ସରିଲା ଗୁଜରାଟ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ

Spread the love

() ଗୁଜରାଟ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସରିଛି। ସକାଳ ୮ଟାରୁ ଅପରାହ୍ନ ୫ଟା ଯାଏ ମତଦାନ ହୋଇଥିଲା। ଏହି ପର୍ଯ୍ୟାୟରେ ୨ କୋଟି ୫୪ ଲକ୍ଷ ଭୋଟର ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସମେତ ୮୩୩ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଅହମଦାବାଦରେ ନିଜର ମତସାବ୍ୟସ୍ତ କରିଛନ୍ତି। ବିଜେପି ୧୮୨ ଆସନରୁ ୧୫୦ରୁ ଅଧିକ ଆସନରେ ଜିତିବ ବୋଲି ଦମ୍ଭ ଦେଖାଇଥିଲା ବେଳେ ଆପ୍ କହିଛି, ଶହେରୁ ଅଧିକ ଆସନ ଜିତିବ। କଂଗ୍ରେସ କହିଛି, ସେ ବି ଶହେ ପାର୍ କରିବ।

ସରିଲା ଗୁଜରାଟ ବିଧାନସଭା ପାଇଁ ଭୋଟ୍। ଡିସେମ୍ୱର ୧ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହୋଇଥିଲା ବେଳେ ଆଜି ସରିଛି ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ଭୋଟ୍। ଦ୍ୱିତୀୟ ପର୍ଯ୍ୟାୟ ଭୋଟରେ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସମେତ ୮୩୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ପ୍ରାୟ ଅଢ଼େଇ କୋଟି ଭୋଟର। ୧୪ଟି ଜିଲ୍ଲାର ୯୩ଟି ଆସନ ପାଇଁ ମତଦାନ ହୋଇଛି। ପ୍ରଧାନମନ୍ତ୍ରୀ ମୋଦି ଅହମଦାବାଦର ରାଣିପ୍ ନିଶାନ ପବ୍ଲିକ ସ୍କୁଲରେ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା କରିଥିବାରୁ ନିର୍ବାଚନ କମିଶନଙ୍କୁ ଧନ୍ୟବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଅହମଦାବାଦର ନାରଣପୁରାରେ ଗୃହମନ୍ତ୍ରୀ ଅମିତ ଶାହା ସପରିବାର ଭୋଟ୍ ଦେଇଛନ୍ତି। ସେହିଭଳି ୟୁପି ରାଜ୍ୟପାଳ ତଥା ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଆନନ୍ଦିବେନ୍ ପଟେଲ ସିଲାଜ୍ ଅନୁପମ ସ୍କୁଲ ମତଦାନ କେନ୍ଦ୍ରରେ ଭୋଟ୍ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଘାଟଲୋଡ଼ିଆରୁ ଭାଗ୍ୟ ପରୀକ୍ଷା କରୁଛନ୍ତି। ସେ ବି ଏହି ମତଦାନ କେନ୍ଦ୍ରରେ ମତସାବ୍ୟସ୍ତ କରିଛନ୍ତି। ଦିଲ୍ଲୀ ଉପରାଜ୍ୟପାଳ ସପତ୍ନୀକ ଅହମଦାବାଦରେ ଭୋଟ୍ ଦେଇଛନ୍ତି। ଗୁଜରାଟ ଭୋଟର ସବୁବେଳେ ସ୍ମାର୍ଟ। ଭାବିଚିନ୍ତି ଭେଟ୍ ଦିଅନ୍ତି ଓ ଏଥର ବି ସେୟା କରିବେ। ବିଜେପି ପ୍ରାର୍ଥୀ ତଥା ପଟ୍ଟିଦାର ନେତା ହାର୍ଦ୍ଦିକ ପଟେଲ୍ ମତସାବ୍ୟସ୍ତ କରିଛନ୍ତି। ଗୁଜରାଟରେ ଆଇନଶୃଙ୍ଖଳା ବଜାୟ ରଖିବା ସହ ରାଜ୍ୟର ବିକାଶ ଲାଗି ନିରନ୍ତର ବିଜେପି କାମ କରିଆସୁଛି। ସେଥିଲାଗି ବିଜେପି ଜିତିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି। ହାର୍ଦ୍ଦିକଙ୍କ ପତ୍ନୀ କହିଛନ୍ତି କି, ଏଠି ନେକ୍-ଟୁ-ନେକ୍ ଫାଇଟ୍ ହେଉନି। ଏକାପାଖିଆ ଓ ହାର୍ଦ୍ଦିକ ହିଁ ଜିତିବେ ବୋଲି ସେ ପୁରା ଆଶାବାଦୀ। ସେହିଭଳି ଅଳପେଶ ଠାକୋର ଦକ୍ଷିଣ ଗାନ୍ଧୀନଗରରୁ ନିଜର ଭାଗ୍ୟ ପରୀକ୍ଷା କରିଛନ୍ତି।

ସେପଟେ କଂଗ୍ରେସ ଏଥର ଆଶା ବାନ୍ଧିଛି କି, ଗୁଜରାଟରେ ଦୀର୍ଘ ୨୭ ବର୍ଷ ଧରି ଚାଲିଆସିଥିବା ବିଜେପି ଶାସନକୁ ଏଥର ବଦଳାଇବେ ଭୋଟର୍। ଯେହେତୁ ଦ୍ୱିତୀୟ ପର୍ଯ୍ୟାୟରେ ପଛୁଆବର୍ଗ ବହୁଳ ଆସନରେ ନିର୍ବାଚନ ହେଉଛି। ଆଉ କଂଗ୍ରେସ ପଛୁଆବର୍ଗରୁ ହିଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଦେଇଛି। ଗୁଜରାଟ କଂଗ୍ରେସ ସଭାପତି ଆରୋପ ଲଦିଛନ୍ତି ଯେ, ପୁଲିସ ଓ ପ୍ରଶାସନିକ କଳକୁ ବ୍ୟବହାର କରି ବିଜେପି ନିର୍ବାଚନକୁ ପ୍ରଭାବିତ କରିବାକୁ ପୁରା ଦମ୍ ଲଗାଇଦେଇଛି। ଦଳୀୟ ପ୍ରାର୍ଥୀ କାନ୍ତି ଖରାଦିଙ୍କୁ ଆକ୍ରମଣ ଭଳି ଅନୁରୂପ ଭାବେ ଅନ୍ୟ ପ୍ରାର୍ଥୀଙ୍କୁ ବି ଭୟଭୀତ କରାଯାଉଛି। ଗୁଜରାଟରେ ଏଥର କଂଗ୍ରେସ ଜିତୁଛି ବୋଲି ସେ ଦୃଢ଼ତା ଦେଖାଇଛନ୍ତି। ଦଳିତ ନେତା ଜିଗ୍ନେଶ ମେଓ୍ୱାନୀ ଭାଡ଼ାଗାଁ ଆସନ ଓ ବିରୋଧୀ ଦଳ ନେତା ସୁଖରାମ ରାଠଓ୍ୱା ଜେଟପୁର ଆସନରେ ଭାଗ୍ୟ ପରୀକ୍ଷା କରିଛନ୍ତି।

ସେପଟେ ଆମ୍ ଆଦମୀ ଦଳ ବି ଗୁଜରାଟରେ କରିସ୍ମା କରିବ ବୋଲି ଦମ୍ଭୋକ୍ତି ଦେଖାଇଛି। ଏଥର ଗୁଜରାଟ ଭୋଟର କିଛି ନୂଆ କରିକି ଦେଖାଇବେ ଓ ଯାହା ସମସ୍ତଙ୍କୁ ଚକିତ କରିବ ବୋଲି କହିଛନ୍ତି କେଜରିଓ୍ୱାଲ୍। ଗୁଜରାଟରେ ନୂଆ ଆଶା ଓ ଦଶନ୍ଧି ପରେ ଆସିଥିବା ସୁଯୋଗକୁ କଦାପି ହାତଛଡ଼ା କରିବେନି ଭୋଟର ବୋଲି କହିଛି ଆମ୍ ଆଦମୀ ଦଳ। ଆପ୍ ସମସ୍ତ ୯୩ଟି ଆସନରେ ଲଢ଼ୁଛି।

ଦୀର୍ଘ ୩ ଦଶନ୍ଧି ଧରି ଅହମଦାବାଦରେ ଥିବା ୧୬ଟି ଆସନରେ ବିଜେପି ଦବଦବା ଜାହିର କରି ଆସିଛି। କଂଗ୍ରେସ ଗତଥର ୪ଟି ଆସନ ପାଇବାକୁ ସକ୍ଷମ ହୋଇଥିଲା। ଆମ୍ ଆଦମୀ ଦଳ ୧୬ଟି ଯାକ ଆସନରେ ପ୍ରାର୍ଥୀ ଦେଇଛି। ମୁସଲିମ ବହୁଳ ଜମଦଲପୁର-ଖଦିଆ ଆସନରେ ଅସାଦୁଦ୍ଦିନ ଓଓ୍ୱେସିଙ୍କ ଦଳର ଏଣ୍ଟ୍ରି କଂଗ୍ରେସକୁ କ୍ଷତି ପହଞ୍ଚାଇଥିଲା। ୨୦୧୨ରେ କଂଗ୍ରେସ ଭୋଟକୁ କାଟିଥିଲା ଏଆଇଏମଆଇଏମ ଓ ବିଜେପିକୁ ଜିତିବାରେ ସହାୟକ ସାଜିଥିଲା। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ସମସ୍ତ ୯୩ ଆସନରେ ବିଜେପି  ଓ ଆପ୍ ଲଢ଼ୁଥିଲା ବେଳେ କଂଗ୍ରେସ ୯୦ ଆସନରେ ପ୍ରାର୍ଥୀ ଦେଇଛି। ଅଂଶୀଦାର ଏନସିପିକୁ ୨ଟି ଆସନ ଛାଡ଼ିଛି। ୬୧ଟି ଦଳ ଦ୍ୱିତୀୟ ପର୍ଯ୍ୟାୟରେ ନିଜର ଭାଗ୍ୟ ପରୀକ୍ଷା କରିଛନ୍ତି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *