health

  • ଔଷଧ ଖାଇ ଅସୁସ୍ଥ

    ଗଞ୍ଜାମ: ବ୍ରହ୍ମପୁର ସାନଖେମୁଣ୍ଡି ବ୍ଲକ ଜୁରା ସରକାରୀ ଉନ୍ନୀତ ବିଦ୍ୟାଳୟରେ ଅଘଟଣ। ଅଚାନକ ଅଚେତା ହୋଇ ଅସୁସ୍ଥ ହେଲେ ଛାତ୍ରଛାତ୍ରୀ। ବିଦ୍ୟାଳୟରେ କୃମି ଔଷଧ ଖାଇ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି। ତେବେ ପିଲାମାନଙ୍କୁ କୃମି ଔଷଧ ଖାଇବାକୁ ଦେବା ଫଳରେ ୧୦ ଜଣ ଛାତ୍ର ଛାତ୍ରୀ ଅସୁସ୍ଥ ହୋଇଛନ୍ତି। ତାଙ୍କୁ ଆମ୍ୱୁଲାନ୍ସ ଯୋଗେ ଆଡ଼ପଡା ମେଡିକାଲରେ ଭର୍ତ୍ତି କରାଯାଇଛି। ସେପଟେ ପିଲାଙ୍କୁ ମନ ଇଚ୍ଛା ଔଷଧ ଦିଆଯାଉଥିବା ନେଇ ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଚିକିତ୍ସା ଜାରି ରହିଥିବା ବେଳେ ଆଉ କିଛି ପିଲାଙ୍କୁ ମେଡିକାଲ ଆଣିବାପାଇଁ ବ୍ୟବସ୍ଥା କରାଯାଇଛି।

  • କାଶୀପୁରରେ ଝାଡାବାନ୍ତି ଆତଙ୍କ

    ରାୟଗଡା: ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ହଇଜା ଆତଙ୍କ। କାଶୀପୁରରେ ପୁଣି ୫ ଜଣଙ୍କ ମୁଣ୍ଡ ନେଲାଣି ହଇଜା। ସପ୍ତାହକ ମଧ୍ୟରେ ଝାଡାବାନ୍ତିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗତକାଲି ସେହି ପଞ୍ଚାୟତର ଛୋଟିଗୁଡା ଗାଁର କାଡୁ ମାଝିଙ୍କ ମୃତ୍ୟୁକୁ ଅସ୍ୱୀକାର କରୁଛି ପ୍ରଶାସନ। ଗତକାଲି ଆକ୍ରନ୍ତ ସଂଖ୍ୟା ୬ ରହିଥିବା ବେଳେ ଆଜି ୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ଛୋଟୀଗୁଡା ଗାଁର କାଡୁ ମାଝିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏମାନେ ହଇଜା ଆକ୍ରନ୍ତ ହେବାପରେ ଝାଡାବାନ୍ତି ହୋଇ ସେମାନଙ୍କର ମୃତ୍ୟୁ ହୋଇଥିବା ତାଙ୍କ ପରିବାରଲୋକେ କହୁଥିବା ବେଳେ ପ୍ରଶାସନ ପକ୍ଷରୁ ହଇଜା ଜନିତ ମୃତ୍ୟୁ ହୋଇନଥିବା କୁହାଯାଉଛି।  ଲୋକେ ଶୁଦ୍ଧ ପାନୀୟଜଳ ନ ପାଇ ବାଧ୍ୟ ହୋଇ  ନଦୀ ନାଳ ଓ ଝରଣା ର ଦୂଷିତ ପାଣି ବ୍ୟବହାର କରୁଛନ୍ତି । ସେପଟେ ପରଲାଜୋର ଗାଁରେ ୪ ଜଣ ଓ ଛୋଟୀଗୁଡା ଗାଁର ଜଣକ ସହ ୫ ଜଣଙ୍କ ମୃତ୍ୟୁ ଘଟିଥିବା ଅସ୍ବୀକାର କରିବା ସହ ସ୍ଥିତି ନିୟନ୍ତ୍ରଣ ଥିବା କହିଛନ୍ତି ଏମ୍ଏଚୟୁ ଫାର୍ମାସିଷ୍ଟ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଏକ ଟିମ କାଶିପୁର ଅଞ୍ଚଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଥିବା ସୂଚନା ମିଳିଛି।

  • ସୁସ୍ଥ ହୃଦୟ, ଅସୁସ୍ଥ ହେଉଛି କାହିଁକି ?

    ହାର୍ଟ ଆଟାକ୍। ଏହି ଶବ୍ଦ ଆମେ ସମସ୍ତେ ଶୁଣିଛୁ। ଘର ପରିବାର ସାଙ୍ଗସାଥୀ ମହଲରେ ଏହାର ଶିକାର ହୋଇ ପ୍ରାଣହାନୀ ଘଟିବା ମଧ୍ୟ ଆମେ ଜାଣିଛୁ। କିଛି ବର୍ଷ ପୂର୍ବେ ଆମେ ଭାବୁଥିଲୁ ଏବଂ ଦେଖୁଥିଲୁ ଯେ ବୟସ୍କ ଲୋକ ଏହାର ଶିକାର ହେଉଛନ୍ତି। କିନ୍ତୁ ଆଜି ସେ କଥା ଆଉ ନାହିଁ। ଯୁବାବସ୍ଥାରେ କିମ୍ୱା ୪୦ ବର୍ଷର ଆରମ୍ଭ ସମୟରେ ମଧ୍ୟ ହାର୍ଟ ଆଟାକ୍ ହେଉଛି ଓ ପ୍ରିୟଜନଙ୍କ ଜୀବନ ଯାଉଛି। ଏବଂ ଶାରୀରିକ ଭାବେ ବାହାରୁ ଫିଟ୍ ଦେଖା ଯାଉଥିବା ଲୋକଙ୍କ ମୃତ୍ୟୁକୁ ନେଇ ଚିନ୍ତା ବଢିଛି। ନିକଟରେ ବିଗବସ୍ ଓ ଟିକଟକ୍ ଫେମ୍ ତଥା ବିଜେପି ନେତ୍ରୀ ସୋନାଲି ଫୋଗଟଙ୍କର ହାର୍ଟ ଆଟାକରେ ମୃତ୍ୟୁ ହେଲା। ଯାହାଙ୍କ ବୟସ ୪୨ ବର୍ଷ ଥିଲା। ସେ ମଧ୍ୟ ନିଜକୁ ବେଶ ମେଣ୍ଟେନ୍ କରି ରଖିଥିଲେ। ତାଙ୍କୁ ଦେଖି କେହି କହିବ ନାହିଁ ଯେ ସେ କୌଣସି ଭାବେ ଅସୁସ୍ଥ ଥିଲେ ବୋଲି। ତଥାପି ତାଙ୍କର ମୃତ୍ୟୁ ହେଲା। ଅବଶ୍ୟ ହାଇ ପ୍ରୋଫାଇଲ ମୃତ୍ୟୁ କଥା ଆସିଲେ ସନ୍ଦେହ ଓ ଷଡ଼ଯନ୍ତ୍ର ଦିଗଟି ଯୋଡ଼ି ହୁଏ। ଯାହା ତାଙ୍କ କ୍ଷେତ୍ରରେ ମଧ୍ୟ ହୋଇଛି। ଅଧିକ ତଦନ୍ତ ହେଲେ ମୃତ୍ୟୁର ଅସଲ କାରଣ ଜଣାପଡ଼ିବ। ତେବେ ପୁରା ଦେଶ ଯାହାଙ୍କ ପାଇଁ ଏବେ ବ୍ୟସ୍ତ ସେ ହେଉଛନ୍ତି ଷ୍ଟାଣ୍ଡଅପ୍ କମେଡିଆନ୍ ରାଜୁ ଶ୍ରୀବାସ୍ତବ। ସମସ୍ତଙ୍କୁ ହସାଉଥିବା ଓ ନିଜେ ହସୁଥିବା ରାଜୁ ଯେ ଏତେ ବଡ଼ ଧରଣର ହାର୍ଟ ଆଟାକର ଶିକାର ହେବେ ତାକୁ କେହି ସ୍ୱୀକାର କରି ପାରୁନାହାଁନ୍ତି। ୫୮ ବର୍ଷୀୟ ରାଜୁ ଏବେ ବି ମୃତ୍ୟୁ ସହ ଏମ୍ସରେ ଯୁଦ୍ଧ ଜାରି ରଖିଛନ୍ତି। କେବେ ସୁସ୍ଥ ପୁଣି କେବେ ଆହୁରି ଅସୁସ୍ଥ ହେଲେଣି ବୋଲି ଖବର ଆସୁଛି। ଜିମ୍ ରେ ଏକ୍ସରସାଇଜ୍ କରିବା ବେଳେ ଆଟାକ୍ ହେଲା ଯାହାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ଲାଫିଙ୍ଗ କ୍ଲବ୍ କଥା ଅବସାଦ ଓ ଚାପମୁକ୍ତ ଜୀବନ ପାଇଁ ଆଜି ଦିନର ଆବଶ୍ୟକତା। କିନ୍ତୁ ରାଜୁଙ୍କ କଥା ଶୁଣିବା ପରେ ସେ ଦିଗଟି ବି ଉତ୍ସାହିତ କରୁନି।

    ପୂର୍ବ ବର୍ଷ ଘଟିଥିବା ଘଟଣାକୁ ତ ଆଜି ଯାଏଁ ଭୁଲି ପାରି ନାହାଁନ୍ତି ଫ୍ୟାନ୍। ସୁନ୍ଦର ଚେହେରା, ଫିଟ ଆଉ ଫାଇନ୍ ଦେଖା ଯାଉଥିବା ସିର୍ଦ୍ଧାର୍ଥ ଶୁକ୍ଲାଙ୍କର ଦେହାନ୍ତ ସମସ୍ତଙ୍କୁ ବ୍ୟଥିତ କରିଥିଲା। ମାତ୍ର ୪୦ ବର୍ଷ ବୟସରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଗଲା । ଅଷ୍ଟ୍ରେଲିଆ କ୍ରିକେଟର ସେନ୍ ୱାର୍ଣ୍ଣଙ୍କ ମୃତ୍ୟୁ ମଧ୍ୟ ସେହି ହାର୍ଟ ଆଟାକରେ। ଯେଉଁମାନେ ବର୍ଷ ବର୍ଷ ଧରି କସରତ କରି ପଡ଼ିଆରେ ଲଢୁଆ ଖେଳ ପ୍ରଦର୍ଶନ ପାଇଁ ଶରୀର ଓ ମନକୁ ପ୍ରସ୍ତୁତ ରଖନ୍ତି ସେ ମଧ୍ୟ ହଠାତ୍ ହୃଦଯନ୍ତ୍ରର ସମସ୍ୟାରେ ପ୍ରାଣ ହରାନ୍ତି। ଲୋକପ୍ରିୟ ପ୍ଲେ ବ୍ୟାକ୍ ସିଙ୍ଗର କେକେ ଙ୍କ ମୃତ୍ୟୁ ତ ସମସ୍ତଙ୍କୁ ଅବାକ୍ କରି ଦେଇଥିଲା । ଷ୍ଟେଜ୍ ପ୍ରୋଗ୍ରାମରୁ ସିଧା ହସପିଟାଲ ଆଉ ସେଠି ମୃତ୍ୟୁ । କନ୍ନଡ଼ ସୁପରଷ୍ଟାର ପୁନିତ ରାଜମୁମାର ତାଙ୍କର ମଧ୍ୟ ଜିମରେ ଆଟାକ୍ ଆସିଲା ଏବଂ ମାତ୍ର ୪୬ ବର୍ଷ ବୟସରେ ମୃତ୍ୟୁ ହେଲା । କମେଡି ସିରିୟଲ ଭାବିଜୀ ର ମଲଖାନ୍ ଚରିତ୍ରରେ ଅଭିନୟ କରୁଥିବା ୪୩ ବର୍ଷୀୟ ଦୀପେଶ ଭାନ୍ ଙ୍କର ମଧ୍ୟ ହାର୍ଟ ଆଟାକ୍ ରେ ଜୀବନ ଯାଇଛି। ତାଙ୍କୁ ଜାଣିଥିବା ବନ୍ଧୁ, ପରିଜନ ଓ କୋ ଆକ୍ଟର କୁହନ୍ତି ଏକ ସୁସ୍ଥ ଶୃଙ୍ଖଳିତ ଜୀବନ ଥିଲା ଦୀପେଶଙ୍କର। ସେ ମଧ୍ୟ ଜିମ୍ ରେ ଢେର ସମୟ ଦେଉଥିଲେ। ହସଖୁସିଆ ପିଲା ନା ନିଶା ସେବନ କରନ୍ତି ନା ଆମିଷ ଭୋଜନ କରନ୍ତି।

    ଆମେ ସେଲିବ୍ରିଟିଙ୍କ କଥା କହୁଛୁ କିନ୍ତୁ ବାସ୍ତବରେ ଆମ ଆଖପାଖରେ ମଧ୍ୟ ଅନେକ ଲୋକଙ୍କର ଜୀବନ ଯାଉଛି। ଯେଉଁଠି ଡାକ୍ତର କହୁଛନ୍ତି ହାର୍ଟ ଆଟାକ୍ ହେଲା ବା କାର୍ଡିଆକ୍ ଆରେଷ୍ଟ ହୋଇଗଲା। କିଛି ବର୍ଷ ପୂର୍ବରୁ ସାଧାରଣତଃ ହୃଦଜନିତ ରୋଗ ନିର୍ଦ୍ଧିଷ୍ଟ ବୟସ ପରେ ହେଉଥିଲା। କହିବାକୁ ଗଲେ ୬୦ ବର୍ଷ ପରର ଏହା ରୋଗ ଥିଲା। ମହିଳାଙ୍କ ଅପେକ୍ଷା ପୁରୁଷ ଅଧିକ ଶିକାର ହୁଅନ୍ତି। ରେସିଓ ଏବେ ବି ସେଇଆ ହିଁ ରହିଛି। ଅବଶ୍ୟ ମହିଳାଙ୍କ ହାର୍ଟ ଆଟାକ୍ ଆଶଙ୍କା ମେନୋପଜ୍ ପରେ ବୃଦ୍ଧି ପାଇଥାଏ। ହରମୋନରେ ପରିବର୍ତ୍ତନ ତାର କାରଣ ବୋଲି ବିଶେଷଜ୍ଞ କୁହନ୍ତି। ତେବେ ଯୁବାବସ୍ଥାରେ ହାର୍ଟ ଆଟାକର କାରଣକୁ ଭିନ୍ନ ପ୍ରକାରେ ତର୍ଜମା କରାଯାଉଛି। ବିଭିନ୍ନ ପ୍ରକାର ନିଶା ଦ୍ରବ୍ୟ ସେବନ, ଧୁମ୍ରପାନ, ଜଙ୍କ ଫୁଡ୍, ଅବଶାଦ, କାମର ଚାପ, ଷ୍ଟେରଏଡ୍ ର ପାର୍ଶ୍ୱ ପ୍ରତିକ୍ରିୟା, ଉଚ୍ଚ ରକ୍ତ ଚାପ ଏବଂ ମେଦବହୁଳତା ସହ ଆମ ଜୀବନଶୈଳିକୁ ଦାୟୀ କରାଯାଉଛି। ଏସବୁ ଭିତରୁ କୌଣସି ଗୋଟିକର ପ୍ରଭାବ ହେଉ କିମ୍ୱା ପରିବାରରେ ହାର୍ଟ ଆଟାକ୍ ହୋଇଥିବାର ପୂର୍ବ ରେକର୍ଡ ଥିଲେ ମଧ୍ୟ ପର ପିଢି ମଧ୍ୟରେ ହାର୍ଟ ଆଟାକର ସମ୍ଭାବନା ବଢୁଛି ।

    ହାର୍ଟ ଆଟାକରେ ପ୍ରାୟ ସବୁ ବୟସର ଲୋକଙ୍କ ଭିତରେ ସମାନ ପ୍ରକାର ଲକ୍ଷଣ ଦେଖାଯାଏ। କିନ୍ତୁ ଯୁବାବସ୍ଥାରେ କିଛି ଲକ୍ଷଣକୁ ଅଣଦେଖା କରାଯାଏ ଯାହାର ପରିଣାମ ଆଜି ଦିନରେ ଭୟଙ୍କର ହୋଇପାରେ। ହୃଦ ଯନ୍ତ୍ରଣା ହେବା, ଛାତି ଓଜନିଆ ଲାଗିବା, ବାମ ପାର୍ଶ୍ୱ ହାତରେ ଯନ୍ତ୍ରଣା ଅନୁଭବ ହେବା, ଗରମ ନଲାଗୁ ଥିଲେ ମଧ୍ୟ ଅସ୍ୱାଭାବିକ ଭାବେ ଝାଳ ବୋହିବା, ଥକିଯିବା, ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ ହେବା, ପେଟରେ ଯନ୍ତ୍ରଣା ହେବା, ଗ୍ୟାସ ହେଲା ଭଳି ଲାଗିବା ଏବଂ ମୁଣ୍ଡ ବୁଲାଇବା ଭଳି ଲକ୍ଷଣ ଦେଖା ଯାଇପାରେ। ଅବଶ୍ୟ ସମସ୍ତଙ୍କର ଏକା ଭଳି ଲକ୍ଷଣ ଦେଖା ନଯାଇପାରେ। ଅନେକ ସମୟରେ ଯାହାକୁ ଆମେ ସାଧାରଣତଃ ଗ୍ୟାସଟ୍ରିକ୍ ବୋଲି ଭାବୁ ତାହା ମାରାତ୍ମକ ହୃଦ ସମ୍ୱନ୍ଧୀୟ ହୋଇଥାଇପାରେ। ସାମାନ୍ୟ ଅବହେଳା ମୃତ୍ୟୁର କାରଣ ହୋଇପାରେ। ଅବଶ୍ୟ କିଛି ନିର୍ଦ୍ଧିଷ୍ଟ ମେଡିସିନ୍ ଜରୁରୀ ପରିସ୍ଥିତି ପାଇଁ ଘରେ ରଖାଯାଇ ପାରିବ। ଡାକ୍ତରଙ୍କ ପରାମର୍ଶରେ ଆପଣ ଘରେ ଫାଷ୍ଟଏଡ୍ ବକ୍ସରେ ତାକୁ ରଖିପାରିବେ। ଯାହା ଶତପ୍ରତିଶତ ହାର୍ଟ ଆଟାକ ରୁ ମୁକ୍ତି ଦେଇ ପାରିବନି କିନ୍ତୁ ମୃତ୍ୟୁ ଆଶଙ୍କାକୁ ଟାଳିବାରେ ଅନେକାଂଶରେ ସକ୍ଷମ ହୋଇପାରିବ ।

    ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋର ପରିସଂଖ୍ୟାନ କୁହେ, ୨୦୧୫ ପରଠାରୁ ହାର୍ଟ ଆଟାକରେ ମୃତ୍ୟୁ ସଂଖ୍ୟା ବଢି ବଢି ଚାଲିଛି। ଯଦି ୨୦୧୫ରୁ ୨୦୨୦ ଯାଏଁ ବାର୍ଷିକ ହୃଦରୋଗ ଜନିତ ମୃତ୍ୟୁ କଥା କୁହାଯାଏ ତେବେ ଗ୍ରାଫ୍ ଉପରମୁହାଁ ରହିଛି। ୨୦୧୫ରେ ୧୯ ହଜାର ୩୮ମୃତ୍ୟୁ, ୨୦୧୬ରେ ୨୧ହଜାର ୯୦୮ ମୃତ୍ୟୁ, ୨୦୧୭ରେ ୨୩ ହଜାର୨୪୬ ମୃତ୍ୟୁ, ୨୦୧୮ରେ ୨୫ହଜାର ୭୬୪ଜଣ ,୨୦୧୯ରେ ୨୮ହଜାର ୫ଜଣ, ୨୦୨୦ରେ ୨୮୫୭୯ ଜଣଙ୍କ ମୃତ୍ୟୁ ହାର୍ଟ ଆଟାକରେ ହୋଇଥିବା ସରକାରୀ

    ତଥ୍ୟ କହୁଛି। ବେସରକାରୀ ଭାବେ ଏ ସଂଖ୍ୟା ଢେର ଅଧିକ। ଏବଂ କୋଭିଡ ପରବର୍ତ୍ତୀ ସ୍ୱାସ୍ଥ୍ୟ ସମସ୍ୟାରେ ଏଭଳି ହାର୍ଟ ଆଟାକ୍ ର ସଂଖ୍ୟା ବଢୁଥିବା ମଧ୍ୟ ବିଭିନ୍ନ ରିପୋର୍ଟରୁ ଜଣା ପଡ଼ୁଛି ।

    ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁସାରେ, ବିଶ୍ୱ ଅନ୍ୟ ରୋଗ ଅପେକ୍ଷା ସର୍ବାଧିକ ମୃତ୍ୟୁ କାର୍ଡିଓଭାସ୍କୁଲାର ଡିଜିଜ୍ ରେ ହିଁ ହେଉଛି। ତାର ହୃଦଜନିତ ବିଭିନ୍ନ ସମସ୍ୟାକୁ କେନ୍ଦ୍ର କରି ଗୋରୀଙ୍କ ମୃତ୍ୟୁ ଆଶଙ୍କା ବଢୁଛି। ୨୦୧୯ରେ ଯେଉଁଠି ୧୭.୯ ମିଲିୟନ୍ ଲୋକଙ୍କ ମୃତ୍ୟୁ ଏହି କାରଣରୁ ହୋଇଥିଲା। ଯାହା ବିଶ୍ୱ ରୋଗୀ ମୃତ୍ୟୁ ଅନୁପାତର ୩୨% ବୋଲି ଆକଳନ କରିଛି ଡବ୍ଲୁଏଚଓ। ସେ ମଧ୍ୟରୁ ୮୫% କେବଳ ହାର୍ଟ ଆଟାକରେ ହୋଇଛି। ଯାହାର କାରଣକୁ ତର୍ଜମା କରି ‘ହୁ’ପକ୍ଷରୁ କୁହାଯାଇଛି ତମ୍ୱାଖୁ ସେବନ, ଅତ୍ୟଧିକ ମଦ ପିଇବା, ଶାରୀରିକ ଶ୍ରମର ଅଭାବ, ମେଦବହୁଳତା ଏବଂ ଅସନ୍ତୁଳିତ ଜୀବନଚର୍ଯ୍ୟା ଏହାର ପ୍ରମୁଖ କାରଣ ହୋଇଛି। ତା ସହ ଡାଇବେଟିସ ଓ ଉଚ୍ଚ ରକ୍ତଚାପ ଭଳି ରୋଗ ମଧ୍ୟ ହାର୍ଟ ଆଟାକ୍ ସମସ୍ୟା ବଢାଉଛି ।

    ଏପରିକି ବିଗତ ଦିନର ଘଟଣାବଳୀକୁ ଅନୁଶୀଳନ କରି ବିଶେଷଜ୍ଞ କହିଲେଣି ସୁସ୍ଥ ରହିବା ପାଇଁ କର୍ମଚଞ୍ଚଳ ରହିବା ଦରକାର ନିୟମିତ କସରତ ଦେହ ପାଇଁ ଆବଶ୍ୟକ। କିନ୍ତୁ କସରତ ମଧ୍ୟ ଗୋଟେ ସୀମା ଭିତରେ ହେବା ଉଚିତ କୌଣସି କଥାର ଅତିରିକ୍ତତା ସମସ୍ୟା କରିପାରେ। ନିୟମିତ ଜିମ୍ କରିବା ଓ କିଛି ଦିନ ବ୍ୟବଧାନରେ ହଠାତ୍ ଅଧିକ ଆକ୍ଟିଭିଟିସ୍ ସମସ୍ୟା କରୁଛି ବୋଲି ଡାକ୍ତର କହୁଛନ୍ତି। ଏପରିକି ସଠିକ୍ ପ୍ରଶୀକ୍ଷକଙ୍କ ପରାମର୍ଶ ବିନା ନିଜ ଶରୀରର ଆବଶ୍ୟକତାକୁ ନଜାଣି କସରତ କରିବା ଅଧିକ ଘାତକ ହୋଇପାରେ। ‘ଫିଟନେସ୍ ଫ୍ରିକ୍ ’ସେଲିବ୍ରିଟିଙ୍କ ମୃତ୍ୟୁରୁ, ଏଭଳି ନିଷ୍କର୍ସ ଆସୁଛି। ଏବଂ ଜୀବନକୁ ଚାପମୁକ୍ତ ରଖିବାର ପ୍ରୟାସ ନିତ୍ୟାନ୍ତ ଆବଶ୍ୟକ। ସଫଳତା ଓ ବିଫଳତା ଉଭୟ ଜୀବନର ଅଂଶ ତେଣୁ ତାକୁ ନେଇ ଅତ୍ୟଧିକ ପ୍ରଭାବିତ ହେବା ଉଚିତ ନୁହେଁ। ଜୀବନକୁ ସୁସ୍ଥ ଓ ନୀରାମୟ ରଖିବା ପାଇଁ ନିଜ ଶରୀର ସହ ମନର ଉପଯୁକ୍ତ ଯତ୍ନ ନିଅନ୍ତୁ। କିଛି ସମସ୍ୟା ଥିଲେ ଅବହେଳା ନକରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

    ସୁପ୍ରିୟା ଦାଶଙ୍କ ରିପୋର୍ଟ

  • ଭୋଜି ଖାଇ ଜଣେ ମୃତ, ୮ଗୁରୁତର

    କଳାହାଣ୍ଡି: କଳାହାଣ୍ଡି ଲାଞ୍ଜିଗଡ ବ୍ଳକ କଦମଗୁଡା ପଞ୍ଚାୟତ ଵାଲାପଦର ଗାଁରେ ଭୋଜି ଖାଇ ଜଣେ ମୃତ, ୮ଗୁରୁତର। ଲଗାଣ ବର୍ଷା ଏବଂ ଯୋଗାଯୋଗ ବ୍ୟବସ୍ଥା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ମଧ୍ୟ  ଯାଇପାରୁନାହିଁ। ସେହିପରି ସେମେଲପଦର ଗାଁର ବେଣୁଧର ଗଉଡ଼, ବିପ୍ର ମାଝୀ, ଢୁଷା ମାଝୀ, ନେତ୍ରା ମାଝୀ, ସାଏବନୀ ମାଝୀ ଭୋଜି ଖାଇ ଗୁରୁତର ହୋଇଥିଲେ। ସେମେଲପଦର ଗାଁକୁ ରାସ୍ତା ନଥିବାବେଳେ ବାଟରେ ପଡ଼ୁଥିବା ନାଳରେ ପ୍ରଖର ଜଳସ୍ରୋତ ଯୋଗୁଁ ଲୋକେ ଡାକ୍ତରଖାନା ଯାଇପାରୁନଥିବା ଅଭିଯୋଗ ହୋଇଛି। ସେପଟେ ଖବର ସଂଗ୍ରହ କରିବାକୁ ଯାଇଥିବା ଯୁବ ସାମ୍ବାଦିକ ସୁଶୀଲ କୁମାର ବାଗ ଓ  ସାମ୍ବାଦିକ ନିଲେଶ କୁମାର ନାଗ ଗୁରୁତର ବେଣୁଙ୍କୁ ଆମ୍ବୁଲାନ୍ସ ଯାଏଁ ଆଣିଥିଲେ। ସେଠାରୁ ଆମ୍ବୁଲାନ୍ସ ଯୋଗେ ବେଣୁକୁ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏହାପରେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି, ବିଧାୟକଙ୍କ ପ୍ରତିନିଧି, କଦମ୍ବଗୁଡ଼ା ସରପଞ୍ଚ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେହିପରି ମୃତକ ନିରନ ମାଝୀଙ୍କ ପରିବାର ବର୍ଗଙ୍କୁ ସରପଞ୍ଚ ହରିଶ୍ଚନ୍ଦ୍ର ଯୋଜନାର ସହାୟତା ରାଶି ପ୍ରଦାନ କରିଥିଲେ। ଆଜି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ମଧ୍ୟ ସେହି ଗାଁରେ ସ୍ଥିତି ଅନୁଧ୍ୟାନ କରିଛନ୍ତି।

  • ସରୋଗାସି…ନୂଆ ଆଇନ, ନୂଆ ବିତର୍କ

    ଶିଶୁଟିଏ ଜନ୍ମ ହେବା ପରିବାର ପାଇଁ ସୁଖଦ ଖବର ଏବଂ ଉଭୟ ପିତା ମାତାଙ୍କ ପାଇଁ ଏକ ସୁନ୍ଦର ଅନୁଭୂତି ମଧ୍ୟ । ସୁସ୍ଥ ସନ୍ତାନ ପ୍ରସବ ପାଇଁ ଅନେକ ସତର୍କତା ଅବଲମ୍ବନ କରିବାକୁ ହୁଏ । ସାମାନ୍ୟ ଅବହେଳା ଉଭୟ ମା’ ଓ ଶିଶୁ ପ୍ରତି ବିପଦ ଆଣିପାରେ । ତେବେ ଏସବୁ କଥା ଅନେକଙ୍କ ପାଇଁ ଆହୁରି ଜଟିଳ ହୋଇଯାଏ ଯେଉଁଠି ବିଭିନ୍ନ ଶାରୀରିକ କାରଣରୁ ଡାକ୍ତର ସନ୍ତାନ ଧାରଣ ସମ୍ଭବ ନୁହେଁ ବୋଲି କୁହନ୍ତି । ଆଜି କାଲି ଏ ସଂଖ୍ୟା ଢେର ବଢିଛି ଯେଉଁଠି ନିଃସନ୍ତାନ ହେଉଛନ୍ତି ଦମ୍ପତ୍ତି । ଏପରିକି ଭାରତରେ ୧୦ରୁ ୧୪% ଙ୍କ ମଧ୍ୟରେ ଗର୍ଭଧାରଣରେ ସମସ୍ୟା ରହୁଛି । ଅର୍ଥାତ୍ ପ୍ରତି ୬ ଜଣରୁ ଜଣେ ନିଃସନ୍ତାନ । ଏଭଳି କ୍ଷେତ୍ରରେ କିଛି ପରିବାର ପୋଷ୍ୟ ଗ୍ରହଣ କରି ସନ୍ତାନ ସୁଖ ପାଉଛନ୍ତି । ପୁଣି କିଛି ପରିବାର ଆଇଭିଏଫ୍, ସରୋଗାସି ଭଳି ଉପାୟ ଆପଣାଉଛନ୍ତି । ଏଥିରେ ନିଜ ଶରୀରର ଅଂଶ ଓ ବଂଶରକ୍ଷା ଭଳି କଥା ମଧ୍ୟ ରହିଛି । ସହଜରେ ବୁଝିବାକୁ ହେଲେ ସନ୍ତାନ ଚାହୁଁଥିବା ଦମ୍ପତ୍ତି ପାଇଁ ଅନ୍ୟ ଜଣେ ମହିଳା (ସରୋଗେଟ୍) ଗର୍ଭଧାରଣ କରିବେ । ଏବଂ ସନ୍ତାନ ପ୍ରସବ ପରେ ଚୁକ୍ତି ମୁତାବକ ମୂଳ ଦମ୍ପତ୍ତିଙ୍କୁ ଶିଶୁ ହସ୍ତାନ୍ତର କରିବେ । କିଛି ବର୍ଷ ମଧ୍ୟରେ ସରୋଗାସିର ଲୋକପ୍ରିୟତା ବୃଦ୍ଧି ପାଇଛି ।

    ନିଃସନ୍ତାନ ଦମ୍ପତ୍ତିଙ୍କ ପାଇଁ ସରୋଗାସି ଏବେ ଶେଷ ବିକଳ୍ପ ହୋଇଛି। ପ୍ରଜନନରେ ଅକ୍ଷମତା ଥିଲେ ହିଁ ଏହି ପ୍ରକ୍ରିୟା ପାଇଁ ଆଇନତଃ ଅନୁମତି ମିଳୁଛି । ଆମ ଦେଶରେ ଦୀର୍ଘ ବର୍ଷ ଧରି ଏହି ସରୋଗାସି ପ୍ରକ୍ରିୟା ଚାଲିଛି। ଏପରିକି ଏହାର ଅପବ୍ୟବହାର ଓ ବ୍ୟବସାୟୀକରଣ ଯୋଗୁ ଭାରତ ସମାଲୋଚିତ ବି ହୋଇଛି ଏବଂ ସ୍ୱଳ୍ପ ଖର୍ଚ୍ଚରେ ସନ୍ତାନ ଦରକାର ଥିଲେ ଭାରତକୁ ଆସନ୍ତୁ ବୋଲି ଧାରଣା ସୃଷ୍ଟି ହୋଇଛି । ଯାହାକୁ ରୋକିବା ପାଇଁ ଦେଶରେ ନୂଆ ସରୋଗାସି ଆଇନ ଆସିଛି । ଯେଉଁ ଆଇନ ସରୋଗାସି ଉପରେ ପ୍ରତିବନ୍ଧକ ଲଗାଇନି କିନ୍ତୁ ସରୋଗାସିର ବ୍ୟବସାୟୀକରଣକୁ ବେଆଇନ କହିଛି । ନୂଆ ନିୟମ ଅନୁଯାୟୀ, ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁମତି, ବୋର୍ଡର ସ୍ୱୀକୃତି ସହ ଉଭୟ ପକ୍ଷ ମଧ୍ୟରେ କିଭଳି ଆଇନଗତ ଭାବେ ଚୁକ୍ତି ହୋଇପାରିବ ତାହା କୁହାଯାଇଛି । ନିଃସନ୍ତାନ ଦମ୍ପତ୍ତିଙ୍କ ପରିଚିତ ଏବଂ କେବଳ ପରୋପକାର ଉଦେଶ୍ୟରେ ସରୋଗେଟ ହୋଇପାରିବାର ନିୟମ ହୋଇଛି । ସରୋଗେଟ୍ ମହିଳାଙ୍କ ସହ ସନ୍ତାନ ଚାହୁଁଥିବା ଦମ୍ପତ୍ତିଙ୍କ ମାରିଟାଲ ଷ୍ଟାଟସ୍, ବୟସ ଓ ସନ୍ତାନ ଅଛନ୍ତି କି ନାହିଁ ସେ ନିୟମ ଖଞ୍ଜା ଯାଇଛି । ତେବେ ନୂଆ ଆଇନ ମୁତାବକ ବିଚ୍ଛେଦ ହୋଇଥିବା ଓ ବିଧବା ମହିଳା ମଧ୍ୟ ସରୋଗାସି ଦ୍ୱାରା ମାତୃତ୍ଵ ପାଇପାରିବେ । କିନ୍ତୁ ଏକୁଟିଆ ପୁରୁଷ, ଅବିବାହିତ କିମ୍ବା ତୃତୀୟ ଲିଙ୍ଗିକୁ ଏ ପ୍ରକ୍ରିୟା ଦ୍ୱାରା ସନ୍ତାନ ମିଳିବ ନାହିଁ । ଯାହା ସମାନତା ଅଧିକାରର ଉଲଂଘନ ବୋଲି ଅଭିଯୋଗ ହୋଇଛି।

    ସରକାର କହିଛନ୍ତି ଅନେକ ତର୍ଜମା ପରେ ନିଃସନ୍ତାନ ଦମ୍ପତ୍ତିଙ୍କୁ ସ୍ୱଚ୍ଛ ବ୍ୟବସ୍ଥା ମାଧ୍ୟମରେ ସନ୍ତାନ ଦେବାର ଉପାୟ କରାଯାଇଛି। ଯେହେତୁ ସରୋଗାସିକୁ ଅର୍ଥ ଉପାର୍ଜନର ମାଧ୍ୟମ କରାଯାଇଥିଲା । ଦଲାଲ ସକ୍ରୀୟ ହୋଇ ଶୋଷଣ କରୁଥିଲେ । କେଉଁଠି ସେରୋଗେଟ୍ ମା’ ତ କେଉଁଠି ସନ୍ତାନ ଚାହୁଁଥିବା ଦମ୍ପତି ଚୁକ୍ତି ଖିଲାପ କରିବା ଖବର ଆସୁଥିଲା । ଏପରିକି ପିଲାଟିର କୌଣସି ଜନ୍ମଗତ ସ୍ୱାସ୍ଥ୍ୟ ସମସ୍ୟା ରହିଲେ କିମ୍ବା ପୁଅ ଚାହୁଁଥିଲେ ଝିଅ ହେଲେ ଗ୍ରହଣ କରିବାକୁ ସନ୍ତାନ ଇଚ୍ଛୁକ ଦମ୍ପତ୍ତି ମନା କରିବା ଶିଶୁ ଅଧିକାରକୁ କ୍ଷୁର୍ଣ୍ଣ କରୁଥିଲା । ଯାହା ନୂଆ ଆଇନ ଦ୍ୱାରା ଆଉ ସମ୍ଭବ ହେବନାହିଁ ବୋଲି ଭରଷା ଦିଆଯାଇଛି ।ସରୋଗାସି ପ୍ରକ୍ରିୟା ପୂର୍ବରୁ ଉଭୟ ପକ୍ଷ ମଧ୍ୟରେ ଚୁକ୍ତି ହେବ । ଚୁକ୍ତି ଖିଲାପ ହେଲେ ଦଣ୍ଡବିଧାନ ବ୍ୟବସ୍ଥା ରହିବ । ସରୋଗାସିର ବ୍ୟବସାୟକରଣ ଓ ଅର୍ଥ କାରବାର ଦ୍ୱାରା ହେଉଥିବା ଶୋଷଣକୁ ନିୟନ୍ତ୍ରଣ କରିବ। ଅନେକ ସମୟରେ ଅର୍ଥ ପାଇଁ ଗରିବ ମହିଳା ଓ କମ୍ ବୟସର ଯୁବତୀ ସରୋଗେଟ୍ ମହିଳା ବା ଭଡ଼ାରେ ଗର୍ଭ ଧାରଣ ପାଇଁ ପ୍ରସ୍ତୁତ ହେଉଥିଲେ । ସେଠି ମହିଳାର ଅଧିକାର କ୍ଷୁର୍ଣ୍ଣ ହେବାର ଖବର ଆସୁଥିଲା । ଏପରିକି ଅର୍ଥ ବଦଳରେ ସନ୍ତାନ ନୈତିକତାର ପ୍ରଶ୍ନ ହୋଇଥିଲା । ଏବେ ସେଥିରେ ସଂଶୋଧନ କରାଯାଇଛି ଏବଂ କେବଳ ସନ୍ତାନ ଚାହୁଁଥିବା ଦମ୍ପତ୍ତିଙ୍କ ପରିଚିତ ମହିଳା ପରୋପକାର ପାଇଁ ଗର୍ଭଧାରଣ କରିବେ ବୋଲି ଆଇନରେ ବ୍ୟବସ୍ଥା ହୋଇଛି ।

    ଏପରିକି ବିବାହିତ ଓ ନିଜ ସନ୍ତାନ ଥିଲେ ହିଁ ଜଣେ ସରୋଗେଟ୍ ହୋଇପାରିବେ । ସରୋଗେଟ ମା’ ୨୫ରୁ ୩୫ ବର୍ଷ ମଧ୍ୟରେ ହୋଇଥିବେ । ଏଭଳି ନିଷ୍ପତ୍ତି ପାଇଁ ସେ ମାନସିକ ଓ ଶାରୀରିକ ଭାବେ ସୁସ୍ଥ ଥିବା ଜରୁରୀ ।ଅନ୍ୟପଟେ ସନ୍ତାନ ଚାହୁଁଥିଲେ ବିବାହର ୫ ବର୍ଷ ପରେ ଦମ୍ପତ୍ତି ସରୋଗାସି କରିପାରିବେ । ସେଥିରେ ସ୍ତ୍ରୀର ବୟସ ୨୫-୫୦, ସ୍ୱାମୀ ୨୬-୫୫ ବର୍ଷର ହୋଇଥିବା ଆବଶ୍ୟକ। ଏବଂ ୩୬ ମାସ ପାଇଁ ସରୋଗେଟ୍ ମା’ର ହେଲ୍ଥ ଇନସୁରାନ୍ସ କରିବା ବାଧ୍ୟତାମୂଳକ କରାଯାଇଛି । ନୂଆ ଆଇନ ମୁତାବକ କେନ୍ଦ୍ର ଓ ରାଜ୍ୟସ୍ତରରେ ସରୋଗାସି ବୋର୍ଡ ଗଠନ ହେବ। ଯାହା ଆମ ରାଜ୍ୟରେ ଗଠନ ହୋଇସାରିଛି । ବୋର୍ଡ ଆଇନ ଅନୁପାଳନ ସବୁ ପକ୍ଷ କରୁଛନ୍ତି କି ନାହିଁ ତଦାରଖ କରିବେ । ଫର୍ଟିଲିଟି ଏଜେନ୍ସି ବା କ୍ଲିନିକ୍ ପଞ୍ଜିକୃତ ହେବା ବାଧ୍ୟତାମୂଳକ । ଏପରିକି ସେ ସଂସ୍ଥା ଗୁଡ଼ିକ ବିଜ୍ଞାପନ ବା ବ୍ୟବସାୟିକ ଉଦେଶ୍ୟ ରଖି କୌଣସି ପ୍ରଚାର କରିପାରିବେନି । ଯଦି ନିୟମ ଖିଲାପ ହୁଏ ତେବେ ଜେଲ, ଜରିମାନା ଓ ପଞ୍ଜିକରଣ ବାତିଲ ହେବାର ଆଇନ ରହିଛି ।ନୂଆ ସରୋଗାସି ଆଇନ ନୂଆ ବିତର୍କ ସୃଷ୍ଟି କରିଛି । କିଏ ନୀତି, ନୈତିକତା, ଅଧିକାର ତ କିଏ ଆଇନଗତ ଦିଗକୁ ନେଇ ପ୍ରଶ୍ନ ଉଠାଇଛି ।

    ଅଭିଯୋଗ ହୋଇଛି ନିଃସନ୍ତାନ ଦମ୍ପତ୍ତିଙ୍କ ବାସ୍ତବ ସମସ୍ୟା ନଜାଣି ନିୟମ ପ୍ରସ୍ତୁତକାରୀ ଆଇନ ତିଆରି କରିଛନ୍ତି । ଯେଉଁ ଦେଶରେ ପ୍ରଜନନ ସମସ୍ୟା ବା ଇନଫର୍ଟିଲିଟିକୁ ନେଇ ଖୋଲା ଆଲୋଚନା ହୁଏନାହିଁ ସେଠି କେଉଁ ପରିଚିତ ଲୋକକୁ ସନ୍ତାନ ଚାହୁଁଥିବା ଦମ୍ପତ୍ତି ପାଇବେ ଯିଏ ବିନା ସ୍ୱାର୍ଥ ବିନା ଅର୍ଥରେ ତାଙ୍କ ପିଲାକୁ ନିଜ ଗର୍ଭରେ ଧାରଣ କରିବେ ଏବଂ ପ୍ରସବକାଳୀନ ସମସ୍ତ ବିପଦକୁ ମୁଣ୍ଡାଇବେ । ଏମିତିରେ ବି ସମାଜ ସ୍ୱୀକୃତ ସ୍ୱାମୀ ସ୍ତ୍ରୀ ସମ୍ପର୍କ ଦ୍ୱାରା ହିଁ ଗର୍ଭଧାରଣକୁ ବୈଧ ବିଚାର କରାଯିବାର ମାନସିକତା ଏଯାଏଁ ରହିଛି । ତେଣୁ ଏକଥାର ଗ୍ରହଣୀୟତା ହେବ କି ନାହିଁ ସେ ପ୍ରଶ୍ନ ଅଛି । ତା ଛଡା ଅତ୍ୟଧିକ କାଗଜପତ୍ର କାମ,ଲମ୍ବା ପ୍ରକ୍ରିୟା ଓ ବ୍ୟକ୍ତିଗତ ନିଷ୍ପତି ଖୋଲାରେ ଚର୍ଚ୍ଚା ହେବାକୁ ଅନେକ ନାପସନ୍ଦ କରିଛନ୍ତି । ସବୁଠାରୁ ବଡ଼ କଥା କିଛି ମହିଳାଙ୍କ ପାଇଁ ଏହା ଅର୍ଥ ରୋଜଗାରର ମାଧ୍ୟମ ଥିଲା । ସେ ରାସ୍ତା ବନ୍ଦ ହେବା ଅନେକଙ୍କୁ ଗ୍ରହଣୀୟ ହେଉନି । ଯେଉଁ ଆଦର୍ଶ କଥା ଆଇନରେ କୁହାଯାଉଛି ତାହା ବାସ୍ତବରେ ସମ୍ଭବ ହେବନାହିଁ ବୋଲି ମତ ପ୍ରକାଶ ପାଇଛି । ତେଣୁ ସରୋଗାସି ଆଇନର ଆହୁରି ତର୍ଜମା ଆବଶ୍ୟକ ।

    ଅନ୍ୟ ଏକ ଗୁରୁତ୍ବପୁର୍ଣ୍ଣ ଦିଗ ହେଉଛି ଏହି ଆଇନ ଶିଶୁ ଅଧିକାରକୁ ସୁରକ୍ଷା ଦେଉନାହିଁ ବୋଲି ଅଭିଯୋଗ ଆସିଛି । ଯଦି ଜନ୍ମ ପରେ ପରେ ମା’ର ମୃତ୍ୟୁ ହୁଏ ପିଲାଟିର ଅଭାବକୁ ସମସ୍ତେ ଅନୁଭବ କରୁଥିବା ବେଳେ ମା’ କ୍ଷୀରର ଅଭାବ, ଗର୍ଭଧାରଣ କରିଥିବା ମା’ ସହ ଗର୍ଭସ୍ଥ ସନ୍ତାନର ସମ୍ପର୍କ କଥା ଉଠେ । କିନ୍ତୁ ସରୋଗାସିରେ ସେ କଥାକୁ ବିଲକୁଲ ଗୁରୁତ୍ୱ ଦିଆଯାଇନାହିଁ । ବଡ ମାନଙ୍କ ଆବଶ୍ୟକତା ତାଙ୍କ ଅଧିକାର କଥା ଯେଉଁ ଭଳି କୁହାଯାଉଛି ନୂଆ ଆଇନ, ଶିଶୁ ଅଧିକାରର ସୁରକ୍ଷା ପ୍ରତି ସେତିକି ନିରବ ରହିଛି । ଏପରିକି ଶିଶୁ ମନସ୍ତତ୍ତ୍ବକୁ ସରୋଗାସି ଦୃଷ୍ଟିରୁ ଅଧିକ ତର୍ଜମା ଆବଶ୍ୟକ ଥିଲା ବୋଲି ମତ ରହିଛି । ଏକଥା ବି କୁହାଯାଉଛି ଯେ ଅତ୍ୟଧିକ କଡ଼ା ନିୟମ ବେଆଇନ କାରବାରର କାରଣ ହୋଇ ପାରେ । ଏବଂ ସରୋଗେଟ୍ ମା’ର ଶ୍ରମକୁ ପରୋପକାର କହିବା ପିତୃତାନ୍ତ୍ରିକ ମାନସିକତା ବୋଲି ମଧ୍ୟ ସମାଲୋଚନା ହୋଇଛି ।ସନ୍ତାନ ଚାହୁଁଥିବା ପରିବାର ପାଇଁ, ସରୋଗାସି ସଉକ ନୁହେଁ ଶେଷ ବିକଳ୍ପ । ତେଣୁ ବୟସ, ବୈବାହିକ ସ୍ଥିତି, ଲିଙ୍ଗ ଓ ଜାତୀୟତା ଭିତ୍ତିରେ ସ୍ଥିର କରିବା ଅନେକଙ୍କୁ ପସନ୍ଦ ହୋଇନାହିଁ । ଏହା ସମସ୍ୟା ସମାଧାନ କରିବନି ବରଂ ସମସ୍ୟା ବଢାଇବ ବୋଲି କୁହାଯାଉଛି । ଯେଉଁଠି ଜନ୍ମ ପରେ ୯ ମାସର ସମ୍ପର୍କ ଛିଣ୍ଡାଇ ଗର୍ଭଧାରଣ କରିଥିବା ମା’ ପିଲାକୁ ହସ୍ତାନ୍ତର କରିବେ ସେଠି ଶରୀରର ସୁସ୍ଥତା ସହ ସରୋଗେଟ୍ ମା’ର ମାନସିକ ସୁସ୍ଥତାକୁ ଗୁରୁତ୍ୱ ଦେବା ଆବଶ୍ୟକ । ଯାହା କାଗଜକମଲମର ନିୟମରେ କେତେ ସମ୍ଭବ ତାହା ଉଣା ଅଧିକେ ସମସ୍ତେ ଜାଣନ୍ତି ।

    କିଛି ସେଲିବ୍ରିଟି ଗର୍ଭଯନ୍ତ୍ରଣା ସହିବାକୁ ଚାହୁଁ ନାହାଁନ୍ତି । କିଛି ମହିଳା କ୍ୟାରିଅର ପାଇଁ ସରୋଗାସି ବାଛୁଛନ୍ତି । କିନ୍ତୁ ସେ ନିୟମରେ ସଚ୍ଚୋଟ ଭାବେ ପ୍ରକ୍ରିୟାକୁ ଆପଣାଉଥିବା ଦମ୍ପତ୍ତି ପ୍ରତାରିତ ନହୁଅନ୍ତୁ । ତାକୁ ନିଶ୍ଚିତ କିଏ କରିବ । ଅନ୍ୟପଟେ ଯେଉଁ ଫର୍ଟିଲିଟି ସେଣ୍ଟର ମାନଙ୍କରେ ଏସବୁ କଥା କରାଯାଉଛି ନୂଆ ଆଇନ ପରେ ଚୋରା ଲୁଚାରେ ଏ କାମ କିଭଳି ନହେବ ସେ ପାଇଁ କି ବ୍ୟବସ୍ଥା ରାଜ୍ୟ ଓ ଜାତୀୟ ସ୍ତରରେ ଅଛି । ଯେଉଁ ଦଲାଲ ଏଥିରେ ସକ୍ରୀୟ ଥିଲେ ସେମାନେ ରାତିଅଧିଆ ଉଭାନ ହୋଇଯିବେ ନା ନୂଆ ଉପାୟ ପାଞ୍ଚିବେ । ସେ ପ୍ରଶ୍ନ ଏବେ ବି ରହିଛି । ସେପଟେ ପୋଷ୍ୟଗ୍ରହଣ ପାଇଁ ପ୍ରୋତ୍ସାହନ ଚାଲିଥିବା ବେଳେ ଯଦି ସବୁ ନିଃସନ୍ତାନ ଦମ୍ପତ୍ତି ସରୋଗାସି ପାଇଁ ଇଛୁକ ହେବେ ତେବେ ସେ ପିଲାଙ୍କୁ ପରିବାର ଦେବ କିଏ । ଅବଶ୍ୟ ଦେଶରେ ଆଇନ ସେତେବେଳେ ହୁଏ ଯେତେବେଳେ କୌଣସି ବର୍ଗର ଅଧିକାର ପ୍ରଭାବିତ ହୁଏ ବା ଆଇନ ନଥିବାର ଆଳରେ ବେଆଇନ କାରବାର ବଢେ । ସେ ଦୃଷ୍ଟିରୁ ନୂଆ ସରୋଗାସି ଆଇନ ଏକ ବଡ଼ ପଦକ୍ଷେପ କିନ୍ତୁ ନିୟମର ଅନୁପାଳନ ଠିକଣା ଢଙ୍ଗରେ ନହେଲେ ଆଶାୟୀ ଦମ୍ପତ୍ତି ନ୍ୟାୟ ପାଇବେ ନାହିଁ ଏ ସନ୍ଦେହ ରହିଛି ।

    • ସୁପ୍ରିୟା ଦାଶଙ୍କ ସ୍ୱତନ୍ତ୍ର ରିପୋର୍ଟ
  • ମହାମାରୀ ନିୟନ୍ତ୍ରଣ ଚିନ୍ତାରେ କାଶୀପୁର ପ୍ରଶାସନ।

    କାଶୀପୁର ବ୍ଲକ୍‌ରେ କାୟା ମେଲାଇ ଚାଲିଛି ମାରାତ୍ମକ ହଇଜା। ଗଲା ୧୦ ଦିନ ଭିତରେ ୭ ଜଣଙ୍କ ମୁଣ୍ଡ ନେବା ସହ ଶତାଧିକ ଆକ୍ରାନ୍ତ ଚିକିତ୍ସାଧୀନ। ମୃତ୍ୟୁ ସଂଖ୍ୟାରେ ଅବଶ୍ୟ ବ୍ରେକ୍ ଲାଗିଛି। କିନ୍ତୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଲୋକେ ବ୍ୟବହାର କରୁଥିବା  ଜଳ ଉତ୍ସକୁ ବ୍ୟବହାର କରିବା ପାଇଁ ବାରଣ କରିବା ସହ ଟ୍ୟାଙ୍କର ମାଧ୍ୟମରେ ଲୋକଙ୍କୁ ଶୁଦ୍ଧ ପାଣି ଯୋଗାଇ ଦିଆଯାଉଛି। ସ୍ୱାସ୍ଥ୍ୟ ସେବା, ସାମାଜିକ ସୁରଷା ଏବଂ ଗରିବଙ୍କ ନିକଟରେ ସରକାରୀ ଯୋଜନା ପହଞ୍ଚାଇବା ଦିଗରେ ସରକାର ବିଫଳ ହୋଇଥିବାର ଆରୋପ ଲଦିଛି କଂଗ୍ରେସ। ସେପଟେ ଯେତେ ଜଲଦି ହଇଜା ଉପରେ ନିୟନ୍ତ୍ରଣ ଆସିବା ଜରୁରୀ ବୋଲି କହିଛନ୍ତି ରାୟଗଡ଼ା ବିଧାୟକ। ନଚେତ ସ୍ଥିତି ଆହୁରି ସଙ୍ଗୀନ ହୋଇପାରେ ବୋଲି ବି ଆଶଙ୍କା ପ୍ରକଟ କରିଛନ୍ତି।

    ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଜିଲ୍ଲାପାଳ ଓ  ସିଡିଏମଓଙ୍କ ସହ କାଶିପୁର ବ୍ଳକର ହଇଜା ସ୍ଥିତି ସଂପର୍କରେ ଆଲୋଚନା କରି କାଶୀପୁର ଗସ୍ତ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ। ଆକ୍ରାନ୍ତଙ୍କ ସହ ଆଲୋଚନା କରିବା ସହ ପ୍ରଭାବିତ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆକ୍ରାନ୍ତଙ୍କୁ ତୁରନ୍ତ ହସ୍ପିଟାଲ ସ୍ଥାନାନ୍ତର, ଜଳ ବିଶୋଧନ,ହାତ ଧୋଇ ଖାଦ୍ୟ ଗ୍ରହଣ,ପାଣି ଫୁଟାଇ ପିଇବା ସହ ବାହାରକୁ ଶୈାଚ ନ ଯିବା ପାଇଁ ବିଭାଗ ତରଫରୁ ସଚେତନତା ସୃଷ୍ଟି କରାଯାଉଛି ବୋଲି କହିଛନ୍ତି  ଜନସ୍ୱାସ୍ଥ୍ୟ ନିର୍ଦେଶକ।କାଶୀପୁର ବ୍ଲକର ପ୍ରଭାବିତ ଗାଁରେ କିଭଳି ସ୍ଥିତି ନିୟନ୍ତ୍ରଣକୁ ଆସିବ, ତାକୁ ନେଇ ପ୍ରଶାସନକୁ ଚିନ୍ତା ଘାରିଛି।

    କାଶୀପୁରରୁ ଜି.ଶ୍ରୀନିବାସଙ୍କ ରିପୋର୍ଟ, ନକ୍ଷତ୍ର ନ୍ୟୁଜ୍..।

  • ଦେଶରେ କରୋନା ଗ୍ରାଫ ଉପରମୁହାଁ

    ଦେଶରେ କରୋନା ଗ୍ରାଫ ଉପରମୁହାଁ। ଦେଶରେ ପ୍ରତିଦିନ କରୋନା ରିପୋର୍ଟ ଅନୁଯାୟୀ, ନୂଆ ସଂକ୍ରମଣ ମାମଲା ସଂଖ୍ୟାରେ ଉଥାନ ଘଟିଛି। ମଙ୍ଗଳବାର, ୧୫ ହଜାରରୁ ଉର୍ଦ୍ଧ୍ୱ ନୂତନ ସଂକ୍ରମଣଙ୍କ ସଂଖ୍ୟା ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ଦେଶରେ ନୂତନ ସଂକ୍ରମଣଙ୍କ ସଂଖ୍ୟା ୨୦ହଜାର ୫୫୭କୁ ବୃଦ୍ଧି ପାଇଛି। ଲଗାତାର ଦୁଇ ଦିନର ଆରାମ ପରେ ପୁଣିଥରେ କରୋନା ମାମଲାରେ ବୃଦ୍ଧି ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୦,୫୫୭ ନୂଆ କରୋନା ମାମଲା ରୁଜୁ ହୋଇଥିବା ବେଳେ ୧୮,୫୧୭ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

    ସେପଟେ କରୋନା ସଂକ୍ରମଣରେ ଗତ ୨୪ ଘଣ୍ଟାରେ ୪୦ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ୧,୪୫,୬୫୪ ବୃଦ୍ଧି ପାଇଛି। ଦୈନିକ ସକ୍ରିୟ ମାମଲା ହାର ୪.୧୩ ପ୍ରତିଶତ ରହିଛି। ସପ୍ତାହିକ ସ୍କରିୟ ମାମଲା ହାର ହେଉଛି ୪.୬୪ ପ୍ରତିଶତ। ଦେଶରେ କରୋନା ସୁସ୍ଥ ହାର ୯୮.୪୭ ପ୍ରତିଶତ।

    • ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ
  • କଞ୍ଚାଲଙ୍କା ସ୍ୱାସ୍ଥ୍ୟ ପାଇଁ ଉପକାରୀ

    କଞ୍ଚାଲଙ୍କା ହେଉ କି ଶୁଖିଲା ଲଙ୍କା। ଅନେକ ଲୋକ ଖାଇବାକୁ ପସନ୍ଦ କରୁଥିବା ବେଳେ ଆଉ କେତେକ ରାଗ ପାଇଁ ପସନ୍ଦ କରିନଥାନ୍ତି। ମାତ୍ର କଞ୍ଚାଲଙ୍କା ଯେ ସ୍ୱାସ୍ଥ୍ୟ ପାଇଁ ବହୁ ଉପକାରୀ। ତାହା ଅଳ୍ପ କେତେକ ଜାଣିଥିବେ। କଞ୍ଚାଲଙ୍କା ମେଟାବୋଲିଜିୟମ ସ୍ତରକୁ ସଠିକ ଭାବରେ ସହାୟକ ହୋଇଥାଏ। ଏହାସହ କଞ୍ଚାଲଙ୍କାରେ ଭିଟାମିନ-ସି ପ୍ରଚୁର ମାତ୍ରାରେ ରହିଛି। କେତେକ ଲୋକ ଭିଟାମିନ-ସି ଅଭାବକୁ ଦୂର କରିବା ପାଇଁ ଖଟା ଜିନିଷ ଓ ଲେମ୍ୱୁ ସେବନ କରିଥାଆନ୍ତି। ହେଲେ କଞ୍ଚାଲଙ୍କା ଖାଇଲେ ଭିଟାମିନ-ସି ମିଳିଥାଏ।

    ତେଣୁ ସମସ୍ତେ ଖାଇବା ଦରକାର। ସେପଟେ ଶରୀରରେ କୋଲେଷ୍ଟେରୋଲ ସ୍ତରକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ଯାହାଫଳରେ ହାର୍ଟ ସୁସ୍ଥ ରହିଥାଏ। ଏହାସହ ହାର୍ଟ ଜନିତ ରୋଗ ହେବାର ଆଶଙ୍କା ଖୁବ କମ ରହିଥାଏ। ସେହିପରି ରକ୍ତର ଅଭାବକୁ ଦୂର କରିବାରେ କଞ୍ଚାଲଙ୍କାର ମୁଖ୍ୟ ଭୂମିକା ରହିଛି। ଏଥିରେ ପ୍ରଚୁର ପରିମାଣର ଆଇରନ ରହିଛି। ଏହାକୁ ସେବନ କଲେ ଅନେକ ରୋଗରୁ ଉପଶମ ମିଳୁଥିବା ଜଣାପଡିଛି।

    • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ…
  • ବଡ ଭାଇ କୋଳରେ ସାନ ଭାଇର ମୃତଦେହ

    ମୁରେନା: ବଡ ଭାଇ କୋଳରେ ସାନ ଭାଇର ମୃତଦେହ। ଏତିକିବେଳେ ପୁଅର ମୃତଦେହକୁ ଘରକୁ ନେବା ପାଇଁ ବାପା ଏପଟ ସେପଟ ହୋଇ ଖୋଜୁଥିଲେ ଆମ୍ୱୁଲାନ୍ସ। ଏଭଳି ଦୃଶ୍ୟ ଦେଖିଲେ ଲୋମ ଟାଙ୍କୁରି ଉଠିବ। ଆଜିବି ଏଭଳି ଲୋକ ଅଛନ୍ତି ଯେଉଁମାନଙ୍କ ପାଖରେ ଆମ୍ୱୁଲାନ୍ସ ସେବା ସ୍ବପ୍ନ। ମଧ୍ୟପ୍ରଦେଶ ମୁରେନା ଜିଲ୍ଲା ଅମ୍ୱାହର ବଡଫରା ଗାଁରୁ ଏଭଳି ଦାରୁଣ ଚିତ୍ର ଆସିଛି। ସେଠାକାର ଜିଲ୍ଲା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପୁଅର ମୃତ୍ୟୁ ହେବା ପରେ ଆମ୍ୱୁଲାନ୍ସ ଦେବାକୁ ହସ୍ପିଟାଲ କର୍ତ୍ତୃପକ୍ଷ ମନା କରିବାରୁ ଏଭଳି ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି।

    ଶନିବାର ଦିନ ପୂଜାରାମ ଜାଟୱାଙ୍କ ୮ ବର୍ଷର ବଡ ପୁଅ ଗୁଲସନ,  ୨ ବର୍ଷର ସାନ ଭାଇ ରାଜାର ମୃତଦେହକୁ କୋଳରେ ଧରି ରାସ୍ତା କଡରେ ବସିଥିଲା। କାହିଁକି ନା ବାପାଙ୍କ ପାଖରେ ଆମ୍ୱୁଲାନ୍ସକୁ ଦେବାକୁ ଟଙ୍କା ନଥିଲା।

    ପୂଜାରାମଙ୍କ ୨ ବର୍ଷର ପୁଅ ରାଜାର ହଠାତ ଦେହ ଖରାପ ହୋଇଥିଲା। ବାପା ରାଜାର ଘରୋଇ ଚିକିତ୍ସା କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ପୁଅକୁ ମୋରେନା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ପୂଜାରାମ ସହ ବଡ ପୁଅ ଗୁଲସନ ମଧ୍ୟ ଯାଇଥିଲା। ତେବେ ସେଠାରେ ଶିଶୁଟିର ମୃତ୍ୟୁ ହୋଇଥିଲା। ପୂଜାରାମ ଜଣେ ଗରିବ ହୋଇଥିବାରୁ ହସ୍ପିଟାଲରୁ ଘରକୁ ପୁଅର ମୃତଦେହ ନେବା ପାଇଁ ଟଙ୍କା ନଥିଲା। ସେ ସେଠାରେ ଆମ୍ୱୁଲାନ୍ସ ଯୋଗାଡ କରିଦେବାକୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ବାରମ୍ୱାର ନିବେଦନ କରିଥିଲେ । ହେଲେ ହସ୍ପିଟାଲ କର୍ତ୍ତୃପକ୍ଷ ସିଧା ସିଧା ମନା କରି ଦେଇଥିଲେ।  ନିରାଶ ହୋଇ ବାହାରକୁ ଚାଲି ଯାଇଥିଲେ ପୂଜାରାମ କିଛି ଗୋଟିଏ ବ୍ୟବସ୍ଥା କରିବାକୁ। ଆଉ ସାନଭାଇକୁ କୋଳରେ ଧରି ଗୁଲସନ ଅପେକ୍ଷା କରିଥିଲା ବାପାଙ୍କ ପାଇଁ। କଅଁଳ ପିଲା କୋଳରେ ଆଉ ଏକ ଶିଶୁର ମୃତଦେହ। ଯିଏ ଏହି ଦୃଶ୍ୟ ଦେଖିଥିଲା ତା ଆଖିରେ ଆସିଯାଉଥିଲା ଲୁହ। ଏନେଇ ପୋଲିସକୁ ଖବର ଦେବାରୁ ପୋଲିସ ଆମ୍ୱୁଲାନ୍ସର ବ୍ୟବସ୍ଥା କରିଥିଲା।

    ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ ନକ୍ଷତ୍ର ନ୍ୟୁଜ…

Back to top button