suprem court

  • ଆଇଏଏସ ଅଧିକାରୀ ପୂଜା ସିଂଘଲଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁର

    ନୂଆଦିଲ୍ଲୀ: ଜେଲରେ ଥିବା ନିଲମ୍ବିତ ଆଇଏଏସ ଅଧିକାରୀ ପୂଜା ସିଂଘଲଙ୍‌କୁ ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ଏକ ମାସର ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ପୂଜାଙ୍କ ଝିଅ ଅସୁସ୍ଥ ଥିବାରୁ ସେ ଝିଅର ଯତ୍ନ ନେବାକୁ ଜାମିନ ଆବେଦନ କରିଥିଲେ।

    ଜଷ୍ଟିସ ସଞ୍ଜୟ କିଷନ କୌଲ ଓ ଅଭୟ ଓକାଙ୍କୁ ନେଇ ଗଠିତ ଖଣ୍ଡପୀଠ  ପୂଜାଙ୍କୁ ସର୍ତମୂଳକ ଏକ ମାସର ଅନ୍ତରୀଣ ଜାମିନ  ପ୍ରଦାନ କରିଛନ୍ତି। ତାଙ୍କୁ କୋର୍ଟରେ ଶୁଣାଣି ନ ଥିଲେ ରାଞ୍ଚି ଯିବାକୁ ମନା କରାଯାଇଛି। ପୂଜା ସିଙ୍ଘଲ ମାମଲାର ଶୁଣାଣି ଫେବୃଆରୀ ୬ରେ କରିବାକୁ କୋର୍ଟ ଏହାକୁ ସୂଚିବଦ୍ଧ କରିବା ସହ ଇଡିକୁ ତାଙ୍କ ଜାମିନ ଉପରେ ତିନି ସପ୍ତାହ ଭିତରେ ରିପୋର୍ଟ ରଖିବାକୁ କହିଛନ୍ତି।

    ପୂର୍ବରୁ ସର୍ବୋଚ୍ଚ ନ୍ୟାୟାଳୟ ପୂର୍ବତନ ଝାରଖଣ୍ଡ ଖଣି ସଚିବ ପୂଜା ସିଙ୍ଗଲ ଜାମିନ ଯାଚିକା ଉପରେ ଇଡିକୁ ନୋଟିସ କରିଥିଲେ। ପୂଜାଙ୍କୁ ଇଡି ମନି ଲଣ୍ଡରିଂ, ଏମଜିଏନଆରଇଜିଏ ଓ ଅନ୍ୟାନ୍ୟ ଘୋଟାଲାରେ ତଦନ୍ତ କରୁଛି।

    ସିଂଘଲ ସୁପ୍ରିମକୋର୍ଟରେ ଏକ ଜାମିନ ଆବେଦନ କରିଥିଲେ, ଯେଉଁଥିରେ ସେ ଉଲ୍ଲେଖ କରିଥିଲେ କି, ତାଙ୍କ ଝିଅ ଅସୁସ୍ଥ ଅଛି ଓ ତାର ଦେଖାଶୁଣା ପାଇଁ ତାଙ୍କୁ ଜାମିନ ମିଳୁ। ତେଣୁ ତଦନ୍ତକାରୀ ଦଳକୁ ପୂଜାଙ୍କ ଝିଅର ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଯାଞ୍ଚ କରି ତଥ୍ୟ ରଖିବାକୁ କୁହାଯାଇଥିଲା।

    ୨୦୨୨ ମେ ୧୧ ତାରିଖରୁ ସେ ବିଭିନ୍ନ ଘୋଟାଲାରେ ବନ୍ଦୀ ରହିଆସୁଛନ୍ତି। ତାଙ୍କ ବିରୋଧରେ ୩୬ କୋଟିର ଘୋଟାଲା ରହିଛି।

  • ଜଷ୍ଟିସ ଚନ୍ଦ୍ରଚୂଡ ଭାଙ୍ଗିଦେଲେ ସୁପ୍ରିମକୋର୍ଟର ସବୁ ରେକର୍ଡ

    ନୂଆଦିଲ୍ଲୀ: ଦେଶର ଆଗାମୀ ମୁଖ୍ୟ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ ଓ ଜଷ୍ଟିସ ହିମା କୋହଲିଙ୍କ ଖଣ୍ଡପୀଠ ଶୁକ୍ରବାର ସୁପ୍ରିମକୋର୍ଟର ସମସ୍ତ ରେକର୍ଡ ଭାଙ୍ଗି ଦେଇଛନ୍ତି। ପୀଠ ଶୁକ୍ରବାର ରାତି ପ୍ରାୟ ୯ଟା ଯାଏଁ ଶୁଣାଣି କରିଛନ୍ତି। ଗୋଟିଏ ଦିନରେ ୭୫ଟି ମାମଲାର ଶୁଣାଣି କରିଛନ୍ତି ଏହି ଖଣ୍ଡପୀଠ।

    ସାଧାରଣତଃ ସୁପ୍ରିମ କୋର୍ଟ ସଂଧ୍ୟା ଚାରିଟା କି ପାଞ୍ଚଟା ଯାଏ ଚାଲିଥାଏ। କିନ୍ତୁ ଆଗକୁ ବିଜୟା ଦଶମୀ ଓ ଦୁର୍ଗାପୂଜା ଛୁଟି ଥିବାରୁ ଛୁଟି ପୂର୍ବରୁ ଜଷ୍ଟିସ ଚନ୍ଦ୍ରଚୂଡ ଓ ଜଷ୍ଟିସ କୋହଲିଙ୍କ ଖଣ୍ଡପୀଠ କୋର୍ଟର ଦେଶ ଦିନ ଶୁକ୍ରବାର ଥିବାରୁ ରାତି ୯.୧୦ ପର୍ଯ୍ୟନ୍ତ ଶୁଣାଣି କରିଛନ୍ତି। ମୋଟ ୧୦ ଘଣ୍ଟା ଓ ୪୦ ମିନିଟ ଧରି ଖଣ୍ଡପୀଂ ଶୁଣାଣି କରିଛନ୍ତି।

    ଶୁଣାଣି ପରେ ଜଷ୍ଟିସ ଚନ୍ଦ୍ରଚୂଡ ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଆଗକୁ ଛୁଟି ଥିବାରୁ ମାମଲା ଅନ୍ୟ ତାରିଖକୁ ଘୁଞ୍ଚି ଥାନ୍ତା, ଯାହା ପାଇଁ ଲୋକଙ୍କୁ ଏକ ଲମ୍ବା ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ। କୋର୍ଟରେ ପଡି ରହିଥିବା ମାମଲାର ତ୍ବରିତ ସମାଧାନ ଦିଗରେ ମୁଖ୍ୟ ବିଚାର ପତି ଜଷ୍ଟିସ ୟୁ ୟୁ ଲଲିତଙ୍କ ଆହ୍ବାନ ପରେ ଜଷ୍ଟିସ ଚନ୍ଦ୍ରଚୂଡ ମଧ୍ୟ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଶୁଣାଣି କରିଛନ୍ତି।

    ଜଷ୍ଟିସ ଲଲିତ ଜୁଲାଇରେ କୋର୍ଟ କାର୍ଯ୍ୟ ସକାଳୁ ଆରମ୍ଭ କରିବାକୁ ଯୁକ୍ତି ବାଢିଥିଲେ। ଲଲିତ ସେତେବେଳେ କହିଥିଲେ, ଯଦି ପିଲାମାନେ ସ୍କୁଲ ଯିବାକୁ ସକାଳୁ ଉଠିପାରିବେ ତେବେ ଆମେ କୋର୍ଟକୁ କାହିଁ ଶୀଘ୍ର ଆସି ପାରିବା ନାହିଁ।

  • ମକଦମାବାଜି କୌଣସି ସୌକ ହୋଇ ନ ପାରେ: ସୁପ୍ରିମ କୋର୍ଟ

    ନୂଆଦିଲ୍ଲୀ: ରାଜନୈତିକ ଦଳଗୁଡିକ ଦ୍ବାରା ଆରକ୍ଷିତ ନିର୍ବାଚନ ଚିହ୍ନ ବଦଳାଇବାକୁ ହୋଇଥିବା ଯାଚିକାରେ ସୁପ୍ରିମ କୋର୍ଟ ସୋମବାର ଶୁଣାଣି କରିଛନ୍ତି। କୋର୍ଟ ଯାଚିକାର ଶୁଣାଣି କରି ଏହା ଉପରେ ଜରିମାନା କରିବା ସହ ଏହାକୁ ଖାରଜ କରିଦେଇଛନ୍ତି। ଯାଚିକା କର୍ତ୍ତାଙ୍କୁ ୨୫ ହଜାର ଟଙ୍କାର ଜରିମାନା କରିଛନ୍ତି କୋର୍ଟ।

    ଜଷ୍ଟିସ ସଞ୍ଜୟ କିଶନ କୌଲଙ୍କ ଖଣ୍ଡପୀଠ କହିଛନ୍ତି, ମକଦମାବାଜି କୌଣସି ସୌକ ହୋଇ ନ ପାରେ। ଲୋକସଭା ଓ ବିଧାନସଭା ନିର୍ବାଚନରେ ପ୍ରତି ଥର ନିର୍ଦ୍ଦଳୀୟ ପ୍ରତ୍ୟାଶୀଙ୍କ ପରି ରାଜନୈତିକ ଦଳଙ୍କୁ ଆରକ୍ଷିତ ନିର୍ବାଚନ ଚିହ୍ନ ବଦଳାଇବା ଦାବିରେ ଏକ ପିଆଇଏଲ ଦାଖଲ ହୋଇଥିଲା। ଓକିଲ ଶ୍ରଦ୍ଧା ତ୍ରୀପାଠୀଙ୍କ ପକ୍ଷରୁ ଏହି ଯାଚିକାକୁ ଦାଖଲ କରାଯାଇଥିଲା।

    ଯାଚିକାରେ କୁହାଯାଇଥିଲା କି, ସେମିତି ପ୍ରତିଥର ନିର୍ବାଚନରେ ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କ ନିର୍ବାଚନ ଚିହ୍ନ ବଦଳାଯାଇଥାଏ, ସେହିପରି ୧୯୬୧ର ନିର୍ବାଚନ ନିୟମ ଅନ୍ତର୍ଗତ ରାଜନୈତିକ ଦଳଗୁଡିକୁ ଆରକ୍ଷିତ ନିର୍ବାଚନ ଚିହ୍ନ ବଦଳାଇବା ଦରକାର। ନିର୍ବାଚନ ଆୟୋଗ ନିର୍ବାଚନ ଚିହ୍ନ ନ ବାଣ୍ଟନ୍ତୁ, ରିଟର୍ଣ୍ଣିଂ ଅଫିସରଙ୍କ ଦ୍ବାରା ନିର୍ବାଚନ ଲଢୁଥିବା ଆଶାୟୀଙ୍କୁ ଚିହ୍ନ ପ୍ରଦାନ କରାଯାଉ।

    ଏହା ପୂର୍ବରୁ ସୁପ୍ରିମକୋର୍ଟ ଧାର୍ମିକ ନାମ ଓ ଚିହ୍ନ ଥିବା ରାଜନୈତିକ ଦଳ ବିରୋଧରେ ଯାଚିକା ଉପରେ ଶୁଣାଣି କରିବାକୁ ପ୍ରସ୍ତୁତ ହୋଇଛନ୍ତି। ସୁପ୍ରିମକୋର୍ଟ କେନ୍ଦ୍ର ଓ ନିର୍ବାଚନ ଆୟୋଗଙ୍କୁ ନୋଟିସ ଜାରି କରି ଏହା ଉପରେ ଜବାବ ତଲବ କରିଛନ୍ତି। କୋର୍ଟ ଚାରି ସପ୍ତାହ ମଧ୍ୟରେ ଜବାବ ଦେବାକୁ ମହଲତ ଦେଇଛନ୍ତି। ଏହି ମାମଲାରେ ଅକ୍ଟୋବର ୧୮ରେ ପରବର୍ତ୍ତୀ ଶୁଣାଣି ହେବ।

  • ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀଙ୍କ ମୁକ୍ତି ଯାଚିକା: କେନ୍ଦ୍ର ଓ ତାମିଲ ସରକାରକୁ ନୋଟିସ

    ନୂଆଦିଲ୍ଲୀ: ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ସୁପ୍ରିମ କୋର୍ଟ କେନ୍ଦ୍ର ଓ ତାମିଲନାଡୁ ସରକାରକୁ ନୋଟିସ କରିଛନ୍ତି। ଆଜୀବନ କାରାଦଣ୍ଡ ଭୋଗୁଥିବା ଦୋଷୀ ନଲିନୀ ଓ ରବିଚନ୍ଦ୍ରନଙ୍କୁ ସମୟ ପୂର୍ବରୁ ମୁକ୍ତ କରିବା ଯାଚିକା ଉପରେ ଏହି ନୋଟିସ କରିଛନ୍ତି କୋର୍ଟ। ତେବେ ଅନ୍ତରୀଣ ଜାମିନ ପ୍ରଦାନ କରିବାକୁ ମନା କରିଦେଇଛନ୍ତି କୋର୍ଟ। ଅଗଷ୍ଟ ୧୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଜଷ୍ଟିସ ବି ଆର ଗଭଇଙ୍କ ଖଣ୍ଡପୀଠ ଜାମିନକୁ ମନା କରିଦେଇଛନ୍ତି।

    ଉଭୟ ନଳିନୀ ଓ ରବିଚନ୍ଦ୍ରନ ସୁପ୍ରିମ କୋର୍ଟରେ ଯାଚିକା ଦାୟର କରି ପେରାରିବଲନ ପରି ସମାନତା ଆଧାରରେ ସେମାନଙ୍କୁ ମୁକ୍ତ କରିବାକୁ ଅପିଲ କରିଥିଲେ। ଏହା ଉପରେ କୋର୍ଟଙ୍କ ଚୂଡାନ୍ତ ରାୟ ଆସିବା ଯାଏ ସେମାନେ ଅନ୍ତରୀଣ ଜାମିନ ପାଇଁ ଗୁହାର କରିଥିଲେ। ସୁପ୍ରିମକୋର୍ଟ ୧୮ ମେରେ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ସମସ୍ତ ଦୋଷୀଙ୍କ ମଧ୍ୟରୁ ପେରାରୀବଲନକୁ ମୁକ୍ତ କରିଥିଲେ।

    ଏହା ପୂର୍ବରୁ ଉଭୟ ଦୋଷୀ ମୁକ୍ତି ପାଇଁ ମାଡ୍ରାସ ହାଇକୋର୍ଟରେ ଦ୍ବାରସ୍ଥ ହୋଇଥିଲେ। କିନ୍ତୁ ହାଇକୋର୍ଟ ସେମାନଙ୍କ ଯାଚିକାର ଶୁଣାଣି କରିବାକୁ ମନା କରିଦେଇଥିଲ। ହାଇକୋର୍ଟ କହିଥିଲେ ତାଙ୍କ ନିକଟରେ ସମ୍ବିଧାନର ଅନୁଚ୍ଛେଦ ୧୪୨ ଅନ୍ତର୍ଗତ ବିଶେଷ କ୍ଷମତା ନାହିଁ ଓ ତେଣୁ ସେ ଏହା ଉପରେ ଶୁଣାଣି କରି ପାରିବେ ନାହିଁ।

  • ଉନ୍ନାବ ଦୁଷ୍କର୍ମ ମାମଲା: ସୁପ୍ରିମ କୋର୍ଟରୁ ପୀଡିତାଙ୍କୁ ଆଶ୍ବସ୍ତି

    ନୂଆଦିଲ୍ଲୀ: ଉନ୍ନାବ ଦୁଷ୍କର୍ମ ପୀଡିତାଙ୍କୁ ସୁପ୍ରିମ କୋର୍ଟରୁ ବଡ ଆଶ୍ବସ୍ତି। ମାମଲାକୁ ସୁପ୍ରିମ କୋର୍ଟ ଦିଲ୍ଲୀ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ମାମଲାର ଶୁଣାଣି କରି ସୁପ୍ରିମ କୋର୍ଟ  ଏହାକୁ ଦିଲ୍ଲୀ ସ୍ଥାନାନ୍ତର କରିଛନ୍ତି। ମାମଲାରେ ଅଭିଯୁକ୍ତ ପକ୍ଷର ଓକିଲ ଯୁକ୍ତି ବାଢିଥିଲେ କି, ତାଙ୍କ ମହକିଲଙ୍କୁ ଫସାଇବା ପାଇଁ ମିଛ ମାମଲା ଦାୟର କରାଯିବା ସହ ମିଛ ଦସ୍ତାବିଜ ପ୍ରସ୍ତୁତ କରାଯାଇଛି। ସେପଟେ ପୀଡିତା ମାମଲାର ଶୁଣାଣି ଉତ୍ତର ପ୍ରଦେଶରୁ ଦିଲ୍ଲୀ ଟ୍ରାନ୍ସଫର କରିବାକୁ ଅନୁରୋଧ କରିଥିଲେ।

    ଜୁଲାଇ ୩ ତାରିଖରେ କୋର୍ଟଙ୍କ ନିକଟରେ ହାଜର ନ ହେବାରୁ ପୀଡିତାଙ୍କ ବିରୋଧରେ ଏକ ନନ ବେଲେବଲ ୱାରେଣ୍ଟ ଜାରି କରାଯାଇଥିଲା। ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମ କୋର୍ଟରେ  ପୀଡିତାଙ୍କ ପକ୍ଷରୁ ଯାଚିକା ଦାୟର ହୋଇଥିଲା। ଯାଚିକାରେ କୁହାଯାଇଥିଲା କି, ସେ ଦିଲ୍ଲୀରେ କୋର୍ଟଙ୍କ ନିକଟରେ ଉପସ୍ଥିତ ଥିଲେ। ତଥାପି ତାଙ୍କ ବିରୋଧରେ ନନ ବେଲେବଲ ୱାରେଣ୍ଟ ଜାରି କରାଯାଇଛି। ୱାରେଣ୍ଟ ଉପରେ ରୋକ ଲଗାଇବାକୁ ପୀଡିତା ସୁପ୍ରିମ କୋର୍ଟରେ ଅପିଲ କରିଥିଲେ।

    ସୂଚନାଯୋଗ୍ୟ, ୨୦୧୭ ମସିହାରେ କୁଲଦୀପ ସିଂହ ସେଙ୍ଗରଙ୍କ ବିରୋଧରେ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ହୋଇଥିଲା। ଦୁଷ୍କର୍ମ ସମୟରେ ପୀଡିତା ନାବାଳିକା ଥିଲା। ନିଜ ବୟସର ପ୍ରମାଣ ଦେବାକୁ ସେ ସ୍କୁଲର ଟିସି କୋର୍ଟରେ ଦାଖଲ କରିଥିଲେ। କିନ୍ତୁ ଅଭିଯୁକ୍ତ ପକ୍ଷର ଓକିଲ ଅଭିଯୋଗ କରିଥିଲେ କି, ଟିସିରେ ହେରଫେର କରାଯାଇଛି।

    ଅନ୍ୟପଟେ ମାଖି ଦୁଷ୍କର୍ମ କାଣ୍ଡରେ ଜଡିତ ହରପାଲ ସିଂହଙ୍କ ଦ୍ବାରା ଦୁଷ୍କର୍ମ ପୀଡିତା, ତାଙ୍କ ମା ଓ ଦାଦାଙ୍କ ବିରୋଧରେ ହେରଫେରକୁ ନେଇ ମାମଲା ଦାୟର ହୋଇଥିଲା। ଏହା ପରେ କୋର୍ଟ ପୀଡିତାଙ୍କ ବିରୋଧରେ ନନ ବେଲେବୁଲ ୱାରେଣ୍ଟ ଜାରି କରିଥିଲେ।

  • ମିଛ ମାମଲାରେ ଫସିଥିବା ଲୋକଙ୍କୁ କ୍ଷତିପୂରଣ ମାମଲାରେ ସୁପ୍ରିମ କୋର୍ଟଙ୍କ ମତ

    ନୂଆଦିଲ୍ଲୀ: ସୁପ୍ରିମ କୋର୍ଟ ଗୁରୁବାର ମିଛ ମାମଲାରେ ଫସିଥିବା ଲୋକଙ୍କୁ କ୍ଷତିପୂରଣ ଦେବା ଯାଚିକା ଉପରେ ନିଜ ମତ ସ୍ପଷ୍ଟ କରିଛନ୍ତି। କୋର୍ଟ ଏହି ପରି ବ୍ୟବସ୍ଥା କରିବାକୁ ଆଦେଶ ଦେବାକୁ ମନା କରିଦେଇଛନ୍ତି। କୋର୍ଟ କହିଛନ୍ତି କି,  ଏହା ସରକାରଙ୍କୁ ଦେଖିବାର ଅଛି।

    ବିଜେପି ନେତା କପିଲ ମିଶ୍ରା ଓ ଓକିଲ ଅଶ୍ବିନୀ ଉପାଧ୍ୟାୟ ସୁପ୍ରିମକୋର୍ଟରେ ଏକ ଯାଚିକା ଦାୟର କରିଥିଲେ। ଏଥିରେ ଉଲ୍ଲେଖ କରାଯାଇଥିଲା କି, ମିଛ ଅଭିଯୋଗ ମାମଲାରେ ଫସା ଯାଇଥିବା ଲୋକଙ୍କୁ କ୍ଷତିପୂରଣ ଦେବାର ବ୍ୟବସ୍ଥା କରାଯିବା ଉଚିତ। ସୁପ୍ରିମ କୋର୍ଟ ଏପ୍ରକାର ଆଦେଶ ଦେବାକୁ ମନା କରିଦେଇଛନ୍ତି।

    ଯାଚିକାରେ ୨୦ ବର୍ଷ ପର୍ଯ୍ୟନ୍ତ ମିଛ ଦୁଷ୍କର୍ମ ମାମଲାରେ ଜେଲରେ ଥିବା ବିଷ୍ଣୁ ତିବାରୀଙ୍କ ଉଦାହରଣ ବି ଦିଆଯାଇଥିଲା। ଏଠାରେ ଉଲ୍ଲେଖ ଯୋଗ୍ୟ କି, ଉତ୍ତର ପ୍ରଦେଶର ଲଲିତପୁର ନିବାସୀ ବିଷ୍ଣୁ ତିବାରୀଙ୍କୁ ହାଇକୋର୍ଟ ୨୦ ବର୍ଷ ପରେ ନିର୍ଦ୍ଦୋଷ ସାବ୍ୟସ୍ତ କରିଥିଲେ।  ବିଷ୍ଣୁଙ୍କ ତଳ କୋର୍ଟ ଆଜୀବନ କାରାଦଣ୍ଡ ଶୁଣାଇ ଥିଲେ।

    ବିଷ୍ଣୁଙ୍କୁ ଯେତେବେଳେ ୧୮ ବର୍ଷ ହୋଇଥିଲା ତାଙ୍କ ବିରୋଧରେ ହରିଜନ ଆକ୍ଟ ଓ ଦୁଷ୍କର୍ମ ମାମଲାରେ କେଶ ଦାୟର କରାଯାଇଥିଲା।

  • ଅଗଷ୍ଟ ୮ରେ ହେବ ଶିବସେନା ଶୁଣାଣି

    ମୁମ୍ବାଇ: ଶିବସେନା ଉପରେ ହକ ଜାହିର କରିବାକୁ ନେଇ ଉଠିଥିବା ସଂକଟ ଉପରେ ସୁପ୍ରିମ କୋର୍ଟରେ ମାମଲା ଥିବା ବେଳେ କିନ୍ତୁ ଶୁଣାଣିକୁ ସୋମବାର ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି କୋର୍ଟ। ସୋମବାର ଦିନ ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ, ମାମଲାର ଶୁଣାଣି ୫ ଜଣିଆ ଖଣ୍ଡପୀଠ ଦ୍ୱାରା ହେବ କି ନାହିଁ ତା ଉପରେ ବିଚାର ହେବ। ତେବେ ତିନି ଜଣିଆ ଖଣ୍ଡପୀଠ ନିର୍ବାଚନ କମିଶନଙ୍କ ଓକିଲଙ୍କୁ କହିଛନ୍ତି କି, ଦୁଇ ପକ୍ଷକୁ ନିର୍ବାଚନ ଆୟୋଗରେ ସତ୍ୟପାଠ ଦେବାର ତାରିଖ ଅଗଷ୍ଟ ୮ ରହିଛି। ଯଦି କୌଣସି ପକ୍ଷ ସମୟ ମାଗନ୍ତି ତେବେ ଆୟୋଗ ଏହା ଉପରେ ବିଚାର କରନ୍ତି। ଏହା ବ୍ୟତୀତ ନିର୍ବାଚନ କମିଶନଙ୍କୁ ଏକନାଥଙ୍କ ଦ୍ୱାରା ଶିବସେନାର ମାଲିକାନା ପାଇଁ ହୋଇଥିବା ଦାବି ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ କରିବାକୁ ମୌଖିକ ଭାବେ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଉଦ୍ଧବଙ୍କ କେଶ ସୁପ୍ରିମକୋର୍ଟରେ ପଡିଥିବାରୁ ଏହା ଉପରେ ମଧ୍ୟ ସ୍ଥଗିତା ଦେଇପାରନ୍ତି ବୋଲି କହିଛନ୍ତି।

Back to top button