ଆଖୁର ଉଚିତ ଓ ଲାଭକରୀ ମୂଲ୍ୟକୁ ମଞ୍ଜୁର କଲେ କେନ୍ଦ୍ର ସରକାର

Spread the love

ନୂଆଦିଲ୍ଲୀ : ଆଖୁ ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ବୈଠକରେ ୨୦୨୩-୨୪ ଚିନି ଋତୁ (ଅକ୍ଟୋବର-ସେପ୍ଟେମ୍ବର) ପାଇଁ ଆଖୁର ଉଚିତ୍ ଓ ଲାଭକରୀ ମୂଲ୍ୟ (ଏଫଆରପି)କୁ ମଞ୍ଜୁର କରିଛି । ୧୦.୨୫% ର ମୂଳ ଅସୁଲି ହାର ସହିତ କ୍ୱିଣ୍ଟାଲ ପ୍ରତି ୩୧୫ ଟଙ୍କାର ଏଫଆରପି ନିର୍ଦ୍ଧାରଣ କରାଯାଇଛି । ୧୦.୨୫% ଠାରୁ ଅଧିକ ଏବଂ ଅତିରିକ୍ତ ଅସୁଲି କ୍ଷେତ୍ରରେ ପ୍ରତ୍ୟେକ ୦.୧% ବୃଦ୍ଧି ପାଇଁ କୁଇଣ୍ଟାଲ ପ୍ରତି ୩.୦୭ ଟଙ୍କାର ପ୍ରିମିୟମ ଯୋଗାଇ ଦେବା ଏବଂ ଅସୁଲିରେ ପ୍ରତ୍ୟେକ ୦.୧%ର ହ୍ରାସ ପାଇଁ ଏଫଆରପିରେ ୩.୦୭ ଟଙ୍କା/କୁଇଣ୍ଟାଲର ହ୍ରାସ କରିବାକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରି ମିଳିଛି ।

ଆହୁରି, ଆଖୁ ଚାଷୀଙ୍କ ହିତ ରକ୍ଷାକୁ ଦୃଷ୍ଟିରେ ରଖି, ଯେଉଁଠାରେ ଅସୁଲି ୯.୫% ଠାରୁ କମ୍ ରହିଥିବ ସେଠାରେ ଚିନି କଳ କ୍ଷେତ୍ରରେ କୌଣସି ହ୍ରାସ କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି । ଏପରି ଚାଷୀଙ୍କୁ ଚଳିତ ଚିନି ଋତୁ ୨୦୨୨-୨୩ରେ କୁଇଣ୍ଟାଲ ପ୍ରତି ୨୮୨.୧୨୫ ଟଙ୍କା ତୁଳନାରେ ପରବର୍ତ୍ତୀ ୨୦୨୩-୨୪ ଚିନି ଋତୁ ପାଇଁ କୁଇଣ୍ଟାଲ ପ୍ରତି ୨୯୧.୯୭୫ ଟଙ୍କା ଦିଆଯିବ ।

୨୦୨୩-୨୪ ଆଖୁ ଋତୁ ପାଇଁ ଆଖୁ ଉତ୍ପାଦନ ଖର୍ଚ୍ଚ କୁଇଣ୍ଟାଲ ପ୍ରତି ୧୫୭ ଟଙ୍କା ରହିଛି । ୧୦.୨୫% ଅସୁଲି ଦରରେ କୁଇଣ୍ଟାଲ ପ୍ରତି ୩୧୫ ଟଙ୍କାର ଏଫଆରପି ଉତ୍ପାଦନ ଖର୍ଚ୍ଚ ଠାରୁ ୧୦୦.୬% ଅଧିକ ।

ଚିନି କଳ ଦ୍ୱାରା ଚିନି ଋତୁ ୨୦୨୩-୨୪(୧ ଅକ୍ଟୋବର, ୨୦୨୩ ଠାରୁ ଲାଗୁ)ରେ ଚାଷୀଙ୍କ ଠାରୁ ଆଖୁ କିଣିବା ପାଇଁ ଅନୁମୋଦିତ ଏଫଆରପି ପ୍ରଯୁଜ୍ୟ ହେବ । ଚିନି କ୍ଷେତ୍ର ଏକ ଗୁରୁତ୍ୱପୂର୍ଣ୍ଣ କୃଷି ଆଧାରିତ କ୍ଷେତ୍ର ଯାହାକି ୫ କୋଟି ଆଖୁ ଚାଷୀ, ସେମାନଙ୍କର ପରିବାରଜନଙ୍କ ସହିତ ଚିନି କଳ ଓ ଆନୁସଙ୍ଗିକ କାର୍ଯ୍ୟରେ ନିୟୋଜିତ ୫ ଲକ୍ଷ ଶ୍ରମିକଙ୍କ ସହିତ କୃଷି ଶ୍ରମିକ ଓ ପରିବହନ କ୍ଷେତ୍ର ସମେତ ବିଭିନ୍ନ ଆନୁସଙ୍ଗିକ କାର୍ଯ୍ୟକଳାପ ଜୀବନଜୀବିକାକୁ ପ୍ରଭାବିତ କରିଥାଏ।

Leave a Reply

Your email address will not be published. Required fields are marked *