଆମ ଦେଶରେ ଦୀର୍ଘ ବର୍ଷ ଧରି ଏହି ସରୋଗାସି ପ୍ରକ୍ରିୟା ଚାଲିଛି। ଏପରିକି ଏହାର ଅପବ୍ୟବହାର ଓ ବ୍ୟବସାୟୀକରଣ ଯୋଗୁ ଭାରତ ସମାଲୋଚିତ ବି ହୋଇଛି ଏବଂ ସ୍ୱଳ୍ପ ଖର୍ଚ୍ଚରେ ସନ୍ତାନ ଦରକାର ଥିଲେ ଭାରତକୁ ଆସନ୍ତୁ ବୋଲି ଧାରଣା ସୃଷ୍ଟି ହୋଇଛି । ଯାହାକୁ ରୋକିବା ପାଇଁ ଦେଶରେ ନୂଆ ସରୋଗାସି ଆଇନ ଆସିଛି । ଯେଉଁ ଆଇନ ସରୋଗାସି ଉପରେ ପ୍ରତିବନ୍ଧକ ଲଗାଇନି କିନ୍ତୁ ସରୋଗାସିର ବ୍ୟବସାୟୀକରଣକୁ ବେଆଇନ କହିଛି । ନୂଆ ନିୟମ ଅନୁଯାୟୀ, ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁମତି, ବୋର୍ଡର ସ୍ୱୀକୃତି ସହ ଉଭୟ ପକ୍ଷ ମଧ୍ୟରେ କିଭଳି ଆଇନଗତ ଭାବେ ଚୁକ୍ତି ହୋଇପାରିବ ତାହା କୁହାଯାଇଛି । ନିଃସନ୍ତାନ ଦମ୍ପତ୍ତିଙ୍କ ପରିଚିତ ଏବଂ କେବଳ ପରୋପକାର ଉଦେଶ୍ୟରେ ସରୋଗେଟ ହୋଇପାରିବାର ନିୟମ ହୋଇଛି । ସରୋଗେଟ୍ ମହିଳାଙ୍କ ସହ ସନ୍ତାନ ଚାହୁଁଥିବା ଦମ୍ପତ୍ତିଙ୍କ ମାରିଟାଲ ଷ୍ଟାଟସ୍, ବୟସ ଓ ସନ୍ତାନ ଅଛନ୍ତି କି ନାହିଁ ସେ ନିୟମ ଖଞ୍ଜା ଯାଇଛି । ତେବେ ନୂଆ ଆଇନ ମୁତାବକ ବିଚ୍ଛେଦ ହୋଇଥିବା ଓ ବିଧବା ମହିଳା ମଧ୍ୟ ସରୋଗାସି ଦ୍ୱାରା ମାତୃତ୍ଵ ପାଇପାରିବେ । କିନ୍ତୁ ଏକୁଟିଆ ପୁରୁଷ, ଅବିବାହିତ କିମ୍ବା ତୃତୀୟ ଲିଙ୍ଗିକୁ ଏ ପ୍ରକ୍ରିୟା ଦ୍ୱାରା ସନ୍ତାନ ମିଳିବ ନାହିଁ । ଯାହା ସମାନତା ଅଧିକାରର ଉଲଂଘନ ବୋଲି ଅଭିଯୋଗ ହୋଇଛି।

    ସରକାର କହିଛନ୍ତି ଅନେକ ତର୍ଜମା ପରେ ନିଃସନ୍ତାନ ଦମ୍ପତ୍ତିଙ୍କୁ ସ୍ୱଚ୍ଛ ବ୍ୟବସ୍ଥା ମାଧ୍ୟମରେ ସନ୍ତାନ ଦେବାର ଉପାୟ କରାଯାଇଛି। ଯେହେତୁ ସରୋଗାସିକୁ ଅର୍ଥ ଉପାର୍ଜନର ମାଧ୍ୟମ କରାଯାଇଥିଲା । ଦଲାଲ ସକ୍ରୀୟ ହୋଇ ଶୋଷଣ କରୁଥିଲେ । କେଉଁଠି ସେରୋଗେଟ୍ ମା’ ତ କେଉଁଠି ସନ୍ତାନ ଚାହୁଁଥିବା ଦମ୍ପତି ଚୁକ୍ତି ଖିଲାପ କରିବା ଖବର ଆସୁଥିଲା । ଏପରିକି ପିଲାଟିର କୌଣସି ଜନ୍ମଗତ ସ୍ୱାସ୍ଥ୍ୟ ସମସ୍ୟା ରହିଲେ କିମ୍ବା ପୁଅ ଚାହୁଁଥିଲେ ଝିଅ ହେଲେ ଗ୍ରହଣ କରିବାକୁ ସନ୍ତାନ ଇଚ୍ଛୁକ ଦମ୍ପତ୍ତି ମନା କରିବା ଶିଶୁ ଅଧିକାରକୁ କ୍ଷୁର୍ଣ୍ଣ କରୁଥିଲା । ଯାହା ନୂଆ ଆଇନ ଦ୍ୱାରା ଆଉ ସମ୍ଭବ ହେବନାହିଁ ବୋଲି ଭରଷା ଦିଆଯାଇଛି ।ସରୋଗାସି ପ୍ରକ୍ରିୟା ପୂର୍ବରୁ ଉଭୟ ପକ୍ଷ ମଧ୍ୟରେ ଚୁକ୍ତି ହେବ । ଚୁକ୍ତି ଖିଲାପ ହେଲେ ଦଣ୍ଡବିଧାନ ବ୍ୟବସ୍ଥା ରହିବ । ସରୋଗାସିର ବ୍ୟବସାୟକରଣ ଓ ଅର୍ଥ କାରବାର ଦ୍ୱାରା ହେଉଥିବା ଶୋଷଣକୁ ନିୟନ୍ତ୍ରଣ କରିବ। ଅନେକ ସମୟରେ ଅର୍ଥ ପାଇଁ ଗରିବ ମହିଳା ଓ କମ୍ ବୟସର ଯୁବତୀ ସରୋଗେଟ୍ ମହିଳା ବା ଭଡ଼ାରେ ଗର୍ଭ ଧାରଣ ପାଇଁ ପ୍ରସ୍ତୁତ ହେଉଥିଲେ । ସେଠି ମହିଳାର ଅଧିକାର କ୍ଷୁର୍ଣ୍ଣ ହେବାର ଖବର ଆସୁଥିଲା । ଏପରିକି ଅର୍ଥ ବଦଳରେ ସନ୍ତାନ ନୈତିକତାର ପ୍ରଶ୍ନ ହୋଇଥିଲା । ଏବେ ସେଥିରେ ସଂଶୋଧନ କରାଯାଇଛି ଏବଂ କେବଳ ସନ୍ତାନ ଚାହୁଁଥିବା ଦମ୍ପତ୍ତିଙ୍କ ପରିଚିତ ମହିଳା ପରୋପକାର ପାଇଁ ଗର୍ଭଧାରଣ କରିବେ ବୋଲି ଆଇନରେ ବ୍ୟବସ୍ଥା ହୋଇଛି ।

    ଏପରିକି ବିବାହିତ ଓ ନିଜ ସନ୍ତାନ ଥିଲେ ହିଁ ଜଣେ ସରୋଗେଟ୍ ହୋଇପାରିବେ । ସରୋଗେଟ ମା’ ୨୫ରୁ ୩୫ ବର୍ଷ ମଧ୍ୟରେ ହୋଇଥିବେ । ଏଭଳି ନିଷ୍ପତ୍ତି ପାଇଁ ସେ ମାନସିକ ଓ ଶାରୀରିକ ଭାବେ ସୁସ୍ଥ ଥିବା ଜରୁରୀ ।ଅନ୍ୟପଟେ ସନ୍ତାନ ଚାହୁଁଥିଲେ ବିବାହର ୫ ବର୍ଷ ପରେ ଦମ୍ପତ୍ତି ସରୋଗାସି କରିପାରିବେ । ସେଥିରେ ସ୍ତ୍ରୀର ବୟସ ୨୫-୫୦, ସ୍ୱାମୀ ୨୬-୫୫ ବର୍ଷର ହୋଇଥିବା ଆବଶ୍ୟକ। ଏବଂ ୩୬ ମାସ ପାଇଁ ସରୋଗେଟ୍ ମା’ର ହେଲ୍ଥ ଇନସୁରାନ୍ସ କରିବା ବାଧ୍ୟତାମୂଳକ କରାଯାଇଛି । ନୂଆ ଆଇନ ମୁତାବକ କେନ୍ଦ୍ର ଓ ରାଜ୍ୟସ୍ତରରେ ସରୋଗାସି ବୋର୍ଡ ଗଠନ ହେବ। ଯାହା ଆମ ରାଜ୍ୟରେ ଗଠନ ହୋଇସାରିଛି । ବୋର୍ଡ ଆଇନ ଅନୁପାଳନ ସବୁ ପକ୍ଷ କରୁଛନ୍ତି କି ନାହିଁ ତଦାରଖ କରିବେ । ଫର୍ଟିଲିଟି ଏଜେନ୍ସି ବା କ୍ଲିନିକ୍ ପଞ୍ଜିକୃତ ହେବା ବାଧ୍ୟତାମୂଳକ । ଏପରିକି ସେ ସଂସ୍ଥା ଗୁଡ଼ିକ ବିଜ୍ଞାପନ ବା ବ୍ୟବସାୟିକ ଉଦେଶ୍ୟ ରଖି କୌଣସି ପ୍ରଚାର କରିପାରିବେନି । ଯଦି ନିୟମ ଖିଲାପ ହୁଏ ତେବେ ଜେଲ, ଜରିମାନା ଓ ପଞ୍ଜିକରଣ ବାତିଲ ହେବାର ଆଇନ ରହିଛି ।ନୂଆ ସରୋଗାସି ଆଇନ ନୂଆ ବିତର୍କ ସୃଷ୍ଟି କରିଛି । କିଏ ନୀତି, ନୈତିକତା, ଅଧିକାର ତ କିଏ ଆଇନଗତ ଦିଗକୁ ନେଇ ପ୍ରଶ୍ନ ଉଠାଇଛି ।

    ଅଭିଯୋଗ ହୋଇଛି ନିଃସନ୍ତାନ ଦମ୍ପତ୍ତିଙ୍କ ବାସ୍ତବ ସମସ୍ୟା ନଜାଣି ନିୟମ ପ୍ରସ୍ତୁତକାରୀ ଆଇନ ତିଆରି କରିଛନ୍ତି । ଯେଉଁ ଦେଶରେ ପ୍ରଜନନ ସମସ୍ୟା ବା ଇନଫର୍ଟିଲିଟିକୁ ନେଇ ଖୋଲା ଆଲୋଚନା ହୁଏନାହିଁ ସେଠି କେଉଁ ପରିଚିତ ଲୋକକୁ ସନ୍ତାନ ଚାହୁଁଥିବା ଦମ୍ପତ୍ତି ପାଇବେ ଯିଏ ବିନା ସ୍ୱାର୍ଥ ବିନା ଅର୍ଥରେ ତାଙ୍କ ପିଲାକୁ ନିଜ ଗର୍ଭରେ ଧାରଣ କରିବେ ଏବଂ ପ୍ରସବକାଳୀନ ସମସ୍ତ ବିପଦକୁ ମୁଣ୍ଡାଇବେ । ଏମିତିରେ ବି ସମାଜ ସ୍ୱୀକୃତ ସ୍ୱାମୀ ସ୍ତ୍ରୀ ସମ୍ପର୍କ ଦ୍ୱାରା ହିଁ ଗର୍ଭଧାରଣକୁ ବୈଧ ବିଚାର କରାଯିବାର ମାନସିକତା ଏଯାଏଁ ରହିଛି । ତେଣୁ ଏକଥାର ଗ୍ରହଣୀୟତା ହେବ କି ନାହିଁ ସେ ପ୍ରଶ୍ନ ଅଛି । ତା ଛଡା ଅତ୍ୟଧିକ କାଗଜପତ୍ର କାମ,ଲମ୍ବା ପ୍ରକ୍ରିୟା ଓ ବ୍ୟକ୍ତିଗତ ନିଷ୍ପତି ଖୋଲାରେ ଚର୍ଚ୍ଚା ହେବାକୁ ଅନେକ ନାପସନ୍ଦ କରିଛନ୍ତି । ସବୁଠାରୁ ବଡ଼ କଥା କିଛି ମହିଳାଙ୍କ ପାଇଁ ଏହା ଅର୍ଥ ରୋଜଗାରର ମାଧ୍ୟମ ଥିଲା । ସେ ରାସ୍ତା ବନ୍ଦ ହେବା ଅନେକଙ୍କୁ ଗ୍ରହଣୀୟ ହେଉନି । ଯେଉଁ ଆଦର୍ଶ କଥା ଆଇନରେ କୁହାଯାଉଛି ତାହା ବାସ୍ତବରେ ସମ୍ଭବ ହେବନାହିଁ ବୋଲି ମତ ପ୍ରକାଶ ପାଇଛି । ତେଣୁ ସରୋଗାସି ଆଇନର ଆହୁରି ତର୍ଜମା ଆବଶ୍ୟକ ।

    ଅନ୍ୟ ଏକ ଗୁରୁତ୍ବପୁର୍ଣ୍ଣ ଦିଗ ହେଉଛି ଏହି ଆଇନ ଶିଶୁ ଅଧିକାରକୁ ସୁରକ୍ଷା ଦେଉନାହିଁ ବୋଲି ଅଭିଯୋଗ ଆସିଛି । ଯଦି ଜନ୍ମ ପରେ ପରେ ମା’ର ମୃତ୍ୟୁ ହୁଏ ପିଲାଟିର ଅଭାବକୁ ସମସ୍ତେ ଅନୁଭବ କରୁଥିବା ବେଳେ ମା’ କ୍ଷୀରର ଅଭାବ, ଗର୍ଭଧାରଣ କରିଥିବା ମା’ ସହ ଗର୍ଭସ୍ଥ ସନ୍ତାନର ସମ୍ପର୍କ କଥା ଉଠେ । କିନ୍ତୁ ସରୋଗାସିରେ ସେ କଥାକୁ ବିଲକୁଲ ଗୁରୁତ୍ୱ ଦିଆଯାଇନାହିଁ । ବଡ ମାନଙ୍କ ଆବଶ୍ୟକତା ତାଙ୍କ ଅଧିକାର କଥା ଯେଉଁ ଭଳି କୁହାଯାଉଛି ନୂଆ ଆଇନ, ଶିଶୁ ଅଧିକାରର ସୁରକ୍ଷା ପ୍ରତି ସେତିକି ନିରବ ରହିଛି । ଏପରିକି ଶିଶୁ ମନସ୍ତତ୍ତ୍ବକୁ ସରୋଗାସି ଦୃଷ୍ଟିରୁ ଅଧିକ ତର୍ଜମା ଆବଶ୍ୟକ ଥିଲା ବୋଲି ମତ ରହିଛି । ଏକଥା ବି କୁହାଯାଉଛି ଯେ ଅତ୍ୟଧିକ କଡ଼ା ନିୟମ ବେଆଇନ କାରବାରର କାରଣ ହୋଇ ପାରେ । ଏବଂ ସରୋଗେଟ୍ ମା’ର ଶ୍ରମକୁ ପରୋପକାର କହିବା ପିତୃତାନ୍ତ୍ରିକ ମାନସିକତା ବୋଲି ମଧ୍ୟ ସମାଲୋଚନା ହୋଇଛି ।ସନ୍ତାନ ଚାହୁଁଥିବା ପରିବାର ପାଇଁ, ସରୋଗାସି ସଉକ ନୁହେଁ ଶେଷ ବିକଳ୍ପ । ତେଣୁ ବୟସ, ବୈବାହିକ ସ୍ଥିତି, ଲିଙ୍ଗ ଓ ଜାତୀୟତା ଭିତ୍ତିରେ ସ୍ଥିର କରିବା ଅନେକଙ୍କୁ ପସନ୍ଦ ହୋଇନାହିଁ । ଏହା ସମସ୍ୟା ସମାଧାନ କରିବନି ବରଂ ସମସ୍ୟା ବଢାଇବ ବୋଲି କୁହାଯାଉଛି । ଯେଉଁଠି ଜନ୍ମ ପରେ ୯ ମାସର ସମ୍ପର୍କ ଛିଣ୍ଡାଇ ଗର୍ଭଧାରଣ କରିଥିବା ମା’ ପିଲାକୁ ହସ୍ତାନ୍ତର କରିବେ ସେଠି ଶରୀରର ସୁସ୍ଥତା ସହ ସରୋଗେଟ୍ ମା’ର ମାନସିକ ସୁସ୍ଥତାକୁ ଗୁରୁତ୍ୱ ଦେବା ଆବଶ୍ୟକ । ଯାହା କାଗଜକମଲମର ନିୟମରେ କେତେ ସମ୍ଭବ ତାହା ଉଣା ଅଧିକେ ସମସ୍ତେ ଜାଣନ୍ତି ।

    କିଛି ସେଲିବ୍ରିଟି ଗର୍ଭଯନ୍ତ୍ରଣା ସହିବାକୁ ଚାହୁଁ ନାହାଁନ୍ତି । କିଛି ମହିଳା କ୍ୟାରିଅର ପାଇଁ ସରୋଗାସି ବାଛୁଛନ୍ତି । କିନ୍ତୁ ସେ ନିୟମରେ ସଚ୍ଚୋଟ ଭାବେ ପ୍ରକ୍ରିୟାକୁ ଆପଣାଉଥିବା ଦମ୍ପତ୍ତି ପ୍ରତାରିତ ନହୁଅନ୍ତୁ । ତାକୁ ନିଶ୍ଚିତ କିଏ କରିବ । ଅନ୍ୟପଟେ ଯେଉଁ ଫର୍ଟିଲିଟି ସେଣ୍ଟର ମାନଙ୍କରେ ଏସବୁ କଥା କରାଯାଉଛି ନୂଆ ଆଇନ ପରେ ଚୋରା ଲୁଚାରେ ଏ କାମ କିଭଳି ନହେବ ସେ ପାଇଁ କି ବ୍ୟବସ୍ଥା ରାଜ୍ୟ ଓ ଜାତୀୟ ସ୍ତରରେ ଅଛି । ଯେଉଁ ଦଲାଲ ଏଥିରେ ସକ୍ରୀୟ ଥିଲେ ସେମାନେ ରାତିଅଧିଆ ଉଭାନ ହୋଇଯିବେ ନା ନୂଆ ଉପାୟ ପାଞ୍ଚିବେ । ସେ ପ୍ରଶ୍ନ ଏବେ ବି ରହିଛି । ସେପଟେ ପୋଷ୍ୟଗ୍ରହଣ ପାଇଁ ପ୍ରୋତ୍ସାହନ ଚାଲିଥିବା ବେଳେ ଯଦି ସବୁ ନିଃସନ୍ତାନ ଦମ୍ପତ୍ତି ସରୋଗାସି ପାଇଁ ଇଛୁକ ହେବେ ତେବେ ସେ ପିଲାଙ୍କୁ ପରିବାର ଦେବ କିଏ । ଅବଶ୍ୟ ଦେଶରେ ଆଇନ ସେତେବେଳେ ହୁଏ ଯେତେବେଳେ କୌଣସି ବର୍ଗର ଅଧିକାର ପ୍ରଭାବିତ ହୁଏ ବା ଆଇନ ନଥିବାର ଆଳରେ ବେଆଇନ କାରବାର ବଢେ । ସେ ଦୃଷ୍ଟିରୁ ନୂଆ ସରୋଗାସି ଆଇନ ଏକ ବଡ଼ ପଦକ୍ଷେପ କିନ୍ତୁ ନିୟମର ଅନୁପାଳନ ଠିକଣା ଢଙ୍ଗରେ ନହେଲେ ଆଶାୟୀ ଦମ୍ପତ୍ତି ନ୍ୟାୟ ପାଇବେ ନାହିଁ ଏ ସନ୍ଦେହ ରହିଛି ।

    • ସୁପ୍ରିୟା ଦାଶଙ୍କ ସ୍ୱତନ୍ତ୍ର ରିପୋର୍ଟ
  • ପରିବାରର ୪ ଜଣଙ୍କ ମୃତଦେହ ଉଦ୍ଧାର

    ନୂଆଦିଲ୍ଲୀ: ଦିଲ୍ଲୀର ଏକ ପରିବାରର ସ୍ବାମୀ, ସ୍ତ୍ରୀ ଇ ସେମାନଙ୍କ ଦୁଇ ଶିଶୁ କନ୍ୟାଙ୍କ ମୃତଦେହ ମିଳିଛି। ଉତ୍ତର ପୂର୍ବ ଦିଲ୍ଲୀର ଜାଫ୍ରାବାଦରେ ରହୁଥିବା ଏକ ପରିବାରର ୪ ଜଣଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ପ୍ରାରମ୍ଭିକ ସ୍ଥିତିରୁ ଜଣାପଡୁଛି, ବ୍ୟକ୍ତି ଜଣଙ୍କ ପ୍ରଥମେ ନିଜ ସ୍ତ୍ରୀ ଓ ଦୁଇ ଝିଅଙ୍କୁ ହତ୍ୟା କରିବା ପରେ ନିଜକୁ ଗୁଳିକରି ଦେଇଥିଲେ।

    ଘଟଣା ଜଣାପଡିବା ପରେ ପୁଲିସକୁ ସୂଚନା ଦିଆଯାଇଥିଲା ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ପଞ୍ଚନାମା ପାଇଁ ପଠାଇ ଦେଇଛି ତଥା କିପରି  ଓ କେଉଁ କାରଣରୁ ଏପରି ଘଟଣା ଘଟିଛି ତାହାର ତଦନ୍ତ ଜାରି ରଖିଛି ପୁଲିସ।

Back to top button