ଡିମ୍ପଲଙ୍କ ଉପରେ ସମସ୍ତଙ୍କ ନଜର

Spread the love

() ଉତ୍ତରପ୍ରଦେଶର ମୈନପୁରି ଲୋକସଭା ଆସନ ସମେତ ରାମପୁର ସଦର ଓ ଖଟୌଲି ବିଧାନସଭା ଆସନରେ ଅନୁଷ୍ଠିତ ଉପ-ନିର୍ବାଚନର ରେଜଲ୍ଟକୁ ନେଇ ସମସ୍ତଙ୍କ ଉତ୍ସୁକତା ଭରିରହିଛି। କାରଣ ଏଠି ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ଡିମ୍ପଲ ଯାଦବ। ଏହା ସହ ରାମପୁର ବିଧାନସଭା ଆସନରେ ବି ଉପ-ନିର୍ବାଚନ ଲାଗି ଭୋଟ୍ ପଡ଼ିଛି। କିନ୍ତୁ ଉପ-ନିର୍ବାଚନରେ ଶାସକ ଦଳ ପୁଲିସର ବଳପ୍ରୟୋଗ କରି ଅଯଥା ଭୟସଞ୍ଚାର କରୁଥିବା ଆରୋପ ଲଦିଛି ସମାଜବାଦୀ ଦଳ। ସେପଟେ ଉପ-ନିର୍ବାଚନରେ ବିଜେପି ଜିତିବ ବୋଲି ଦମ୍ଭୋକ୍ତି ଦେଖାଇଛି। ଆଉ ସମାଜବାଦୀ ଦଳର ଆରୋପକୁ ମିଛ ବୋଲି କହିଛି।

ଶ୍ୱଶୁରଙ୍କ ଅକାଳ ବିୟୋଗ ପରେ ମୈନପୁରି ଲୋକସଭା ଆସନରୁ ଉପ-ନିର୍ବାଚନରେ ଭାଗ୍ୟ ପରୀକ୍ଷା କରୁଛନ୍ତି ବୋହୂ ଡିମ୍ପଲ ଯାଦବ। ସାଂସଦ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ଦେହାନ୍ତ ପରେ ଖାଲି ପଡ଼ିଥିବା ଏହି ଆସନରେ ଆଜି ଭୋଟିଂ ହୋଇଛି। ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଏଠାରୁ ବୃହତ୍ ବ୍ୟବଧାନରେ ଜିତିବେ ବୋଲି ଦଳ ସମ୍ପୂର୍ଣ୍ଣ ଆଶାବାଦୀ। ଏପରିକି ନେତାଜୀ ଯେତିକି ଭୋଟ୍ ପାଇ ଜିତୁଥିଲେ, ତାଠୁ ତିନି ଗୁଣା ଭୋଟ୍ ଅଧିକ ପାଇ ଡିମ୍ପଲ ନୂଆ କୀର୍ତ୍ତି ରଚିବେ ବୋଲି ଉଣା ଅଧିକେ ଆଶାବାଦୀ ଦଳ। ଏଠି କୌଣସି ଦଳ ସହ ପ୍ରତିଦ୍ୱନ୍ଦିତା ହିଁ ନାହିଁ। କିନ୍ତୁ ତା ସହ ବି ଆରୋପ ଲଦିଛନ୍ତି କି, ବିଜେପି ଗୁଣ୍ଡାଗର୍ଦ୍ଦି କରୁଛି। ଅନେକ ଜାଗାରେ ବୁଥ୍ ଏଜେଣ୍ଟଙ୍କୁ ବୁଥ୍ ଭିତରକୁ ପୁରାଇଦେଇନଥିଲେ। ପୁଲିସ ଓ ପ୍ରଶାସନ ସବୁ ଦେଖି ବି ନୀରବଦ୍ରଷ୍ଟା ସାଜିଥିଲା ବୋଲି ଅଭିଯୋଗ ବାଢ଼ିଥିଲେ। ନିର୍ବାଚନ କମିଶନଙ୍କ ହସ୍ତକ୍ଷେପ ଲୋଡ଼ିଥିଲା ସପା। ହୋଟେଲ, ଷ୍ଟେସନ ରୋଡ୍, ମୈନପୁରୀରେ ଶତାଧିକ ବିଜେପି ନେତା ଓ କାର୍ଯ୍ୟକର୍ତ୍ତା ଏକାଠି ହୋଇ ମଦ ଓ ଟଙ୍କା ବାଣ୍ଟୁଥିବାର ଆରୋପ ଲଦିଛି ସପା। ଡିମ୍ପଲଙ୍କ ସହ ଏହି ଆସନରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି ବିଜେପିର ପୂର୍ବତନ ସାଂସଦ ରଘୁରାଜ ସିଂ ସାକ୍ଷ୍ୟ। ରଘୁରାଜ ଏକଦା ଅଖିଳେଶଙ୍କ ଦାଦା ଶିବପାଲ ସିଂ ଯାଦବଙ୍କ ଘନିଷ୍ଠ ଥିଲେ। ଆଉ ସପାରେ କ୍ଷମତା ଲଢ଼େଇ ଦେଖି ବିଜେପିକୁ ଡେଇଁଥିଲେ ରଘୁରାଜ। ବିଏସପି ଓ କଂଗ୍ରେସ ଏହି ଆସନରୁ ଲଢୁନାହାନ୍ତି।

ସେପଟେ ଆଜମ୍ ଖାନ୍ ହେଟ୍ ସ୍ପିଚ୍ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ରାମପୁର ଆସନରୁ ସଭ୍ୟପଦ୍ଦ ହରାଇବା ପରେ ଏଠି ବି ଉପନିର୍ବାଚନ ସରିଛି। ଏଠି ବି ଆକ୍ରୋଶମୂଳକ ଭାବେ ପୁଲିସକୁ ଲଗାଇ ଭୋଟରଙ୍କୁ ଗିରଫ କରାଯାଉଛି, ମାଡ଼ ମରାଯାଉଛି ଓ ଘରେ ନଜରବନ୍ଦୀ କରି ଯେଭଳି ସେମାନେ ଭୋଟ ଦେବାକୁ ଆସିପାରିବେନି, ସେ ନେଇ ଭୟଭୀତ କରାଯାଉଛି ବୋଲି ଆରୋପ ଲଦିଛି ସମାଜବାଦୀ ଦଳ। ଏପରିକି ରାମପୁର ଉପନିର୍ବାଚନରେ ସପାର ପ୍ରତ୍ୟାଶୀ ନିଜ ସମର୍ଥକଙ୍କ ସହ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା। ବିଶେଷ କରି ମୁସଲିମ ଭୋଟରଙ୍କୁ ଅଟକାଯାଉଛି। ସେହିଭଳି ଖଟୌଲିର ବିଜେପି ବିଧାୟକ  ବିକ୍ରମ ସିଂ ସାଇନୀ ୨୦୧୩ ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସଭ୍ୟପଦ ହରାଇବା ପରେ ଏଠାରେ ବି ବାଇ-ଇଲେକ୍ସନ ସରିଛି। ରାମପୁରରେ ଆଜମ୍ ଖାନଙ୍କର ଏକାନ୍ତ ଅନୁଗତ ଅସୀମ ରାଜାଙ୍କ ସହ ବିଜେପିର ଆକାଶ ସକ୍ସେନା ଲଢ଼ୁଥିଲା ବେଳେ ଖଟୌଲି ଆସନରେ ସାଇନିଙ୍କ ପତ୍ନୀ ରାଜକୁମାରୀଙ୍କୁ ଟକ୍କର ଦେଉଛନ୍ତି ଆରଏଲଡିର ମଦନ ଭୟା।

ୟୁପିରେ ବିଜେପି ଗୋଟିଏ ଲୋକସଭା ଓ ଦୁଇଟି ବିଧାନସଭା ଆସନରେ ଅନୁଷ୍ଠିତ ଉପନିର୍ବାଚନରେ ଜିତିବ ବୋଲି କହୁଛି। ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉପ-ମୁଖ୍ୟମନ୍ତ୍ରୀ କେଶବପ୍ରସାଦ ମୌର୍ଯ୍ୟ ପ୍ରମୁଖ ପ୍ରଚାରର ମଙ୍ଗ ଧରିଥିଲେ। ଏହି ଉପ-ନିର୍ବାଚନରେ ୨୪ଲକ୍ଷ ୪୩ହଜାର ମତଦାତା ସେମାନଙ୍କର ମତସାବ୍ୟସ୍ତ କରିଛନ୍ତି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *