ଆଜିଠାରୁ ଜୋଶୀମଠରେ ଆରମ୍ଭ ହେଉଛି କୋଠା ଭଙ୍ଗା କାର୍ଯ୍ୟ

Spread the love

ଜୋଶୀମଠ: ଉତ୍ତରାଖଣ୍ଡର ଜୋଶୀମଠ ଅଞ୍ଚଳରେ ଥିବା କୋଠାବାଡିରେ ଫାଟ ବଢିବା ସହ ଭୁଶୁଡିବା ମଧ୍ୟ ଆରମ୍ଭ ହେବା ପରେ ମଙ୍ଗଳବାରଠାରୁ ସେଠାରେ ବିପଦଶଙ୍କୁଳ କୋଠାବାଡିକୁ ଭାଙ୍ଗିବା କାର୍ଯ୍ୟ ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ସ୍ଥାନୀୟ ଅଧିକାରୀ। ଜୋଶୀମଠକୁ ବର୍ତ୍ତମାନ ତିନୋଟି ଜୋନରେ ବିଭକ୍ତ କରିଛି ପ୍ରଶାସନ, ଗୋଟିଏ ହେଉଛି ଡେଞ୍ଜର ବା ବିପଦପୂର୍ଣ୍ଣ ଜୋନ, ବଫର ବା ମଧ୍ୟବର୍ତ୍ତୀ ଜୋନ ଓ କମ୍ପ୍ଲିଟ ସେଫ ବା ସମ୍ପୂର୍ଣ୍ଣ ସୁରକ୍ଷିତ ଜୋନ। ଭୂମି ମଧ୍ୟର ଚଟାଣ ସ୍ଥିରିକରଣ ବା ଭୂମି ଧସିବା ବା ବିପଦର ତୀବ୍ରତାକୁ ନେଇ ଜୋନ ବିଭାଜନ କରାଯାଇଛି।

ବର୍ତ୍ତମାନ ପର୍ଯ୍ୟନ୍ତ ଜୋଶୀମଠର ୬୭୮ କୋଠାରେ ଫାଟ ବଢିଚାଲିଥିବା ଚିହ୍ନଟ ହୋଇଥିବା ବେଳେ ସବୁଠାରୁ ବିପଦପୂର୍ଣ୍ଣ କୋଠାକୁ ଭଙ୍ଗା ଯିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି। ଡେଞ୍ଜର ଜୋନରେ ବହୁ ଘର ସହ ମାଉଣ୍ଟ ଭ୍ୟୁ ଓ ମାଲାରି ଇନ ଦୁଇଟି ହୋଟେଲ ରହିଛି, ଯାହା ପରସ୍ପର ଆଡକୁ ଢଳିବାରେ ଲାଗିଛି। ଏହାକୁ ମଧ୍ୟ ଭଙ୍ଗାଯିବ।

ଧସୁଥିବା ଏହି ସହରକୁ ବିପର୍ଯ୍ୟୟ ପ୍ରବଣ ଜୋନ ଘୋଷଣା ହେବା ସହ ଏଠାରେ ଓ ଏହାର ଆଖପାଖ ଅଞ୍ଚଳର ନିର୍ମାଣ କାର୍ଯ୍ୟକୁ ବନ୍ଦ କରାଯାଇଛି। ସେପଟେ ସରକାରୀ ସୂତ୍ରରୁ ସହରର ୩୦ ପ୍ରତିଶତ ପ୍ରଭାବିତ ହୋଇଥିବା ଜଣାପଡିଛି। ଏହାକୁ ନେଇ ହୋଇଥିବା ଯାଞ୍ଚର ରିପୋର୍ଯ ପିଏମଓରେ ଖୁବଶୀଘ୍ର ଦାଖଲ ହେବ ବୋଲି ସୂଚନା ରହିଛି।

ଏହି ବିପତ୍ତାକୁ ଦେଖି ସେଠାରୁ ପ୍ରାୟ ୪ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇସାରିଛି। ସରକାର ପକ୍ଷରୁ ଲୋକଙ୍କ ଥଇଥାନ ପାଇଁ ନିର୍ମିତ ରିଲିଫ କ୍ୟାମ୍ପରେ ସମସ୍ତ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି। ପ୍ରଶାସନ ପକ୍ଷରୁ ସ୍ଥିତିର ଯାଞ୍ଚ କରାଯିବା ସହ ପ୍ରଭାବିତଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯାଉଥିବା ସୂଚନା ଦେଇଛନ୍ତି ଚମୋଲି ଜିଲ୍ଲାପାଳ ହିମାଂଶୁ ଖୁରାନା।

ବିପଦଶଙ୍କୁଳ କୋଠାବାଡି ଭଙ୍ଗା କାର୍ଯ୍ୟ କେନ୍ଦ୍ର କୋଠାବାଡି ଗବେଷଣା ସଂସ୍ଥାନର ଟିମର ତାଦାରଖରେ କରାଯିବ ଓ ଏହି କାର୍ଯ୍ୟରେ ଏନଡିଆରଏଫ ସହଯୋଗ କରିବ ବୋଲି ସୂଚନା ରହିଛି।  ସେପଟେ, ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ସମସ୍ତଙ୍କ ଏକଜୁଟ ହୋଇ କାର୍ଯ୍ୟ କରିବାକୁ  ଅପିଲ କରିବା ସହ ପିଏମ ମୋଦି ରାଜ୍ୟ ସରକାରକୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି।

କେନ୍ଦ୍ର ସରକାର ଦ୍ବାରା ପଠାଯାଇଥିବା ବିଶେଷଜ୍ଞ କିମିଟି ଯେଉଁ ସବୁ ଘରକୁ ଅତି ବିପଦପୂର୍ଣ୍ଣ ଚିହ୍ନଟ କରିଛନ୍ତି, ସେସବୁକୁ ଭଙଗାଯିବ।  ସେପଟେ ଜୋଶୀମଠର ସାମ୍ପ୍ରତିକ ସ୍ଥିତି ପାଇଁ ବିଶେଷଜ୍ଞମାନେ ଏଠାରେ ହୋଇଥିବା ହାଇଡ୍ରୋପାୱାର ପ୍ରୋଜେକ୍ଟ ପରି ବିଭିନ୍ନ ଅଣ ଯୋଜନାବଦ୍ଧ ବିକାଶ କାର୍ଯ୍ୟ ଓ ଏହାର ଅନୁସଙ୍ଗିକ ପଦକ୍ଷେପକୁ ଦାୟୀ କରିଛନ୍ତି।

ଅନ୍ୟପଟେ, ପୂର୍ବରୁ ସରକାରକୁ ଏନଟିପିସିର କାର୍ଯ୍ୟକୁ ନେଇ ବାରମ୍ବାର ସ୍ଥାନୀୟ ଲୋକେ ସୂଚିତ କରିଥିଲେ ମଧ୍ୟ ସରକାର ଏହା ଉପରେ କୌଣସି ପଦକ୍ଷେପ ନ ନେବାରୁ ଏପରି ସ୍ଥିତି ଉପୁଜିଥିବା ଅଭିଯୋଗ ହେଉଛି।

Leave a Reply

Your email address will not be published. Required fields are marked *