ନୂଆଦିଲ୍ଲୀ : ନିଜର ଅନ୍ଲାଇନ ଇଣ୍ଟରଫେସ ଫ୍ଲାଟଫର୍ମର ଖାଉଟିଙ୍କୁ ଠକିବା ଭଳି କୌଣସି ଡିଜାଇନ ବା ପାଟର୍ଣ୍ଣ ନ କରିବାକୁ କେନ୍ଦ୍ର ଖାଉଟି ବ୍ୟାପାର ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ବିଭାଗ ପକ୍ଷରୁ କୁହାଯାଇଛି ଯେ ‘ଡାର୍କ ପ୍ୟାଟର୍ଣ୍ଣସ୍’ ବର୍ଗରେ ଆସୁଥିବା ଡିଜାଇନ ଆର୍କିଟେକଚରକୁ ଅନ୍ଲାଇନ ପ୍ଲାଟଫର୍ମ ଇଣ୍ଟରଫେସ୍ ରେ ବ୍ୟବହାର କରାଗଲେ ଏହା ଦ୍ୱାରା ଗ୍ରାହକ ଓ ଖାଉଟି କାରାସାଦି ଏବଂ ଠକାମିର ସମ୍ମୁଖୀନ ହେବାର ସମ୍ଭାବନା ଅଧିକ ଥାଏ । ଏହା ଫଳରେ ସେମାନଙ୍କର ସ୍ୱାଧୀନତା ବିପନ୍ନ ହେବା ସହିତ ସେମାନେ ଉଚିତ ପସନ୍ଦ କରିବାରେ ବିଫଳ ହୋଇଥାନ୍ତି । ଡାର୍କ ପାଟର୍ଣ୍ଣସ ଖାଉଟି ସ୍ୱାର୍ଥର ପରିପନ୍ଥୀ ହୋଇଥିବାରୁ ଅନ୍ଲାଇନ ପ୍ଲାଟଫର୍ମ ଇଣ୍ଟରଫେସ୍ ଏଥିରୁ ନିବୃତ୍ତ ରହିବାକୁ ବିଭାଗ ପକ୍ଷରୁ କୁହାଯାଇଛି ।
କେନ୍ଦ୍ର ଯୋଗାଣ ସଚିବ ରୋହିତ କୁମାର ସିଂହ ଏହି ମର୍ମରେ ଦେଶର ପ୍ରମୁଖ ଅନଲାଇନ ପ୍ଲାଟଫର୍ମଗୁଡିକୁ ପତ୍ର ଲେଖିଛନ୍ତି । କୌଣସି ପ୍ରକାର ଅସାଧୁ ବାଣିଜ୍ୟ ନୀତିରେ ସମ୍ପୃକ୍ତ ନହେବାକୁ ସେ ଚିଠିରେ ଏହି ପ୍ଳାଟଫର୍ମଗୁଡିକୁ ପରାମର୍ଶ ଦେବା ସହିତ ଡାର୍କ ପାଟର୍ଣ୍ଣସ ଠାରୁ ଦୂରେଇ ରହିବାକୁ କହିଛନ୍ତି । ଡାର୍କ ପାଟର୍ଣ୍ଣସର ଡିଜାଇନ ଆର୍କିଟେକଚର ଖାଉଟିଙ୍କ ସ୍ୱାର୍ଥର ପରିପନ୍ଥୀ । ଅନ୍ଲାଇନ୍ ଇଣ୍ଟରଫେସ୍ ପ୍ଲାଟଫର୍ମରେ ଏହାର ବ୍ୟବହାର ଦ୍ୱାରା ଖାଉଟି ବିଭ୍ରାନ୍ତ ହେବା ସହିତ ସେମାନଙ୍କ ସ୍ୱାଧୀନତା କ୍ଷୂଣ୍ଣ ହୋଇଥାଏ । ସେମାନଙ୍କ ପସନ୍ଦ ଅପସନ୍ଦ ନିଷ୍ପତ୍ତି ପ୍ରଭାବିତ ହୁଏ ଓ ସେମାନେ ଉଚିତ ଜିନିଷ ବାଛିବାରେ ବିଫଳ ହୋଇଥାନ୍ତି । ଏହା ଖାଉଟି ଅଧିକାରର ପରିପନ୍ଥୀ । ୨୦୯୦ ଖାଉଟି ସୁରକ୍ଷା ଆଇନର ଧାରା ୨(୯)ରେ ଏହା ସ୍ପଷ୍ଟ ଉଲ୍ଲେଖ ଅଛି ବୋଲି ସେ ଜଣାଇଛନ୍ତି ।
ସେ ଆହୁରି ଲେଖିଛନ୍ତି ଯେ ଡାର୍କ ପାଟର୍ଣ୍ଣସରେ ବ୍ୟବହୃତ ଡିଜାଇନ ଓ ଚଏସ୍ ଆର୍କିଟେକଚର ଖାଉଟିଙ୍କୁ ଠକିବା, ବିଭ୍ରାନ୍ତ କରିବା ଓ ପ୍ରଭାବିତ କରିବାର ଏକ କାରସାଦି । ଏହା ବେଆଇନ ବାଣିଜ୍ୟ ନୀତିର ଅନ୍ତର୍ଭୁକ୍ତ ଏବଂ ଖାଉଟିଙ୍କୁ ଶୋଷଣ କରିବା ସହିତ ସମାନ । ତେଣୁ ୨୦୧୯ର ଖାଉଟି ସୁରକ୍ଷା ଆଇନ ଅନୁସାରେ ଏହା ବର୍ଜନୀୟ ଓ ଦଣ୍ଡନୀୟ ବୋଲି ସଚିବ ତାଙ୍କ ପତ୍ରରେ ଲେଖିଛନ୍ତି ।
ଚିଠିରେ ଆହୁରି କୁହାଯାଇଛି ଯେ ନିକଟରେ ୟୁରୋପୀୟ ସଂଘ, ଆମେରିକା, ବ୍ରିଟେନ ଆଦିର ନିୟନ୍ତ୍ରକ ବା ରେଗୁଲେଟରମାନେ”ଡାର୍କ ପାଟର୍ଣ୍ଣସ’ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି । ଅନ୍ଲାଇନ ଇଣ୍ଟରଫେସ୍ରେ ଡାର୍କ ପାଟର୍ଣ୍ଣସ ମାଧ୍ୟମରେ ଅସାଧୁ ଓ ଠକାମୀ ନୀତି ଅବଲମ୍ବନ କରାଯାଉଥିବାରୁ ସେଠାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆମେରିକାରେ ଏହା ମାଧ୍ୟମରେ ସବସ୍କ୍ରିପ୍ସନ୍ କାର୍ଯ୍ୟକ୍ରମରେ ନନ୍ କନ୍ସେନସୁଆଲ ଏନ୍ରୋଲମେଣ୍ଟ କରାଯାଉଛି । ବ୍ରିଟେନରେ ବିଭ୍ରାନ୍ତିକାର କାଉଣ୍ଟ ଡାଉନ କ୍ଲକ ବ୍ୟବହାର କରି ପ୍ରେସର ସେଲିଂ ପ୍ରୟାସ ଚାଲିଛି । ଆମେରିକାରେ ମଧ୍ୟ ଗୁପ୍ତରେ କ୍ରେଡିଟ କାର୍ଡ ସୂଚନାକୁ ‘ସେଭ୍’ କରାଯାଉଛି ଯେଉଁଥିରେ ଗ୍ରାହକଙ୍କର ଅନୁମୋଦନ ନାହିଁ । ନରୱେରେ ମଧ୍ୟ ସବସ୍କ୍ରିପ୍ସନ୍ ବ୍ୟବସ୍ଥାରୁ ଗ୍ରାହକକୁ ଓହରି ଯିବାର ବାଟ ନ ଥିବା ଭଳି ଟେକ୍ନୋଲୋଜି ବ୍ୟବହାର କରାଯାଉଛି ।
ଏହା ଫଳରେ ସମ୍ପୃକ୍ତ ଅ ଇନଲାଇନ ସଂସ୍ଥାମାନେ ଖାଉଟିଙ୍କୁ ବିଭ୍ରାନ୍ତ କରିବାକୁ ମିଥ୍ୟା ଜରୁରୀ ସତର୍କତା ଜାରି କରନ୍ତି । ଏଥିରେ କୁହାଯାଏ ଯେ ଜିନିଷ ସରିଯିବ, ଶୀଘ୍ର କିଣନ୍ତୁ, ଏ ସୁବିଧା ଆଉ ମିଳିବ ନାହିଁ । ଏହା ‘ଫଲ୍ସ ଅର୍ଜେନ୍ସି’ ଅନ୍ତର୍ଭୁକ୍ତ ଓ ଖାଉଟି ସ୍ୱାର୍ଥ ବିରୋଧୀ ।
ଏହାଛଡା ଏହି ବ୍ୟବସ୍ଥାରେ ବାସ୍କେଟ ସ୍ନିକିଙ୍ଗ, ସବସ୍କ୍ରିପ୍ସନ୍ ଟ୍ରାପ, କନ୍ଫାର୍ମ ସେଭିଂ, ଫୋର୍ସଡ ଆକ୍ସନ, ନ୍ୟାପିଙ୍ଗ, ଇଣ୍ଟରଫ୍ରେସ ହସ୍ତକ୍ଷେପ, ଜେଟ ଆଣ୍ଡ ସୁଇଚ, ଛଦ୍ମ ବିଜ୍ଞାପନ, ଗୁପ୍ତ ମୂଲ୍ୟ ବା ହିଡେନ କଷ୍ଟ ଭଳି କାରସାଦି ବ୍ୟବହାର କରାଯାଇ ଖାଉଟିଙ୍କୁ ଶୋଷଣ କରାଯାଇଥାଏ ।
ଇଣ୍ଟରନେଟ ଓ ସ୍ମାର୍ଟ ଫୋନର ବ୍ୟବହାର ବଢିବା ସହିତ ଭାରତରେ ଅଧିକରୁ ଅଧିକ ଲୋକ ଇ-କମର୍ସ ପ୍ରତି ଆକୃଷ୍ଟ ହେଉଛନ୍ତି । ଏହାର ସୁଯୋଗ ନେଇ ଅସାଧୁ ଅନ୍ଲାଇନ ପ୍ଲାଟଫର୍ମମାନେ ଖାଉଟିକୁ ଠକି ପାରନ୍ତି । ତେଣୁ ସେମାନେ ଡାକ୍ର୍ ପାଟର୍ଣ୍ଣସର ବିରତରୁ ରହିବା ଉଚିତ । ଆହୁରି ମଧ୍ୟ ଏଭଳି କୌଣସି ଠକାମିର ସମ୍ମୁଖୀନ ହେଲେ କିମ୍ବା ଏ ସମ୍ପର୍କରେ ଜାଣିଲେ ତୁରନ୍ତ ଜାତୀୟ ଖାଉଟି ହେଲ୍ପ ଲାଇନ ୧୯୧୫କୁ ଟେଲିଫୋନ କିମ୍ବା ୮୮୦୦୦୦୧୯୧୫ ହ୍ୱାଟସ୍ଆପ୍ ମାଧ୍ୟମରେ ଜଣାଇବାକୁ ଖାଉଟି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜନସାଧାରଣ ପରାମର୍ଶ ଦିଆଯାଇଛି ।