ସେନାରେ ଶୀଘ୍ର ସାମିଲ ହେବ ପ୍ରଳୟ ମିସାଇଲ

Spread the love

ନୂଆଦିଲ୍ଲୀ: ଚୀନ ସହ ସୀମାରେ ଜାରି ବିବାଦ ଭିତରେ ଭାରତୀୟ ସେନାକୁ ମିଳିବାକୁ ଯାଉଛନ୍ତି ଶକ୍ତିଶାଳୀ ବାଲିଷ୍ଟିକ ମିସାଇଲ ପ୍ରଳୟ। ଏହି ମିସାଇଲ ୧୫୦ରୁ ୫୦୦ କିଲୋମିଟର ଦୂରତା ମଧ୍ୟରେ ଲକ୍ଷ୍ୟ ଭେଦ କରିବାର କ୍ଷମତା ରଖିଛି।

ସେନା ସୂତ୍ରକୁ ମିଳିଥିବା ସୂଚନା ମୁତାବକ, ଚଳିତ ସପ୍ତାହରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ମିସାଇଲକୁ ସେନାରେ ସାମିଲ କରିବାକୁ ଭାରତୀୟ ସେନା ପକ୍ଷରୁ ଏକ ପ୍ରସ୍ତାବ ଦିଆଯାଇଥିଲା। ଉଚ୍ଚ କର୍ତ୍ତୃପକ୍ଷଙ୍କ କ୍ଲିୟରାନ୍ସ ପରେ ଏହା ସେନାରେ ସାମିଲ ହୋଇଯିବ।

ବର୍ତ୍ତମାନ ଏକ ରକେର୍ଟ ଫୋର୍ସ ତିଆରି କରିବା ଉପରେ  ଭାରତୀୟ ସେନା କାର୍ଯ୍ୟକରୁଥିବା ବେଳେ ପ୍ରତିରକ୍ଷା ମନ୍ତ୍ରଣାଳୟ ଉଚ୍ଚସ୍ତରୀୟ ବୈଠକରେ ଏହାକୁ ଗୁରୁତ୍ବ ଦିଆଯାଉଛି। ନିକଟରେ ନୌସେନା ପ୍ରମୁଖ ଆଡମିରାଲ ଆର ହରି କୁମାର କହିଥିଲେ କି, ସ୍ବର୍ଗତ ବିପିନ ରାୱାତ ସୀମାରେ ଶତ୍ରୁପକ୍ଷକୁ ଉପଯୁକ୍ତ ଜବାବ ଦେବାକୁ ଏକ ରକେଟ ଫୋର୍ସର ପ୍ରସ୍ତୁତି କରିଥିଲେ।

ଗତ ବର୍ଷ ଡିସେମ୍ବର ମାସରେ ଲଗାତର ଦୁଇ ଦିନ ଧରି ଏହି ମିସାଇଲର ସଫଳ ପରୀକ୍ଷଣ କରାଯାଇଥିଲା ଓ ସେବେଠାରୁ ସେନା ଏହି ମିସାଇଲ ପାଇବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛି।

ପ୍ରଳୟ ମିଶାଇଲ ୧୫୦ – ୫୦୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିବାର ଦକ୍ଷତା ହାସଲ କରିଥିବା ବେଳେ ସଲିଡ ଉତକ୍ଷେପଣ  ରକେଟ ମୋଟର ଓ ଅନ୍ୟାନ୍ୟ ବୈଷୟିକ ଜ୍ଞାନରେ ସମୃଦ୍ଧ ରହିଛି।

ମିସାଇଲ ମାର୍ଗଦର୍ଶନ ପ୍ରଣାଳୀରେ ଅତ୍ୟାଧୁନିକ ନେଭିଗେସନ ଓ ଏକିକୃତ ବୈଜ୍ଞାନିକ ଜ୍ଞାନକୁ ପ୍ରୟୋଗ କରାଯାଇଛି। ଏହା ଏକ ଅର୍ଦ୍ଧ ବେଲିଷ୍ଟିକ ମିସାଇଲ, ଯାହା ସ୍ଥଳ ଭାଗରୁ ସ୍ଥଳ ଭାଗକୁ କ୍ଷେପଣ କରାଯାଇପାରିବ। ଏହା ଇଣ୍ଟରସେପ୍ଟର ମିସାଇଲକୁ ସମ୍ମୁଖୀନ କରିବାର କ୍ଷମତା ରଖିଛି। ଏହା ଆବଶ୍ୟକ ସ୍ଥଳରେ କିଛି ବାଟ ଯିବା ପରେ ନିଜ ଗତିପଥ ମଧ୍ୟ ବଦଳାଇ ନିର୍ଦ୍ଦିଷ୍ଟ ଦୂରତା ଭିତରେ ଲକ୍ଷ୍ୟ ଭେଦ କରି ପାରିବ।

ପ୍ରଳୟ ସେନାରେ ସାମିଲ ହେଲେ ସେନା ଅଧିକ ଶକ୍ତିସମ୍ପନ୍ନ ହେବା ସହ ଶତ୍ରୁ ପକ୍ଷକୁ ଉପଯୁକ୍ତ ଜବାବ ଦେବାରେ ସକ୍ଷମ ହେବ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *