ବିଶ୍ୱ

୩ଥର ଭାରତ ଗସ୍ତରେ ଏଲିଜାବେଥ୍

ଲଂଣ୍ଡନ: ବ୍ରିଟେନର ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ସହ ଭାରତର କିଭଳି ସମ୍ପର୍କ ଥିଲା। ନିଜ ଜୀବନକାଳ ଭିତରେ ଭାରତକୁ ୩ଥର ଗସ୍ତରେ ଆସିଥିଲା ଏଲିଜାବେଥ୍। ୧୯୬୧, ୧୯୮୩ ଓ ୧୯୯୭ରେ ମହାରାଣୀଙ୍କ ଭାରତ ଗସ୍ତ ବେଶ୍ ସ୍ମରଣୀୟ ଥିଲା।

ବ୍ରିଟେନର ମହାରାଣୀ ଏଲିଜାବେଥ୍- ଦ୍ୱିତୀୟ ନିଜ ଜୀବଦଶା ଭିତରେ ୩ ଥର ଭାରତ ଗସ୍ତରେ ଆସିଥିଲେ। ୧୯୬୧, ୧୯୮୩ ଓ ୧୯୯୭ରେ ସେ ଭାରତର ଅତିଥି ହୋଇଥିଲେ। ୧୯୬୧ ଜାନୁଆରୀ ୨୧। ମହାରାଣୀ ଓ ତାଙ୍କ ସ୍ୱାମୀ ଯୁବରାଜ ଫିଲିପ୍ ପ୍ରଥମ କରି ଭାରତ ଗସ୍ତରେ ଆସିଥିଲେ। ମହାରାଣୀ ପାଲାମ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ପୂର୍ବରୁ ଉପସ୍ଥିତି ତତ୍କାଳୀନ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ଓ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ତାଙ୍କୁ ସ୍ୱାଗତ କରିଥିଲେ। ସାଧାରଣତନ୍ତ୍ର ଦିବସରେ ଅତିଥି ହୋଇଥିଲେ ରାଣୀ। ରାଷ୍ଟ୍ରପତି ଡକ୍ଟର ପ୍ରସାଦଙ୍କ ସହ ଘୋଡ଼ାଗାଡ଼ିରେ ବସି ରାଷ୍ଟ୍ରପତି ଭବନକୁ ଯାଇଥିଲେ ମହାରାଣୀ। ଭାରତ ଭ୍ରମଣ ବେଳେ ମହାରାଣୀ କାଶୀ ଗସ୍ତରେ ଯାଇ ସେଠାରେ କାଶୀର ତତ୍କାଳୀନ ମହାରାଜା ବିଭୂତି ନାରାୟଣ ସିଂଙ୍କ ସହ ହାତୀ ଉପରେ ବସି ବୁଲିଥିଲେ। ଭାରତର ସୌନ୍ଦର୍ଯ୍ୟର ପ୍ରତୀକ ତାଜମହଲ ବି ପରିଦର୍ଶନ କରିଥିଲେ। ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କ ସମାଧିପୀଠ ଦେଖିଥିଲେ। ଭିଜିଟର ବୁକରେ ମହାରାଣୀ ଓ ପ୍ରିନ୍ସ ଫିଲିପଙ୍କ ଲେଖା ଓ ଦସ୍ତଖତ ରହିଛି। ୧୯୮୩ରେ କମନଓ୍ୱେଲଥ ଦେଶଗୁଡ଼ିକ ବୈଠକରେ ବାଗ ନେବାକୁ ଦ୍ୱିତୀୟ ଥର ଭାରତ ଗସ୍ତରେ ଆସିଥିଲେ ମହାରାଣୀ। ଏହି ଅବସରରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ସାକ୍ଷାତ କରିଥିଲେ।  ତତ୍କାଳୀନ ରାଷ୍ଟ୍ରପତି ଜ୍ଞାନୀ ଜେଲ୍ ସିଂଙ୍କ ଆମନ୍ତ୍ରଣ କ୍ରମେ ଦମ୍ପତ୍ତି ରାଷ୍ଟ୍ରପତି ଭବନର ଆତିଥେୟତା ଗ୍ରହଣ କରିଥିଲେ।  ଏତିକିବେଳେ ମଦର ଟେରେସାଙ୍କୁ ଅର୍ଡର ଅଫ ମେରିଟ୍ ସମ୍ମାନରେ ସମ୍ମାନିତ କରିଥିଲେ ମହାରାଣୀ। ୧୯୯୭ରେ ମହାରାଣୀ ତୃତୀୟ ତଥା ଶେଷଥର ଲାଗି ଭାରତ ଗସ୍ତରେ ଆସିଥିଲେ। ଭାରତ ସ୍ୱାଧୀନତାର ୫୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ତାଙ୍କୁ ରାଷ୍ଟ୍ରପତି ଭବନରେ ଗାର୍ଡ ଅଫ ଅନର ଦିଆଯାଇଥିଲା। ଏହି ଗସ୍ତ ବେଳେ ମହାରାଣୀ ପଞ୍ଜାବର ସ୍ୱର୍ଣ୍ଣ ମନ୍ଦିର ପରିଦର୍ଶନ କରିଥିଲେ। ଅମ୍ରିତସରରେ ଥିବା ଜାଲିଆନାଓ୍ୱାଲାବାଗ୍ ସ୍ମୃତିପୀଠ ବି ବୁଲି ଦେଖିଥିଲେ ମହାରାଣୀ। ଆଉ କହିଥିଲେ କି, ଏହା କୌଣସି ଗୁପ୍ତ କଥା ନୁହେଁ। ଆମର ଅତୀତର ଏପିସୋଡ୍ ଅନେକ କଷ୍ଟ ଓ ସଂଘର୍ଷ ଦେଇ ଗତି କରିଛି। ଜାଲିଆନାଓ୍ୱାଲା ବାଗ୍ ହତ୍ୟାକାଣ୍ଡ ଏହାର ବଳିଷ୍ଠ ଉଦାହରଣ।  ନିଜ ଶାସନ କାଳରେ ସେ ଭାରତର ତିନି ଜଣ ରାଷ୍ଟ୍ରପତିଙ୍କୁ ଆତିଥେୟତା ପ୍ରଦାନ କରିଥିଲେ। ୧୯୬୩ରେ ସର୍ବପଲ୍ଲୀ ରାଧାକ୍ରିଷ୍ଣନ, ୧୯୯୦ରେ ଆର.ଭେଙ୍କଟରମଣ ଓ ୨୦୦୯ରେ ପ୍ରତିଭା ପାଟିଲ୍।

  • ପ୍ରଦୀପ ନାୟକଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button