ଆଦାନୀ ଝଡ଼ରେ ଅଚଳ ହୋଇଗଲା ସଂସଦ

Spread the love

() ସଂସଦ ହୁଲସ୍ତୁଲ। ଆଦାନୀ ଝଡ଼ରେ ଅଚଳ ହୋଇଗଲା ସଂସଦ। ଆଦାନୀ ଗ୍ରୁପ୍ ବିପୁଳ କ୍ଷତି ସହିଲାଣି। ବଡ଼ ହେରଫେରର ଆରୋପ ଆସିଲାଣି। ସେୟାର ତଳକୁ ଖସିଚାଲିଛି। ହେଲେ ଏହି ଗ୍ରୁପରେ ନିବେଶ କରିଥିବା ଏଲଆଇସି, ଏସବିଆଇ ସମେତ ଅନେକ ଆର୍ଥିକ ସଂସ୍ଥାରେ ଥିବା ଗରିବଙ୍କ ପଇସା ବାବଦରେ କାହିଁକି ପ୍ରଧାନମନ୍ତ୍ରୀ ନୀରବ ବୋଲି ପଚାରିଛନ୍ତି ବିରୋଧୀ। ଆରବିଆଇ, ଇଡି ଓ ସିବିଆଇ କଅଣ କରୁଛି। କିଛି ଏମିତି ଢଙ୍ଗରେ ସଂସଦରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ।

ଆଦାନୀ ଯେତେ ସ୍ପଷ୍ଟିକରଣ ଦେଲେ ବି ଏହାକୁ ମାନିବାକୁ ନାରାଜ୍ ବିରୋଧୀ। ଏକା ଜିଦ୍। ଆଦାନୀ ଗ୍ରୁପ ବିରୁଦ୍ଧରେ ଷ୍ଟକସ ହେରଫେର ଓ ଆର୍ଥିକ ଅନିୟମିତତାର ତଦନ୍ତ କରନ୍ତୁ ସରକାର। ପ୍ରଧାନମନ୍ତ୍ରୀ ସଂସଦରେ ବିବୃତ୍ତି ରଖନ୍ତୁ। ଅର୍ଥମନ୍ତ୍ରୀ କୁହନ୍ତୁ, ଆରବିଆଇ, ଇଡି ଓ ସିବିଆଇ କଅଣ କରୁଛନ୍ତି। ଏତେ ବଡ଼ ଦୁର୍ନୀତିରେ ସରକାରଙ୍କ ଅସମ୍ଭବ ନୀରବତା କାହିଁକି। ଆଦାନୀଙ୍କ ପାସପୋର୍ଟ ଜବତ କରନ୍ତୁ ସରକାର। ନଚେତ ନୀରବ ମୋଦି, ବିଜୟ ମାଲ୍ୟା, ମେହୁଲ ଚୋକସିଙ୍କ ଭଳି ଆଦାନୀ ବି ପଳାତକ ସାଜିପାରନ୍ତି। ତାହେଲେ କୋଟି କୋଟି ନିବେଶକଙ୍କ ଅବସ୍ଥା ଲାଗି ଦାୟୀ କିଏ ରହିବ। ଏମିତି ତମାମ ପ୍ରଶ୍ନ ଜାଲରେ ଆଦାନୀ ଗ୍ରୁପକୁ ନେଇ ସଂସଦରେ ସରକାରଙ୍କୁ ଛନ୍ଦି ଦେବାକୁ ପ୍ରୟାସ କରିଛନ୍ତି ବିରୋଧୀ।

ଅପରାହ୍ନ ୨ଟା ପରେ ବି ସମାନ ଅବସ୍ଥା ଦେଖିବାକୁ ମିଳିଥିଲା ସଂସଦରେ। ବିରୋଧୀଙ୍କ ହଟ୍ଟଗୋଳରୁ ସୁରୁଖୁରୁରେ ଚାଲିପାରିଲାନି ଗୃହ। ବାଧ୍ୟ ହୋଇ ଗୃହ କାର୍ଯ୍ୟ ଶୁକ୍ରବାର ୧୧ଟା ଯାଏ ମୁଲତବୀ ହୋଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ବିରୋଧୀଙ୍କୁ ଅନୁରୋଧ କରିଥିଲେ କି, ଚର୍ଚ୍ଚାକୁ ଆସନ୍ତୁ ବିରୋଧୀ। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାକୁ ଏଡାଇଯାଆନ୍ତୁନି। ହେଲେ ବିରୋଧୀ ଶୁଣିନଥିଲେ।

ଆଦାନୀ ଝଡ଼ରେ ଗୃହ ଅଚଳ ହୋଇଗଲା। ଶୁକ୍ରବାର ବି ସ୍ୱାଭାବିକ ହେବ କି ନାହିଁ ଗୃହ, ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *