ବିଜେପିକୁ ହିମାଚଳ ଭୋଟରଙ୍କ ଚକମା

Spread the love

() ହିମାଚଳ ଭୋଟର ପୁଣି ଚକମା ଦେଲେ। ପ୍ରତି ୫ ବର୍ଷରେ କ୍ଷମତା ବଦଳାଇବାର ଟ୍ରେଣ୍ଡକୁ ବଜାୟ ରଖିଲେ। ଏଥର କଂଗ୍ରେସକୁ ୫ ବର୍ଷ ପାଇଁ ଶାସନ ଡୋରି ସମ୍ଭାଳିବାକୁ ଜନାଦେଶ ମିଳିଛି। ୬୮ ଆସନରୁ ୩୯ ଆସନରେ କଂଗ୍ରେସ ଜିତିଛି। ବିଜେପି ୨୬ ଆସନରେ ସୀମିତ ରହିଥିବା ବେଳେ ଆପ୍ ଖାତା ଖୋଲିପାରିଲାନି।

ହିମାଚଳରେ ଏଥର କଂଗ୍ରେସ ପାଳି। ଶାସକ ଦଳକୁ ପୁନର୍ବାର ସୁଯୋଗ ନ ଦେବା ଓ ପ୍ରତି ୫ ବର୍ଷରେ ଶାସନ କ୍ଷମତା ବଦଳାଇବାର ପରମ୍ପରାକୁ ବଜାୟ ରଖିଲେ ହିମାଚଳ ଭୋଟର୍। ୬୮ଟି ଆସନରୁ ମ୍ୟାଜିକ ନମ୍ୱର ପାଇ ୩୯ ଆସନରେ ଜିତିଛି କଂଗ୍ରେସ। ବିଜେପି ୨୬ ଆସନରେ ଜିତିଥିବା ବେଳେ ଆପ୍ ଖାତା ଖୋଲିପାରିନି। ସ୍ୱାଧୀନ ୩ଟି ଆସନରେ ଜିତିଛନ୍ତି। ତେବେ ଗଣତି ଆରମ୍ଭରୁ ଯେଭଳି ବିଜେପି ଓ କଂଗ୍ରେସ ଭିତରେ ଟକ୍କର ଚାଲିଥିଲା, ତାହା ଦେଖିଲାଭଳି। କେତେବେଳେ ବିଜେପି ବଢୁଥିଲା ତ କେତେବେଳେ କଂଗ୍ରେସ। ଉନିଶ୍ ବିଶ୍ ଭଳି ଆଗ ପଛ ହୋଇ ଚାଲିଥିଲେ। ପୁଣି କେତେବେଳେ ସମାନ ସଂଖ୍ୟକ ଆସନରେ ଉଭୟ ଲିଡ୍ କରୁଥିଲେ। ଆଉ ଶେଷରେ ବାଜି ମାରିନେଲା କଂଗ୍ରେସ। ସିରାଜ ଆସନରେ ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ୨୦ ହଜାରରୁ ଉର୍ଦ୍ଧ୍ୱ ଭୋଟରେ ଜିତି ଯଦିଓ ପ୍ରଥମ ଜିତାପଟ୍ଟ ଦେଇଥିଲେ ଦଳକୁ। ଷଷ୍ଠ ଥର ଲାଗି ସିରାଜ ଆସନରୁ ଜିତିଛନ୍ତି ଜୟରାମ। କିନ୍ତୁ ଦଳ ହାରିଗଲା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଠାକୁର। ହିମାଚଳରେ ବିଜେପି ସହ କଡ଼ା

ଟକ୍କର ନୁହେଁ, ବରଂ ସ୍ଥିର ସରକାର ଦେବା ଅଭିମୁଖେ କଂଗ୍ରେସ ଆଗଉଛି ବୋଲି କହିଥିବା କଂଗ୍ରେସର ଆକଳନ ଶେଷରେ ସତ ପ୍ରମାଣିତ ହେଲା। ଶେଷରେ ମ୍ୟାଜିକ ନମ୍ୱର ଛୁଇଁଥିଲା କଂଗ୍ରେସ। ତା ସତ୍ତ୍ୱେ ବି  ବିଜେପିର ଘୋଡ଼ାବେପାରକୁ ଜଗିବା ସହ ଗଣତନ୍ତ୍ରକୁ ସୁରକ୍ଷା ଦେବୁ ବୋଲି କହିଥିଲା କଂଗ୍ରେସ।  ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରତିଭା ବୀରଭଦ୍ର ସିଂ ସବୁଠୁ ପ୍ରମୁଖ ଦାବିଦାର ବୋଲି କହିଛନ୍ତି ବିକ୍ରମାଦିତ୍ୟ। ଆମ୍ ଆଦମୀ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଇସୁଦାନ ଗାଡଭିଙ୍କ ସମେତ ରାଜ୍ୟ ଆପ୍ ସଭାପତି ଗୋପାଳ ଇଟାଲିଆ ପ୍ରମୁଖ ସମସ୍ତେ ପରାଜୟର ମୁହଁ ଦେଖିଛନ୍ତି। ଆପ୍ ଖାତା ହିଁ ଖୋଲିପାରିଲାନି ହିମାଚଳରେ।

୨୦୧୭ରେ ବିଜେପି ୪୪ ଆସନରେ ଜିତି ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇ ସରକାର କରିଥିଲା।  କଂଗ୍ରେସ ୨୧ ଆସନରେ ଜିତିଥିଲା ବେଳେ ସିପିଆଇଏମ ଗୋଟିଏ ଓ ଦୁଇ ଜଣ ସ୍ୱାଧୀନ ପ୍ରାର୍ଥୀ ଜିତିଥିଲେ। ୧୯୮୫ ମସିହା ପରେ ଶାସକ ଦଳକୁ ପୁନର୍ବାର ନିର୍ବାଚିତ କରିନାହାନ୍ତି ହିମାଚଳପ୍ରଦେଶ ଭୋଟର୍। କିନ୍ତୁ ଏଥର ଏହି ପରମ୍ପରାକୁ ଭାଙ୍ଗିବାକୁ ବିଜେପି ମୋଦିଙ୍କୁ ପ୍ରଚାରର ମଙ୍ଗ ଧରାଇବା ସହ ସରକାର ନୁହେଁ, ପରମ୍ପରା ବଦଳାଇବାର ନାରା ଦେଇଥିଲା। ଉତ୍ତରାଖଣ୍ଡରେ ବି ସମାନ ରଣନୀତି ଆପଣାଇଥିଲା ବିଜେପି। ଯେହେତୁ ହିମାଚଳପ୍ରଦେଶ ରାଷ୍ଟ୍ରୀୟ ବିଜେପି ସଭାପତି ଜେପି ନଡ୍ଡାଙ୍କର ନିଜ ରାଜ୍ୟ, ସେଥିଲାଗି ଏହାର ରେଜଲ୍ଟ ବେଶ୍ ଗୁରୁତ୍ୱ ବହନ କରୁଥିଲା। ହିମାଚଳରେ ୨୧ଟି ଆସନରେ ବିଜେପିର ବିଦ୍ରୋହୀ ଛିଡ଼ା ହୋଇଥିଲେ।

ବିଜେପିର ଡବଲ ଇଞ୍ଜିନ୍ ସରକାରକୁ କଂଗ୍ରେସର ପୁରୁଣା ପେନସନ ସ୍କିମ୍ ପୁନର୍ବାର ଲାଗୁ ପ୍ରତିଶୃତି ଓ ନାରା ଯେମିତି ହିମାଚଳ କ୍ୟାମ୍ପେନର ମୁଖ୍ୟ ଆଧାର ଥିଲା। କ୍ଷମତାରୁ କଂଗ୍ରେସକୁ ଦୂରେଇ ରଖିବାକୁ ବିଜେପି ବିଜୟୀ ବିଦ୍ରୋହୀ ଓ ସ୍ୱାଧୀନ ପ୍ରାର୍ଥୀଙ୍କ ସହ ଯୋଗସୂତ୍ର ଆରମ୍ଭ କରିଦେଇଥିବା ଦିନତମାମ ଚର୍ଚ୍ଚା ଚାଲିଥିଲା। କିନ୍ତୁ ଶେଷରେ ବାଜି ମାରିନେଲା କଂଗ୍ରେସ। ମୋଦି ମ୍ୟାଜିକ କାଟୁ କଲାନି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *