() ଦୁଇ ମହିଳା ଅଧିକାରୀଙ୍କ ଭିତରେ ଝଗଡ଼ା। ସୋସିଆଲ ମିଡ଼ିଆରେ ଆଇଏଏସ ଓ ଆଇପିଏସଙ୍କ ଭିତରେ ଓ୍ୱାରକୁ ନେଇ କର୍ଣ୍ଣାଟକ ପାଓ୍ୱାର କରିଡ଼ରରେ ହଇଚଇ। ଝଗଡ଼ା ସୀମା ଟପିଲାଣି। ସ୍ଥିତି ଏମିତି ହୋଇଛି ଯେ, ଉଭୟଙ୍କ ବିରୁଦ୍ଧରେ ଆକ୍ସନ ପାଇଁ ରାଜ୍ୟ ଗୃହ ମନ୍ତ୍ରୀ ନିର୍ଦେଶ ଦେଇଛି।
ଫେସବୁକରେ ହଙ୍ଗାମା। ପ୍ରାଇଭେଟ ପିକ୍ଚରକୁ ନେଇ ପରସ୍ପରର ଗୋହି ଖୋଳିଛନ୍ତି ଦୁଇ ମହିଳା ବରିଷ୍ଠ ଅଧିକାରୀ। ଜଣେ ଆଇଏଏସ ଅଫିସର ରୋହିନୀ ସିନ୍ଧୁରିଆ ତ ଆଉ ଜଣେ ଆଇପିଏସ ଅଫିସର ଡି.ରୂପା। କର୍ଣ୍ଣାଟକର ପାଓ୍ୱାର କରିଡ଼ରରେ ଯାହାକୁ ନେଇ ହଇଚଇ। ରୂପା ଏବେ କର୍ଣ୍ଣାଟକ ହ୍ୟାଣ୍ଡିକ୍ରାଫ୍ଟ ଡେଭେଲପମେଣ୍ଟ କର୍ପୋରେସନର ଏମ୍ଡି ଥିଲା ବେଳେ ରୋହିନୀ ଦେବୋତ୍ତର କମିଶନର ଅଛନ୍ତି। ରୋହିନୀ ଫେସବୁକରେ କରିଥିବା ପୋଷ୍ଟକୁ ନେଇ ଆପତ୍ତି ଉଠାଇଛନ୍ତି ରୂପା। ରୋହିନୀ ରୂପାଙ୍କ ପାଖକୁ ତିନି ଜଣ ଆଇଏଏସ ଅଫିସରଙ୍କ ଫଟୋ ଲଗାତାର ପଠାଇଥିଲେ। କିଏ ହେୟାର କଟ୍ ପୋଜିସନରେ ଥିଲା ତ କିଏ ତକିଆ କୁଣ୍ଢାଇ ଧରି ଶୋଇବା ମୁଦ୍ରାରେ ଥିଲା। ଏସବୁ ଫଟୋ ସ୍ୱାଭାବିକ ଦେଖାଯାଉଛି ସତ। କିନ୍ତୁ ଏ ସବୁ ଫଟୋ ପଛାଇବା ପଛରେ ମନ୍ଦ ଉଦ୍ଦେଶ୍ୟ ଥିବା ଆରୋପ ଲଗାଇଛନ୍ତି ରୂପା। ସେଥିଲାଗି ରୋହିନୀଙ୍କ ବିରୁଦ୍ଧରେ ଆକ୍ସନ ପାଇଁ ରାଜ୍ୟ ସରକାରଙ୍କ ନୋଟିସକୁ ଆଣିଛନ୍ତି ଆଇପିଏସ ରୂପା। କିନ୍ତୁ ସରକାର କୌଣସି ଆକ୍ସନ ନେଇନଥିବାରୁ ଏହାକୁ ନେଇ ଖପ୍ପା ରୂପା।
ରୂପାଙ୍କ କହିବା କଥା, ସେ ଓ ତାଙ୍କ ସ୍ୱାମୀ ଆଇଏଏସ ମୌନିଷ ମୁଦଗଲ ଅନେକ କ୍ଷେତ୍ରରେ ରୋହିନୀଙ୍କୁ ସାହାଯ୍ୟ ଓ ସହଯୋଗ କରିଆସୁଛନ୍ତି। ଏପରିକି ଲେଟର ଡ୍ରାଫ୍ଟିଂରେ ବି ସହଯୋଗ କରିଛନ୍ତି। କିନ୍ତୁ ରୋହିନୀ ପାଲଟା ଆରୋପ ଲଦୁଛନ୍ତି, କୁଆଡ଼େ ରୂପା ନିଜ ସୀମା ଅତିକ୍ରମ କରୁଛନ୍ତି। ରୂପାଙ୍କର ଅଭିଯୋଗକୁ ଖଣ୍ଡନ କରି ଆଇଏଏସ ରୋହିନୀ ପ୍ରେସ୍ ରିଲିଜ ଜରିଆରେ କହିଛନ୍ତି ଯେ, ଏଭଳି ବ୍ୟବହାର ଲାଗି ରୂପାଙ୍କ ବିରୁଦ୍ଧରେ ତୁରନ୍ତ ଆକ୍ସନ ହେଉ। ସର୍ଭିସ କଣ୍ଡକ୍ଟ ରୁଲ୍ସକୁ ଉଲ୍ଲଂଘନ ଅଭିଯୋଗରେ ଲିଗାଲ ଆକ୍ସନ ସହ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ରୋହିନୀ।
ରରିବାର ରୂପା ରୋହିନୀଙ୍କର ଅନେକ ପ୍ରାଇଭେଟ ଫଟୋ ଫେସବୁକରେ ସେୟାର କରିଥିଲେ। ତା ସହ ରୋହିନୀ ବହୁ ଦୁର୍ନୀତିରେ ଲିପ୍ତ ଥିବାର ଲମ୍ୱା ଅଭିଯୋଗର ଫର୍ଦ୍ଦ ବି ପୋଷ୍ଟ କରିଥିଲେ ରୂପା। ଏହା ସହ ଅଭିଯୋଗ ସହ ପ୍ରାଧିକୃତ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛନ୍ତି ରୋହିନୀ। ସୋସିଆଲ ମିଡ଼ିଆରେ ଫଟୋ ପୋଷ୍ଟକୁ ନେଇ ଅଯଥା ବିବାଦ ଓ ଗଣମାଧ୍ୟମର ଶିରୋନାମା ପାଲଟିବାକୁ ବୃଥା ଚେଷ୍ଟା କରୁଛନ୍ତି ରୂପା ବୋଲି ରୋହିନୀ ଅଭିଯୋଗ ବାଢ଼ିଛନ୍ତି। ଏତିକିରେ ବିବାଦ ଥମିନି। ରୋହିନୀଙ୍କ ଫେସବୁକ ଓ ଟ୍ୱିଟକ ଫ୍ୟାନ୍ସ ରୂପାଙ୍କ ଉଦ୍ଦେଶ୍ୟରେ ୯ଟି ପ୍ରଶ୍ନ ପଚାରିଛନ୍ତି। ଏଭଳି ବିବାଦକୁ ନେଇ କର୍ଣ୍ଣାଟକ ଗୃହମନ୍ତ୍ରୀ ଏ.ଜ୍ଞନେନ୍ଦ୍ର ଉଭୟଙ୍କୁ ଚେତାଇ ଦେଇଛନ୍ତି। ଏଭଳି ଅଶୋଭନୀୟ ବ୍ୟବହାର ଲାଗି ଉଭୟ ଦଣ୍ଡିତ ହେବେ ବୋଲି ତାଗିଦ୍ କରିଛନ୍ତି।
ଉଭୟଙ୍କ ଆଚରଣକୁ ନେଇ ଗୃହମନ୍ତ୍ରୀ ଜ୍ଞାନେନ୍ଦ୍ର ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜିଙ୍କ ସହ ଆଲୋଚନା କରିଛନ୍ତି। ଏହି ଦୁଇ ମହିଳା ବରିଷ୍ଠ ଅଧିକାରୀ ଯେଭଳି ଭାବରେ ସୋସିଆଲ ମିଡ଼ିଆରୁ ନେଇ ବ୍ୟକ୍ତିଗତଦ ସ୍ତରକୁ ଲଢ଼ିବାକୁ ଓହ୍ଲାଇସାରିଲେଣି, ଏମିତି କୌଣସି ସାଧାରଣ ଲୋକ ବି ରାସ୍ତାଘାଟରେ ଏମିତି ଲଢ଼ୁନଥିବେ କହି କ୍ଷୁବ୍ଧ ହୋଇଛନ୍ତି ଗୃହମନ୍ତ୍ରୀ।
ପ୍ରଦୀପ ନାୟକଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now