FINANCE MINISTRY

  • କ’ଣ କରୁଛନ୍ତି ଅର୍ଥମନ୍ତ୍ରୀ ?

    କ’ଣ କରୁଛନ୍ତି ଅର୍ଥମନ୍ତ୍ରୀ। ତାଙ୍କର ସ୍ୱାସ୍ଥ୍ୟବସ୍ଥା ଏବେ କେମିତି ଅଛି। କୋଭିଡରୁ ଭଲ ହୋଇଗଲେଣି ତ। ସଂସଦକୁ ଆସିଲେଣି କି ନା। ସଂସଦକୁ ଆସିଲା ପରେ ଦରବୃଦ୍ଧି ଓ ଜିଏସଟିକୁ ନେଇ ଉତ୍ତର ରଖିଲେଣି କି। କାରଣ ମୌସୁମୀ ଅଧିବେଶନ ଆରମ୍ଭରୁ ଦରବୃଦ୍ଧି, ଜିଏସଟି ଓ ଅଗ୍ନିପଥ ନିଯୁକ୍ତି ଉପରେ ଆଲୋଚନା ଲାଗି ଅଡ଼ି ବସିଛନ୍ତି ବିରୋଧୀ ଦଳ। କିନ୍ତୁ ଯେହେତୁ ଜିଏସଟି କାଉନସିଲର ନିଷ୍ପତ୍ତି କ୍ରମେ ଜୁଲାଇ ୧୮ରୁ ସାରା ଦେଶରେ ବର୍ଦ୍ଧିତ ଜିଏସଟି ଲାଗୁ ହୋଇଛି। ଅନେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପୂର୍ବ ଅପେକ୍ଷା ମହଙ୍ଗା ହୋଇଛି। ଏପରିକି ସାଧାରଣ ଲୋକର ଦୈନନ୍ଦିନ ଖାଦ୍ୟ ମୁଢ଼ି, ଚୂଡ଼ା ଓ ଅଟା ଉପରେ ଏହି କର ଲାଗୁ ହୋଇଥିବାରୁ ସମସ୍ତେ କଲବଲ ହେଲେଣି କହିଲେ ଭୁଲ୍ ହେବନି। ପରିବର୍ତ୍ତିତ ଜିଏସଟି ହାର ଲାଗି ଖାଉଟିଙ୍କ ଉପରେ ମହଙ୍ଗା ମାଡ଼କୁ ନେଇ ସଂସଦ ଆରମ୍ଭରୁ ହୁଲସ୍ତୁଲ ହେଉଛି।

    ଜିଏସଟି କାଉନସିଲ୍ ବୈଠକର ନିଷ୍ପତ୍ତି କାହା ସ୍ୱାର୍ଥରେ। ଅଟା, ପନିର, ଦହି, ମାଛ, ମହୁ, ଶୁଖିଲା ଖଇ, ଶୁଖିଲା ସୋୟାବିନ୍, ଚୁଡ଼ା, ମୁଢ଼ି, ଘୋଳ ଦହି, ପଇଡ଼, ଗୁଡ଼, ଚାଉଳ, ବାର୍ଲି, ଅଟା ଆଦି ଉପରେ ୫ ପ୍ରତିଶତ ଜିଏସଟି ଲାଗୁ ହୋଇଛି। ସରକାରଙ୍କଠୁ ଉତ୍ତର ଲୋଡ଼ି ସରକାର ବିରୋଧୀ ନାରାବାଜିରେ କମ୍ପିଛି ସଂସଦର ଉଭୟ ଗୃହ। କ୍ରମାଗତ ବିଶୃଙ୍ଖଳା, ଗୃହ ଭିତରକୁ ପ୍ଲାକାର୍ଡ ଧରି ନାରାବାଜି କରିଥିବାରୁ ବିରୋଧୀ ଦଳର ୨୭ ସାଂସଦ ବି ନିଲମ୍ୱିତ ହୋଇଛନ୍ତି। ତେବେ ଦରବୃଦ୍ଧି, ମୁଦ୍ରାସ୍ଫୀତି, ଜିଏସଟିକୁ ନେଇ କେବଳ ଗୃହରେ ଅର୍ଥମନ୍ତ୍ରୀ ହିଁ ଉତ୍ତର ରଖିପାରିବେ ବୋଲି ବିରୋଧୀଙ୍କୁ ବୁଝାଇ ଆସୁଛନ୍ତି ଶାସକ ଦଳ। ଆଉ କୋଭିଡ୍ ରେ ପଡ଼ିଥିବାରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦକୁ ଆସିପାରୁନଥିବା କଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ବି ଗୃହରେ ଅବଗତ କରାଇଥିଲେ। ଅନ୍ତତଃ ସେ ପର୍ଯ୍ୟନ୍ତ ବିରୋଧୀ ହଙ୍ଗାମା କରନ୍ତୁନି ବୋଲି କହିଥିଲେ। ଗୃହକୁ ସୁରୁଖୁରୁରେ ଚଳାଇବାକୁ ସହଯୋଗ ଲୋଡ଼ିବା ସହ ବିରୋଧୀଙ୍କ ଏଭଳି ହଟ୍ଟଗୋଳରୁ ଜନସ୍ୱାର୍ଥ ସମ୍ୱଳିତ ଅନେକ ପ୍ରସଙ୍ଗ ଉଠିପାରୁନି ବୋଲି ଆରୋପ ଲଦିଥିଲେ। ତେବେ କୋଭିଡ୍ ରୁ ସୁସ୍ଥ ହୋଇ ଗୃହକୁ ଆସିସାରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

    ଆଉ ଗୃହ ଏଣିକି ସ୍ୱାଭାବିକ ହେବ ବୋଲି କୁହାଗଲା। କାରଣ ଅର୍ଥମନ୍ତ୍ରୀଙ୍କ ଅନୁପସ୍ଥିତି ଲାଗି ବିରୋଧୀଙ୍କ ଦାବି ଉପରେ ଆଲୋଚନା ହୋଇପାରୁନଥିଲା କି ଉତ୍ତର ଆସିପାରୁନଥିଲା ଟ୍ରେଜେରୀ ବେଞ୍ଚରୁ। ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆସିଲେ ସତ। ହେଲେ ଭିନ୍ନ ମୁଦ୍ରାରେ। କାରଣ ଅର୍ଥମନ୍ତ୍ରୀଙ୍କ ଉପସ୍ଥିତିରେ ଗୃହ ସ୍ୱାଭାବିକ ହେବ କଅଣ, ପାଲଟା ତା ଆଗରୁ ଶାସକ ଦଳ ହାଇଜାକ୍ କରିନେଲା କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କ ରାଷ୍ଟ୍ରପତ୍ନୀ ଟିପ୍ପଣୀ ପ୍ରସଙ୍ଗକୁ। ବିଜୟଚୌକରେ ଗଣମାଧ୍ୟମକୁ ବୟାନ ଦେଲା ବେଳେ, ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ ବୋଲି କହିଥିଲେ ଅଧୀର। ଯାହାକି ଖୁବ୍ ନିନ୍ଦନୀୟ ଥିଲା। ଅଧୀର କ୍ଷମା ମାଗନ୍ତୁ। ଆଉ ଅଧୀରଙ୍କ ଭଳି ବ୍ୟକ୍ତିଙ୍କୁ ଲୋକସଭାରେ ନେତା ଭାବରେ ଅଧିଷ୍ଠିତ କରିଥିବା ସୋନିଆ ଗାନ୍ଧୀ ବି କ୍ଷମାମାଗନ୍ତୁ ଦାବିରେ ସଡ଼କରୁ ନେଇ ସଂସଦ ହୁଲସ୍ତୁଲ କରିଥିଲା ବିଜେପି। ଅଧୀର କ୍ଷମା ମାଗିସାରିଲେଣି ବୋଲି ସୋନିଆ କହିଥିଲେ। ଆଉ ଅଧୀର କହିଥିଲେ କ୍ଷମା ମାଗିବାର ପ୍ରଶ୍ନ ଉଠୁନି।

    ଆଉ ଏହାରି ଭିତରେ ସଂସଦ ଭବନ ପରିସରର ଗେଟ୍ ନମ୍ୱର ୧ ପାଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭିନ୍ନ ଭୂମିକାରେ ଦେଖିବାକୁ ମିଳିଥିଲା। ଅର୍ଥମନ୍ତ୍ରୀ ନିର୍ମଳାଙ୍କ ସମେତ ବିଜେପି ମହିଳା ସାଂସଦ ଅଧୀରଙ୍କଠୁ କ୍ଷମା ପ୍ରାର୍ଥନା ଦାବି କରି ତାଙ୍କ ବିରୋଧରେ କେମିତି ସ୍ଲୋଗାନ୍ ଦେଇଥିଲେ, ତାହା ସମସ୍ତେ ଦେଖିଲେ। ଆଉ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କିଭଳି ବିଜେପି ମହିଳା ସାଂସଦଙ୍କୁ ଦୁର୍ବ୍ୟବହାର ଦେଖାଇଥିଲେ, ତାହାର ଅବତାରଣା କରି କିଭଳି ଏହି ଦଳ ଦେଶର ସର୍ବୋଚ୍ଚ ସାମ୍ୱିଧାନିକ ପଦବୀରେ ବସିଥିବା ଜଣେ ଆଦିବାସୀ ମହିଳାଙ୍କୁ ଅପମାନିତ କରିବାକୁ ପଛାଉନାହିଁ ବୋଲି କହିଥିଲେ ନିର୍ମଳା। ସୋନିଆ ସିଧାସଳଖ ଧମକ ଦେଉଛନ୍ତି, ଭୟଭୀତ କରାଉଛନ୍ତି କହି ଗର୍ଜିଥିଲେ ନିର୍ମଳା। ଏହାରି ଭିତରେ ଅଧୀର କ୍ଷମା ମାଗିସାରିଲେଣି। ରାଷ୍ଟ୍ରପତିଙ୍କୁ ଚିଠି ଲେଖି କ୍ଷମା ପ୍ରାର୍ଥନା କରିବା ସହ ଏଭଳି ଏକ ଭୁଲ୍ ଶବ୍ଦ ମୁହଁରୁ ବାହାରିଯାଇଥିବାରୁ ଦୁଃଖ ପ୍ରକାଶ କରିଛନ୍ତି।

    ଅଗଷ୍ଟ ୧ ଯାଏ ସଂସଦ ମୁଲତବୀ ହୋଇଛି। ଅଗଷ୍ଟ ୩ରେ ଅଧୀରଙ୍କୁ ବ୍ୟକ୍ତିଗତ ହାଜିରା ହୋଇ ଲିଖିତ ସ୍ପଷ୍ଟୀକରଣ ଦେବାକୁ ଜାତୀୟ ମହିଳା ଆୟୋଗ ବି ନୋଟିସ୍ କରିଛନ୍ତି। କିନ୍ତୁ ବଡ଼କଥା ହେଲା, ମୌସୁମୀ ଅଧିବେଶନ ଆରମ୍ଭରୁ ଯେଉଁ ପ୍ରସଙ୍ଗକୁ ନେଇ ଗୃହ ଉଠୁଛି ପଡୁଛି, ସେ କଥା ଗୌଣ ହୋଇଯିବନି ତ। ଦରବୃଦ୍ଧି, ଜିଏସଟି, ମୁଦ୍ରାସ୍ଫୀତି ଉପରେ ଅର୍ଥମନ୍ତ୍ରୀ ଉତ୍ତର ରଖିବେ ତ। ଏହା ଉପରେ ଆଲୋଚନା ହେବ ତ। କାରଣ ଅଗଷ୍ଟ ପହିଲାରୁ ଯଦି ସମାନ ଆଭିମୁଖ୍ୟ ଗ୍ରହଣ କରିବେ ବିରୋଧୀ ଆଉ କାଉଣ୍ଟର କରିବାକୁ ଯାଇ ଗଣ୍ଠି କରିବେ ଶାସକ ଦଳ। ତା ହେଲେ ଗୃହ ଅଚଳ ହେବାର ଆଶଙ୍କା ରହିଛି। ଆଉ ଜନସ୍ୱାର୍ଥ ପ୍ରସଙ୍ଗ ଉଠିପାରିବନି।

    • ପ୍ରଦୀପ ନାୟକଙ୍କ ରିପୋର୍ଟ
  • ଜିଏସ୍‌ଟି କୁ ପୁରିଲା ପାଞ୍ଚବର୍ଷ

    ପାଞ୍ଚ ବର୍ଷ ତଳେ ଲାଗୁ ହୋଇଥିଲା ଜିଏସ୍‌ଟି । ସେବା କର ବିକ୍ରି କର ଭଳି ୧୭ ପ୍ରକାର ସ୍ଥାନୀୟ ଟିକସ ଓ ୧୩ ପ୍ରକାର ସେସ୍ କୁ ଉଛେଦ କରି ସେହି ସ୍ତାନରେ ଜିଏସ୍‌ଟି ଲାଗୁ କରାଯାଇଥିଲା । ଉଦ୍ଦେଶ୍ୟ ଥିଲା ଟିକସ ଦାତାଙ୍କୁ ବହୁ ପ୍ରକାର ଟିକସରୁ ମୁକ୍ତି ଦେଇ ସହଜ ଓ ସରଳ ବ୍ୟବସ୍ଥା ପ୍ରଚଳନ କରିବା । ଉପା ସରକାର ଜିଏସ୍‌ଟି ପରିକଳ୍ପନା କରାଯାଇଥିଲା କିନ୍ତୁ ଏହା ୨୦୧୭ ଜୁନ୍‌ ୩୦ ଜୁଲାଇ ୧ ମଧ୍ୟ୍ୟରାତ୍ରିରେ ସଂସଦରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପୁର୍ବତନ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଶୁଭାରମ୍ଭ କରିଥିଲେ। ସ୍ବାଧିନତା ପରବର୍ତ୍ତୀ ଅବସ୍ଥାରେ ଟିକସ କ୍ଷେତ୍ରରେ ଜିଏସ୍‌ଟି ହେଉଛି ଦେଶର ସର୍ବବୃହତ ଟିକସ ସଂସ୍କାର । ଯେପରି ୧୯୪୭ ଅଗଷ୍ଟ ୧୪ ଓ ୧୫ ତାରିଖ ମଧ୍ୟ୍ୟରାତ୍ରିରେ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ୍ ନେହେରୁ ଅଭିଭାଷଣ ଦେଇଥିଲେ ଜିଏସ୍‌ଟି ଶୁଭାରମ୍ଭ ବେଳେ ମଧ୍ୟ୍ୟ ସେହିଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

    ଜିଏସ୍‌ଟି ସଂଙ୍ଘୀୟ ବ୍ୟବସ୍ଥାର ଏକ ଉଦାହରଣ । କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରୀ ବୈଠକରେ ଅଧକ୍ଷତା କରୁଥିବା ବେଳେ ରାଜ୍ୟର ଅର୍ଥ ମନ୍ତ୍ରୀ ମାନେ ସଦସ୍ୟ ଅଛନ୍ତି । ୨୦୧୭ ଜୁଲାଇ ପର ଠାରୁ ଜିଏସ୍‌ଟି ପରିଷଦର ୪୭ ଟି ବୈଠକ ଅନୁଷ୍ଟିତ ହୋଇଯାଇଛି । ଦେଶରେ ଚାରି ଥାକିଆ ଜିଏସ୍‌ଟି ଲାଗୁ କରାଯାଇଛି । ପେଟ୍ରୋଲ ଡିଜେଲ ରେ ଜିଏସ୍‌ଟି ଲାଗୁ କରାଯାଇନାହିଁ । ମାସିକ ସଂଗ୍ରହ ଲକ୍ଷେ କୋଟି ରୁ ଅଧିକ ହେଉଛି । ଜିଏସ୍‌ଟି କଣ ବର୍ତ୍ତମାନ ସୁଦ୍ଧା ଜନସାଧାରଣ ଓ ଟିକସଦାତା ସମସ୍ତେ ଦ୍ବନ୍ଦରେ ଅଛନ୍ତି । ବିରୋଧୀ ଦଳ ମାନେ ଜିଏସ୍‌ଟି କୁ ଗବର ସିଂ ଟ୍ୟାକ୍ସ ବୋଲି କହିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ସଂସଦରେ ଜିଏସ୍‌ଟି କୁ ଗବର ସିଂ ଟ୍ୟାକସ୍ ଓ ପେଟିଏମ କୁ ପେ ଟୁ ମୋଦୀ ବୋଲି କହି ଚର୍ଚ୍ଚା ସୃଷ୍ଟି କରିଥିଲେ । ଆର୍ଟିଫିସିଆଲ ଇଣ୍ଟେଲିଜେନସ୍ , ମେସିନ୍ ଲର୍ଣିଂ ଭଳି ପ୍ରଯୁକ୍ତି ଜ୍ଞାନକୌଶଳର ବ୍ୟବହାର ପରେ ଜିଏସ୍‌ଟି ସଂଗ୍ରହରେ ଉନ୍ନତି ହୋଇଛି ।ଟିକସ ଠକେଇ କୁ ରୋକିବା ଲାଗି ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରାଯାଇଛି ।

    ଆଜି ପର୍ଯ୍ୟନ୍ତ ସବୁ ବସ୍ତୁ ଓ ସେବା ଉପରେ ଜିଏସ୍‌ଟି ଲାଗୁ ହୋଇପାରିନାହଁ । ପେଟ୍ରୋଲ ସାମଗ୍ରୀ , ବିମାନ ଇନ୍ଧନ , ବିଦ୍ୟୁତ୍ ଶକ୍ତି ଉପରେ ଜିଏସ୍‌ଟି ଲାଗୁ ହୋଇନାହିଁ । ପେଟ୍ରୋଲ ଡିଜେଲ ଉପରେ ଜିଏସ୍‌ଟି ଲାଗୁ କରିବା ପାଇଁ ଦାବି ହେଉଥିଲେ ମଧ୍ୟ୍ୟ ରାଜ୍ୟ ମାନେ ରାଜସ୍ବ ହରାଇବା ଭୟରେ ରାଜ୍ୟ ମାନେ ରାଜି ହେଉନହାଁନ୍ତି । ଏହି ସଂସ୍କାର ଅନ୍ୟ ଏକ ଦିଗ ଥିଲା ବହୁ ସ୍ଥାନୀୟ ଟିକସ ଉଛେଦ ହେବା ପରେ ରାଜ୍ୟ ଗୁଡିକ ସହିବାକୁ ଥିବା କ୍ଷତିପୁରଣ ରାଶି ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଜାରି ରହିବ । ସେହି ଅବଧି ଆଜି ଠାରୁ ଶେଷ ହେଉଛି । ରାଜ୍ୟ କୁ ଅଧିକ ବର୍ଷ କ୍ଷତିପୁରଣ ଦିଆଯିବ ନା ନାହିଁ ତାହା ବର୍ତ୍ତମାନ ସୁଦ୍ଦା ନିଷ୍ପତ୍ତି ହୋଇନାହିଁ । ଅଗଷ୍ଟ ପ୍ରଥମ ସପ୍ତାହରେ ଜିଏସ୍‌ଟି ପରିଷଦର ପରବର୍ତ୍ତୀ ବୈଠକ ହେବ ମଦୁରାଇ ରେ । ସେଥିରେ କ୍ଷତିପୁରଣ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଜଣାପଡୁଛି ।

    • ସ୍ମରଜିତ୍ ଆର୍ଯ୍ୟ ଙ୍କ ରିପୋର୍ଟ
Back to top button