କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତି ବିରୁଦ୍ଧରେ ଆଜି ଟ୍ରେଡ୍ ୟୁନିଅନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଶ୍ରମିକ ବିରୋଧୀ ୪ଟି ଶ୍ରମ କାର୍ଡ ବାତିଲ୍, କୃଷି ଉତ୍ପାଦନର ଏମଏସପି ଆଇନ ପ୍ରଣୟନ, ଅଙ୍ଗନଓ୍ୱାଡ଼ି, ଆଶା ଓ ପାଚିକାଙ୍କୁ ଓ୍ୱାର୍କର ମାନ୍ୟତା, ମାସିକ ସର୍ବନିମ୍ନ ୨୬ହଜାର ଟଙ୍କା ମଜୁରୀ, ଦରବୃଦ୍ଧିକୁ ଲଗାମ ଓ ପୁରୁଣା ପେନସନ ସ୍କିମ୍ ଲାଗୁ ଆଦି ଦାବିରେ ଶ୍ରମିକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଭାରତ ବନ୍ଦ ଡାକରା ଦେଇଥିବା ଶ୍ରମିକ ସଂଗଠନ କେଉଁଠି ଜାତୀୟ ରାଜପଥ ଅବରୋଧ କରିଥିଲେ ତ କେଉଁଠି ପିକେଟିଂ। ରାସ୍ତା ଉପରେ ଟାୟାର ଜାଳି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ନାରାବାଜି କରିଥିଲେ। ବନ୍ଦରୁ ଅତ୍ୟାବଶକୀୟ ସେବାକୁ ବାଦ୍ ଦିଆଯାଇଥିଲା। ଓଡ଼ିଶାର କୋଣ ଅନୁକୋଣରେ ଏହାର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଥିଲା। ସକାଳୁ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା। ରାସ୍ତାା ଅବରୋଧ ଲାଗି ଶତାଧିକ ଗାଡ଼ି ଅଟକି ରହିଥିଲା। ଯାତ୍ରୀମାନେ ବି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଦେଶବ୍ୟାପୀ ହରତାଳକୁ ସଫଳ କରିବା ଉଦ୍ଦେଶ୍ୟରେ ମୋଟ୍ ୧୭ ଦଫା ଦାବିରେ ଦେଶବ୍ୟାପୀ କେନ୍ଦ୍ରୀୟ ଶ୍ରମିକ ସଂଗଠନ, ସ୍ୱାଧୀନ ଫେଡେରେସନ ଓ ସଂଯୁକ୍ତ କୃଷକମୋର୍ଚ୍ଚା ମିଳିତ ଭାବେ ଭାରତବନ୍ଦ ଆନ୍ଦୋଳନରେ ସାମିଲ୍ ହୋଇଥିଲେ। ଟ୍ରେଡ୍ ୟୁନିଅନ ସାଙ୍ଗକୁ ଡ୍ରାଇଭର ମହାସଂଘର ବନ୍ଦ ଡାକରା ଲାଗି ପ୍ରଭାବିତ ହୋଇଛି ତେଲ ଯୋଗାଣ। ଭୁବନେଶ୍ୱରରେ ସବୁ ପେଟ୍ରୋଲ ଟାଙ୍କି ବନ୍ଦ ରହିଛି। ବାଲେଶ୍ୱର, ଜଟଣୀ, ପାରାଦୀପରେ ବାମପଂଥୀ ଦଳ ଗାଡ଼ି ବନ୍ଦ କରିବା ଦ୍ୱାରା ତେଲ ପରିବହନ ବନ୍ଦ ରହିଛି। ଯେତିକି ତେଲ ଥିଲା, ବୁଧବାର ସୁଦ୍ଧା ସରିଯିବ ବୋଲି କହିଛନ୍ତି ପେଟ୍ରୋଲ ପମ୍ପ ମାଲିକ ସଂଘ। ଡ୍ରାଇଭରଙ୍କ ଧର୍ମଘଟ ଜାରି ରହିଲେ, ତେଲ ସଙ୍କଟ ଦେଖାଦେବ। ମଙ୍ଗଳବାର ଡ୍ରାଇଭର ମହାସଂଘ ସହ ପରିବହନ ମନ୍ତ୍ରୀ ୪ ଘଣ୍ଟା ଧରି ଆଲୋଚନା କରିଥିଲେ। ସେମାନଙ୍କ ଦାବି ପୂରଣ ଦିଗରେ ସରକାର ସକରାତ୍ମକ ଚିନ୍ତାରେ ଅଛନ୍ତି ବୋଲି କହିଥିଲେ ପରିବହନ ମନ୍ତ୍ରୀ। ଆଲୋଚନା ପରେ ଡ୍ରାଇଭର ମହାସଂଘ ଆନ୍ଦୋଳନରୁ ଓହରିଯିବେ ବୋଲି ଆଶା କରିଥିଲେ ସରକାର। ତେବେ ଆଲୋଚନାକୁ ଡ୍ରାଇଭର ମହାସଂଘ ଆସିନଥିଲା। କେରଳରେ ଭାରତ ବନ୍ଦର ପ୍ରଭାବ ବେଶ୍ ଅନୁଭୂତ ହୋଇଥିଲା। ଦୋକାନବଜାର ସବୁ ବନ୍ଦ ଥିଲା। ଅଖଚକ ବନ୍ଦ ଥିଲା। କୋଲକାତାର ହାଓ୍ୱଡ଼ାରେ ଦୋକାନ ବଜାର ପିକେଟିଂ କରି ବନ୍ଦ କରୁଥିଲା ବେଳେ ପୁଲିସ ଆନ୍ଦୋଳନକାରୀଙ୍କ ଉପରକୁ ଲାଠିଚାର୍ଜ କରିଛି। ରେଳ ରୋକ କରିଥିଲେ ଆନ୍ଦୋଳନକାରୀ। ସୁରକ୍ଷା ଦୃଷ୍ଟିରୁ ପଶ୍ଚିମବଙ୍ଗ ଓ କର୍ଣ୍ଣାଟକରେ ସରକାରୀ ବସ୍ ଗାଡ଼ି ଚାଳକ ହେଲମେଟ ପିନ୍ଧି ବସ ଚଲାଇଛନ୍ତି। ବ୍ୟାଙ୍କ, ବୀମା, ପୋଷ୍ଟ ଅଫିସ, କୋଲ୍ ମାଇନିଂ, ହାଇଓ୍ୱେ ଓ କନଷ୍ଟ୍ରକସନ କ୍ଷେତ୍ରରୁ ୨୫ କୋଟି କର୍ମଚାରୀ ଆନ୍ଦୋଳନରେ ଥିଲେ। କେନ୍ଦ୍ର ସରକାର ଆର୍ଥିକ ସଂସ୍କାର ଆଳରେ ଶ୍ରମିକଙ୍କ ଅଧିକାରକୁ ଦୁର୍ବଳ କରୁଥିବାର ଆରୋପ ଲଦିଛନ୍ତି ସଂଗଠନ। ପବ୍ଲିକ ଟ୍ରାନ୍ସପୋର୍ଟରୁ ପାଓ୍ୱାର ସପ୍ଲାଏ। ପୋଷ୍ଟାଲ ସର୍ଭିସରୁ ବ୍ୟାଙ୍କିଂ ସେବା। ସବୁ ପ୍ରଭାବିତ ହୋଇଥିଲା। ଭାରତବନ୍ଦର ପ୍ରଭାବ ସବୁଠି ଅନୁଭୂତ ହୋଇଥିଲା। କିନ୍ତୁ କେନ୍ଦ୍ର ସରକାରଙ୍କ ଉପରେ ଏହି ବନ୍ଦର ପ୍ରଭାବ କେତେଦୂର ପଡ଼ୁଛି, ଦେଖିବାର କଥା। ସେପଟେ ଡ୍ରାଇଭର ମହାସଂଘର ଆନ୍ଦୋଳନ ଜାରିରୁ ପ୍ରଭାବିତ ହୋଇଥିବା ପରିବହନ ସେବା କେତେଦୂର ସହଜ ହେଉଛି, ତା ଉପରେ ବି ରହିଛି ନଜର।


Naxatra News is now on Whatsapp
Join and get latest news update delivered to you via whatsapp
Join Now