vice president

  • ଚତୁର୍ଦ୍ଦଶ ଉପରାଷ୍ଟ୍ରପତି ହେଲେ ଜଗଦୀପ ଧନକଡ଼

    ଦେଶର ଚତୁର୍ଦ୍ଦଶ ଉପରାଷ୍ଟ୍ରପତି ଭାବରେ ଜଗଦୀପ ଧନକଡ଼ଙ୍କୁ ମହାମହିମ ରାଷ୍ଟ୍ରପତି ପଦ ଓ ଗୌପନୀୟତାର ଶପଥ ପାଠ କରାଇଛନ୍ତି। ଦେଶର ଦ୍ୱିତୀୟ ସର୍ବୋଚ୍ଚ ସାମ୍ୱିଧାନିକ ପଦବୀର ଅଧିକାରୀ ସାଜିଛନ୍ତି ଜଗଦୀପ। ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ପାଠ ସମାରୋହରେ ପ୍ରଧାନମନ୍ତ୍ରୀ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଦେଶର ଦ୍ୱିତୀୟ ସର୍ବୋଚ୍ଚ ସାମ୍ୱିଧାନିକ ପଦରେ ଜଗଦୀପ ଧନକଡ। ଦେଶର ଚତୁର୍ଦ୍ଦଶ ଉପରାଷ୍ଟ୍ରପତି ଭାବରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ପାଠ ସମାରୋହରେ ପ୍ରଧାନମନ୍ତ୍ରୀ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପୂର୍ବତନ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିଆ ନାଇଡ଼ୁଙ୍କ ସମେତ ବହୁ ବିଶିଷ୍ଚ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ। ଧନକଡ ୫୨୮ ଭୋଟ ପାଇ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ମାର୍ଗାରେଟା ଆଲଭାଙ୍କୁ ପରାଜିତ କରିଥିଲେ।

    ରାଜ୍ୟସଭା ଅଧ୍ୟକ୍ଷ ଭାବରେ ଏଣିକି ଗୁରୁଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି ଜଗଦୀପ୍। ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଜଗଦୀପ ଉପ-ରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବା ପରେ ହିନ୍ଦୀରେ ଶପଥ ଗ୍ରହଣ କରିଥିଲେ। ୫ ବର୍ଷ ପାଇଁ ଏହି ପଦବୀରେ ରହି ଦାୟିତ୍ୱ ତୁଲାଇବେ ଜଗଦୀପ। ରାଜସ୍ଥାନ ଜାଟ୍ ସମ୍ପ୍ରଦାୟର ଏହି ଭେଟେରାନ ପଲିଟିସିଆନ୍ ୧୯୯୭ରୁ ଏ ଯାଏ ଅନୁଷ୍ଠିତ ହୋଇଥିବା ଉପ-ରାଷ୍ଟ୍ରପତି ନିର୍ବାଚନ ତୁଳନାରେ ସର୍ବାଧିକ ଭୋଟ ମାର୍ଜିନରେ ଜିତିଛନ୍ତି। ସେ ସର୍ବାଧିକ ୭୪.୩୬ ପ୍ରତିଶତ ଭୋଟ୍ ପାଇଥିଲେ। ପ୍ରଧାନମନ୍ତ୍ରୀ ଧନକଡଙ୍କୁ ସବୁବେଳେ ଚାଷୀ ପୁଅ ବୋଲି ନିଜର ଟ୍ୱିଟରେ ସମ୍ୱୋଧନ କରି ଆସିଛନ୍ତି। ତେବେ ଏହା ପଛରେ ଭିନ୍ନ ରାଜନୀତି ଥିବାର ଚର୍ଚ୍ଚା ବି ହେଉଛି। ଧନକଡଙ୍କ ନିଜ ରାଜ୍ୟ ରାଜସ୍ଥାନରେ ଆସନ୍ତାବର୍ଷ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ଏବେ ରାଜସ୍ଥାନରେ ଅଶୋକ ଗେହଲଟଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ଅଛି।

    ଦେଶର ଦ୍ୱିତୀୟ ସର୍ବୋଚ୍ଚ ସାମ୍ୱିଧାନିକ ପଦରେ ବସିଥିବାରୁ ହୁଏତ ରାଜସ୍ଥାନ ଭୋଟରେ ଏଥିରୁ ବିଜେପି ଫାଏଦାରେ ରହିପାରେ ବୋଲି ଆକଳନ କରାଯାଉଛି। ରାଜସ୍ଥାନ ହାଇକୋର୍ଟରେ ଆଇନଜୀବି ଥିବା ଧନକଡ ରାଜନୀତିରେ ୧୯୮୯ରେ ଏଣ୍ଟ୍ରି ମାରିଥିଲେ। ଜନତା ଦଳ ଟିକଟରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। କଂଗ୍ରେସ ସମର୍ଥିତ ଚନ୍ଦ୍ରଶେଖର ସରକାରରେ ମନ୍ତ୍ରୀ ବି ଥିଲେ। ୧୯୯୧ରେ କଂଗ୍ରେସ ଟିକଟରେ ଲଢିଥିଲେ ବି ହାରିଯାଇଥିଲେ ନିର୍ବାଚନ। ସେଥର ଦଳ କ୍ଷମତାକୁ ଆସିଥିଲା ଓ ନରସିଂହ ରାଓ ପ୍ରଧାନମନ୍ତ୍ରୀ ହୋଇଥିଲେ। ୧୯୯୩ରୁ ୯୮ ବିଧାୟକ ହୋଇଥିଲେ। କିନ୍ତୁ ଅଶୋକ ଗେହଲଟଙ୍କ ଉତଥାନ ଦେଖି ତାଙ୍କର ସ୍କୋପ୍ କମ୍ ଥିବା ଜାଣିପାରିଥିଲେ। ଆଉ ୨୦୦୦ରେ ବିଜେପିରେ ସାମିଲ ହୋଇଥିଲେ ଧନକଡ। ଦୀର୍ଘ ଦୁଇ ଦଶନ୍ଧି ଧରି ଦଳର ସାଂଗଠନିକ କାମରେ ନିୟୋଜିତ ଥିଲେ। ୨୦୧୯ରେ ପଶ୍ଚିମବଙ୍ଗର ରାଜ୍ୟପାଳ ହୋଇଥିଲେ। ଆଉ ଦିଦି-ଧନକଡଙ୍କ ଭିତରେ ବିବାଦ କାହାରିକୁ ଅଛପା ରହିନି। କିନ୍ତୁ ବଡ଼ କଥା ଥିଲା କି, ଧନକଡଙ୍କ ପ୍ରବଳ ବିରୋଧୀ ସତ୍ତ୍ୱେ ଦିଦିଙ୍କ ଟିଏମସି ତାଙ୍କ ବିରୁଦ୍ଧରେ ଗଲାନି। କାରଣ ଉପ-ରାଷ୍ଟ୍ରପତି ନିର୍ବାଚନରେ ଭୋଟିଂରୁ ନିଜକୁ ଦୂରେଇ ରଖିଥିଲା।

    ପ୍ରଦୀପ ନାୟକଙ୍କ ରିପୋର୍ଟ

  • ମାର୍ଗାରେଟ ଆଲଭା ବିରୋଧୀ ଉପରାଷ୍ଟ୍ରପତି ପ୍ରାର୍ଥୀ ମନୋନୀତ

    ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମାର୍ଗାରେଟ ଆଲଭାଙ୍କୁ ବିରୋଧୀ ଦଳ ମେଣ୍ଟ ପକ୍ଷରୁ ଉପରାଷ୍ଟ୍ରପତି ପଦ ପାଇଁ ମନୋନିତ କରାଯାଇଛି।  ଆସନ୍ତା ୬ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବା ବେଳେ ରବିବାର ବିରୋଧୀ ମେଣ୍ଟ ଆଲଭାଙ୍କୁ ପ୍ରାର୍ଥୀ କରିଛି। ଏନେଇ ସୂଚନା ଦେଇଛନ୍ତି ଏନସିପି ମୁଖ୍ୟ ସରଦ ପାୱାର। ଶନିବାର ସଂଧ୍ୟାରେ ଏନଡିଏ ତାର ପ୍ରାର୍ଥୀ ଭାବେ ପଶ୍ଚିମ ବଙ୍ଗ ରାଜ୍ୟପାଳ ଜଗଦୀପ ଧନକରଙ୍କୁ ମନୋନୀତ କରିଥିଲା।

    ପାୱାର କହିଛନ୍ତି, ଆମେ ଉପରାଷ୍ଟ୍ରପତି ପ୍ରାର୍ଥୀ ଚୟନକୁ ନେଇ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଯୋଗାଯୋଗ କରିଥିବା ବେଳେ କିନ୍ତୁ ସେ ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ତାହା ସମ୍ଭବ ହୋଇନାହିଁ। ଦିନକ ଆଗରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଜଶୱନ୍ତ ସିହ୍ନାଙ୍କୁ ସମର୍ଥନ କରିବାକୁ ଘୋଷଣା କରିଛି। ଆଗକୁ ଆଲଭାଙ୍କୁ ସମର୍ଥନ କରିବାକୁ ତାଙ୍କ ସହ ଯୋଗାଯୋଗ କରାଯିବ ବୋଲି ସେ କହିଛନ୍ତି।

    ତେବେ କଂଗ୍ରେସ, ଟିଏମସି, ସିପିଆଇଏ, ଆରଜେଡି, ଏସପି ଓ ଅନ୍ୟ ପ୍ରମୁଖ ବିରୋଧୀ ନେତାଙ୍କ ମିଳିତ ବୈଠକରେ ଉପରାଷ୍ଟ୍ରପତି ପଦ ପାଇଁ ଆଲଭାଙ୍କ ନାମ ବଛାଯାଇଥିବା କହିଛନ୍ତି ପାୱାର। ଆଲଭା ୪୨ ବର୍ଷ ବୟସରେ କେନ୍ଦ୍ର ମନ୍ତ୍ରୀ ହୋଇଥିଲେ, ଯାହା ସେହି ସମୟରେ ବିରଳ ଘଟଣା ଥିଲା। ଆଲଭା ୧୯୪୨ ମସିହାରେ ମାଙ୍ଗାଲୋରରେ ଜନ୍ମ ହୋଇଥିବା ବେଳେ ପରେ ସେ ମାଡ୍ରାସ ପ୍ରେସିଡେନ୍ସ ଅଧୀନକୁ ଚାଲିଯାଇଥିଲେ। ସେ ଉଭୟ ରାଜ୍ୟସଭା ଓ ଲୋକ ସଭାକୁ ନିର୍ବାଚିତ ହୋଇଛନ୍ତି। ୪ ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ବେଳେ ଥରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେ ଇନ୍ଦୀରା ଗାନ୍ଧୀ, ରାଜୀବ ଗାନ୍ଧୀ ଓ ନରସିଂହ ରାଓଙ୍କ ପ୍ରଧାନମନ୍ତ୍ରୀତ୍ବ କାଳରେ ଦକ୍ଷତାର ସହ ଏକାଧିକ ଦାୟିତ୍ବ ତୁଲାଇଛନ୍ତି।

  • ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଚୟନ

    ନୂଆଦିଲ୍ଲୀ: ଦିଲ୍ଲୀରେ ଆଜି ବିଜେପିର ସଂସଦୀୟ ବୋର୍ଡ ବୈଠକରେ ଉପରାଷ୍ଟ୍ରପତି ପ୍ରାର୍ଥୀଭାବେ ଜଗଦୀପ ଧନକରଙ୍କୁ ବଛାଯାଇଛି। ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ମନ୍ତ୍ରୀ ଅମିତ ସାହ, ନିତୀନ ଗଡକରୀ, ରାଜନାଥ ସିଂହ, ବିଜେପି ଜାତୀୟ ମହାସଚିବ ବିଏଲ ସନ୍ତୋଷ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଉପସ୍ଥିତ ଥିଲେ।

    ବୈଠକ ପରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡା ଏହା ଘୋଷଣା କରିଛନ୍ତି କି, ବୈଠକରେ  ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଭାବେ ଜଗଦୀପ ଧନକରଙ୍କୁ ସର୍ବସମ୍ମତିକ୍ରମେ ବଛାଯାଇଛି।

  • ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ

    ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରୀଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି ପାକିସ୍ତାନର ସାମ୍ବାଦିକ ନୁସରତ ମିର୍ଜା। ଭାରତ ଯାତ୍ରା ସମୟରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ତରଫରୁ ଗୁଇନ୍ଦାଗିରି କରିଥିବା ସ୍ଵୀକାର କରିଛନ୍ତି ପାକିସ୍ତାନୀ ସମ୍ଭକାର ନୁସରତ ମିର୍ଜା। ୨୦୦୭ରୁ ୨୦୧୦ ମଧ୍ୟରେ କଂଗ୍ରେସ ଶାସନ ସମୟରେ ଭାରତ ଯାତ୍ରାରେ ସେ ଦିଲ୍ଲୀ ଏବଂ ଆଲିଗଡରେ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ସମୟରେ ସେ ଭାରତର ଗୋପନୀୟ ତଥ୍ୟ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ଦେଉଥିଲେ। ୨୦୦୯ ଅକ୍ଟୋବର ୨୭ରେ ଦିଲ୍ଲୀର ଓବରୟ ହୋଟେଲରେ ଆୟୋଜିତ ଆତଙ୍କବାଦ ବିରୋଧୀ ଅନ୍ତର୍ଜାତୀୟ କନଫରେନ୍ସରେ ନୁସରତ ମିର୍ଜା ଯୋଗ ଦେଇଥିଲେ। ସବୁଠୁ ବଡ କଥା ସେ ସମୟରେ ଭାରତର ଉପ ରାଷ୍ଟ୍ରପତି ଥିବା ହମିଦ୍ ଅନସାରୀ ତାଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଥିଲେ।

    ହମିଦ ଅନସାରୀଙ୍କ ଉପରେ ନୁସରତ ମିର୍ଜାଙ୍କ ଏପରି ଦାବି ଏବେ ସାରା ଭାରତକୁ ବିଚଳିତ କରିଛି। ଏକ ୟୁଟ୍ୟୁବ ଚ୍ୟାନେଲକୁ ଦିଆଯାଇଥିବା ସାକ୍ଷାତକାରରେ ପାକିସ୍ତାନୀ ସାମ୍ବାଦିକ ତତ୍କାଳୀନ ଉପରାଷ୍ଟ୍ରପତି ହମିଦ ଅନସାରୀ ଏବଂ ଏକ ଇଂରାଜୀ ଖବରକାଗଜ ମିଲି ଗେଜେଟର ପ୍ରତିଷ୍ଠାତା ଜାଫରୁଲ ଇସଲାମ ଖାନଙ୍କ ବିଷୟରେ ଏକ ବଡ଼ ଦାବି କରିଛନ୍ତି ନୁସରତ। ପାକିସ୍ତାନୀ ସାମ୍ବାଦିକ ନୁସରତ ମିର୍ଜା କହିଛନ୍ତି ଯେ ସେ ହମିଦ ଅନସାରୀ ଏବଂ ଜାଫରଲ ଇସଲାମ ଖାନଙ୍କ ନିମନ୍ତ୍ରଣ କ୍ରମେ ଭାରତ ଆସିଥିଲେ। ଏହି ସମୟରେ ସେ ଭାରତରୁ ଅନେକ ଗୁପ୍ତ ତଥ୍ୟ ସଂଗ୍ରହ କରି ଆଇଏସଆଇକୁ ପ୍ରଦାନ କରିଥିଲେ। ଏହି ସାକ୍ଷାତକାରରେ ନୁସରତ ମିର୍ଜା ଦାବି କରିଛନ୍ତି ଯେ ସେ 2005 ରୁ 2011 ମଧ୍ୟରେ ଭାରତର 15 ଟି ରାଜ୍ୟ ଗସ୍ତ କରିଥିଲେ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥିଲେ ।

    ଏହି ସମୟ ମଧ୍ୟରେ ଭାରତର 56 ମୁସଲମାନ ସାଂସଦ ତାଙ୍କୁ ବହୁତ ସାହାଯ୍ୟ କରିଥିଲେ । ପାକ୍ ସାମ୍ବାଦିକ ନୁସରତ ମିର୍ଜାଙ୍କ ଦାବି ସୋସିଆଲ ମିଡିଆରେ ଏକ ଅଡୁଆ ସୃଷ୍ଟି କରିଛି। ହମିଦ ଅନସାରୀ ଏବଂ ଜାଫରୁଲ ଇସଲାମ ଖାନଙ୍କ ସହ ଲୋକମାନେ ସେହି ସମୟରେ କେନ୍ଦ୍ରରେ ମନମୋହନ ସିଂ ସରକାରଙ୍କୁ ସମାଲୋଚନା କରିଛନ୍ତି। ଉଲ୍ଲେଖଯୋଗ୍ୟ, ହମିଦ ଅନସାରୀ ଦୁଇଥର ଦେଶର ଉପରାଷ୍ଟ୍ରପତି ହୋଇଛନ୍ତି। ଏହି ପାକିସ୍ତାନ ସାମ୍ବାଦିକ ଚଣ୍ଡିଗଡ଼, ହାଇଦ୍ରାବାଦ, ବେଙ୍ଗାଲୁରୁ ଏବଂ ଅନ୍ୟାନ୍ୟ ସହର ପରିଦର୍ଶନ କରିଥିଲେ। ତେବେ 2010ରେ ତତ୍କାଳୀନ ଉପରାଷ୍ଟ୍ରପତି ହମିଦ ଅନସାରୀ ତାଙ୍କୁ ଆତଙ୍କବାଦ ଉପରେ ଏକ ସେମିନାର ପାଇଁ ନିମନ୍ତ୍ରଣ କରିଥିଲେ।

    ନୁସରତଙ୍କ ମୁତାବକ ୨୦୧୧ରେ ତାଙ୍କୁ ଭେଟିଥିବା ପ୍ରତିନିଧିଙ୍କ ମଧ୍ୟରେ ଦିଲ୍ଲୀ ସଂଖ୍ୟାଲଘୁ ଆୟୋଗର ଅଧ୍ୟକ୍ଷ ଜଫରୁଲ ଇସଲାମ ଖାନ ମଧ୍ୟ ସାକ୍ଷାତ କରିଥିଲେ। ମିର୍ଜା ପାକିସ୍ତାନୀ ସେନାର ନେତୃତ୍ଵକୁ ନେଇ ମଧ୍ୟ ନିରାଶ ପ୍ରକାଶ କରିଥିଲେ। ସେ ଭାରତ ଗସ୍ତରେ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ଭେଟିଛନ୍ତି। ଭାରତରେ ଉର୍ଦ୍ଦୁରେ ସମସ୍ତ ସଂପାଦକ ତାଙ୍କର ବନ୍ଧୁ । ଯେବେ ବି ସେ ଭାରତ ଆସିଛନ୍ତି ସାକ୍ଷାତକାର ଦେଇଥିବା ନୁସରତ କହିଛନ୍ତି।ଏବେର କଂଗ୍ରେସ ମୁଖପାତ୍ର ତଥା ତତ୍କାଳୀନ ହମିଦ ଅନସାରୀଙ୍କ ସ୍ପେଶାଲ ଡ୍ୟୁଟି (ଓଏସଡି) ଅଫିସର ଗୁରୁଦୀପ ସିଂ ସପାଲ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏପରି ଅଭିଯୋଗର ରାଜନୀତିକ ଉଦ୍ଦେଶ୍ୟ ରହିଛି । 2007-2012 ଏବଂ 2012-2017 ସପଲ କ୍ରମାଗତ ଭାବେ ହମିଦ ଅନସାରୀଙ୍କ ପରାମର୍ଶଦାତା ଭାବରେ କାମ କରିଥିଲେ। ସପାଲ ଟୁଇଟ୍ କରି କହିଛନ୍ତି ଯେ ପାକିସ୍ତାନୀ ସ୍ତମ୍ଭକାର କ୍ୟାମେରାରେ କେବେ କହି ନାହାଁନ୍ତି ଯେ ତାଙ୍କୁ ହମିଦ ଅନସାରୀ ତାଙ୍କୁ ନିମନ୍ତ୍ରଣ କରିଛନ୍ତି।

    • ଅଭିଷେକ ପୁରୋହିତଙ୍କ ରିପୋର୍ଟ
  • ଅଗଷ୍ଟ ୬ରେ ହେବ ଉପରାଷ୍ଟ୍ରପତି ନିର୍ବାଚନ

    ଆସନ୍ତା ଅଗଷ୍ଟ ୬ରେ ହେବ ଉପରାଷ୍ଟ୍ରପତି ନିର୍ବାଚନ। ଏନେଇ ଆଜି ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି। ତେବେ ଅଗଷ୍ଟ ୧୦ ତାରିଖରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଶେଷ ହେବ। ରାଷ୍ଟ୍ରପତି ନିର୍ବାଚନ ପରେ ଦେଶରେ ଉପରାଷ୍ଟ୍ରପତି ପାଇଁ ଭୋଟ। ତେବେ ଜୁଲାଇ୫ରେ ପ୍ରକାଶ ପାଇବ ବିଜ୍ଞପ୍ତି । ତେବେ ଉପରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖଥ ଜୁଲାଇ ୧୯। ସେହିପରି ଜୁଲାଇ ୨୦ ତାରିଖରେ ନାମାଙ୍କନ ଯାଞ୍ଚ ଏବଂ ୨୨ ତାରିଖ ହେଉଛି ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ।
    () ଅଗଷ୍ଟ ୬ ତାରିଖରେ ଦିନ ୧୦ରୁ ସନ୍ଧ୍ୟା ୫ ଯାଏ ଭୋଟ ଗ୍ରହଣ ହେବ। ଏହାପରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ଏନେଇ କମିଶନ ପକ୍ଷରୁ କୁହାଯାଇଛି। ଜୁଲାଇ ୧୮ରେ ଦେଶରେ ରାଷ୍ଟ୍ରପତି ନିର୍ବାଚନ। ୨୧ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

  • କିପରି ହୋଇଥାଏ ଉପରାଷ୍ଟ୍ରପତି ନିର୍ବାଚନ?

    ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବା ବେଳେ ୨୧ରେ ବାହାରିବ ଫଳାଫଳ ଓ ଜୁଲାଇ ୨୫ରେ ଶପଥ ନେବେ ନବ ନିର୍ବାଚିତ ରାଷ୍ଟ୍ରପତି। ଏହାରି ମଧ୍ୟରେ ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ମଧ୍ୟ ଆରମ୍ଭ ହୋଇଗଲାଣି  ଚର୍ଚ୍ଚା। ବର୍ତ୍ତମାନର ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ଅଗଷ୍ଟ ୧୧ ତାରିଖରେ ଶେଷ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ନିର୍ବାଚନ ହେବ।

    ରାଷ୍ଟ୍ରପତି  ପଦ ପରି ଉପରାଷ୍ଟ୍ରପତି ପଦ ପାଇଁ ଜଣେ ଭାରତୀୟ ହୋଇଥିବା ଆବଶ୍ୟକ। ପ୍ରାର୍ଥୀଙ୍କ ବୟସ ୩୫ ବା ତାଠାରୁ ଅଧିକ ହୋଇଥିବା ଆବଶ୍ୟକ। ତାଙ୍କର ରାଜ୍ୟସଭାକୁ ନିର୍ବାଚିତ ହେବାର ଯୋଗ୍ୟତା ଥିବ।  ଆଶାୟୀଙ୍କୁ ସେହି ରାଜ୍ୟ ବା ସଂଘ ରାଜ୍ୟ କ୍ଷେତ୍ରରେ ସଂସଦୀୟ ନିର୍ବାଚନ କ୍ଷେତର ମତଦାତା ହେବା ଆବଶ୍ୟକ। ସେ କୌଣସି ସରକାରୀ ବିଭାଗ ବା ଲାଭର ଉପଯୋଗ କରୁ ନ ଥିବେ। ଏହା ବ୍ୟତୀତ, ନିର୍ବାଚନ ଲଢିବାକୁ ପ୍ରାର୍ଥୀଙ୍କୁ ଅନ୍ୟୁନ ୨୦ ସାଂସଦଙ୍କୁ ପ୍ରସ୍ତାବକ ଓ ୨୦ ସଂସଦୀୟ ସଦସ୍ୟଙ୍କ ସମର୍ଥନ ମିଳିବା ଆବଶ୍ୟକ।

    ଉପରାଷ୍ଟ୍ରପତି ନିର୍ବାଚନ ସଂସଦର ଦୁଇ ଗୃହର ସଦସ୍ୟ ମିଳିତଭାବେ ନିର୍ବାଚନ ମଣ୍ଡଳ ଅର୍ଥାତ୍  ଇଲେକ୍ଟ୍ରୋରାଲ କଲେଜ ଜରିଆରେ ଅନୁପାତିକ ପ୍ରତିନିଧିତ୍ବ ପଦ୍ଧତିରେ ହୋଇଥାଏ। ସଂସଦର ଦୁଇ ଗୃହର ସଦସ୍ୟ ଏଥିରେ ଭାଗ ନେଇଥାନ୍ତି। ପ୍ରତି ସଦସ୍ୟ କେବଳ ଗୋଟିଏ ଭୋଟ ଦେଇ ପାରନ୍ତି। ରାଷ୍ଟ୍ରପତି ନର୍ବାଚନରେ ନିର୍ବାଚିତ ସାଂସଦମାନଙ୍କ ସହ ବିଧାୟକ ଭାଗ ନେଇଥିବା ବେଳେ ଉପରାଷ୍ଟ୍ରପତି ନିର୍ବାଚନରେ କେବଳ ଲୋକସଭା ଓ ରାଜ୍ୟସଭା ସାଂସଦ  କେବଳ ଭୋଟ ଦେଇଥାନ୍ତି।

    ରାଷ୍ଟ୍ରପତି ନିର୍ବାଚନରେ ମନୋନୀତ ସାଂସଦ ଭୋଟ ପ୍ରକ୍ରିୟାରୁ ବାଦ ପଡିଥିବା ବେଳେ କିନ୍ତୁ ଉପରାଷ୍ଟ୍ରପତି ନିର୍ବାଚନରେ ଭାଗ ନେଇଥାନ୍ତି। ଏହି ପରି ଦେଖିଲେ, ଉପରାଷ୍ଟ୍ରପତି ନିର୍ବାଚନରେ ସଂସଦର ୭୯୦ ସାଂସଦ ଅଂଶଗ୍ରହଣ କରିଥାନ୍ତି। ଏଥିରେ ରାଜ୍ୟସଭାର ୨୩୩ ନିର୍ବାଚିତ ଓ ୧୨ ମନୋନୀତି ସଦସ୍ୟ ଓ ଲୋକ ସଭାର ୫୪୩ ନିର୍ବାଚିତ ଓ ଦୁଇ ମନୋନୀତି ସଦସ୍ୟ ଭୋଟ ଦେଇ ପାରନ୍ତି। ଏହିଭଳି ମୋଟ ୭୯୦ ମତଦାତା ମତଦାନରେ ଭାଗ ନେଇଥାନ୍ତି।

    ଶିଳାସ୍ମିତା ରାୟ

Back to top button