ରେରା ନ୍ୟାୟ ଦେବ ବୋଲି ଆଶ୍ୱସ୍ତ କି ? ଜାଣିଶୁଣି ଫସନ୍ତୁନି-ଥରେ ଫସିଲେ ନାମ ନେବା ଥୟ

ଖିଲାଫି ବିଲଡରଙ୍କ ବିରୁଦ୍ଧରେ ବିହାର ରେରାର ବଡ଼ ଆକ୍ସନ। ସମ୍ପତ୍ତି ନିଲାମ କରି ଗ୍ରାହକଙ୍କୁ ଫେରାଇବ ଟଙ୍କା। ଯେଉଁ ବିଲଡର ଦୋଷୀ, ସେମାନଙ୍କ ସମ୍ପତ୍ତି ଜବତ ସହ ନିଲାମୀ ଅର୍ଥ କ୍ରେତାଙ୍କୁ ଫେରାଇବାକୁ ନିର୍ଦେଶ ଦେଇଛନ୍ତି ରେରା କୋର୍ଟ। ଏଥିଲାଗି ଏସଓପି ଜାରି କରିଛନ୍ତି। ଲମ୍ୱା ସମୟ ଧରି ଖିଲାଫି ଘୋଷିତ ବିଲଡରଙ୍କୁ ଆଉ ନିସ୍ତାର ନାହିଁ। ରିଅଲ ଇଷ୍ଟେଟ୍ ପ୍ରୋଜେକ୍ଚରେ ଫସିଥିବା ଗ୍ରାହକଙ୍କ ଅର୍ଥ ଫେରସ୍ତ ଲାଗି ବଡ଼ ପଦକ୍ଷେପ ନେଇଛନ୍ତି ବିହାର ରେରା। ଆଜିଯାଏ ଖିଲାଫି ବିଲଡର ଅବା ବନ୍ଦ ପଡ଼ିଥିବା ରିଅଲ ଇଷ୍ଟେଟ୍ ପ୍ରୋଜେକ୍ଟ ଭିତରେ ଗ୍ରାହକଙ୍କ ଫସିଥିବା ଟଙ୍କାକୁ ଫେରସ୍ତ ଲାଗି ଜିଲ୍ଲା ପ୍ରଶାସନର କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା କରିବାକୁ ପଡୁଥିଲା। କିନ୍ତୁ ଏବେ ରେରା ନିଜ ସ୍ତରରେ କାର୍ଯ୍ୟାନୁଷ୍ଠାନ କରିପାରିବେ।

ନୂଆ ଏସଓପି ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ପ୍ରମୋଟର କି ବିଲଡରର ଏଭଳି ସମ୍ପତ୍ତିକୁ ଖୋଜି ଠାବ କରାଯିବ। ସମ୍ପତ୍ତିର ବିବରଣୀ ପ୍ରସ୍ତୁତ ହେବ। ଏଥିଲାଗି ଆୟକର ବିଭାଗ, ସମ୍ୱନ୍ଧିତ ବ୍ୟାଙ୍କ ଓ କର୍ପୋରେଟର ମନ୍ତ୍ରଣାଳୟକୁ ଚିଠି ଲେଖାଯିବ। କମ୍ପାନୀ ସହ ଜଡ଼ିତ ଜମା ରାଶି, ସରକାରୀ ବନ୍ଧକ, ଋଣ, ସେୟାର, ବଣ୍ଡ ପେପର ବାବଦରେ ସୂଚନା ହସ୍ତଗତ ହେବ। ଏହା ସହ ଜିଲ୍ଲାପାଳଙ୍କଠୁ ଅସ୍ଥାବର ସମ୍ପତ୍ତି ତାଲିକା ଆସିବ। ଜିଲ୍ଲା ପରିବହନ ଅଧିକାରୀଙ୍କଠୁ ପ୍ରମୋଟର କମ୍ପାନୀର ନାଁରେ ଥିବା ଗାଡ଼ିଗୁଡିକର ବିବରଣୀ ମଗାଯିବ। ସବୁ ତଥ୍ୟ ହାସଲ ପରେ ପେପରରେ ସାର୍ବଜନୀନ ନୋଟିସ୍ ଦେଇ ସମସ୍ତଙ୍କୁ ଅବଗତ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ସମ୍ପତ୍ତିର ମୂଲ୍ୟାୟନ କରି ଜବତ ସମ୍ପତ୍ତିକୁ ନିଲାମ ନଚେତ୍ ବିକ୍ରି କରାଯିବ। ଏଥିଲାଗି ପ୍ରମୋଟର ଓ କମ୍ପାନୀରୁ ଲାଭାନ୍ୱିତ ହେଉଥିବା ପାର୍ଟନର, ଫାର୍ମ, ଟ୍ରଷ୍ଟର ବି ବ୍ୟାଙ୍କ ଖାତାକୁ ଫ୍ରିଜ୍ କରାଯିବ। ପ୍ରମୋଟରର ସ୍ଥାବର ଅସ୍ଥାବର ସମ୍ପତ୍ତିର ନିଲାମୀ କରି ଟଙ୍କା ଜମା କରାଯିବ। ଏହା ପରେ ଟଙ୍କା ଫେରସ୍ତ ଲାଗି ଫେରାଦ୍ ହୋଇଥିବା ହିତାଧିକାରୀଙ୍କୁ ନିଲାମୀ ସମ୍ପତ୍ତିରୁ ପାଇଥିବା ଟଙ୍କାକୁ କିସ୍ତି ଆକାରରେ ଫେରସ୍ତ କରାଯିବ। ଏହା ଛଡ଼ା ପ୍ରାଧିକରଣରେ ଅଭିଯୋଗ ଦାଖଲ କରିନଥିବା ଅନ୍ୟ ହିତାଧିକାରୀଙ୍କୁ ବି ଚିହ୍ନଟ କରି ସାର୍ବଜନୀନ ସୂଚନା ଜାରି କରାଯିବ। ଏହି ମାମଲାରେ ଆବଣ୍ଟିତ ହିତାଧିକାରୀଙ୍କୁ ଟଙ୍କା ଫେରସ୍ତ ଲାଗି ଦାବି ସହ ଉପଯୁକ୍ତ ସାକ୍ଷ୍ୟପ୍ରମାଣ ଦାଖଲ କରିବାକୁ ପଡ଼ିବ ରେରାରେ। ନିଲାମୀ ଅର୍ଥରୁ ପ୍ରଥମ କିସ୍ତି ରେରାରେ ଅଭିଯୋଗ ଦାଖଲକାରୀଙ୍କୁ କେବଳ ମୂଳ ରାଶି ହିଁ ଫେରସ୍ତ କରାଯିବ। ବୁକିଂ ଲାଗି ପ୍ରମୋଟରଙ୍କୁ ଦେଇଥିବା ଅର୍ଥରାଶି ହିଁ ଆଗ ଫେରାଯିବ। ପ୍ରଥମ କିସ୍ତିରେ ଯଦିଓ ଆବଣ୍ଟିତ ଗ୍ରାହକଙ୍କ ଭିତରେ ଟଙ୍କା ବାଣ୍ଟି ଆଉ କିଛି ବଳେ। ତା ହେଲେ ଦ୍ୱିତୀୟ କିସ୍ତିରେ ଆନୁପାତିକ ହାରରେ ସୁଧ ପରିଶୋଧ କରାଯିବ। କ୍ଷତିପୂରଣ ରାଶିର ବିତରଣ ଉପରେ ପ୍ରାଧିକରଣ ଅଲଗା ଭାବେ ନିଷ୍ପତ୍ତି ନେବେ। ସେଥିଲାଗି ସାବଧାନ୍ ବିଲଡର।

ବିହାର ଭଳି ଓଡ଼ିଶାରେ ବି ଅନୁରୂପ ନିୟମ ପ୍ରଣୟନ କରିବାକୁ ବିଚାର କରାଯାଉଛି। ଇନ୍ଦୋରରୁ ଆସିଛି ଆଉ ଏକ ବିଚିତ୍ର ଠକାମୀ। ନା ବିଲଡିଂ ପରମିଶନ। ନା ରେରାର ମଞ୍ଜୁରୀ। ଯେଉଁଠି ଚାଷ ହେଉଛି, ସେଇଠି ଫ୍ଲାଟ୍ ବିକୁଛନ୍ତି ବିଲଡର। ୪ ବର୍ଷ ପରେ ପୁଣି ପ୍ରୋଜେକ୍ଚ ସମ୍ପୂର୍ଣ୍ଣ ହେବ ବୋଲି କହୁଛି ବିଲଡର ସଂସ୍ଥା। ବିନା ରେରା ଅନୁମୋଦନରେ ପ୍ରି-ଲଞ୍ଚିଂ ନାଁରେ ଚାଲିଛି ଗ୍ରାହକଙ୍କ ସହ ମୂଲଚାଲ। ସାଢ଼େ ୩ ବର୍ଷରୁ ୪ବର୍ଷ  ପରେ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବ। କିନ୍ତୁ ଏବେଠୁ ବୁକିଂ ଆରମ୍ଭ ହୋଇଗଲାଣି। ବିଲଡିଂ ଆପ୍ରୁଭାଲ୍ ବିନା ଲୋକଙ୍କଠୁ ନଗଦ ରାଶି ନେଇ ବୁକିଂ ଜାରି ରହିଛି। ଚାଷ ଜମି ଉପରେ ରେସିଡେନ୍ସିଆଲ ପ୍ରୋଜେକ୍ଟର ବ୍ରୋକ୍ୟୋର ଦେଖାଇ ସଉଦାବାଜି ଚାଲିଛି। ଲୋକେ ବି ଲୋଭନୀୟ ବ୍ରୋଚର ଦେଖି ବିନା ବୁଝାସୁଝାରେ ଏଭଳି ଠକଙ୍କ ହାବୁଡ଼ରେ ପଡ଼ୁଛନ୍ତି। ଏଇ ଯେମିତି ଉଜ୍ଜୈନ ରୋଡରୁ ପାଲିୟା ରେଲଓ୍ୱେ ଷ୍ଟେସନକୁ ଯିବା ରାସ୍ତାରେ ସଡ଼କକୁ ଲାଗି ବର୍ଦ୍ଧମାନ ଆଇରିସ୍ କରିଡ଼ର ନାଁରେ ରେସିଡେନ୍ସିଆଲ କଲୋନୀର ବ୍ରୋଚର ଭାଇରାଲ କରାଯାଉଛି। ରାସ୍ତାରୁ ୧ କିଲୋମିଟର ଭିତରକୁ ଗଲେ ଯେଉଁ କଲୋନୀର କଥା ବିଜ୍ଞାପିତ କରାଯାଇଛି। ସେଠାକୁ ନା ରାସ୍ତା ଅଛି ନା ପ୍ଲାନ୍ ଆପ୍ରୁଭାଲ ଅଛି। କେବଳ ହିଡ଼ ହିଁ ହିଡ଼। ପ୍ଲାନ୍ ପାଇସାରିଥିବା କଲୋନୀର ଯେଉଁ ସାଇଡକୁ ଦେଖାଇ ମାଫିଆମାନେ ଲୋକଙ୍କୁ ପ୍ରଲୋଭନର ପାଲରେ ପକାଇବାକୁ ମସୁଧା କରୁଛନ୍ତି। ସେହି ଅଂଶରେ ଚାଷ ଚାଲିଛି।

ପ୍ରି-ଲଞ୍ଚିଂ ନାଁରେ ବର୍ଗଫୁଟ ପିଛା ୩ହଜାର ହିସାବରେ ଫ୍ଲାଟ୍ ବୁକିଂ ଆରମ୍ଭ ହୋଇସାରିଲାଣି। କିନ୍ତୁ ସଂପୃକ୍ତ ଟାଉନସିପ ବିଲଡର ଭରତ ଜୈନଙ୍କ ସଫେଇ ହେଉଛି, ନବରାତ୍ରରେ ରେରା ଆପ୍ରୁଭାଲ ଆସିଯିବ। ତା ପରେ କଲୋନୀର ଲଞ୍ଚ୍ ହେବ। ପ୍ରି-ଲଞ୍ଚିଂ ବୁକି କରୁନୁ। ଯେବେକି ବାସ୍ତବତା ଭିନ୍ନ। ସେପଟେ ଖାଲି ଜମି ଉପରେ ଆଖିଦୃଶିଆ ବୋର୍ଡ ମାରି ବର୍ଗଫୁଟ ପିଛା ୬ହଜାର୫ଶହ ଟଙ୍କା କହି କମର୍ସିଆଲ ପ୍ଲଟ କରି ଚୂନ ଲଗାଉଛନ୍ତି ଆଉ କିଛି ପ୍ରମୋଟର। ସୁପର କରିଡ଼ରରେ ଭାଇବ୍ରାଣ୍ଟ୍ ସୀତା ନେକ୍ସଟଜେନ୍ ନାମରେ କମର୍ସିଆଲ ପ୍ରୋଜେକ୍ଟର ବ୍ରାଣ୍ଡିଂ କରିଛନ୍ତି।  ଜମି ଉପରେ ବୋର୍ଡ ମାରି ପ୍ରି-ଲଞ୍ଚିଂ ନାଁରେ ଅଫର୍ସ ଦେଇ ସଉଦା ଚାଲିଛି। ବୁକିଂ କଲେ ୧୨.୫ ପ୍ରତିଶତ ନଗଦ ରାଶି ପୈଠ କରିବାକୁ ପଡିବ। ପ୍ରୋଜେକ୍ଟର ସେଲସ ଟିମ୍ କହିବା କଥା, ୩୫୦ ବର୍ଗଫୁଟରୁ ନେଇ ୨୪ଶହ ବର୍ଗଫୁଟ ଯାଏ ଦପ୍ତର ରହିଛି। ରେରା ଆପ୍ରୁଭାଲ ଆସିନି। ସମୟ ଲାଗିବ। କୌଣସି ପ୍ରି-ଲଞ୍ଚିଂ ବୁକିଂ ନେଉନାହୁଁ। ଯେବେକି ବୋର୍ଡରେ ଲେଖାଥିବା ନମ୍ୱରରେ ଯୋଗାଯୋଗ କରି ବୁକିଂ ନେବା ଜାରି ରହିଛି। କେବଳ ଏଇଠି ନୁହେଁ। ବାଇପାସ୍ ସୁଲାଖେଡ଼ିରୁ ପ୍ରାୟ ସାଢ଼େ ୫ କିଲୋମିଟର ଦୂର ଭାଇବ୍ରାଣ୍ଟ ଫର୍ଚ୍ୟୁନ ନାଁରେ ରେସିଡେନ୍ସିଆଲ ଟାଉନସିପ୍ ରେ ଫ୍ଲାଟର ପ୍ରି-ଲଞ୍ଚିଂ ବୁକିଂ ନେବା ଜାରି ରହିଛି। ଏଠାରେ ପ୍ରତି ବର୍ଗଫୁଟ ରେଟ୍ ରହିଛି ୨୭ଶହ ଟଙ୍କା। ବିନା ରେରା ରେଜିଷ୍ଟ୍ରେସନ ଓ ଆପ୍ରୁଭାଲ୍ ବିନା ହାଉସିଂ ଓ କମର୍ସିଆଲ ପ୍ରୋଜେକ୍ଟକୁ କିଣାବିକା କରାଯାଇପାରିବନି।

ନିୟମ ମୁତାବକ ଆଗ ପ୍ରକଳ୍ପକୁ ରେରାରେ ପଞ୍ଜିକରଣ କରିବାକୁ ପଡ଼େ। ଯଦି କୌଣସି ପ୍ରମୋଟର ରେରା ପ୍ରାଧିକରଣରେ ପ୍ରକଳ୍ପକୁ ପଞ୍ଜୀକୃତ କରିନଥିବେ, ତା ହେଲେ ସେହି ପ୍ରକଳ୍ପ ଉପରେ ୧୦ ପ୍ରତିଶତ ଯାଏ ଜରିମାନା ଲାଗିପାରେ। ବିନା ରେରା ପଞ୍ଜୀକରଣରେ ପ୍ରକଳ୍ପକୁ ବିଜ୍ଞାପିତ କରିବା ବି ବେଆଇନ୍। ସେଥିଲାଗି ନିଜେ ସାବଧାନ ନହେଲେ ଠକିବା ଥୟ। ଘର କି ଫ୍ଲାଟ କରିବାର ମୋହରେ ପଡ଼ି ଆଉ ସବୁ ଭୁଲିଗଲେ କଷ୍ଟ ଉପାର୍ଜିତ ଧନ ପାଣିରେ ପଡ଼ିଲା ଜାଣନ୍ତୁ। ବିହାର ରେରା ଭଳି ଅନ୍ୟ ରାଜ୍ୟର ରେରା ଗ୍ରାହକଙ୍କୁ ଆଶ୍ୱସ୍ତ ଲାଗି ଏମିତି ଏସଓପି ଯେ ଆଣିବେ, ତାହା କହିବା ମୁସ୍କିଲ। ଥରେ ଟଙ୍କା ଫସିଲେ, ଫେରସ୍ତ ପାଇବା କେତେ କଷ୍ଟ। ଆଉ ଟଙ୍କା ଫେରିପାଇବା ଲାଗି ବିଲଡରର ହାତ ଗୋଡ଼ ଧରି ଦୌଡ଼ି ଦୌଡ଼ି ନୟାନ୍ତ ହେବା ସାର ବି ହୁଏ। ଅନୁଭବୀଠୁ କିଏ ବା ଅଧିକ ଜାଣେ। ସେଥିଲାଗି ବେଳୁ ସାବଧାନ ହୁଅନ୍ତୁ କ୍ରେତା।

ପ୍ରଦୀପ ନାୟକଙ୍କ ରିପୋର୍ଟ, ନକ୍ଷତ୍ର ନ୍ୟୁଜ୍..।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *