ଭଲ ବର୍ଷା ନ ହେଲେ ଧାନ ଫସଲ ଉଜୁଡିବ

Spread the love

ଧର୍ମଶାଳା : ଚଳିତ ବର୍ଷ ଆରମ୍ଭରୁ ଭଲ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା । ହେଲେ ସାରା ରାଜ୍ୟରେ ମୌସୁମୀ ପ୍ରବାହ ହୋଇଥିଲେ ମଧ୍ୟ କାଁ ଭାଁ ବର୍ଷା ହୋଇଥିବା ବେଳେ ଶ୍ରାବଣ ମାସରେ ବର୍ଷାର ଅଭାବ ଦେଖାଯାଇଥିବା ଜଣାପଡିଛି । ଏବେ ରାଜ୍ୟରେ ବର୍ଷାର ଲୁଚକାଳିକୁ ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଆଗକୁ ଭଲ ବର୍ଷା ନ ହେଲେ ଧାନ ଫସଲ ସମ୍ପୂର୍ଣ୍ଣଭାବେ ଉଜୁଡି ଯିବାର ଆଶଙ୍କା ଦେଖା ଦେଇଛି ।

ଯାଜପୁର ଜିଲା ଧର୍ମଶାଳା, ବଡଚଣା, ରସୁଲପୁର ଓ ବରୀ ବ୍ଲକରେ ହଜାର ହଜାର ହେକ୍ଟର ଜମିରେ ହଜାର ହଜାର ସଂଖ୍ୟାରେ ଚାଷୀମାନେ ଧାନ ବୁଣି ନିଜର ପରିବାର ଚଳାଇଥାନ୍ତି । ଚଳିତ ବର୍ଷ ଭଲ ବର୍ଷା ହେବା ଆଶା କରି ଚାଷୀ ବିଭିନ୍ନ ଉପାୟରୁ ଧାର କରଜ କରି ବିଲରେ ଚାଷ କାର୍ଯ୍ୟ ସାରି ଧାନ ବିହନ ବୁଣି ଧାନ ଅମଲ ପାଇଁ ଅନାଇ ରହିଛି । ସାମାନ୍ୟ ବର୍ଷାକୁ ଦେଖି ଚାଷୀ ଧାନ ଗଛରେ ସାର ଓ କୀଟନାଶକ ଔଷଧ ପ୍ରୟୋଗ କରିଦେଇଛି । ଫଳରେ ଏବେ ବର୍ଷାର ଘୋର ଅଭାବ ଦେଖାଦେଇଛି । କ୍ଷେତରୁ ପାଣି ନ ଥିବାରୁ ଧାନ ଗଛ ଏବେ ମରିବାକୁ ବସିଲାଣି । ଯାହାକୁ ନେଇ ଏବେ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଧାନ କେମିତି ଅମଲ କରିବେ ଓ ଆଣିଥିବା କରଜ କିପରି ଶୁଝିବେ ତାହାକୁ ନେଇ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ଅନ୍ୟ ପକ୍ଷେ ଏହି ସବୁ ବ୍ଲକର ବହୁ ସ୍ଥାନରେ ଜଳସେଚନର ସୁବିଧା ନ ଥିବା ବେଳେ ଆଉ ଯେଉଁଠି ଜଳସେଚନର ସୁବିଧା ରହିଛି ତାହା ସବୁ ସ୍ଥାନକୁ ପାଣି ଯାଇ ପାରୁ ନାହିଁ । ଫଳରେ ଧାନ ଫସଲ ଅମଳ କରିବାରେ ଚାଷୀ ବିଫଳ ହେଉଥିବା ଚାଷୀଭାଇମାନେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *