ନାଗାଲାଣ୍ଡରେ ଚମକିବ ବିଜେପି ମେଣ୍ଟ

Spread the love

() ତିନି ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ଲାଗି ମତଦାନ ଶେଷ ହେବା ସହ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଏକ୍‌ଜିଟ୍‌ ପୋଲ୍‌ ବା ବୁଥ୍‌ଫେରନ୍ତା ଜନମତ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ କରାଯାଇଥିବା ଅନୁମାନ ଅନୁଯାୟୀ ତ୍ରିପୁରାରେ ଭାଜପା ସଂଖ୍ୟାଗରିଷ୍ଠତା ହାସଲ କରି ଦ୍ୱିତୀୟ ଥର ସରକାର ଗଢ଼ିବାକୁ ଯାଉଥିବାବେଳେ ନାଗାଲାଣ୍ଡରେ ଏହାର ମେଣ୍ଟ ସରକାର କ୍ଷମତାକୁ ଆସିବ। ତେବେ ମେଘାଳୟ ବିଧାନସଭା ଦଖଲ ପାଇଁ ଲଢ଼େଇ ଜୋର୍‌ଦାର ହୋଇଛି। ଏଠାରେ ଝୁଲା ବିଧାନସଭା ହୋଇପାରେ ବୋଲି ଅନୁମାନ କରାଯାଇଛି।

ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡରୁ ଆସିଲା ବୁଥ ବାହୁଡା ମତ। ଉତ୍ତର ପୂର୍ବ ରାଜ୍ୟରେ ପୁଣି ଫୁଟିବ ପଦ୍ମ। ସତ୍ତା ହୁରାଇବ କଂଗ୍ରେସ। କାମ କରିବ ମୋଦିଙ୍କ ମ୍ୟାଜିକ୍। ଫେଲ୍ ମାରିବ ରାହୁଲଙ୍କ ଭାରତ ଯୋଡ ଯାତ୍ରାର ପ୍ରଭାବ। ଉତ୍ତର ପୂର୍ବରୁ ୩ଟି ରାଜ୍ୟ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡରେ ସରିଛି ବିଧାନସଭା ନିର୍ବାଚନ। ତ୍ରିପୁରାରେ ଗତ ୧୬ ତାରିଖରେ ଭୋଟ ପଡିଥିବାବେଳେ ଫେବୃୟାରୀ ୨୭ରେ ପଡିଥିଲା ମେଘାଳୟ ଓ ନାଗାଲାଣ୍ଡରେ ଭୋଟ୍। ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡର ତିନୋଟି ରାଜ୍ୟରେ ୬୦ ଲେଖାଏଁ ବିଧାନସଭା ଆସନ ରହିଛି।

ଭୋଟ ଗଣତି ମାର୍ଚ୍ଚ ୨ ତାରିଖରେ ହେବ। ଭୋଟ ଗଣତି ପୂର୍ବରୁ ପ୍ରକାଶ ପାଇଛି ଏକଜିଟ୍‌ ପୋଲ ଫଳାଫଳ। ଏକଜିଟ୍‌ ପୋଲ ପୂର୍ବାନୁମାନ ଅନୁଯାୟୀ ତ୍ରିପୁରାରେ ପୁଣିଥରେ ବିଜେପି କ୍ଷମତାକୁ ଫେରିପାରେ। ନାଗାଲାଣ୍ଡରେ ଚମକିବ ବିଜେପିର ମେଣ୍ଟ ଦଳ। ଇଣ୍ଡିଆଟୁଡେ ଏକଜିଟ୍‌ ପୋଲ ଅନୁଯାୟୀ ତ୍ରିପୁରାରେ ପୁଣି ଥରେ ମାଣିକ ଶାହାଙ୍କ ନେତୃତ୍ୱାଧୀନ ବିଜେପି କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିବ। ଇଣ୍ଡିଆଟୁଡେ-ଆକ୍ସିସ ମାଇଁ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ତ୍ରିପୁରାରେ ବିଜେପି ୩୬ଟିରୁ ୪୫ଟି ସିଟ୍‌ ହାତେଇବ। ବାମପନ୍ଥୀ-କଂଗ୍ରେସ ମିଳିତ ଖାତାକୁ ୬ରୁ ୧୧ ସିଟ୍‌ ଯାଇପାରେ। ଗୋଟେ ସମୟରେ ତ୍ରିପୁରା ବାମପନ୍ଥୀଙ୍କ ଗଡ଼ ଥିଲା। ପ୍ରାୟ ୨୫ ବର୍ଷ ଧରି ଶାସନ କରିବା ପରେ ଗତ ୨୦୧୮ ନିର୍ବାଚନରେ ବିଜେପି ପାଖରୁ ଧରାଶାୟୀ ହୋଇଥିଲା। ତ୍ରିପୁରାରେ ବିଜେପି ୪୫ ପ୍ରତିଶତ ଭୋଟ ସେୟାର ପାଇବ। ବିଜେପିର ପ୍ରତିଦ୍ୱନ୍ଦୀ କଂଗ୍ରେସ ଓ ବାମପନ୍ଥୀ ମେଣ୍ଟ ୩୨ ପ୍ରତିଶତ ଏବଂ ତ୍ରିପାମୋ ଦଳ ୨୦ ପ୍ରତିଶତ ଭୋଟ ସେୟାର ପାଇବ। ତ୍ରିପୁରାରେ ଶେଷ ହୋଇଥିବା ନିର୍ବାଚନରେ ୮୮ ପ୍ରତିଶତ ମତଦାନ ହୋଇଛି।

ଭୋଟ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଥିଲା। ଏତେ ପରିମାଣରେ ମତଦାନ ହେବା ବିଧାନସଭା ନିର୍ବାଚନରେ ଏକ ରେକର୍ଡ଼ ବୋଲି କୁହାଯାଉଛି। ୨୦୧୮ରେ ତ୍ରିପୁରା ବିଧାନସଭା ପାଇଁ ହୋଇଥିବା ନିର୍ବାଚନରେ ୮୯.୩୮ ପ୍ରତିଶତ ଭୋଟ୍ ହୋଇଥିଲା। ୬୦ ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭାରେ ବିଜୟୀ ପାଇଁ ମ୍ୟାଜିକ ନମ୍ୱର ରହିଛି ୩୧। ଜି ନ୍ୟୁଜ୍-ମାଟ୍ରିଜ୍‌ ପୂର୍ବାନୁମାନ କରିଛି ଯେ, ତ୍ରିପୁରାରେ ବିଜେପି ୨୯-୩୬ ସିଟ୍ ପାଇବ। ବାମପନ୍ଥୀ ୧୩-୨୧ ସିଟ୍ ହାତେଇବ।

ସେହିପରି ନାଗାଲାଣ୍ଡରେ ମଧ୍ୟ ବିଜେପି-ଏନଡିପିପି ମେଣ୍ଟ ସରକାର ପୁଣିଥରେ କ୍ଷମତା ବଜାୟ ରଖିବ। ନାଗାଲାଣ୍ଡରେ ବିଜେପି-ଏନଡିପିପି ମେଣ୍ଟ ୬୦ଟି ଆସନରୁ ୩୫ରୁ ୪୩ ଆସନ ଅକ୍ତିଆର କରିପାରେ। ୬୦ ଆସନ ବିଶିଷ୍ଟ ନାଗାଲାଣ୍ଡ ବିଧାନସଭାରେ ଭାଜପା-ଏନ୍‌ଡିପିପି ନ୍ୟାସନାଲିଷ୍ଟ ଡେମୋକ୍ରାଟିକ୍‌ ପ୍ରୋଗ୍ରେସିଭ୍‌ ପାର୍ଟି ମେଣ୍ଟକୁ ୩୮ରୁ ୪୮ ଆସନ ମିଳିବ ବୋଲି ଇଣ୍ଡିଆ ଟୁଡେ-ଆକ୍ସିସ୍‌ ମାଇଁ ଇଣ୍ଡିଆ କହିଥିବାବେଳେ ଏହି ମେଣ୍ଟକୁ ୩୫ରୁ ୪୫ ସିଟ୍‌ ମିଳିବ ବୋଲି ଜାନ୍‌ କୀ ବାତ୍‌ ଆକଳନ କରିଛି। ସେହିପରି ଟାଇମ୍ସ ନାଓ ୩୯ରୁ ୪୯ ଆସନ ଆକଳନ କରିଥିବାବେଳେ ୩୫ରୁ ୪୩ ଆସନ ମିଳିବ ବୋଲି ଜି ନ୍ୟୁଜ୍‌-ମାଟ୍ରିଜ୍‌ ପୂର୍ବାନୁମାନ କରିଛି। ଅନ୍ୟପକ୍ଷରେ ଏନ୍‌ପିଏଫ୍‌ ବା ନାଗା ପିପୁଲ୍ସ ଫ୍ରଣ୍ଟ ଏହି ରାଜ୍ୟରେ ୨ରୁ ୧୦ ଆସନ ମଧ୍ୟରେ ସୀମିତ ରହିବାକୁ ଥିବାବେଳେ କଂଗ୍ରେସକୁ ୧ରୁ ୩ ଆସନ ମିଳିପାରେ। ନୂଆ କରି ରାଜ୍ୟରେ ଡେବ୍ୟୁ କରିଥିବା ଟିଏମସି ୮ରୁ ୧୩ଟି ସିଟ୍‌ ଆସନ ପାଇପାରେ।

ଅନ୍ୟପକ୍ଷରେ ମେଘାଳୟରେ କଡ଼ା ଟକ୍କର ହୋଇଥିବା ବୁଥ୍‌ଫେରନ୍ତା ଜନମତ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। ସେଠାରେ ୬୦ ଆସନରୁ ୫୯ଟିରେ ଭୋଟଗ୍ରହଣ କରାଯାଇଥିଲା। ଇଣ୍ଡିଆ ଟୁଡେ-ଆକ୍ସିସ୍‌ ମାଇଁ ଇଣ୍ଡିଆ ରିପୋର୍ଟରେ ଭାଜପାକୁ ୪ରୁ ୮ ଆସନ ମିଳିବାକୁ ଥିବାବେଳ କଂଗ୍ରେସକୁ ୬ରୁ ୧୨ ଏବଂ ଏନ୍‌ପିପିକୁ ୧୮ରୁ ୨୪ ଆସନ ମିଳିବ ବୋଲି କୁହାଯାଇଛି। ଜାନ୍‌ କୀ ବାତ୍‌ରେ ଭାଜପା ୩-୭, କଂଗ୍ରେସ ୬ରୁ ୧୧ ଏବଂ ଏନ୍‌ପିପି ୧୧ରୁ ୧୬ ଆସନ ପାଇବ ବୋଲି ଆକଳନ କରାଯାଇଛି। ଟାଇମ୍ସ ନାଓ ପୂର୍ବାନୁମାନ ଅନୁଯାୟୀ ଭାଜପାକୁ ୩ରୁ ୬ ଆସନ ମିଳିବାକୁ ଥିବାବେଳେ କଂଗ୍ରେସକୁ ୨ରୁ ୫ ଏବଂ ଏନ୍‌ପିପିକୁ ୧୮ରୁ ୨୬ ଆସନ ମିଳିବ। ସେହିପରି ଜି ନ୍ୟୁଜ୍‌-ମାଟ୍ରିଜ୍‌ ଅନୁଯାୟୀ ଭାଜପାକୁ ୬ରୁ ୧୧, କଂଗ୍ରେସକୁ ୩ରୁ ୬ ଏବଂ ଏନ୍‌ପିପିକୁ ୨୧ରୁ ୨୬ ଆସନ ମିଳିବ ବୋଲି କୁହାଯାଇଛି। ପୋଲ୍‌ ଅଫ୍‌ ଏକ୍‌ଜିଟ୍‌ ପୋଲ୍‌ସ ଅନୁଯାୟୀ ଭାଜପା ଏବଂ କଂଗ୍ରେସ ୬ଟି ଲେଖାଏ ଆସନ ପାଇବାକୁ ଥିବାବେଳେ ଏନ୍‌ପିପିକୁ ୨୦ ଆସନ ମିଳିବ।

ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡରେ ଭୋଟଗ୍ରହଣ ଶେଷ ହୋଇଛି। ଏସବୁ ନିର୍ବାଚନ ଶେଷ ହେବା ପରେ ଏସବୁ ରାଜ୍ୟରେ କିଏ ସରକାର ଗଢିବ ତାହାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡରେ କିଏ ଜିତିବ ? ଏସବୁ ପ୍ରଶ୍ନର ଉତ୍ତର ଆସନ୍ତା ଗୁରୁବାର ଭୋଟଗଣତି ପରେ ଜଣାପଡ଼ିବ।

Leave a Reply

Your email address will not be published. Required fields are marked *