ଚଳିତ ବର୍ଷ ୩୦ ବାଘଙ୍କ ମୃତ୍ୟୁ ରେକର୍ଡ

Spread the love

ନୂଆଦିଲ୍ଲୀ: ଚଳିତ ବର୍ଷରେ ଏପର୍ଯ୍ୟନ୍ତ ଦେଶରେ ୩୦ ବାଘଙ୍କ ମୃତ୍ୟୁ ହୋଇଛି। ମାତ୍ର ୫୭ ଦିନରେ ଏତେ ସଂଖ୍ୟାରେ ବାଘଙ୍କ ମୃତ୍ୟୁକୁ ନେଇ ନାସନାଲ ଟାଇଗର କଞ୍ଜରଭେଶନ ଅଥୋରିଟି ବା ଏନଟିସିଏ କହିଛି କି, ଏଥିରେ କୌଣସି ଆଶ୍ଚର୍ଯ୍ୟ ଚକିତ ହେବାର କଥା ନାହିଁ। କାରଣ ସାଧାରଣତଃ ଜାନୁଆରୀ-ମାର୍ଚ୍ଚ ମଧ୍ୟରେ ବାଘଙ୍କ ମୃତ୍ୟୁ ବଢିଥାଏ। ଏହି କ୍ରମରେ ଦେଶର ବହୁ ଟାଇଗର ରିଜର୍ଭରେ ଓ ରିଜର୍ଭ ବାହାରେ ବାଘଙ୍କ ମୃତ୍ୟୁ ହୋଇଛି।

ମିଡିଆ ରିପୋର୍ଟ ମୁତାବକ, ଏପର୍ଯ୍ୟନ୍ତ କାହ୍ନା, ପନ୍ନା, ରଣଥମ୍ଭୈର, ପେଞ୍ଚ, କାମ୍ବେର୍ଟ, ସତପୁଡା, ଔରଙ୍ଗ, କାଜିରଙ୍ଗା ଓ ସତ୍ୟମଙ୍ଗଳମ ରିଜର୍ଭରେ ବାଘ ମୃତ ଘଟଣା ସାମ୍ନାକୁ ଆସିଛି। ୩୦ ମୃତ୍ୟୁରୁ ୧୬ଟି ରିଜର୍ଭ ବାହାରେ ହୋଇଛି। ମଧ୍ୟପ୍ରଦେଶରେ ସବୁଠାରୁ ଅଧିକ ୯ ବାଘଙ୍କ ମୃତ୍ୟୁ ହୋଇଛି। ଏହା ପଛକୁ ରହିଛି ମହାରାଷ୍ଟ୍ର, ଯେଉଁଠି ୭ ବାଘ ମରିଛନ୍ତି। ତେବେ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ ବାଘ ମୃତ୍ୟୁ ସଂଖ୍ୟା ଅଧିକ ନେଇ ଏନଟିସିଏ ପକ୍ଷରୁ କୁହାଯାଇଛି କି, ଏହି ଦୁଇ ରାଜ୍ୟରେ ବାଘଙ୍କ ସଂଖ୍ୟା ଅଧିକ ରହିଛି।

ନାସନାଲ ଟାଇଗର ରିଜର୍ଭ ଅଧିକାରୀଙ୍କ ଅନୁଯାୟୀ ବାଘଙ୍କ ମୃତ୍ୟୁ ଚିନ୍ତାର କାରଣ ନୁହେଁ। ଏହା ଏକ ସ୍ବାଭାବିକ ପ୍ରକ୍ରିୟା। ଜାନୁଆରୀରୁ ମାର୍ଚ୍ଚ ମଧ୍ୟ ଅଧିକ ବାଘଙ୍କ ମୃତ୍ୟୁ ହୋଇଥାଏ। ଏହି ସମୟରେ ବାଘମାନେ ନିଜ କ୍ଷେତ୍ର ଛାଡି ବାହାରକୁ ବାହାରିଥାନ୍ତି। ଏଥିପାଇଁ ବାଘଙ୍କ ମଧ୍ୟରେ ସଂଘର୍ଷ ହୋଇଥାଏ ଓ ଏହା ବାଘ ମୃତ୍ୟୁର କାରଣ ହୋଇଥାଏ। ପ୍ରତି ବର୍ଷ ଦେଶରେ ୨୦୦ ବାଘଙ୍କ ମୃତ୍ୟୁ ହେଉଥିବା ଏନଟିସିଏ ପକ୍ଷରୁ କୁହାଯାଇଛି। ଅଧିକାରୀ ଆହୁରି କହିଛନ୍ତି କି, ଦେଶରେ ବର୍ତ୍ତମାନ ୬% ହାରରେ ବାଘ ବଂଶ ବୃଦ୍ଧି ପାଉଛି। ତେଣୁ ବାଘ ମୃତ୍ୟୁକୁ ନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ।

ସୂଚନା ଯୋଗ୍ୟ, ସାଧାରଣତଃ ବାଘର ଆୟୁଷ ୧୨ ବର୍ଷ। ଚଳିତ ବର୍ଷ ମଧ୍ୟ ବାଘ ବଂଶ ୬% ବୃଦ୍ଧି ହେବାର ଆଶା ରହିଛି। ଏହା ପୂର୍ବରୁ ୨୦୨୨ରେ ଦେଶରେ ୧୨୧ ବାଘଙ୍କ ମୃତ୍ୟୁ ହୋଇଥିଲା, ଯେଉଁଥିରେ ମଧ୍ୟ ପ୍ରଦେଶରେ ୩୪, ମହାରାଷ୍ଟ୍ରରେ ୨୮, କର୍ଣ୍ଣାଟକରେ ୧୯ ମୃତ୍ୟୁ ହୋଇଥିଲା।ସେହିପରି ୨୦୨୧ରେ ୧୨୭ ବାଘଙ୍କ ମୃତ୍ୟୁ ରେକର୍ଡ କରାଯାଇଥିଲା। ତେବେ ବିଶ୍ବରେ ସର୍ବାଧିକ ବାଘ ଭାରତରେ ରହିଛି, ଯାହା ୨,୯୬୭ ଅଛି।

Leave a Reply

Your email address will not be published. Required fields are marked *