ପିଏମ ରାଲି କଭରେଜ ପାଇଁ ଚରିତ୍ରପଞ୍ଜିକା ବାଧ୍ୟତାମୂଳକ

Spread the love

ବିଳାଶପୁର:  ପ୍ରଧାନମନ୍ତ୍ରୀଙ୍କ ରାଲିକୁ କଭରେଜ କରିବାକୁ ଚାହୁଁଥିବା ସାମ୍ୱାଦିକ ନିଜର ଚରିତ୍ରପଞ୍ଜିକା ପ୍ରମାଣପତ୍ର ଦେବାକୁ ହେବ। ହିମାଚଳପ୍ରଦେଶ ଗସ୍ତରେ ଯାଉଥିବା ପ୍ରଧାନମନ୍ତ୍ରୀଙ୍କ ପ୍ରୋଗ୍ରାମ କଭର କରିବାକୁ ହେଲେ ଏଭଳି ପ୍ରମାଣପତ୍ରକୁ ବାଧ୍ୟତାମୂଳକ କରିଛି ପ୍ରଶାସନ। ନ ହେଲେ ସୁରକ୍ଷା ପାସ୍ କି ସାମ୍ୱାଦିକ ଅନୁମତି ପାସ୍ ମିଳିବନି।

ଖରାପ ପାଗ ଲାଗି ସେପ୍ଟେମ୍ୱର ୨୪ରେ ହିମାଚଳପ୍ରଦେଶର ମଣ୍ଡି ଅଞ୍ଚଳରେ ଥିବା ରାଲିରେ ସାମିଲ୍ ହୋଇପାରିନଥିଲେ ପ୍ରଧାନମନ୍ତ୍ରୀ ମୋଦି। ସେଥିଲାଗି ଅକ୍ଟୋବର ୫ରେ ମୋଦିଙ୍କ ହିମାଚଳପ୍ରଦେଶ ଗସ୍ତକୁ ସଫଳ କରିବାକୁ ଅଣ୍ଟା ଭିଡ଼ିଛନ୍ତି ସରକାର। କିନ୍ତୁ ଏହି ସଫଳତା ଭିତରେ ପଶିଛି କେଁ। ବିବାଦ ବଢ଼ିଛି। ସାମ୍ୱାଦିକଙ୍କ ଲାଗି ଟଣାଯାଇଛି ଲକ୍ଷ୍ମଣରେଖା। ମୋଦିଙ୍କ କାର୍ଯ୍ୟକ୍ରମ କଭର କରିବାକୁ ଚାହୁଁଥିବା ସାମ୍ୱାଦିକ ନିଜର ଚରିତ୍ରପଞ୍ଜିକା ପ୍ରମାଣପତ୍ର ଆଣିବାକୁ କୁହାଯାଇଛି। କେବଳ ଘରୋଇ ପ୍ରିଣ୍ଟ, ଡିଜିଟାଲ୍ କି ଟେଲିଭିଜନ ସାମ୍ୱାଦିକଙ୍କୁ ଏ କଥା କରିବାକୁ କୁହାଯାଇନି। ବରଂ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଅଲ ଇଣ୍ଡିଆ ରେଡ଼ିଓ, ଦୂରଦର୍ଶନ ବି କୁହାଯାଇଛି। କ୍ୟାରେକ୍ଟର ଭେରିଫିକେସନ ଲାଗି ସେମାନେ ନିଜର ପ୍ରମାଣପତ୍ର ଆଣିକି ଆସିବେ। ଏହାକୁ ନେଇ ସେପ୍ଟେମ୍ୱର ୨୯, ୨୦୨୨ରୁ ପୁଲିସ ଏ ନେଇ ଅଫିସିଆଲ ନୋଟିଫିକେସନ ବି ଜାରି କରିସାରିଛି। ଏହି ନୋଟିଫିକେସନରେ କୁହାଯାଇଛି କି, ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀଙ୍କୁ ସମସ୍ତ ପ୍ରେସ୍ କରେସପୋଣ୍ଡେଟ୍, ଫଟୋଗ୍ରାଫର, ଭିଡିଓଗ୍ରାଫର ନିଜର ଚରିତ୍ର ତଦନ୍ତ ଲାଗି ମଗାଯାଇଥିବା ସାର୍ଟିଫିକେଟ ଦେବେ। ବିଳାସପୁର ସିଆଇଡିର ଡିସିପିଙ୍କ ପାଖରେ ଅକ୍ଟୋବର ୧ ସୁଦ୍ଧା ଏହା ପହଞ୍ଚିବା ଦରକାର ବୋଲି କୁହାଯାଇଥିଲା। ଏହା ପରେ ଯାଇ ମୋଦିଙ୍କ ରାଲି ଅଥବା ବୈଠକରେ ସଂପୃକ୍ତ ସାମ୍ୱାଦିକ ସାମିଲ୍ ହୋଇପାରିବେ କି ନା, ନିଷ୍ପତ୍ତି ନିଆଯିବ। ଏଭଳି ନୋଟିଫିକେସନକୁ ନେଇ ରାଜନୈତିକ ବିବାଦ ବି ତେଜିଛି। ଆମ୍ ଆଦମୀ ଦଳ କହିଛି, ଗଣତନ୍ତ୍ରର କଣ୍ଠରୋଧ କରିବାକୁ ଏ କିଭଳି କାରସାଦି। ମୋଦି ପ୍ରଥମ ଥର ରାଜ୍ୟଗସ୍ତରେ ଆସୁନାହାନ୍ତି। କଂଗ୍ରେସ କହିଛି, ପ୍ରଶାସନର ଏଭଳି ନିଷ୍ପତ୍ତି ନିନ୍ଦନୀୟ। ଗଣମାଧ୍ୟମର ସ୍ୱାଧୀନତାକୁ ଛଡ଼ାଇବାକୁ ହୀନ ପ୍ରୟାସ।

ତେବେ ବିଳାସପୁର ଡିଆଇପିଆରଓ କହିଛନ୍ତି କି, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ସୁରକ୍ଷା ପାସ୍ ଲାଗି କୌଣସି ସାମ୍ୱାଦିକଙ୍କ ଅଫିସିଆଲ ଆଇଟେଣ୍ଟିଟି କାର୍ଡ ଗ୍ରହଣ କରାଯିବନି। ଚରିତ୍ରପଞ୍ଜିକା ପ୍ରମାଣପତ୍ର ବାଧ୍ୟ। ଏପରିକି ସାମ୍ୱାଦିକ ଡିଜିଡାଲ ଆଇଡି କାର୍ଡରେ ବି ଅଫିସିଆଲ ଷ୍ଟାମ୍ପ୍ ରହିଥିବା ଜରୁରୀ।

ପ୍ରଧାନମନ୍ତ୍ରୀ ବିଳାସପୁରରେ ଏକ ସର୍ବସାଧାରଣ ସଭାକୁ ସମ୍ୱୋଧିତ କରିବେ। ଏମ୍ସର ଏକ କ୍ୟାମ୍ପସର ଶୁଭାରମ୍ଭ ସହ କୁଲୁରେ ଦଶହରା ଉତ୍ସବରେ ବି ସାମିଲ ହେବେ। କିନ୍ତୁ ମୋଦିଙ୍କ ଗସ୍ତ କଭରେଜ ଲାଗି ସାମ୍ୱାଦିକଙ୍କ କ୍ୟାରେକ୍ଟର ସାର୍ଟିଫିକେଟ ବିବାଦ ଛିଡ଼ା କରିଚି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *