ଅରୁଣାଚଳର ସର୍ବପୁରାତନ ମାର୍କେଟ ପୋଡି ପାଉଁଶ

Spread the love

ଇଟାନଗର: ମଙ୍ଗଳବାର ସକାଳୁ ସକାଳୁ ଅରୁଣାଚଳ ପ୍ରଦେଶର ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ଜଳି ପାଉଁଶ ହୋଇଯାଇଛି ୭୦୦ରୁ ଅଧିକ ଦୋକାନ। ଏପରି ଅଘଟଣ ଘଟିଛି ଇଟାନଗରର ନହରଲାଗୁନ ଡେଲି ମାର୍କେଟରେ। ଏହି ମାର୍କେଟ ରାଜ୍ୟର ଏକ ସର୍ବ ପୁରାତନ ମାର୍କେଟ।

ପୁଲିସ ସୂଚନା ମୁତାବକ, ରାଜଧାନୀ ଇଟାନଗରଠାରୁ ୧୪ କିମି ଦୂରରେ ଅବସ୍ଥାପିତ ଏହି ନହରଲାଗୁନ ଡେଲି ମାର୍କେଟରୁ ମଙ୍ଗଳବାର ଭୋର ୪ଟା ସମୟରେ ଉଠିଥିଲା ନିଆଁ। ଏହି ଅଗ୍ନିକାଣ୍ଡ ବାଣ ବା ଦୀପାବଳି ଲ୍ୟାମ୍ପ ଲାଇଟରୁ ଲାଗିଥିବା ସନ୍ଦେହ କରାଯାଉଥିବା କହିଛନ୍ତି ପୁଲିସ।

ଅଗ୍ନିକାଣ୍ଡର ସୂଚନା ପାଇଁ ତତ୍କ୍ଷଣାତ୍ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିବା ବେଳେ କିନ୍ତୁ ଏହା ସହଜ ନ ଥିଲା। କାରଣ ଦୋକାନଗୁଡିକ କାଠ ଓ ବାଉଁଶରେ ନିର୍ମାଣ ହୋଇଥିବାରୁ ନିଆଁ ଆଖି ପୁଛୁଳାକେ ସାରା ମାର୍କେଟକୁ ବ୍ୟାପୀଯାଇଥିଲା। ସ୍ଥାନୀୟ ଦୋକାନୀ ସେମାନଙ୍କ ଦୋକାନରୁ ଯତ୍‌କିଞ୍ଚିତ ସାମଗ୍ରୀ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ  ନିଆଁକୁ ଆହୁରି ଉଗ୍ର କରିଥିଲା କିଛି ଦୋକାନରେ ଥିଲା ଏଲପିଜି ସିଲିଣ୍ଡର ଫାଟିବାରୁ।

ଦୀର୍ଘ ୪ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିବା ପୁଲିସ ସୂଚନା ଦେଇଛି। ତେବେ ସୌଭାଗ୍ୟକୁ କୌଣସି ଜୀବନ ହାନୀ ହୋଇନାହିଁ ଏହି ନିଆଁରେ।  ତେବେ ଅଗ୍ନିକାଣ୍ଡରେ ୭୦୦ ଦୋକାନ ପୋଡି ଯାଇଥିବାରୁ କେତେ କ୍ଷୟକ୍ଷତି ହୋଇଛି ତାହା ଏପର୍ଯ୍ୟନ୍ତ ଜଣାପଡି ନାହିଁ।

ନିଆଁ କିପରି ଲାଗିଲା ତାହା ଜଣାପଡି ନ ଥିବା ବେଳେ ତଦନ୍ତ ପରେ ଏହା ସ୍ପଷ୍ଟ ହୋଇପାରିବ ବୋଲି କହିଛନ୍ତି ଇଟାନଗର ସୁପରିଣ୍ଟେଣ୍ଡେଣ୍ଟ ଅଫ ପୁଲିସ  ଜିମ୍ମି ଚିରାମ।

Leave a Reply

Your email address will not be published. Required fields are marked *