ମୁମ୍ବାଇ: ମହାରାଷ୍ଟ୍ରର ରାୟଗଢ ଜିଲ୍ଲାର ହରିହରେଶ୍ବର ସମୁଦ୍ର ତଟରୁ ଏକ ସନ୍ଦିଗ୍ଧ ନୌକା ମିଳିଛି। ଏହି ନୌକାରେ ଭରି ରହିଛି ବିପୁଳ ମାତ୍ରାରେ ଏକେ ୪୭, ରାଇଫଲ, ଗୁଳି। ନୌକାକୁ ଦେଖି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ପୂରା ଜିଲ୍ଲାରେ ଆଲର୍ଟ ଜାରି କରାଯାଇଛି ଓ ପୁଲିସ ଘଟଣାର ଯାଞ୍ଚ କରୁଛି।
ମହାରାଷ୍ଟ୍ରର ରାୟଗଢ ଜିଲ୍ଲାର ହରିହରେଶ୍ବର ସମୁଦ୍ର ତଟରୁ ବିପୁଳ ପରିମାଣର ମାରଣାସ୍ତ୍ର ମିଳିଛି। ଏହି ମାରଣାସ୍ତ୍ରରେ ବିପୁଳ ପରିମାଣର ଏକେ ୪୭, ରାଇଫଲ, ଗୁଳି ଆଦି ରହିଛି। ଏହି ନୌକାଟି ସମୁଦ୍ରର ହରିହରେଶ୍ବର ତଟରେ ଠିଆହୋଇଥିଲା। ସ୍ଥାନଟି ମୁମ୍ବାଇରୁ ୨୦୦ କିଲୋମିଟର ଦୂରରେ ଥିବା ବେଳେ ପୁଣେରୁ ରହିଛି ୧୭୦ କିମି ଦୂରରେ।
ସୂତ୍ରରୁ ପ୍ରକାଶ କି, ନୌକାଟି ଅଷ୍ଟ୍ରେଲିଆର। ଏଥିରେ କିଛି ଲୋକ ମଧ୍ୟ ଆସିଥିଲେ। କିନ୍ତୁ ଏନେଇ ତଟରକ୍ଷୀ ନିକଟରେ କୌଣସି ସୂଚନା ନାହିଁ। ତେବେ ଏତେ ପରିମାଣର ଅସ୍ତ୍ରଶସ୍ତ୍ର ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି। କାରଣ ସର୍ବଦା ସମୁଦ୍ର ପଥ ଦେଇ ଆତଙ୍କୀଙ୍କ ଆସିବାର ସମ୍ଭାବନା ରହିଛି। ଏହା ପୂର୍ବରୁ ୨୦୦୮ରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ଲସ୍କର ଏ ତୋଏବାର ୧୦ ଜଣ ଆତଙ୍କବାଦୀ ସମୁଦ୍ର ପଥରେ ପାକିସ୍ତାନରୁ ଭାରତ ଆସିଥିଲେ। ଏହି ଆକ୍ରମଣରେ ସେତେବେଳେ ୧୬୦ଜଣଙ୍କ ମୃତ୍ୟୁ ହୋଇଯାଇଥିଲା।
ନୌକାରୁ ମିଳିଥିବା ମାରଣାସ୍ତ୍ରର ମାତ୍ରା ଦେଖି ଏହା ଆଉ ଏକ ମୁମ୍ବାଇ ଆକ୍ରମଣ ପାଇଁ ଯୋଜନା ଥିବା ଆଶଙ୍କା କରାଯାଉଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now