ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ମେଜର ରମାରମଣ ପାଢୀଙ୍କୁ ସମ୍ବର୍ଦ୍ଧନା

Spread the love

ବ୍ରହ୍ମପୁର : ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲ୍ଲା ଶାଖାର ଆଲୋଚନା ବୈଠକ ସଭାପତି ଡ଼ଃ. ସୁବ୍ରତ କୁମାର ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ

ମୁଖ୍ୟ ଅତିଥି ଭାବରେ ଉଚ୍ଚ ଶିକ୍ଷା ବିଭାଗ ଦକ୍ଷିଣାଚଂଳ ସହ ନିର୍ଦ୍ଦେଶକ ତଥା କଳିଙ୍ଗ ସାହିତ୍ୟ ସମାଜ ସଭାପତି ଡ଼ଃ. ସିଦ୍ଧାର୍ଥ ଶଙ୍କର ପାଢ଼ୀ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସମ୍ବର୍ଦ୍ଧିତ ପ୍ରତିଭା ବିଶିଷ୍ଟ ନାଟ୍ୟକାର ସାହିତ୍ୟିକ, ଶିକ୍ଷାବିତ୍‌, ମେଜର ରମାରମଣ ପାଢ଼ୀ, ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ ମଂଚାସିନ ହୋଇ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ । ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ଗାନ ଯାଇଥିଲା । ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରି ଅତିଥି ଆବାହନ କରିଥିଲେ । ଦୀର୍ଘ ଅର୍ଦ୍ଧ ଶତାବ୍ଦୀରୁ ଉର୍ଦ୍ଧ୍ୱ କାଳ ନାଟକ ରଚନା, ନିର୍ଦ୍ଦେଶନା ଓ ଅଭିନୟ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଓଡ଼ିଶାର ସୁନାମ ଧନ୍ୟ ସଫଳ ନାଟ୍ୟକାର ମେଜର ରମା ରମଣ ପାଢ଼ୀଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧନା ପ୍ରଦାନ କରିଥିବାରୁ ଉତ୍କଳ ସମ୍ମିଳନୀର ସଭା ଅବସରରେ ମେଜର ପାଢୀଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥି ସହିତ ବରିଷ୍ଠ କବୟିତ୍ରୀ ନିରବ ସାରସ୍ୱତ ସାଧିକା ଶ୍ରୀମତୀ ପୁଷ୍ପାଞ୍ଜଳି ପଟ୍ଟନାୟକଙ୍କୁ ମଧ୍ୟ ବରିଷ୍ଠ କବୟିତ୍ରୀ ଭାବରେ ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧିତ କରିଥିବାରୁ ତାଙ୍କୁ ଉଚ୍ଚ ପ୍ରଶଂସା କରାଯାଇ ସାହିତ୍ୟ ଏକାଡେମୀକୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

ଏହି ଅବସରରେ ଅନ୍ୟତମ ଆଲୋଚକ ଭାବରେ ସଂସ୍କୃତି ତଥା ଲୋକକଳା ଗବେଷକ ଡକ୍ଟର ବାୟାମନୁ ଚର୍ଚ୍ଚି ମତବ୍ୟକ୍ତ କରିଥିଲେ ଯେ, ମେଜର ପାଢ଼ୀ ଆମ ଓଡ଼ିଆ ନାଟକର ଏକ ଯୁଗ ପ୍ରବର୍ତକ । ତାଙ୍କର ଗବେଷଣାଧର୍ମି ନାଟକ ରଚନା ଶୈଳୀ ଅନନ୍ୟ । ଯଥାର୍ଥରେ ସେ ଦୀର୍ଘ ପଚାଶ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ନାଟକ ରଚନା କରିବା ସହ ଅଭିନିତ କରାଇ ନାଟକକୁ ଲୋକାଭିମୁଖୀ କରାଇ ପାରିଛନ୍ତି । ଅନ୍ୟତମ ଆଲୋଚକ ଡାକ୍ତର ଶଙ୍କର୍ଷଣ ପାତ୍ର ମଧ୍ୟ ତାଙ୍କ ଆଲୋଚନାରେ ଓଡ଼ିଆ ନାଟକ ସମ୍ପର୍କରେ ମତବ୍ୟକ୍ତ କରି ନାଟ୍ୟକାର ମେଜର ପାଢ଼ୀଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ମେଜର ପାଢ଼ୀ ତାଙ୍କ ବକ୍ତବ୍ୟରେ ମତପ୍ରକାଶ କରିଥିଲେ ଯେ, ଉତ୍କଳ ସମ୍ମିଳନୀ ଆମ ରାଜ୍ୟର ଏକ ମୁର୍ଦ୍ଧନ୍ୟ ସର୍ବଶ୍ରେଷ୍ଠ ଅନୁଷ୍ଠାନ ଆମ ଭାଷା ଓ ଓଡ଼ିଆ ଅସ୍ମିତାର ପରିଚାୟକ ଅଟେ । ସମ୍ମିଳନୀ ଜରିଆରେ ଆମ ପୂର୍ବ ସୂରୀ ଯେଉଁ ଅବଦାନ ଦେଇ ଯାଇଛନ୍ତି ତାହା ଅବିସ୍ମରଣୀୟ । ଓଡ଼ିଆ ନାଟକ ସମ୍ପର୍କରେ କହିବାକୁ ଗଲେ ଏତିକି କୁହାଯାଇପାରେ ଏହା କେବଳ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ନୁହଁ ଆମ ସମାଜ ପାଇଁ ଏହାର ଅଙ୍ଗିକାର ବଦ୍ଧତା ରହିବା ଆବଶ୍ୟକ । ମୁଖ୍ୟ ଅତିଥି ଡ଼ଃ. ସିଦ୍ଧାର୍ଥ ଶଙ୍କର ପାଢ଼ୀ ନାଟକର ବିଭିନ୍ନ ଦିଗ ପ୍ରତି ଆଲୋକପାତ କରି ନାଟ୍ୟକାର ମେଜର ପାଢ଼ୀଙ୍କ ରଚିତ ପଚାଶରୁ ଉର୍ଦ୍ଧ୍ୱ ନାଟକ ସଫଳ ନାଟକ ସେ ଏହି ସମ୍ମାନ ପାଇଁ ଯୋଗ୍ୟତମ ବ୍ୟକ୍ତିତ୍ୱ । ଆଲୋଚନା ଅବସରରେ ପଡୋଶୀ ଆନ୍ଧ୍ର ପ୍ରଦେଶର ପ୍ରଶାସନିକ ଅଧିକାରୀ ଓ ରାଜନୈତିକ ନେତୃବର୍ଗଙ୍କ ବାରମ୍ବାର ଓଡ଼ିଶାର ଉପାନ୍ତ ଆଭ୍ୟନ୍ତରୀଣରେ ପ୍ରବେଶ କରି ସ୍ଥାନୀୟ ଜନସାଧାରଣଙ୍କୁ ଅନୁଦାନ ପ୍ରଦାନ ଆଳରେ ପ୍ରଲୋଭିତ କରାଇବା ସମ୍ବିଧାନ ସମ୍ମତ ନୁହେଁ । ଏହାର ଦୃଢ଼ ପ୍ରତିବାଦ ହେବା ଆବଶ୍ୟକ ଏବଂ ମହେନ୍ଦ୍ର ତନୟା ନଦୀରେ ଯେଉଁ ଜବରଦସ୍ତ ଆଡ଼ିବନ୍ଧ ନିର୍ମାଣ କରିଛନ୍ତି ତାହାର ମଧ୍ୟ ଦୃଢ଼ ବିରୋଧ ହେବା ଆବଶ୍ୟକ । ଆମ ରାଜ୍ୟ ସରକାର ଏହାର ଦୃଢ ପ୍ରତିରୋଧ କରନ୍ତୁ ବୋଲି ସର୍ବସମ୍ମତ ପ୍ରକାଶ ପାଇଥିଲା ।

ଏହି ଆଲୋଚନା ଓ ସମ୍ବର୍ଦ୍ଧନା ପ୍ରଦାନ କାର୍ଯ୍ୟକ୍ରମ ଉପସଭାପତି ଡାକ୍ତର ନକୁଳ ସାହୁ, କାର୍ଯ୍ୟ କାରୀ କମିଟି ସଦସ୍ୟ ନବୀନ ପଟ୍ଟନାୟକ, ଡା. ସମରେନ୍ଦ୍ର ସାହୁ, ସୂର୍ଯ୍ୟକାନ୍ତ ପାତ୍ର, ହାଡିବନ୍ଧୁ ମାଳିଙ୍କ ସମେତ ବିରୁପାକ୍ଷ ଦାଶ, ଡ଼ଃ. କୃଷ୍ଣ ପ୍ରସାଦ ମହାପାତ୍ର, ଶ୍ରୀମତୀ କିରଣବାଳା ମିଶ୍ର, ଡ଼ଃ. ସୂଚନା ପାଢ଼ୀ, ଶ୍ରୀମତୀ ପଦ୍ମିନୀ ମିଶ୍ର, କୁମାର କାର୍ତିକେଶ୍ୱର ପ୍ରଧାନ, ଶରତ କୁମାର ଦାସ, ଟି. କାଳି ପ୍ରସାଦ ରାଓ, ଲାଲ ବାହାଦୁର ପଟ୍ଟନାୟକ, ମିହିର କୁମାର ରଥ ଶର୍ମା ଓ ଅନିଲ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଡାକ୍ତର ନକୁଳ ସାହୁ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *