RAHUL GANDHI

  • ରାହୁଲଙ୍କ ସଂସଦର ସଦସ୍ୟତା ରଦ୍ଦ

    ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଆଉ ଲୋକସଭା ସାଂସଦ ହୋଇ ନାହାନ୍ତି। ୨୦୧୯ ମାନହାନୀ ମକଦମାରେ ଦୋଷୀ ସାବ୍ୟସ୍ତ ହେବାର ଗୋଟିଏ ଦିନ ପରେ ରାହୁଲଙ୍କ ଲୋକସଭା ସଦସ୍ୟତା ରଦ୍ଦ କରାଯାଇଛି। ଲୋକସଭା ସଚିବ ଏନେଇ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି।

    ଲୋକସଭା ସଚିବଙ୍କ ବିଜ୍ଞପ୍ତି ଅନୁଯାୟୀ, ସୁରତ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟଙ୍କ ଦ୍ବାରା ୱାଇନାଡ ସାଂସଦ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ଆଧାର କରି ସମ୍ବିଧାନର ଧାରା ୧୦୨ (୧୦ (ଇ) ଅନ୍ତର୍ଗତ କେରଳ ୱାୟନାଡ ଲୋକସଭା ସାଂସଦଙ୍କ ସଦସ୍ୟତାକୁ ରଦ୍ଦ କରାଯାଇଛି। ଏଥିସହ ଜନ ଆଇନ ୧୯୫୧ର ସେକ୍ସନ୮ ପଢିବାକୁ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।  ସେକ୍ସନ୮ର ଉପଧାରା ୩ ଜନ ଆଇନ ଅନୁଯାୟୀ, ଯେଉଁ ମୁହୂର୍ତ୍ତରେ ସଂସଦର ଜଣେ ସଦସ୍ୟ ଦୋଷୀ ସାବ୍ୟସ୍ତ ହେବା ସହ ଅନ୍ୟୁନ ୨ ବର୍ଷ ପାଇଁ ଜେଲ ଦଣ୍ଡରେ ଦଣ୍ଡିତ ହେଉଛନ୍ତି ସେହି କ୍ଷଣି ତାଙ୍କ ସଦସ୍ୟତା ରଦ୍ଦ ହେବ।

    ଆଜି ରାହୁଲଙ୍କ ସାଂସଦ ପଦ ରଦ୍ଦ ହେବା ପରେ ରାହୁଲଙ୍କ ନିକଟରେ କେଉଁ ବିକଳ୍ପ ରହିଛି, ତାକୁ ନେଇ ଚର୍ଚ୍ଚା ଜୋରଧରିଛି। ଏହାକୁ ନେଇ ସୁପ୍ରିମକୋର୍ଟର ଜଣେ ବରିଷ୍ଠ ଓକିଲ ଅଶ୍ବିନୀ ଉପାଧ୍ୟାୟ କହିଛନ୍ତି କି, ରାହୁଲଙ୍କ ନିକଟରେ ଏବେ ମାତ୍ର ଦୁଇଟି ବିକଳ୍ପ ରହିଛି। ଯଦି ରାହୁଲ ଆଇନ ଅନୁଯାୟୀ ଆଗକୁ ନ ବଢନ୍ତି ତେବେ ଆଗାମୀ ଦିନରେ ରାହୁଲ ଗାନ୍ଧୀଙ୍କୁ ଜେଲ ଯିବାକୁ ପଡିପାରେ।

    ସେପଟେ ସଦସ୍ୟତା ଫେରି ପାଇବାକୁ ଚାହୁଁଥିଲେ ତାଙ୍କୁ ହାଇକୋର୍ଟ ବା ସୁପ୍ରିମକୋର୍ଟକୁ ଯିବାକୁ ହେବ। ତେବେ ରାହୁଲଙ୍କୁ ଉଚ୍ଚ କୋର୍ଟରୁ କୌଣସି ଆଶ୍ବସ୍ତି ମିଳିବାର ରହିଛି କମ ସମ୍ଭାବନା। କାରଣ ରାହୁଲ ଦୋଷୀ ସାବ୍ୟସ୍ତ ହୋଇପାରନ୍ତି। କେବଳ ଦଣ୍ଡବିଧାନରୁ ମୁକୁଳି ପାରିଲେ ହିଁ ତାଙ୍କ ସଦସ୍ୟତାକୁ ବଞ୍ଚାଇପାରିବେ ରାହୁଲ।

  • ରାହୁଲଙ୍କ ଜେଲ ବେଲକୁ ନେଇ ରାଜନୀତି

    () ରାହୁଲଙ୍କ ’ ସବୁ ମୋଦି କାହିଁକି ଚୋର’ ବୟାନରେ ଆଜି କୋର୍ଟ ୨ ବର୍ଷର ଦଣ୍ଡାଦେଶ ଶୁଣାଇବା ସହ ୩୦ ଦିନ ଜାମିନ ପ୍ରଦାନ କରିଛନ୍ତି। କୋର୍ଟଙ୍କ ରାୟ ଆସିବା ପରେ ତେଜିଛି ରାଜନୀତି। ବିଜେପି କୋର୍ଟଙ୍କ ରାୟକୁ ସ୍ବାଗତ କରିଥିବା କହୁଥିବା ବେଳେ କିନ୍ତୁ କଂଗ୍ରେସ ତଥା ଅନ୍ୟ ବିରୋଧୀ ଦଳ କେନ୍ଦ୍ର ଉପରେ ବର୍ଷିଛନ୍ତି। ଦେଶରେ ଏକଛତ୍ରବାଦୀ ଶାସନ ଚାଲିଥିବା ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା। ରାହୁଲଙ୍କ ବିରୋଧରେ ଷଡଯନ୍ତ୍ର କରାଯାଇଥିବା ଅଭିଯୋଗ ବାଢୁଛନ୍ତି ବିରୋଧୀ।

    ମାନହାନୀ ମକଦମାରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ କୋର୍ଟ ସାମୟିକ ଆଶ୍ବସ୍ତି ଦେଇଥିବା ବେଳେ କିନ୍ତୁ ତେଜିଛି ରାଜନୀତି। ରାହୁଲଙ୍କ ବୟାନ ସର୍ବଦା କଂଗ୍ରେସକୁ ଅଡୁଆରେ ପକାଉଛି ଓ ତାଙ୍କ ବ୍ୟବହାରକୁ ନେଇ କଂଗ୍ରେସ ସାଂସଦମାନେ ମଧ୍ୟ ଅସନ୍ତୁଷ୍ଟ ଥିବା ଆଇନ ମନ୍ତ୍ରୀ କିରଣ ରିଜିଜୁ କହିଥିବା ବେଳେ ରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି କି, ସର୍ବଦା ଶବ୍ଦକୁ ନେଇ ମର୍ଯାଦା ରହିବା ଆବଶ୍ୟକ। ଏହି ରାୟରୁ କଂଗ୍ରେସ ସାଂସଦ ଶିକ୍ଷା ଗ୍ରହଣ କରିବା ଉଚିତ ବୋଲି ରାଜନାଥ ସିଂହ କହିଛନ୍ତି। ସେହିପରି ବିଜେପି ଅଧ୍ୟକ୍ଷ ସିଆର ପାଟିଲ କହିଛନ୍ତି, ରାହୁଲ କେଉଁଠି କିଛି ବି କହିଦେଇଥାନ୍ତି। ସେ ପୂରା ସମାଜକୁ ବଦନାମ କରିଛନ୍ତି। ରାହୁଲଙ୍କ ବୟାନକୁ ନେଇ ମୋଦି ସମାଜ କ୍ରୋଧାନ୍ବିତ ଥିଲା। ପାଟିଲ ଆହୁରି କହିଛନ୍ତି କି, ରାହୁଲ ଯେଉଁ ବେକାର ବୟାନ ଦିଅନ୍ତି ତାହାକୁ ବନ୍ଦ କରନ୍ତୁ। ବହୁ ବିଜେପି ନେତା ମଧ୍ୟ କୋର୍ଟଙ୍କ ରାୟକୁ ସ୍ବାଗତ କରିଥିବା କହିଛନ୍ତି।

    ସେପଟେ ମାମଲାକୁ ନେଇ ସରକାର ବିରୋଧରେ ଆସୁଛି ବିରୋଧୀ ନେତାମାନଙ୍କ ବୟାନ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେ କହିଛନ୍ତି କି, ପୂର୍ବରୁ ଆମକୁ ସବୁ ଜଣାଥିଲା। ବାରମ୍ବାର ବିଚାରପତି ବଦଳା ଯାଉଛନ୍ତି। ଆଇନ ଅନୁଯାୟୀ ଆମେ କାମ କରିବୁ। ଜନତାଙ୍କୁ ସତ ଜଣାଇବା ଆମର କାମ। ଏହା ଏହି ସରକାରର ଡିକ୍ଟେଟରସିପ। ଏମାନେ ଚାହୁଁଛନ୍ତି ଖାଲି ଏମାନଙ୍କର କଥା ଚାଲୁ। ସେହିପରି ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, ଏହା ଏକ ଷଡଯନ୍ତ୍ର ଥିଲା ବୋଲି ଆମ ସମସ୍ତଙ୍କୁ ଜଣାଥିଲା। ସେଥିପାଇଁ ବିଚାରପତିଙ୍କୁ ବଦଳା ଯାଇ ଦଣ୍ଡ ବିଧାନ କରାଯାଇଛି। ନିର୍ବାଚନୀ ମାହୋଲ ଥିଲା ଓ ରାହୁଲ  ମୋଦି ଉପନାମକୁ ଦେଇ ବୟାନ ଦେଇଥିଲେ। ଏହା ଅପରାଧ ନୁହେଁ। କାହାକୁ ଅପମାନିତ କରିବାକୁ ଏପରି କୁହାଯାଇ ନ ଥିଲା। ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମଧ୍ୟ ଅରବିନ୍ଦ କେଜରିୱାଲଙ୍କ କେନ୍ଦ୍ରକୁ ଟାର୍ଗେଟ କରିବାକୁ ନିଜକୁ ରୋକି ପାରିନାହାନ୍ତି। କେଜରିୱାଲ କହିଛନ୍ତି, ଅଣବିଜେପି ନେତାମାନଙ୍କୁ ଓ ପାର୍ଟିଗୁଡିକୁ ମକଦମାରେ ଗୁଡେଇ ଶେଷ କରିଦେବାକୁ ଷଡଯନ୍ତ୍ର ହେଉଛି। ଆମର କଂଗ୍ରେସ ସହ ମତଭେଦ ଅଛି, କିନ୍ତୁ ରାହୁଲଙ୍କୁ ଏପରି ଫସେଇବା ଅନୁଚିତ। ଜନତା ଓ ବିପକ୍ଷର କାମ ପ୍ରାନ କରିବା। ଆମେ କୋର୍ଟଙ୍କ ସମ୍ମାନ କରୁଛୁ କିନ୍ତୁ ଏହି ନିର୍ଣ୍ଣୟ ସହ ସହମତ ନୋହୁଁ ବୋଲି ଟ୍ବିଟ କରିଛନ୍ତି କେଜରିୱାଲ। ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ କହିଛନ୍ତି ମିଡିଆକୁ ମଧ୍ୟ  

    ଘଟଣାକୁ ନେଇ ଭାଇ ରାହୁଲଙ୍କ ଠିଆ ହୋଇଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ସେ ଟ୍ବିଟ କରି କହିଛନ୍ତି କି, ଭୟଭୀତ ସତ୍ତାଧାରୀ ଦଳ ସମସ୍ତ ମେସିନାରୀ ଦ୍ବାରା ସାମ, ଦାମ, ଦଣ୍ଡ, ଭେଦ ଲଗାଇ ରାହୁଲ ଗାନ୍ଧୀ ଜିଙ୍କ ସ୍ବର ଦବାଇବାକୁ ଚେଷ୍ଟା କରୁଛି। ଆଗକୁ ପ୍ରିୟଙ୍କା ଲେଖିଛନ୍ତି କି, ମୋର ଭାଇ କେବେ ଡରି ନାହାନ୍ତି କି ଡରିବେ ନାହିଁ। ସତ କହିଚାଲିଥିବେ। ଦେଶବାସୀଙ୍କ ସ୍ବର ଉଠାଇଚାଲିଥିବେ। ସତ୍ୟର ଶକ୍ତି କୋଟି କୋଟି ଦେଶବାସୀଙ୍କ ପ୍ରେମ ତାଙ୍କ ସହ ରହିଛି। ସେପଟେ ରାହୁଲ ମଧ୍ୟ ଟ୍ବିଟ କରି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଏକ ଉକ୍ତି ସେୟାର କରିଛନ୍ତି କି, ମୋର ଧର୍ମ ଅହିଂସା ଉପରେ ପର୍ଯ୍ୟବେଶିତ। ସତ୍ୟ ମୋର ଭଗବାନ, ଅହିଂସା ଏହାକୁ ପାଇବାର ସାଧନ। ଆଉ ଏକ ଟ୍ବିଟରେ ଆଜି ସହିଦ ଦିବସ ଥିବାରୁ କହିଛନ୍ତି, ଭଗତ ସିଂହ, ସୁଖଦେବ ଓ ରାଜଗୁରୁଙ୍କୁ ସହିଦ ଦିବସରେ ସାଦର ପ୍ରଣାମ। ସତ୍ୟ ଓ ଦମ୍ଭର ପଣତ ଧରି, ଦେଶ ପାଇଁ ନିର୍ଭୀକଭାବେ ଲଢିଚାଲ, ଭାରତ ମାତାର ସେହିସବୁ ବୀର ସୁପୁତମାନଙ୍କଠାରୁ ଶିଖିଛି। ଏଥିସହ ରାହୁଲ ଇନକିଲାବ ଜିନ୍ଦାବାଦ ନାରା ଦେଇଛନ୍ତି ଟ୍ବିଟରରେ। ଅନ୍ୟପଟେ, ରାହୁଲଙ୍କ ପ୍ରତି ନିଜ ସମର୍ଥନ ଓ କେନ୍ଦ୍ରକୁ ଟାର୍ଗେଟ କରୁଥିବା ନେତାଙ୍କ ବୟାନକୁ ନେଇ ବିଜେପିର ବରିଷ୍ଠ ନେତା ରବିଶଙ୍କର ପ୍ରସାଦ କହିଛନ୍ତି କି, ରାହୁଲ ଗାନ୍ଧୀ ମାନହାନୀ କେଶରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ ୨ ବର୍ଷ ଦଣ୍ଡ ଶୁଣାଇଛନ୍ତି। ଏହା ଉପରେ କଂଗ୍ରେସ ନେତା ବହୁତ କଥା କହୁଛନ୍ତି, କିନ୍ତୁ ସତ କହୁନାହାନ୍ତି। ୨୦୧୯ରେ ରାହୁଲ ଗାନ୍ଧୀ କର୍ଣ୍ଣାଟକରେ କହିଥିଲେ କି, ସବୁ ଚୋରଙ୍କ ନାମ ମୋଦି କାହିଁକି ହୋଇଥାଏ। ମୋଦି ଏକ ଜାତି। ଏହି ସମାଜର ଲୋକ ବ୍ୟବସାୟ, ଡାକ୍ତର, ଇଞ୍ଜିନିୟର ଅଟନ୍ତି। ଏହା ସମ୍ପୂର୍ଣ୍ଣ ରୂପେ ମାନହାନୀ। ରବିଶଙ୍କର ଆହୁରି କହିଛନ୍ତି ଯାହା କିଛି ହୋଇଛି, ଆଇନ ପରିସରରେ ହୋଇଚି। ରାହୁଲ କହୁଛନ୍ତି, ସେ ସତ୍ୟ ଓ ଅହିଂସା ଉପରେ ବିଶ୍ବାସ ରଖନ୍ତି। କିନ୍ତୁ ଲୋକଙ୍କ ଅପମାନ କରନ୍ତି, କଣ ରାହୁଲଙ୍କୁ ଲୋକଙ୍କୁ ଅପମାନିତ କରିବାର ଅଧିକାର ଅଛି। ଯଦି ଅଧିକାର ଅଛି, ତେବେ ଅନ୍ୟମାନଙ୍କୁ କୋର୍ଟକୁ ଯିବାର ଅଧିକାର ରହିଛି।

    ରାହୁଲଙ୍କୁ ଆଜି ସୁରତ କୋର୍ଟରୁ ସାମୟିକ ଆଶ୍ବସ୍ତି ମିଳିଥିବା ବେଳେ ଝାରଖଣ୍ଡରେ ତିନିଟି ମାମଲା ରହିଛି ସେହି ୨୦୧୯ ବୟାନକୁ ନେଇ। ଗୋଟିଏ ପଟେ ୩୦ ଦିନ ଭିତରେ ଉଚ୍ଚ ନ୍ୟାୟାଳୟକୁ ଯାଇ ସ୍ଥାୟୀ ଜାମିନ ନ ଆଣିଲେ ଜେଲ ଯାଇ ପାରନ୍ତି। କାରଣ  ସୁପ୍ରିମ କୋର୍ଟ ୨୦୧୩ରେ କହିଥିଲେ କି, ବିଭିନ୍ନ କୋର୍ଟରେ ୨ ବର୍ଷ ବା ତାଠା ଅଧିକ ସଜା ପାଇଥିବା ଜନପ୍ରତିନିଧିଙ୍କ  ସଦସ୍ୟତା ରଦ୍ଦ କରିଦିଆଯିବ। ଏଥିସହ ସର୍ବୋଚ୍ଚ କୋର୍ଟ ଆହୁରି ସ୍ପଷ୍ଟ କରିଥିଲେ କି, ଯେଉଁ ସାଂସଦ ବା ବିଧାୟକ ଦଣ୍ଡ ଉପରେ ଉଚ୍ଚ କୋର୍ଟରେ ଚ୍ୟାଲେଞ୍ଜ କରିବେ, ସେମାନଙ୍କ ଉପରେ ସଦସ୍ୟତା ରଦ୍ଦ କରିବାର ଆଦେଶ ଲାଗିବ ନାହିଁ।     ଶିଳାସ୍ମିତା ରାୟଙ୍କ ରିପୋର୍ଟ

  • ମାମହାନୀ ମକଦାମାରେ ରାହୁଲଙ୍କୁ ୨ ବର୍ଷ ଜେଲ

    ସୁରତ:  ୨୦୧୯ରେ ମୋଦିଙ୍କ ଉପରେ ଦେଇଥିବା ବିବାଦୀୟ ଟପ୍ପଣୀ ଉପରେ ୨ ବର୍ଷର ଦଣ୍ଡାଦେଶ ସହ ଜାମିନ ଦେଇଛନ୍ତି ସୁରତର ଜିଲ୍ଲା କୋର୍ଟ। ଆଜି କୋର୍ଟ ମାମଲାରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷର କାରାଦଣ୍ଡ ଶୁଣାଣି କରିଥିଲେ। ପରେ ଏହି ମାମଲାରେ ତାଙ୍କୁ ଉଚ୍ଚ ନ୍ୟାୟାଳୟକୁ ଯିବାର ବାଟ ଦେଇ ଦେଇଛନ୍ତି ଜାମିନ।

    ୨୦୧୯ ମାନହାନୀ ମକଦମାରେ ଦୋଷୀ ସାବ୍ୟସ୍ତ ରାହୁଲ ହୋଇଥିଲେ ମଧ୍ୟ କୋର୍ଟ ରାହୁଲଙ୍କୁ ଜାମିନ ଦେଇ କରିଛନ୍ତି ଆଶ୍ବସ୍ତ। ସେତେବେଳେ ସେ କହିଥିଲେ କି, କାହିଁକି ସମସ୍ତ ଚୋରଙ୍କ ଉପନାମ ବା ସରନେମ ମୋଦି? ଏହାକୁ ନେଇ ସୁରତରେ ବିଜେପି ପକ୍ଷରୁ ବିଜେପି ବିଧାୟକ ତଥା ଗୁଜୁରାଟର ପୂର୍ବତନ ମନ୍ତ୍ରୀ ପୁରନେଶ ମୋଦିଙ୍କ ଦ୍ବାରା ଦାୟର ମାମଲାରେ ଗୁରୁବାର ଦିନ ସୁରତ ଜିଲ୍ଲା କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ କୋର୍ଟ ରାହହୁଲଙ୍କୁ ୨ ବର୍ଷର ଜେଲ ଦଣ୍ଡ ଶୁଣାଇଥିଲେ। କିନ୍ତୁ କୋର୍ଟଙ୍କୁ ରାହୁଲ ଅବଗତ କରିଥିଲେ କି, ତାଙ୍କର ନଥିଲା ମନ୍ଦ ଉଦ୍ଦେଶ୍ୟ । ସେ ଆହୁରି କହିଥିଲେ କି, ସେ ଯାହା କିଛି କହିଥିଲେ ତାହା ଜଣେ ରାଜନେତା ରୂପେ ଥିଲା। ସେ ସର୍ବଦା ଦେଶରେ ଚାଲିଥିବା ଭ୍ରଷ୍ଟାଚାର ମୁଦ୍ଦାକୁ ଉଠାଇଥାନ୍ତି ଓ ତାଙ୍କ ବୟାନରେ କାହାରି କିଛି କ୍ଷତି ହୋଇନଥିବା ସେ କୋର୍ଟଙ୍କୁ କରିଥିଲେ ଅବଗତ। ଏଥିସହ କୋର୍ଟରେ ଜାମିନ ଯାଚିକା ଦାୟର କରାଯାଇଥିଲା ରାହୁଲଙ୍କ ପକ୍ଷରୁ। ଯାହା ଉପରେ କୋର୍ଟ ରାହୁଲଙ୍କୁ ୩୦ ଦିନର ଜାମିନ ପ୍ରଦାନ କରିଛନ୍ତି। ଏହି ସମୟ ଅବଧି ମଧ୍ୟରେ ରାହୁଲଙ୍କୁ ଉଚ୍ଚ ନ୍ୟାୟାଳୟକୁ ଯିବାକୁ ଦେଇଛନ୍ତି ସୁଯୋଗ। ଏହି ସମୟ ମଧ୍ୟରେ ସେ ସ୍ଥାୟୀ ଜାମିନ ପାଇଁ ଆବେଦନ କରିପାରନ୍ତି। ଏହାକୁ ନେଇ ରାହୁଲଙ୍କ ଓକିଲ କହିଛନ୍ତି କି, ଦୁଇ ବର୍ଷରେ ଦଣ୍ଡ ଶୁଣାଯାଇଛି, ଏଥିସହ କୋର୍ଟ ତାଙ୍କୁ ୩୦ ଦିନର ଜାମିନ ପ୍ରଦାନ କରିଛନ୍ତି। ସେ ଏହି ନିଷ୍ପତ୍ତି ବିରୋଧରେ କୋର୍ଟରେ ଯାଇପାରନ୍ତି। ତେବେ ମାମଲାର ଶୁଣାଣି କାଳରେ ରାହୁଲଙ୍କ ଓକିଲ କୋର୍ଟଙ୍କୁ ରାହୁଲଙ୍କ ବୟାନରେ କାହାରି କିଛି କ୍ଷତି ହୋଇନଥିବା କହିବା ସହ ସର୍ବନିମ୍ନ ଦଣ୍ଡବିଧାନ ପାଇଁ କରିଥିଲେ ଆବେଦନ। ସେପଟେ କିନ୍ତୁ ଅଭିଯୋଗକାରୀ ପୁରନେଶ ମୋଦିଙ୍କ ଓକିଲକେତନ ରେଶମୱାଲା ଦଣ୍ଡବିଧାନ ପରେ କହିଛନ୍ତି କି, ଆଇପିସିର ଧାରା ୪୯୯ ଓ  ୫୦୦ ଅନ୍ତର୍ଗତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। କିନ୍ତୁ ଅଧିକରୁ ଅଧିକ ସଜା ଓ ଜରିମାନା ଦେବାକୁ କରିଥିଲେ ଦାବି।  ସେପଟେ ପୁରନେଶ ମୋଦି କହିଛନ୍ତି କି, କୋର୍ଟଙ୍କ ନିଷ୍ପତ୍ତିକୁ ଆମେ ସ୍ବାଗତ କରୁଛୁ। ଏହା ଏକ ସାମାଜିକ ଆନ୍ଦୋଳନ ଥିଲା। କୌଣସି ସମାଜ ବିରୋଧରେ ଏପରି ବୟାନ ଦିଆଯିବା ଅନୁଚିତ।  

    ତେବେ ରାହୁଲଙ୍କ ବୟାନରେ କାହାର କିଛି କ୍ଷତି ନ ହେବା ଉପରେ ଆଇନ ମନ୍ତ୍ରୀ କିରଣ ରିଜିଜୁ ଗଣମାଧ୍ୟମକୁ କହିଛନ୍ତି କି, ରାହୁଲ ଯାହା କୁହନ୍ତି ସେଥିରେ ଖାଲି କ୍ଷତି ହୋଇଥାଏ। ଏଥିରେ କଂଗ୍ରେସକୁ ତ କ୍ଷତି ହୁଏ, ଦେଶକୁ ମଧ୍ୟ ବହୁଳ ଅସୁବିଧା ହୋଇଥାଏ। ରିଜିଜୁ ଆହୁରି କହିଛନ୍ତି କି, କଂଗ୍ରେସର କିଛି ସଦସ୍ୟ ତାଙ୍କୁ କହିଛନ୍ତି କି, ରାହୁଲ ଗାନ୍ଧୀଙ୍କ ବ୍ୟବହାର ଏମିତି, ଯାହା ସବୁ କିଛିକୁ ଖରାପ କରିଦିଏ। ଏହା ଦ୍ବାରା ନା କେବଳ ଦଳର କ୍ଷତି ହେଉଛି, ବରଂ ସମସ୍ତେ ଏଥିରେ କ୍ଷତିଗ୍ରସ୍ତ ହେଉଛନ୍ତି।

    ତେବେ ରାହୁଲଙ୍କ ବିରୋଧରେ ହୋଇଥିବା ମାମଲା ଏମିତି ଥିଲା। ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକର କୋଲାରେ ଆୟୋଜିତ ରାଲିରେ ରାହୁଲ ନିଜ ଭାଷଣରେ କହିଥିଲେ କି, ଚୋରମାନଙ୍କ ସରନେମ ମୋଦି। କାହିଁକି ଚୋରମାନଙ୍କ ସରନେମ ମୋଦି ହୋଇଥାଏ? ସେ ଲଲିତ ମୋଦି ହୋଇଥାଉ କି ନିରଦ ମୋଦି ବା ନରେନ୍ଦ୍ର ମୋଦି। ଯାହାକୁ ବିରୋଧ କରିଥିଲା ବିଜେପି। ଏହାକୁ ନେଇ ରାହୁଲଙ୍କ ବିରୋଧରେ ଏକାଧିକ ମାମଲା ଦାୟର ହୋଇଥିଲା। ସେମଧ୍ୟରୁ ସୁରତରେ ହୋଇଥିବା ଶୁଣାଣି ଅନ୍ୟତମ।

    ଶିଳାସ୍ମିତା ରାୟଙ୍କ ରିପୋର୍ଟ

  • ମୁଁ କୌଣସି ଭାରତ ବିରୋଧୀ କାର୍ଯ୍ୟ କରିନି: ରାହୁଲ

    ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ଲଣ୍ଡନ ବୟାନକୁ ନେଇ ପାର୍ଲିଆମେଣ୍ଟ ସରଗରମ। ଦେଶର ଅପମାନ କରିଥିବା କଂଗ୍ରେସର ଏହି ନେତା କ୍ଷମା ମାଗନ୍ତୁ, ଏହି ଜିଦିରେ ଅଡି ବସିଛି ବିଜେପି। ସେପଟେ ରାହୁଲ କହିଛନ୍ତି କି, ସେ ଭାରତ ବିରୋଧୀ ବୟାନ ଦେଇ ନାହାନ୍ତି। କଂଗ୍ରେସ ମଧ୍ୟ ରୋକଠୋକ କହିଛି କି, ରାହୁଲ କ୍ଷମା ମାଗିବେ ନାହିଁ।

    ଗୁରୁବାର ପାର୍ଲିଆମେଣ୍ଟକୁ ଆସିଥିବା ବେଳେ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ  ରାହୁଲ କହିଛନ୍ତି ସେ କୌଣସି ଭାରତ ବିରୋଧୀ ବୟାନ ଦେଇ ନାହାନ୍ତି। ଯଦି ତାଙ୍କୁ ଅନୁମତି ଦିଆଯାଏ, ତେବେ ଗୃହରେ ସେ ଜବାବ ଦେବେ। ଅନ୍ୟପଟେ ବିଜେପି ଏହି ମାମଲାକୁ ନେଇ ଲଗାତର କଂଗ୍ରେସ ତଥା ରାହୁଲ ଗାନ୍ଧୀଙ୍କ ଉପରେ କରିଛି ଆକ୍ରମଣ। କେନ୍ଦ୍ର ଆଇନ ମନ୍ତ୍ରୀ କିରନ ରିଜିଜୁ କହିଛନ୍ତି କି, ଯଦି ଜଣେ ସାଂସଦଙ୍କ ଭାରତ ବିରୋଧୀ କାର୍ଯ୍ୟକୁ ନେଇ ସଂସଦରେ ପ୍ରଶ୍ନ କରା ନ ଯାଏ ତେବେ ଦେଶବାସୀ ପଚାରିବେ, ସଂସଦରେ କଣ କରୁଥିଲେ ଆପଣମାନେ।

    ରିଜିଜୁ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ ଦେଇ କହିଛନ୍ତି କି, ଭାରତ ବିରୋଧୀ ଶକ୍ତି ଓ ଏକ ଗୋଷ୍ଠୀ ବିଦେଶ ମାଟିରେ ଭାରତକୁ ବଦନାମ କରିବାକୁ ଚଳାଇଥିଲେ ଷଡଯନ୍ତ୍ର ଓ ସେମାନେ ସେହି ଭାଷା କହୁଛନ୍ତି, ଯାହା ରାହୁଲ ଗାନ୍ଧୀ କହୁଛନ୍ତି।

    ଏହା ପୂର୍ବରୁ ବୁଧବାର କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କହିଥିଲେ, ଭାରତର ଲୋକତନ୍ତ୍ର ବିପଦରେ ନାହିଁ, କିନ୍ତୁ ବିଦେଶରେ ରାହୁଲ ଯେଉଁଭାବେ ବ୍ୟବହାର କରିଛନ୍ତି, ସେଥିରୁ ବିରୋଧୀ ଦଳକୁ ରାଜନୀତିକ ବିପର୍ଯ୍ୟୟ ଆଡକୁ ଠେଲି ଦେଇଛି। ପ୍ରଧାନମନ୍ତ୍ରୀଙ୍କ ପ୍ରତି ତାଙ୍କ ଦ୍ବେଷ ବଦଳି ଯାଇଛି, ଭାରତ ବିରୋଧୀ ବିଦ୍ବେଷରେ।

  • ସଂସଦରେ ରାହୁଲ ତାତି, ଗୃହ ମୁଲତବୀ

    () ରାହୁଲଙ୍କୁ ନେଇ ସଂସଦରେ ହଙ୍ଗାମା। ବିଦେଶରେ ରାହୁଲ ଦେଇଥିବା ବୟାନକୁ ନେଇ ପାର୍ଲିଆମେଣ୍ଟରେ ଅଚଳାବସ୍ଥା। ରାହୁଲ ଭାରତର ଅପମାନ କରିଛନ୍ତି, ତେଣୁ ରାହୁଲଙ୍କ କ୍ଷମା ପ୍ରାର୍ଥନା ଦାବିରେ ଅଡି ବସିଥିଲା ଶାସକ ଦଳ। ସେପଟେ ବିରୋଧୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ସରକାରକୁ ଡିକ୍ଟେଟରସିପ କହିବା ସହ ଆଦାନୀ ପ୍ରସଙ୍ଗର ତଦନ୍ତ ପାଇଁ ଜେପିସି ଗଠନ ଦାବିରେ କରିଥିଲା ହୋହଲ୍ଲା। ଯାହାକୁ ନେଇ ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟର ପ୍ରଥମ ଦିନରେ ଉଭୟ ରାଜ୍ୟସଭା ଓ ଲୋକସଭା ଚାଲିପାରି ନ ଥିଲା। ଉଭୟ ଗୃହକୁ ଆସନ୍ତା କାଲି ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା।

    ରାହୁଲଙ୍କ ବୟାନକୁ ନେଇ ପାର୍ଲିଆମେଣ୍ଟରେ ଝଡ।  କେମ୍ବ୍ରିଜ ବିଶ୍ବ ବିଦ୍ୟାଳୟରେ ରାହୁଲ ଦେଇଥିବା ବୟାନକୁ ନେଇ ସଂସଦରେ ତାତି। ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହେଉଥିବା ବେଳେ ଆରମ୍ଭରୁ ହିଁ ବିଜେପିର ତମ୍ବିତୁଫାନ। ଭାରତକୁ ଅପମାନିତ କରିଛନ୍ତି ରାହୁଲ। କ୍ଷମା ମାଗନ୍ତୁ ରାହୁଲ। ଏହି ଦାବିରେ ସଂସଦର ଉଭୟ ଗୃହରେ ବିଜେପିର ହଙ୍ଗାମା ଭିତରେ କଂଗ୍ରେସର ଆଦାନୀ ମୁଦ୍ଦା ଉଭୟ ଗୃହକୁ କରିଥିଲା ସରଗରମ। ତେଣୁ ଉଭୟ ଗୃହକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ମଧ୍ୟାହ୍ନ ୨ଟା ପର୍ଯ୍ୟନ୍ତ କରାଯାଇଥିଲା ମୁଲତବୀ। ଦୁଇଟା ପରେ ମଧ୍ୟ ସ୍ବାଭାବିକ ହୋଇପାରିନଥିଲା ଉଭୟ ଗୃହ। ତେଣୁ ଆସନ୍ତା କାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିବାକୁ ବାଧ୍ୟ ହୋଇଥିଲେ ଗୃହକର୍ତ୍ତା। ତେବେ ଲୋକସଭା ଆରମ୍ଭ ହେଉ ହେଉ ଗୃହରେ ଉଠିଥିଲା ରାହୁଲ ପ୍ରସଙ୍ଗ।

    ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଥିଲେ କି, ଏହି ଗୃହର ସଦସ୍ୟ ରାହୁଲ ଗାନ୍ଧୀ ଲଣ୍ଡନରେ ଭାରତକୁ ଅପମାନିତ କରିଛନ୍ତି। ତାଙ୍କ ବୟାନକୁ ଗୃହର ସମସ୍ତ ସଦସ୍ୟ ନିନ୍ଦା କରିବା ଉଚିତ ଓ ରାହୁଲଙ୍କୁ ଗୃହରେ କ୍ଷମା ପ୍ରାର୍ଥନା କରିବାକୁ କୁହାଯିବା ଆବଶ୍ୟକ। ସେହିପରି କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋଏଲ ମଧ୍ୟ ରାଜ୍ୟ ସଭାରେ ରାହୁଲଙ୍କୁ କରିଥିଲେ ଟାର୍ଗେଟ। ଗୋଏଲ କହିଥିଲେ କି, ଜଣେ ବିପକ୍ଷ ନେତା ବିଦେଶ ଯାଉଛନ୍ତି ଓ ସେଠାରେ ଭାରତୀୟ ଲୋକତନ୍ତ୍ର ଉପରେ କରୁଛନ୍ତି ଆକ୍ରମଣ। ରହୁଲ ଭାରତ ତଥା ସଂସଦ ଓ ଭାରତୀୟଙ୍କର ମଧ୍ୟ କରିଛନ୍ତି ଅପମାନଭାରତରେ ଅଭିବ୍ୟକ୍ତି ସ୍ବତନ୍ତ୍ରତା ରହିଛି ଓ ସଂସଦରେ ସାଂସଦମାନେ କହିପାରନ୍ତି। ଆମର ଦାବି, ରାହୁଲ ଗାନ୍ଧୀ ସଂସଦକୁ ଆସନ୍ତୁ ଓ ଭାରତବାସୀ ତଥା ଗୃହ ସମ୍ମୁଖରେ କ୍ଷମା ମାଗନ୍ତୁ ବୋଲି କହିଥିଲେ ପିୟୁଷ ଗୋଏଲ । ସରକାର ବିରୋଧରେ ରାହୁଲଙ୍କ ସଦ୍ୟତମ ବୟାନକୁ ନେଇ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ ମଧ୍ୟ ଚୁପ ରହିନଥିଲେ। ରାହୁଲ ଗାନ୍ଧୀ ଲଣ୍ଡନରେ ଯାହା କହିଛନ୍ତି ଏହା ଲୋକସଭାର ଅପମାନ। ତେଣୁ ଗୃହର ସ୍ପିକର ତାଙ୍କ ବୟାନ ପାଇଁ ତାଙ୍କ ଉପରେ ନିଅନ୍ତୁ କଡା କାର୍ଯ୍ୟାନୁଷ୍ଠାନ। ଆମ ଲୋକତନ୍ତ୍ରର ଅପମାନ ପାଇଁ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହେବା ଆବଶ୍ୟକ ବୋଲି ଦାବି କରିଥିଲେ ଗିରିରାଜ । ସେପଟେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ସାମ୍ବାଦିକଙ୍କ ରାହୁଲ ଗାନ୍ଧୀ ପ୍ରସଙ୍ଗକୁ ଏଡାଇ ଯାଇଥିବା ବେଳେ କିନ୍ତୁ ସଂସଦରେ କଂଗ୍ରେସ ଯେଉଁ ଭଳି ପ୍ରଶ୍ନ କରୁଛି ତାର ଉତ୍ତର ଦେବାକୁ ଇଛା ହେଉନଥିବା କହିଥିଲେ। ଏଥିସହ କଂଗ୍ରେସର ସମାଲୋଚନା ତର୍କହୀନ ଥିବା କହିବା ସହ ଏହା ଗୃହରେ ବିଶୃଙ୍ଖଳା ସୃଷ୍ଟିକାରୀ ବୋଲି କହିଥିଲେ।

    ସେପଟେ ରାଜ୍ୟ ସଭାରେ ବିପକ୍ଷ ନେତା ତଥା କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜ୍ଜୁନ ଖଡଗେ କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ପାଲଟା ଆକ୍ରମଣ କରିଥିଲେ। ଗୋୟଲ ରାହୁଲଙ୍କ ଉପରେ ଦେଇଥିବା ବୟାନ ପାଇଁ କ୍ଷମା ପ୍ରାର୍ଥନ କରନ୍ତୁ ବୋଲି ଦାବି କରିଥିଲେ ଖଡଗେ। ସେ କହିଥିଲେ, କୌଣସି କଲେଜରେ ଆମେ ଗଣତନ୍ତ୍ର ଉପରେ କଥା ହେଲେ ଦେଶଦ୍ରୋହୀ କୁହାଯାଉଛି ବିଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନକୁ ଉଦ୍ଧୃତ କରି ଖଡଗେ କହିଥିଲେ କି ଯଦି ପ୍ରଧାନମନ୍ତ୍ରୀ ନିଜେ ବିଦେଶରେ ଏପରି କହିଲେ ଠିକରାହୁଲ କହିଲେ ଭୁଲ। ଓଲଟା ଚୋର କଟୁଆଳକୁ ଆକଟ କରୁଛି ବୋଲି କହିଥିଲେ ଖଡଗେ। ଏଥିସହ ମୋଦି ସରକାରରେ ଗଣତନ୍ତ୍ରକୁ ନଷ୍ଟ କରାଯାଇଛି। ଗୃହରେ ଆଦାନୀ ପ୍ରସଙ୍ଗରେ ଆମେ ଜେପିସି ଗଠନ କରିବାକୁ ଦାବି କରୁଥିଲୁ କିନ୍ତୁ ଆମକୁ କହିବାକୁ ୨ ମିନିଟ ଦିଆଗଲା ନାହିଁ। ହେଲେ ପିୟୁଷ ଗୋଏଲଙ୍କୁ ୧୦ ମିନିଟ ଦିଆଯାଉଛି। ଆମ ମାଇକ ବନ୍ଦ କରି ଦିଆଯାଇ ହଙ୍ଗାମା କରାଗଲା। ଆମେ ବିକ୍ରମ ବେତାଳ ପରି ଏହି ମୁଦ୍ଦା ପଛରେ ପଡି ରହିବୁ। ଖାଲି ସେତିକି ନୁହେଁ, ଖଡଗେ ମୋଦିଙ୍କୁ ଆଜି ମଧ୍ୟ ଡିକ୍ଟେଟର ଓ ତାଙ୍କ ଶାସନକୁ ଡିକ୍ଟେଟରସିପ କହିବାକୁ ପଛାଇ ନ ଥିଲେ । ବିଜେପି ନିୟମର ପାଳନ କରୁ ନାହିଁ କହିବା ସହ ଗୋଏଲଙ୍କ ବୟାନକୁ ହଟାଇବାକୁ ଖଡଗେ ଦାବି କରିଥିଲେ। ରାହୁଲ ପ୍ରସଙ୍ଗକୁ ନେଇ ସାଂସଦ ଶଶୀ ଥରୁର ଏହା ଅତ୍ୟନ୍ତ ନିମ୍ନ ମାନର ରାଜନୀତି କହିଥିଲେ। ରାହୁଲ ସେମିତି କିଛି କହି ନ ଥିଲେ କି ତାଙ୍କୁ ଅଭିଯୁକ୍ତ ସଜାଯାଉଛି। ସେ ଭାରତୀୟ ଲୋକତନ୍ତ୍ରକୁ ବିଶ୍ବର ସବୁଠାରୁ ଉଚ୍ଚକୋଟିର ଲୋକତନ୍ତ୍ର ଭାବେ ଉପସ୍ଥାପନ କରିଥିଲେ। ତେଣୁ କ୍ଷମା ପ୍ରାର୍ଥନା ପାଇଁ କିଛି ନାହିଁ ବୋଲି ଥରୁର ଯୁକ୍ତିବାଢିଥିଲେ।

    ଆଜି ବଜେଟ ଅଧିବେଶନର ଦ୍ବିତୀୟାର୍ଦ୍ଧର ପ୍ରଥମ ଦିନ ଥିଲା।  ଗୃହ ଆରମ୍ଭ ହେବା ପୂର୍ବରୁ ମୋଦି ସରକାର ବିରୋଧରେ ପ୍ରଦର୍ଶନ କରିଥିଲେ ବିରୋଧୀ। ମୋଦି ସରକାର ଦ୍ବାରା କେନ୍ଦ୍ରୀୟ ତଦନ୍ତକାରୀ ଦଳର ଦୁରୁପଯୋଗ ଓ ଆଦାନୀ ମାମଲାର ତଦନ୍ତ ଜଏଣ୍ଟ ପାର୍ଲିଆମେଣ୍ଟାରୀ କମିଟି ବା ଜେପିସି ଦ୍ବାରା କରାଇବା ଦାବି ନେଇ ବିରୋଧୀ ସମୂହ କରିଥିଲେ ବିରୋଧ ପ୍ରଦର୍ଶନ। ଏଥିରେ କଂଗ୍ରେସ ସହ ବିଆରଏସ, ଆପ ସହ ୧୬ ଦଳ  ସାଂସଦ ମଧ୍ୟ ହୋଇଥିଲେ ସାମିଲ। ଏହି ସବୁ ଦଳ ସଂସଦରେ ଥିବା ବିରୋଧୀ ଦଳ ନେତାଙ୍କ ଚାମ୍ବରରେ କରିଥିଲେ ବୈଠକ ଓ ଆଜିର କାର୍ଯ୍ୟକାରିତାକୁ ନେଇ କରିଥିଲେ ଆଲୋଚନା।

    ଶିଳାସ୍ମିତା ରାୟ

  • କିଏ ହେବ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ?

    ()- ଦେଶରେ ଏବେ ନିର୍ବାଚନ ହେଲେ କେଉଁ ରାଜ୍ୟରେ ବିଜେପି ନେତୃତ୍ୱାଧିନ ଏନଡିଏ ଓ କେଉଁ ରାଜ୍ୟରେ କଂଗ୍ରେସ ନେତୃତ୍ୱରେ ଥିବା ୟୁପିଏ ମେଣ୍ଟକୁ ଫାଇଦା ମିଳିବ। ଦେଶରେ ଏବେ ନିର୍ବାଚନ ହେଲେ କେଉଁ ଦଳ କେତେ ଆସନ ପାଇବ ତାଉପରେ ଜନତାଙ୍କ ମତ ନିଆଯାଇଥିଲା। ଆଉ ଇଣ୍ଡିଆଟୁଡେ- ସିଭୋଟର ସର୍ଭେ ରିପୋର୍ଟ ଅନୁସାରେ ଏନଡିଏକୁ ସବଠୁ ଅଧିକ ଆସନ ମିଳିବ। ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ୫୨ ପ୍ରତିଶତ ଲୋକ ନରେନ୍ଦ୍ର ମୋଦିଙ୍କୁ ବାଛିଛନ୍ତି।

    ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବ? ଏହି ପ୍ରଶ୍ନର ଉତ୍ତରରେ ଅଧିକ ଲୋକ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ୨୦୨୪ ଲୋକସଭା ନିର୍ବାଚନକୁ ପାଖାପାଖି ୧ ବର୍ଷ ସମୟ ରହିଛି। ଏହା ପୂର୍ବରୁ ସବୁ ରାଜନୈତିକ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଜାତୀୟ ଦଳ ବିଜେପି, କଂଗ୍ରେସ ଓ ଆଞ୍ଚଳିକ ଦଳ ଏବେ ମିଶନ ମୋଡରେ ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଦେଶରେ ମଧ୍ୟ ଲୋକସଭା ନିର୍ବାଚନକୁ ନେଇ ଚର୍ଚ୍ଚା ଆରମ୍ଭ ହେଲାଣି।ଏପରି ସମୟରେ ଦେଶରେ ଯଦି ନିର୍ବାଚନ ହୁଏ କେଉଁ ଦଳର ପଲା ଭାରି ରହିବ? ସରକାର କିଏ ଗଢିବ? ଏନେଇ ଇଣ୍ଡିଆ ଟୁଡେ ସିଭୋଟର ସହ ମିଶି ସାରା ଦେଶରେ ମୁଡ ଅଫ ନେସନ ନାଁରେ ଏକ ସର୍ଭେ କରିଛି। ଜାନୁୟାରୀ ୨୦୨୩ରେ କରାଯାଇଥିବା ଏହି ସର୍ଭେରେ ୧ ଲକ୍ଷ ୪୦ ହଜାର ୯୧୭ ଜଣ ଲୋକଙ୍କ ମତାମତ ନେଇ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ସି-ଭୋଟର ସର୍ଭେ ଅନୁଯାୟୀ ଯଦି ନିର୍ବାଚନ ହୁଏ ତେବେ ଏନଡିଏ ପୁଣି ସରକାର ଗଠନ କରିବ ଅର୍ଥାତ ବିଜେପି ପୁଣି କ୍ଷମତାକୁ ଫେରିବ। ସେହିପରି ୨୦୧୯ ଅପେକ୍ଷା ୟୁପିଏ ଟିକିଏ ଭଲ କରିବ ବୋଲି ସଙ୍କେତ ମିଳିଛି। ଇଣ୍ଡିଆ ଟୁଡେ ସି-ଭୋଟରର ମୁଡ ଅଫ ନେସନ ସର୍ଭେରେ ପୁଣି ଏନଡିଏ ସରକାର ଫେରିବା ସଙ୍କେତ ଦେଇଛନ୍ତି ଜନତା। ଯଦି ଲୋକସଭା ନିର୍ବାଚନ ଅନୁଷ୍ଠିତ ହୁଏ, ତେବେ ଭାରତୀୟ ଜନତା ପାର୍ଟିକୁ ୨୮୪ ଆସନ ମିଳିବ ବୋଲି ଆକଳନ କରାଯାଇଛି। ସେହିଭଳି ୟୁପିଏକୁ ୧୯୧ଟି ଆସନ ଓ ଅନ୍ୟଦଳକୁ ୯୨ ଆସନ ମିଳିବ।

    ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ପ୍ରଦର୍ଶନରେ ୭୨ ପ୍ରତିଶତ ଉତ୍ତରଦାତା ସନ୍ତୁଷ୍ଟ ଥିବା ଜଣାପଡିଛି। ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ୫୨ ପ୍ରତିଶତ ଲୋକ ନରେନ୍ଦ୍ର ମୋଦୀଙ୍କୁ ବାଛିଛନ୍ତି। ଗତ ତିନି ବର୍ଷ ମଧ୍ୟରେ ମୁଦ୍ରାସ୍ପୀତ, କୋଭିଡ-୧୯ ମହାମାରୀ ଏବଂ ଚୀନର ବାହ୍ୟ ବିପଦ ସତ୍ତ୍ୱେ ନରେନ୍ଦ୍ରମୋଦିଙ୍କ ନେତୃତ୍ୱାଧିନ ଏନଡିଏ ସରକାର ଆଣ୍ଟି-ଇନକମ୍ୱେନ୍ସିକୁ ପରାସ୍ତ କରିବାରେ ସଫଳ ହୋଇଛନ୍ତି। ୨୦ ପ୍ରତିଶତ ଭୋଟର କହିଛନ୍ତି, ଏନଡିଏର ସବୁଠାରୁ ବଡ ସଫଳତା ହେଉଛି କୋଭିଡ ମହାମାରୀକୁ ନିୟନ୍ତ୍ରଣ କରିବା କ୍ଷେତ୍ରରେ। ୧୪ ପ୍ରତିଶତ ଲୋକ ଧାରା ୩୭୦ ରଦ୍ଦ କରିବା ସରକାରଙ୍କ ସବୁଠୁ ବଡ ସଫଳତା କହିଥିବାବେଳେ ୧୨ ପ୍ରତିଶତ ମତଦାତା ରାମ ମନ୍ଦିର ନିର୍ମାଣକୁ ପ୍ରାଧାନ୍ୟ ଦେଇଛନ୍ତି। ସେହିଭଳି ଏନଡିଏ ସରକାରଙ୍କ ସବୁଠୁ ବଡ ବିଫଳତା କ’ଣ ପଚାରିବାରୁ ୨୫ ପ୍ରତିଶତ ମତଦାତା ଦରଦାମ୍ ବୃଦ୍ଧିକୁ ବିଫଳତାର କାରଣ କହିଥିବାବେଳେ ୧୭ ପ୍ରତିଶତ ଲୋକ ବେରୋଜଗାରକୁ ମୁକାବିଲା କରିବାରେ ସରକାର ବିଫଳ ବୋଲି କହିଛନ୍ତି।

    ସେପଟେ ରାହୁଲ ଗାନ୍ଧୀଙ୍କ ଭାରତଯୋଡ ଯାତ୍ରାକୁ ନେଇ ମୁଡ ଅଫ୍ ନେସନ ସର୍ଭେ କରାଯାଇଥିଲା। ୩୭ ପ୍ରତିଶତ ଲୋକ ରାହୁଲଙ୍କ ଭାରତ ଯୋଡ ଯାତ୍ରାକୁ ଏକ ଗୁଜବ ବୋଲି କହିଥିବାବେଳେ କଂଗ୍ରେସ ନିର୍ବାଚନରେ ଜିତିବାରେ ଭାରତ ଯୋଡ ଯାତ୍ରା ସାହାଯ୍ୟ କରିବ ନାହିଁ ବୋଲି କହିଛନ୍ତି। ମୁଡ ଅଫ୍ ନେସନ ସର୍ଭେରୁ ଜଣାପଡିଛି, ୨୬ ପ୍ରତିଶତ ମତଦାତା ରାହୁଲ ଗାନ୍ଧୀଙ୍କୁ କଂଗ୍ରେସକୁ ପୁନର୍ଜୀବିତ କରିବା ପାଇଁ ସର୍ବୋତ୍ତମ ପ୍ରୟାସ କହିଥିବାବେଳେ ୧୭ ପ୍ରତିଶତ ସଚିନ ପାଇଲଟଙ୍କ ଏହି ଭୂମିକା ପାଇଁ ପସନ୍ଦ କରିଛନ୍ତି।  ଇଣ୍ଡିଆ ଟୁଡେ ସି ଭୋଟର ସର୍ଭେ ରିପୋର୍ଟ ଅନୁସାରେ, ବିରୋଧି ଦଳର ସବୁଠାରୁ ସର୍ବୋତ୍ମତ ନେତୃତ୍ୱ ଭାବରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ରାହୁଲ ଗାନ୍ଧୀଙ୍କ ଅପେକ୍ଷା ବେଶୀ ପସନ୍ଦ କରିଛନ୍ତି। ୨୪ ପ୍ରତିଶତ ଲୋକ କେଜ୍ରିୱାଲଙ୍କ ନେତୃତ୍ୱକୁ  ସମର୍ଥନ କରିଥିବାବେଳେ ୨୦ ପ୍ରତିଶତ ଲୋକ ମମତାଙ୍କୁ ଉପଯୁକ୍ତ ନେତା ଭାବେ ପସନ୍ଦ କରିଛନ୍ତି। ଏବଂ ୧୩ ପ୍ରତିଶତ ଲୋକ ରାହୁଲଙ୍କୁ ଦଳର ନେତୃତ୍ୱ ନେବାକୁ  ମତ ଦେଇଛନ୍ତି। ସେହିପରି ୧୪ପ୍ରତିଶତ ଲୋକ ରାହୁଲ ଗାନ୍ଧୀଙ୍କ ସପକ୍ଷରେ ମତ ଦେଇଛନ୍ତି।

    ସେହିଭଳି ଆଗାମୀ ଲୋକସଭା ନିର୍ବାଚନରେ କେଉଁ ରାଜ୍ୟରେ ବିଜେପି ନେତୃତ୍ୱାଧିନ ଏନଡିଏ ଏବଂ କଂଗ୍ରେସ ନେତୃତ୍ୱରେ ଥିବା ୟୁପିଏକୁ ଫାଇଦା ମିଳିବ। ଏନେଇ ଇଣ୍ଡିଆ ଟୁଡେ- ସି-ଭୋଟର ସର୍ଭେ ରିପୋର୍ଟ ଅନୁସାରେ ଏନଡିଏକୁ ଆସାମ, ତେଲେଙ୍ଗାନା, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ଫାଇଦା ମିଳିବ। ସେହିପରି ୟୁପିଏକୁ କର୍ଣ୍ଣାଟକ, ମହାରାଷ୍ଟ୍ର, ବିହାରରେ ଅଧିକ ଆସନ ମିଳିବ ବୋଲି କୁହାଯାଇଛି।

    ପ୍ରେମଲତା ବାରିକଙ୍କ ରିପୋର୍ଟ

  • ଭାରତ ଯୋଡ ଯାତ୍ରାରେ ସାମିଲ ହେଲେ ର’ ପୂର୍ବତନ ମୁଖ୍ୟ

    ଲକ୍ଷ୍ନୌ: କିଛି ଦିନର ବିରତି ପରେ ମଙ୍ଗଳବାର ପୁଣି ରାହୁଲ ଗାନ୍ଧୀ ନିଜର ଭାରତ ଯୋଡ ଯାତ୍ରା ଦିଲ୍ଲୀରୁ ଆରମ୍ଭ କରି ଉତ୍ତର ପ୍ରଦେଶରେ ପହଞ୍ଚିଛି। ଏହି ଅବସରରେ ଯାତ୍ରାରେ ର’ ପୂର୍ବତନ ନିର୍ଦ୍ଦେଶକ ତଥା ଇଣ୍ଟେଲିଜେନ୍ସ ବ୍ୟୁରୋର ସ୍ବତନ୍ତ୍ର ନିର୍ଦ୍ଦେଶକ ଅମରଜିତ ସିଂହ ଦୁଲାତ ସାମିଲ ହୋଇଛନ୍ତି। ଏଥିସହ ସଲମପୁରରେ ରାହୁଲଙ୍କ ସହ ଯାତ୍ରାରେ ଯୋଡି ହୋଇଛନ୍ତି ଶିବସେନା ସାଂସଦ ପ୍ରିୟଙ୍କା ଚତ୍ତୁର୍ବେଦୀ ।

    ରାହୁଲଙ୍କ ନେତୃତ୍ବରେ ସଂଗଠିତ ଭାରତ ଯୋଡ ଯାତ୍ରାକୁ ଖ୍ରୀଷ୍ଟମାସ, ନୂଆ ବର୍ଷ ପାଇଁ ୯ ଦିନ ଧରି ସ୍ଥଗିତ ରଖାଯାଇଥିଲା। ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ ଦିଲ୍ଲୀର କାଶ୍ମୀର ଗୋଟ ନିକଟବର୍ତ୍ତୀ ମର୍ଘାଟ ହନୁମାନ ମନ୍ଦିରରୁ ପୁଣି ଯାତ୍ରାର ଶୁଭାରମ୍ଭ ହୋଇଛି।

    ତେବେ ୟୁପିରେ ଭାରତ ଯୋଡ ଯାତ୍ରା ଆଜିଠାରୁ ଆରମ୍ଭ ହେବାକୁ ଥିବା ବେଳେ ଏହା ପୂର୍ବରୁ ଏସପି ପ୍ରମୁଖ ଅଖିଳେଶ ଯାଦବ ଓ ବିଏସପି ମୁଖ୍ୟ ମାୟାବତୀଙ୍କୁ ଯାତ୍ରାରେ ସାମିଲ ହେବାକୁ କଂଗ୍ରେସ ପକ୍ଷରୁ ଆମନ୍ତ୍ରଣ କରାଯାଇଥିଲା। କିନ୍ତୁ ଉଭୟ ଯାତ୍ରାରେ ସାମିଲ ହେଉନଥିବା ଜଣାଇବା ସହ ରାହୁଲଙ୍କୁ ତାଙ୍କ ଯାତ୍ରା ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

  • ବିଜେପି ତାଙ୍କର ଗୁରୁ ବୋଲି କହିଛନ୍ତି ରାହୁଲ

    () କଂଗ୍ରେସକୁ ଲେଉଟାଣି ଖବର ଉପରେ ପୂର୍ଣ୍ଣଛେଦ ପକାଇଲେ ଆଜାଦ୍। ସେପଟେ ଭାରତ ଯୋଡ଼ ଯାତ୍ରାରେ ସାମିଲ ହେବାକୁ ସମସ୍ତଙ୍କ ଲାଗି ଦ୍ୱାର ଖୋଲା କହି ବିଜେପିକୁ ନିଜର ଗୁରୁ ବୋଲି କହି କଟାକ୍ଷ ଫିଙ୍ଗିଛନ୍ତି ରାହୁଲ। ଭାରତ ଯୋଡ଼ଯାତ୍ରା ଆରମ୍ଭରୁ ସାଧାରଣ ଲାଗୁଥିଲେ ବି ଏହାର ଗୁରୁତ୍ୱ ବଢ଼ାଇଦେଇଛି ବିଜେପି ଓ ଆରଏସଏସ। ସେପଟେ ବିଜେପି ବି ଏହାର କଡ଼ା ଜବାବ ଦେବାକୁ ଭୁଲିନି।

    କଂଗ୍ରେସ ସହ ୫୨ ବର୍ଷର ସମ୍ପର୍କ ଛିନ୍ନ କରି ଡେମୋକ୍ରାଟିକ ପ୍ରୋଗ୍ରେସିଭ ଆଜାଦ ପାର୍ଟି ଗଠନ କରିଥିବା ଗୁଲାମନବୀ ଆଜାଦ ନିଜର ଘର ବାହୁଡ଼ା ଖବରକୁ ଭିତ୍ତିହୀନ ଓ ଗୁଜବ ବୋଲି କହିଛନ୍ତି। ନୂଆ କରି ଗଠନ କରିଥିବା ଦଳର ନେତା ଓ କର୍ମୀଙ୍କୁ ମାନସିକ ସ୍ତରରେ ଦୁର୍ବଳ କରିବା ପାଇଁ ଏସବୁ ମିଛ ଖବରକୁ ପ୍ରକାଶ କରାଯାଉଛି ବୋଲି କହିଛନ୍ତି ଆଜାଦ୍। ରାହୁଲଙ୍କ ଭାରତ ଯୋଡ଼ଯାତ୍ରାରେ ସାମିଲ ହେବାକୁ ଆମନ୍ତ୍ରଣ ସହ ହାଇକମାଣ୍ଡ ଓ ଆଜାଦଙ୍କ ଭିତରେ ଦୂରତା ହଟାଇବାକୁ ଅମ୍ୱିକା ସୋନୀଙ୍କୁ ଦାୟିତ୍ୱ ଦିଆଯାଇଥିବା ଖବର ଚର୍ଚ୍ଚା ହୋଇଥିଲା।

    ସେପଟେ ରାହୁଲ କହିଛନ୍ତି, ଭାରତ ଯୋଡ଼ ଯାତ୍ରାର ଦ୍ୱାର ସମସ୍ତଙ୍କ ଲାଗି ଖୋଲା। ଯିଏ ପ୍ରେମର ହିନ୍ଦୁସ୍ତାନ ଚାହୁଁଛି, ସେ ସମସ୍ତଙ୍କୁ ନିମନ୍ତ୍ରଣ କହି ଅଖିଳେଶ ଓ ମାୟାବତୀଙ୍କ ସମଭାବକୁ ଦର୍ଶାଇଛନ୍ତି ରାହୁଲ। ଏହା ସହ ବିଜେପି ଆରଏସଏସ କିଭଳି ତାଙ୍କର ଭାରତ ଯୋଡ଼ ଯାତ୍ରାର ଗୁରୁତ୍ୱ ବଢାଇଦେଲେ, ସେ କଥାର ବି ଅବତାରଣା କରିଛନ୍ତି। ଏପରିକି ବିଜେପି ତାଙ୍କର ଗୁରୁ ବୋଲି କହିଛନ୍ତି ରାହୁଲ। କାରଣ ଯାତ୍ରା ବେଳେ କଅଣ କରିବାକୁ ହେବ, କଅଣ ନୁହେଁ, ଏ ଦିଗରେ କ୍ରମାଗତ ପରାମର୍ଶ ଦେଇଆସୁଛି ବିଜେପି। କେତେବେଳେ ଟି-ସାର୍ଟ ତ କେତେବେଳେ ଦାଢ଼ି ପୁଣି କେତେବେଳେ ଆଉ କିଛି। ଏହା ସହ ବିରୋଧୀଙ୍କ ଭିତରେ ସମନ୍ୱୟର ଅଭାବକୁ ଦୂର କରିବା ସହ ବିକଳ୍ପ ଭିଜନ ନେଇ ଲୋକଙ୍କ ପାଖକୁ ଯିବାକୁ ହେବ ବୋଲି କହିଛନ୍ତି ରାହୁଲ।

    ସେପଟେ ୨୪ ନିର୍ବାଚନରେ ବିରୋଧୀ ଦଳ ପକ୍ଷରୁ ରାହୁଲ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ହେବେ ବୋଲି ନିଆଁ ଚେଙ୍କିଛନ୍ତି କମଲନାଥ। ଏହାକୁ ନେଇ ବିଜେପି କଟାକ୍ଷ କରିଛି। ରାହୁଲଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀତ୍ୱକୁ ମମତା, ଅଖିଳେଶ, କେସିଆର, ନୀତିଶ, ମାୟାବତୀ ଓ କେଜରିଓ୍ୱାଲ ରାଜି ହେବେ ତ ବୋଲି ପଚାରିଛି ବିଜେପି। କଂଗ୍ରେସର ଭାରତ ଯୋଡ଼ ଯାତ୍ରାର ଅସଲ ଉଦେଶ୍ୟ ସତ୍ତା ସହ ଯୋଡ଼ ଯାତ୍ରା ଅଟେ। ସେଥିଲାଗି ତ ଏହି ଯାତ୍ରା କେବଳ ରାହୁଲଙ୍କୁ ରି-ଲଞ୍ଚ୍ ଓ ରି-ପ୍ୟାକେଜିଂ ଲାଗି ଉଦ୍ଦିଷ୍ଟ।

    ଭାରତ ଯୋଡ଼ ଯାତ୍ରାକୁ ନେଇ ବିବାଦ କି ରାଜନୀତି ଥମୁନି। ଏହି ଯାତ୍ରା ଆଳରେ ଦଳ ବାହୁଡ଼ା ଫର୍ମୁଲାର ଖବର କେବେ ଆସୁଛି ତ ପୁଣି କେବେ ରାହୁଲଙ୍କୁ ରି-ଲଞ୍ଚର ଆରୋପ ଲଦୁଛନ୍ତି ବିରୋଧୀ। କିନ୍ତୁ ଏହା ବି ସତ, ଏହି ଯାତ୍ରାର ପ୍ରଭାବ କେଉଁଠି ନା କେଉଁଠି ଅନୁଭୂତ ହୋଇଛି ଜନମାନସରେ। ଅବଶ୍ୟ ଜନମତରେ ପ୍ରତିଫଳିତ ହେବ କି ନାହଁ, ତାହା ଅଲଗା କଥା।

    ପ୍ରଦୀପ ନାୟକ

  • ରାହୁଲଙ୍କ ବିଜୟ ବିପକ୍ଷ ଚ୍ୟାଲେଞ୍ଜ ଯାଚିକା ଖାରଜ

    ତିରୁବନନ୍ତପୁରମ: ୨୦୧୯ରେ କେରଳର ୱାୟନାଡ ଲୋକସଭା ଆସନରୁ ରାହୁଲ ଗାନ୍ଧୀଙ୍କ ନିର୍ବାଚନ ଜିତିବାକୁ ଚ୍ୟାଲେଞ୍ଜ କରାଯାଇଥିବା ଯାଚିକାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ।  ଜଷ୍ଟିସ ଏଏସ ବୋପନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତଙ୍କ ଖଣ୍ଡପୀଠ ସରିତା ଏସ ନାୟରଙ୍କ ଯାଚିକାକୁ ଖାରଜ କରି ଦେଇଛନ୍ତି। ନାୟର  ସୋଲାର ଘୋଟାଲରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।

    କୋର୍ଟ ମାମଲାର ଖାରଜ କରି କହିଛନ୍ତି କି, ଯାଚିକା ଦାୟର କରିଥିବା ଓକିଲ ମାମଲାକୁ ଗୁରୁତ୍ବ ଦେଇ ଶୁଣାଣି କରିବାକୁ ଅପିଲ କରିଥିବା ବେଳେ ଏହି ମାମଲାରେ କିଛି ଭିତ୍ତିଭୂମି ନ ଥିବାରୁ ଏହାକୁ ଖାରଜ କରାଯାଉଛି। ଶୁକ୍ରବାର ଏହି ଯାଚିକାକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଥିଲେ।  ଏହା ପୂର୍ବରୁ ୨୦୨୦ରେ ମଧ୍ୟ ମାମଲାକୁ ଖାରଜ କରି ଦିଆଯାଇଥିଲା। ସେହି ସମୟରେ ଭର୍ଚ୍ୟୁଆଲ ମୋଡରେ ମାମଲାର ଶୁଣାଣି କରାଯାଉଥିଲା। କିନ୍ତୁ ନାୟରଙ୍କ ଓକିଲଙ୍କୁ ବାରମ୍ବାର ନୋଟିସ ପରେ ମଧ୍ୟ ସେ ଉପସ୍ଥିତ ନ ହେବାରୁ ତାଙ୍କୁ ଏହାକୁ ଖାରଜ କରାଯାଇଥିଲା। ପରେ ସେ ଓକିଲଙ୍କ ଅନୁପସ୍ଥିତିକୁ ବୈଷୟିକ ତ୍ରୁଟି ଜଣାଇ ଶୁଣାଣି ପାଇଁ ଆବେଦନ କରିଥିଲେ।

    ଗାନ୍ଧୀଙ୍କ ବିପକ୍ଷରେ ୱାଏନାଡରୁ ନାୟର ନିର୍ବାଚନ ଲଢିବାକୁ ନାମାଙ୍କନ ଭରିଥିଲେ ମଧ୍ୟ ତାଙ୍କ ନାମାଙ୍କନକୁ ଖାରଜ କରାଯାଇଥିଲା ସେକ୍ସନ ୮-୩ ଅଧୀନରେ। ସେ ସୋଲାର ସ୍କାମରେ ଗିରଫ ହୋଇ ୨ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ ହୋଇଥିବାରୁ ନିର୍ବାଚନ କମିଶନ ନାମାଙ୍କନ ଖାରଜ କରିଦେଇଥିଲେ।

  • ଶୀତ ଅଧିବେଶନରେ ସଂସଦରେ ଅନୁପସ୍ଥିତ ରହିବେ ରାହୁଲ

    ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବେ ଭାରତ ଯୋଡ ଯାତ୍ରାରେ ଅଛନ୍ତି। ତେଣୁ ଚଳିତ ଶୀତ ଅଧିବେଶନରେ ସଂସଦରେ ସେ ଯୋଗ ଦେବେନାହିଁ। ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ନେତା ଜୟରାମ ରମେଶ।  ଗତ ସେପ୍ଟେମ୍ବର ୭ତାରିଖରେ କନ୍ୟାକୁମାରୀରୁ ଭାରତ ଯୋଡ ଯାତ୍ରା ଆରମ୍ଭ ହୋଇଥିଲା ।

    ଭାରତ ଯୋଡ଼ା ଯାତ୍ରା କେରଳ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ତେଲେଙ୍ଗାନାରେ ଶେଷ ହୋଇଛି। ବର୍ତ୍ତମାନ ସେ ମହାରାଷ୍ଟ୍ରରେ ପ୍ରବେଶ କରିଛନ୍ତି। ଏହି ଯାତ୍ରାରେ ଅସୁସ୍ଥତା କାରଣରୁ ଏନସିବି ମୁଖ୍ୟ ସରଦ ଯାଦବ ସାମିଲ ହେଉନଥିବା ବେଳେ କିନ୍ତୁ ଶିବସେନାର ପୂର୍ବତନ ମନ୍ତ୍ରୀ ଆଦିତ୍ୟ ଠାକରେ ସାମିଲ କରିଛନ୍ତି। ସେହିପରି ଏନ୍‌ସିପିର ଅନେକ ପ୍ରମୁଖ ନେତା ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡ଼ ଯାତ୍ରାରେ ଯୋଗ ଦେଇଛନ୍ତି। ରାଜ୍ୟ ଏନ୍‌ସିପି ମୁଖ୍ୟ ଜୟନ୍ତ ପାଟିଲ, ବାରମତି ସାଂସଦ ସୁପ୍ରିୟା ସୁଲେ ଏବଂ ଦଳୀୟ ନେତା ଜିତେନ୍ଦ୍ର ଅୱଦ ରାହୁଲଙ୍କ ସହ ଭାରତ ଯୋଡ଼ୋ ଯାତ୍ରା‌ରେ ଯୋଗ ଦେଇଛନ୍ତି।

Back to top button