ମୁଲାୟମଙ୍କ ନିଧନରେ ୟୁପିରେ ୩ ଦିନିଆ ରାଷ୍ଟ୍ରୀୟ ଶୋକ

Spread the love

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସପା ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଯୋଗୀ ମୁଲାୟମଙ୍କ ପୁଅ ତଥା ସପା ମୁଖ୍ୟ ଅଖିଳେଶ ଯାଦବ ଓ ତାଙ୍କ ଭାଇ ରାମଗୋପାଳ ଯାଦବଙ୍କୁ ଫୋନ କରି ସମବେଦନା ଜଣାଇଛନ୍ତି।

ଯୋଗୀ ଟ୍ବିଟ କରି କହିଛନ୍ତି କି, ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ସମାଜବାଦୀ ପାର୍ଟିର ସଂସ୍ଥାପକ ମୁଲାୟମ ସିଂହ ଯାଦବଙ୍କ ନିଧନ ଅତ୍ୟନ୍ତ ଦୁଃଖଦାୟକ। ତାଙ୍କ ମୃତ୍ୟୁରେ ସମାଜବାଦର ପ୍ରମୁଖ ସ୍ତମ୍ଭ ଓ ସଂଘର୍ଷଶୀଳ ଯୁଗର ଅନ୍ତ ହୋଇଛି।

ମୁଲାୟମଙ୍କ ନିଧନ ପରେ ଯୋଗୀ ରାଜ୍ୟରେ ୩ ଦିନିଆ ରାଜକୀୟ ଶୋକ ଘୋଷଣା କରିଛନ୍ତି। ତାଙ୍କ ଅନ୍ତିମ ସଂସ୍କାର ପୂର୍ଣ୍ଣ ରାଜକୀୟ ସମ୍ମାନର ସହ କରିବାକୁ ଘୋଷଣା କରିଛନ୍ତି ଯୋଗୀ।

ମୁଲାୟମ ସୋମବାର ସକାଳେ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ସେ ତିନି ଥର ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଓ ଆଠ ଥର ବିଧାୟକ ଥିଲେ। ସେ ଦେଶର ରକ୍ଷାମନ୍ତ୍ରୀ ମଧ୍ୟ ରହିଥିଲେ।

Leave a Reply

Your email address will not be published. Required fields are marked *