କେରଳ ରାଜ୍ୟପାଳଙ୍କୁ ହଟାଇବାକୁ କ୍ୟାବିନେଟ ନିଷ୍ପତ୍ତି

Spread the love

() କେରଳରେ ମୁଖ୍ୟମନ୍ତ୍ରୀ- ରାଜ୍ୟପାଳ ବିବାଦ ଘନେଇଲା। ରାଜ୍ୟପାଳ ଅରିଫ ମହମ୍ମଦଙ୍କୁ କୁଳାଧିପତି ପଦରୁ ବହିଷ୍କାର କରିବାକୁ ବିଧାନସଭାରେ ଅଧ୍ୟାଦେଶ ଆଣିବାକୁ ନିଷ୍ପତ୍ତି ନେଇଛି କ୍ୟାବିନେଟ୍। ରାଜ୍ୟପାଳଙ୍କ ବଦଳରେ ଜଣେ ବିଶେଷଜ୍ଞଙ୍କୁ କୁଳାଧିପତି ପଦରେ ବସାଇବାକୁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି।

କେରଳରେ ତେଜିଲା ମୁଖ୍ୟମନ୍ତ୍ରୀ-ରାଜ୍ୟପାଳଙ୍କ  ବିବାଦ। ବିବାଦ ଏତେ ଉଗ୍ର ରୂପ ନେଇଛି କି, କୁଳାଧିପତି ଭାବେ ସାମ୍ୱିଧାନିକ ଦାୟିତ୍ୱ ତୁଲାଉଥିବା ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ଏହି ପଦରୁ ହଟାଇବାକୁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି। ଏଥିଲାଗି ବିଧାନସଭାରେ ସ୍ୱତନ୍ତ୍ର ଅଧ୍ୟାଦେଶ ଆଣିବାକୁ ଯାଉଛନ୍ତି ସରକାର। କୁଳାଧିପତି ପଦରେ ଏଣିକି ରାଜ୍ୟପାଳଙ୍କ ଜାଗାରେ ଜଣେ ଏକ୍ସପର୍ଟ ବସିବେ। ଆଉ ଏହି ବିବାଦ ଓ କ୍ୟାବିନେଟ୍ ନିଷ୍ପତ୍ତି ପଛରେ ମୁଖ୍ୟ କାରଣ ରହିଛି କି, ରାଜ୍ୟର ୯ଟି ବିଶ୍ୱବିଦ୍ୟାଳୟର କୁଳପତିଙ୍କଠୁ ଯେତେବେଳେ ରାଜ୍ୟପାଳ ଇସ୍ତଫାପତ୍ର ମାଗିଥିଲେ। କେରଳ ୟୁନିଭରସିଟି, କୋଚିନ୍ ୟୁନିଭରସିଟି ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି, କେରଳ ୟୁନିଭରସିଟି ଅଫ ଫିସେରିଜ୍ ଆଣ୍ଡ ଓସେନ୍ ଷ୍ଟଡିଜ୍, କାନୁର ୟୁନିଭରସିଟି, ଏପିଜେ ଅବଦୁଲ କଲାମ ଟେକ୍ନୋଲୋଜିକାଲ ୟୁନିଭରସିଟି, ଶ୍ରୀ ଶଙ୍କରାଚାର୍ଯ୍ୟ ୟୁନିଭରସିଟି ଅଫ ସଂସ୍କୃତ, ୟୁନିଭରସିଟି ଅଫ କାଲିକଟ୍ ଓ ଥୁନାଚାତ୍ ଏଝୁଥାଚନ ମାଲାୟଲମ ୟୁନିଭରସିଚିର କୁଳପତି ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ନିର୍ଦେଶ ଦେଇଥିଲେ ରାଜ୍ୟପାଳ ଆରିଫ୍।

ଏଭଳି ନିର୍ଦେଶାନାମାକୁ ବିରୋଧ କରି ୯ଟି ଯାକ ବିଶ୍ୱବିଦ୍ୟାଳୟର କୁଳପତି ହାଇକୋର୍ଟ ଯାଇଥିଲେ। ଏହାରି ଭିତରେ ଥିରୁବନନ୍ତପୁରମରେ ଥିବା ଏପିଜେ ଅବଦୁଲ କଲାମ ଟେକ୍ନୋଲୋଜିକାଲ ୟୁନିଭରସିଟିରେ ରାଜ୍ୟପାଳ କୁଳପତି ଭାବେ ସିଜା ଥୋମାସଙ୍କୁ ନିଯୁକ୍ତି ଦେଇସାରିଥିଲେ। ଆଉ ଏହି ନିଯୁକ୍ତିକୁ ବିରୋଧ କରି କେରଳ ମୁଖ୍ୟମନ୍ତ୍ରୀ ପିନିରାୟୀ ବିଜୟନଙ୍କ ସରକାର ହାଇକୋର୍ଟକୁ ଏହା ଉପରେ ରହିତାଦେଶ ଜାରି କରିବାକୁ ଅନୁରୋଧ କରିଥିଲେ । କିନ୍ତୁ ମଙ୍ଗଳବାର ଏହି ନିଯୁକ୍ତି ଉପରେ ରହିତାଦେଶ ଲଗାଇବାକୁ ମନା କରିଦେଲେ ଅଦାଲତ। ଆଉ ଅଦାଲତଙ୍କ ଏଭଳି ରାୟ ଆସିବା ପରେ ରାଜ୍ୟ କ୍ୟାବିନେଟ୍ ରାଜ୍ୟପାଳଙ୍କୁ କୁଳାଧିପତି ପଦରୁ ହଟାଇବାକୁ ଅଧ୍ୟାଦେଶ ଆଣିବାକୁ ବୁଧବାର ନିଷ୍ପତ୍ତି ନେଇଛି।

କେରଳ ସରକାରଙ୍କ ଏଭଳି ନିଷ୍ପତ୍ତିରେ କଂଗ୍ରେସ କହିଛି କି, କ୍ୟାବିନେଟ୍ ଆଣିଥିବା ଅଧ୍ୟାଦେଶ ସେତେବେଳେ ବୈଧ ହୁଏ, ଯେତେବେଳେ ଏହା ଉପରେ ରାଜ୍ୟପାଳ ମୋହର ଲଗାନ୍ତି। ସେଥିଲାଗି ଏହା କେତେଦୂର ଫଳପ୍ରଦ ହେବ, ସମୟ କହିବ। କାରଣ ଖୋଦ୍ ରାଜ୍ୟପାଳଙ୍କୁ କୁଳାଧିପତି ପଦରୁ ହଟାଇବା ସକାଶେ ଏହି ଅଧ୍ୟାଦେଶ ଆଣିବାକୁ ଯାଉଛି କେରଳ କ୍ୟାବିନେଟ୍। ଆଉ ଏଥିରେ ରାଜ୍ୟପାଳ ଦସ୍ତଖତ କରିବେ କି ନା, ତା ପୁଣି ବଡ଼ ପ୍ରଶ୍ନ। କିନ୍ତୁ ମୁଖ୍ୟମନ୍ତ୍ରୀ-ରାଜ୍ୟପାଳଙ୍କ ଭିତରେ ତିକ୍ତତା ଦୂର ହେବା ଦରକାର ବୋଲି ଆଶା ରଖିଛି କଂଗ୍ରେସ। କାରଣ ଏଭଳି ପରମ୍ପରା ରାଜ୍ୟ ପାଇଁ ବିପଦ ଆଉ ସାମ୍ୱିଧାନିକ ପଦ ଲାଗି ଦୁର୍ଭାଗ୍ୟଜନକ।

କେରଳ ରାଜ୍ୟପାଳଙ୍କ ବିରୁଦ୍ଧରେ ଏଭଳି ନିଷ୍ପତ୍ତି ନେବା ପ୍ରକ୍ରିୟା ଆରମ୍ଭ ହୋଇଥିଲା ବେଳେ ରାଜ୍ୟପାଳଙ୍କ ଆଇନ ପରାମର୍ଶଦାତା, ବିଶ୍ୱବିଦ୍ୟାଳୟର କୁଳାଧିପତିଙ୍କ ସ୍ଥାୟୀ ଓକିଲ ନିଜ ନିଜ ପଦରୁ ଇସ୍ତଫା ଦେଇସାରିଛନ୍ତି। କାରଣ ଦୁଇ ଅଧିବକ୍ତା କେରଳ ଉଚ୍ଚ ନ୍ୟାୟାଳୟରେ ଚାଲିଥିବା ମାମଲାରେ ରାଜ୍ୟପାଳଙ୍କ ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ଆଗକୁ ଏ ବିବାଦ କି ମୋଡ଼ ନେବ, ଦେଖିବାକୁ ରହିଲା।

ପ୍ରେମଲତା ବାରିକ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *