ହିଜାବ ବିବାଦ: ଖଣ୍ଡପୀଠରେ ଭିନ୍ନମତ

Spread the love

ନୂଆଦିଲ୍ଲୀ: ହିଜାବ ବିବାଦରେ ସୁପ୍ରିମକୋର୍ଟରେ ଭିନ୍ନ ମତ। ମତାନ୍ତର ପରେ ବଡ ଖଣ୍ଡପୀଠକୁ ଗଲା ବିବାଦ। ଆଗକୁ ହିଜାବ ବିବାଦର ଶୁଣାଣି କରିବେ ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ।  

କର୍ଣ୍ଣାଟକ ସରକାର ଦ୍ବାରା ଶିକ୍ଷାନୁଷ୍ଠାନରେ ହିଜାବ ପରିଧାନ ଉପରେ ନିଷେଦ୍ଧାଦେଶ ଜାରି କରାଯାଇଛି। ଏହି ମାମଲା ଏବେ ସୁପ୍ରିମକୋର୍ଟରେ। ଗୁରୁବାର ଦିନ ଜଷ୍ଟିସ ହେମନ୍ତ ଗୁପ୍ତା ସରକାରୀ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନକୁ ଖାରଜ କରିଦେଇଥିବା ବେଳେ  ଜଷ୍ଟିସ୍ ଧୁଲିଆ କର୍ଣ୍ଣାଟକ ସରକାରଙ୍କ ନିଷ୍ପତ୍ତିକୁ ଭୁଲ ବୋଲି କହିଛନ୍ତି । ଖଣ୍ଡପୀଠର ଦୁଇ ବିଚାରପତିଙ୍କ ଭିନ୍ନମତ ପାଇଁ ଶୁଣାଣି ହୋଇପାରିନି। ତେଣୁ ଏହି ମାମଲାକୁ ତିନି ଜଣିଆ ଖଣ୍ଡପୀଠକୁ ହସ୍ତାନ୍ତର କରାଯାଇଛି।

କର୍ଣ୍ଣାଟକର ବିଭିନ୍ନ ସ୍କୁଲ ଓ କଲେଜରେ ମୁସଲମାନ ଶିକ୍ଷାର୍ଥୀଙ୍କ ହିଜାବ ପରିଧାନକୁ ମନା କରିଥିଲେ କର୍ତ୍ତୃପକ୍ଷ। ଏପରି ନିଷ୍ପତ୍ତିକୁ ନେଇ ଦେଖାଦେଇଥିଲା ବିବାଦ। ଦେଶବ୍ୟାପୀ ଚହଳ ପକାଇଥିଲା ହିଜାବ ମାମଲା। କର୍ଣ୍ଣାଟକ ସରକାର ବିବାଦକୁ ଦେଖି ଶିକ୍ଷାନୁଷ୍ଠାନକୁ ହିଜାବ ପିନ୍ଧି ଆସିବାକୁ ବାରଣ କରିଥିଲେ। ପରବର୍ତ୍ତୀ ସମୟରେ ହାଇକୋର୍ଟ ସରକାରୀ ନିଷ୍ପତ୍ତିକୁ ଠିକ ଦର୍ଶାଇଥିଲେ। ଏହାକୁ ବିରୋଧ କରି ସୁପ୍ରିମ କୋର୍ଟରେ ମାମଲାର ଶୁଣାଣି ଚାଲିଛି।

କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ ଦେଇ ହୋଇଥିବା ମୋଟ ୨୩ଟି ଆବେଦନ ଉପରେ ଖଣ୍ଡପୀଠ ଶୁଣାଣି କରିଥିଲେ। ଲଗାତର ୧୦ ଦିନ ଧରି ଏହି ମାମଲାର ଶୁଣାଣି ହୋଇଥିଲା ସୁପ୍ରିମକୋର୍ଟରେ। ସେପ୍ଟେମ୍ବର ୨୨ରେ ରାୟ ସଂରକ୍ଷିତ ରଖାଯାଇଥିଲା।

କିନ୍ତୁ ଆଜି ଶୁଣଣି କାଳରେ ଉଭୟ ବିଚାରପତିଙ୍କ ଭିନ୍ନ ମତ ଆସିବାରୁ ମାମଲାକୁ ବଡ ଖଣ୍ଡପୀଠଙ୍କ ନିକଟକୁ ପଠାଇ ଦିଆଯାଇଛି।  ମୁଖ୍ୟବିଚାରପତି ଏହି ମାମଲାରେ ନିଷ୍ପତ୍ତି ନେବେ।

Leave a Reply

Your email address will not be published. Required fields are marked *