political stunt

  • ଆଟ୍ରୋସିଟି ମାମଲା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ!

    () ବିଭିନ୍ନ ଅପରାଧରେ ପୀଡ଼ିତ ଓ ପୀଡ଼ିତାଙ୍କ ସରକାରୀ ସହାୟତା ଟଙ୍କା ବାଟମାରଣା ହେଉଛି। ଆଉ ଏହା ପଛରେ ରହିଛି ପୁଲିସ ଓ ଓକିଲଙ୍କ କାରସାଦି। କେବଳ ଏତିକି ନୁହେଁ, ଅଧିକାଂଶ ଆଟ୍ରୋସିଟି ମାମଲା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ମିଛ ମାମଲାରେ ଛନ୍ଦିବାକୁ ପୁଲିସ ଉପରେ ଚାପ ପଡ଼ୁଛି। ଏହା ପଛରେ ରହୁଛନ୍ତି ସ୍ଥାନୀୟ ଜନପ୍ରତିନିଧି। କିଛି ଏମିତି ଢଙ୍ଗରେ ଓଡ଼ିଶାରେ ପୀଡ଼ିତ କ୍ଷତିପୂରଣ ଯୋଜନା ପଛର ଅପ୍ରିୟ ସତ ଗୃହ ରାଷ୍ଟ୍ରମନ୍ତ୍ରୀ ଓଗାଳିବା ପରେ ଏହାକୁ ନେଇ ତୁମ୍ୱିତୋଫାନ ସୃଷ୍ଟି ହୋଇଛି।

    ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ବିସ୍ଫୋରକ ମନ୍ତବ୍ୟ। ପୁଲିସ ଓ ଓକିଲ କମିଶନ ଖାଇବାରେ ବ୍ୟସ୍ତ। ଆଉ ଏହି କମିଶନି ବିଭିନ୍ନ ଅପରାଧରେ ପୀଡ଼ିତ ଓ ପୀଡ଼ିତାଙ୍କୁ ସରକାରୀ ସହାୟତା ଟଙ୍କା ଦେବାକୁ। ସରକାର ସାକାର ଯୋଜନା ଜରିଆରେ ବିଭିନ୍ନ ପ୍ରକାର ଅପରାଧରେ ପୀଡ଼ିତଙ୍କୁ କ୍ଷତିପୂରଣ ଦେଇ ସେମାନେ ସହ୍ୟ କରିଥିବା କ୍ଷତିକୁ ଭରଣା ଲାଗି ବ୍ୟବସ୍ଥା କରିଛନ୍ତି। ଏହାକୁ ଜୀବନର ପୁନରୁଦ୍ଧାର ବୋଲି ବିବେଚନା କରାଯାଏ। ହେଲେ ପୁଲିସ ଓ ଓକିଲଙ୍କ ଭିତରେ ଅସାଧୁ ମେଣ୍ଟ କିଭଳି ଏହି ସହାୟତା ଟଙ୍କାକୁ ବାଟମାରଣା କରୁଛି, ସେ କଥା ଓଗାଳିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ। ଅନେକ ଘଟଣାରେ ମାମଲାକୁ ସତ ପ୍ରମାଣିତ କରିବାକୁ ପୀଡ଼ିତଙ୍କ ନିକଟରୁ ଆଗୁଆ କମିଶନ ନେଉଛନ୍ତି ଓକିଲ। ଅଧିକାଂଶ ଆଟ୍ରୋସିଟି ମାମଲା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ମିଛ ମାମଲାରେ ଛନ୍ଦିବାକୁ ପୁଲିସ ଉପରେ ଚାପ ପକାଉଛନ୍ତି ସ୍ଥାନୀୟ ଜନ ପ୍ରତିନିଧି। ପୁଲିସ ବି କମିଶନ ଖାଉଛି। ବିଡ଼ମ୍ୱନାର କଥା, ସରକାର ପୀଡ଼ିତଙ୍କୁ କଅଣ ଦେଉଛନ୍ତି, ସେ ବାବଦରେ ପୀଡ଼ିତ ବି ସଚେତନ ନୁହେଁ।

    ଗୋଟିଏ ପଟେ ନିର୍ଦୋଷ ମାମଲାରେ ଫସୁଛି ତ ଅନ୍ୟପଟେ ସରକାରୀ ପାଣ୍ଠି ଅଯଥା ଖର୍ଚ୍ଚ ହେଉଛି। ଏସଏଚଜି ଗୋଷ୍ଠୀକୁ ସଚେତନ କରାଯାଇଛି। ଆଗକୁ ସରପଞ୍ଚ, ସମିତିସଭ୍ୟ ପ୍ରାର୍ଥୀଙ୍କୁ ବି ସଚେତନ କରାଯିବ। ଯେଭଳି ସେମାନେ ପୀଡ଼ିତ ପୀଡ଼ିତାଙ୍କୁ କ୍ଷତିପୂରଣ ବାବଦରେ ଅଧିକ ସଚେତନ କରିବେ। କାରଣ ଥାନା ସଚେତନ ଥିଲେ ବି ଥାନାରେ ବାଦି ଓ ପ୍ରତିବାଦି ଭିତରେ ଲଢ଼େଇ ଚାଲିଥାଏ। ଆଉ କ୍ଷତିପୂରଣ ରାଶି ଉପରେ ପୁଲିସଠୁ ଓକିଲ ଯାଏ ସମସ୍ତେ ଭାଗ ବସାଉଛନ୍ତି ବୋଲି ଗୃହରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ଆଉ ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟକୁ ନେଇ ରାଜନୀତିକ ହଟଚମଟ ବି ସୃଷ୍ଟି ହୋଇଛି।

    ସେପଟେ କିଛି ପୁଲିସ ଓ ଓକିଲଙ୍କ ଆଚରଣ ଓ ଅସାଧୁ ମେଣ୍ଟକୁ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ଅଙ୍ଗୁଳି ଉଠାଇବା ପରେ ଏହାକୁ ନେଇ ମିଶ୍ର ପ୍ରତିକ୍ରିୟା ଆସିଛି। ରାଇଟ୍ ଟୁ ରିଇନଷ୍ଟିଚ୍ୟୁସନ ବା ଜୀବନର ପୁନରୁଦ୍ଧାର ସକାଶେ ଦିଆଯାଉଥିବା ସରକାରୀ କ୍ଷତିପୂରଣ ସହାୟତାରୁ ଅନେକ ବଞ୍ଚିତ ହେଉଛନ୍ତି। ଅପରାଧରେ କ୍ଷତିଗ୍ରସ୍ତ ବ୍ୟକ୍ତିବିଶେଷଙ୍କ ସିଧା ସମ୍ପର୍କରେ ଆସୁଥିବା ଆଇନଜୀବୀ, ପୁଲିସ, ସାମାଜିକ କର୍ମୀ, ସାମ୍ୱାଦିକ, ପଞ୍ଚାୟତ ପ୍ରତିନିଧି ତଥା ସ୍ୱେଛାସେବୀ ସଂଗଠନ ଏ ନେଇ ଅଧିକ ସକ୍ରିୟତା ଓ ସ୍ୱଛତା ଅବଲମ୍ୱନ  ନ କଲେ ଏହାର ନକାରାତ୍ମକ ପ୍ରଭାବ ପୁରା ସମାଜକୁ ଗ୍ରାସିପାରେ।

    କେବଳ ପୀଡ଼ିତଙ୍କୁ ଆର୍ଥିକ ସହାୟତା ନୁହେଁ। ବରଂ ପୀଡ଼ିତର ଆବଶ୍ୟକତା ଅନୁସାରେ ଆଶ୍ରୟ, ପରାମର୍ଶ, ସ୍ୱାସ୍ଥ୍ୟ ସହାୟତା, ଆଇନଗତ ଉପଦେଶ, ଶିକ୍ଷା ଓ ବୃତ୍ତିଗତ ତାଲିମ ବି ଜରୁରୀ। ହେଲେ ପୀଡ଼ିତ ସହାୟତା ପାଇବା ବଦଳରେ ସହାୟତା ଦେବାର ମାଧ୍ୟମ ପାଲଟିଥିବା ବ୍ୟକ୍ତିବିଶେଷ ହିଁ ତା ଲାଗି ବେଶୀ ଘାତକ ସାଜୁଛନ୍ତି। ଯାହାକି ବିଡ଼ମ୍ୱନା।

    କଟକରୁ ଚିତ୍ତରଞ୍ଜନ ସାମନ୍ତରାୟ ଓ ଭୁବନେଶ୍ୱରରୁ ନବକିଶୋର ସାହୁଙ୍କ ସହ ପ୍ରଦୀପ ନାୟକଙ୍କ ରିପୋର୍ଟ

Back to top button