ଦେଶ ପାଳୁଛି ପରାକ୍ରମ ଦିବସ

Spread the love

ଆଜି ନେତାଜୀ ଜୟନ୍ତୀ। ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅନ୍ୟତମ କର୍ଣ୍ଣଧାର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ଆଜି ସାରା ଦେଶ ତାଙ୍କୁ ଜଣାଇଛି ଶ୍ରଦ୍ଧାଞ୍ଜଳି। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଜି ୧୨୬ ତମ ଜନ୍ମ ବାର୍ଷିକୀ। ଏହି ଅବସରରେ ବୀର ଯବାନଙ୍କୁ ସମ୍ମାନ ଦେବା ପାଇଁ କେନ୍ଦ୍ର ସରକାର ପରାକ୍ରମ ଦିବସ ଅବସରରେ ଆଣ୍ଡାମାନ ନିକୋବରର ୨୧ ଦ୍ୱୀପକୁ ପରମବୀର ଚକ୍ର ସମ୍ମାନରେ ସମ୍ମାନୀତ ହୋଇଥିବା ଯବାନଙ୍କ ନାମରେ ନାମିତ କରାଯାଇଛି। ସେପଟେ ପରାକ୍ରମ ଦିବସ ଅବସରରେ ନୌସେନାରେ ସାମିଲ କରାଯାଇଛି ଆଇଏନଏସ୍ ବାଗିର୍।

ଦେଶ ପାଳୁଛି ପରାକ୍ରମ ଦିବସ। ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜୟନ୍ତୀ । ନେତାଜୀ ଜୟନ୍ତୀ ପାଳନ ପାଇଁ ସାରାଦେଶରେ ଉତ୍ସାହ । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ବାର୍ଷିକକୁ ସାରା ଦେଶରେ ପାଳନ କରାଯାଉଛି। ସୁବାଷ ବୋଷଙ୍କ ପ୍ରତିମୂର୍ତ୍ତିକୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ଲୋକମାନେ ତାଙ୍କର ବୀରତ୍ୱର କାହାଣୀକୁ ସ୍ମରଣ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏବଂ ଦେଶର ସ୍ୱାଧୀନତା ପାଇଁ ତାଙ୍କର ଅବଦାନକୁ ମନେ ପକାଇଛନ୍ତି। ତାଙ୍କ ଚିନ୍ତାଧାରା ମୋତେ ବହୁତ ପ୍ରଭାବିତ କରିଛି, ଆମେ ଭାରତ ପାଇଁ ତାଙ୍କର ଦୃଷ୍ଟିକୁ ବାସ୍ତବ ରୂପ ଦେବା ପାଇଁ କାର୍ଯ୍ୟ କରୁଛୁ ବୋଲି କହିଛନ୍ତି ମୋଦି। ସେପଟେ ଭିଡିଓ କନଫରେନ୍ସ ଜରିଆରେ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଉତ୍ସର୍ଗ କରାଯାଇଥିବା ସ୍ମୃତିର ଏକ ମଡେଲର ଉଦଘାଟନ କରିଛନ୍ତି ମୋଦି। ଏହା ସହ ପିଏମ ମୋଦି ଆଣ୍ଡାମାନ ନିକୋବର ଦ୍ୱୀପ ପୁଞ୍ଜର ୨୧ ଦ୍ୱୀପର ନାମକରଣ କରିଛନ୍ତି। ଏଗୁଡିକ ନାମହୀନ ଦ୍ୱୀପପୁଞ୍ଜ ଥିଲା, କିନ୍ତୁ ଆଜିଠାରୁ ଏହି ଦ୍ୱୀପପୁଞ୍ଜ ପରମବୀର ଚକ୍ର ବିଜେତାଙ୍କ ନାମରେ ପରିଚିତ ହେବ। ଭର୍ଚୁଆଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମକୁ ସମ୍ୱୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆଣ୍ଡାମାନର ଏହି ଭୂମି ହେଉଛି ସେହି ଭୂମି, ଯାହାର ଆକାଶରେ ପ୍ରଥମ ଥର ପାଇଁ ମୁକ୍ତ ତ୍ରୀରଙ୍ଗା ଉତ୍ତୋଳନ କରାଯାଇଥିଲା। ଆଜିର ଦିନକୁ ସ୍ୱାଧୀନତାର ଅମୃତକାଳର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଭାବରେ ଯୁବପୀଢି ସ୍ମରଣ କରିବେ। ଏହି ଦ୍ୱୀପପୁଞ୍ଜ ଆମର ପୀଢି ପାଇଁ ଅନନ୍ତ ପ୍ରେରଣାର ସ୍ଥାନ ହେବ। ଆଣ୍ଡାମାନ ନିକୋବର ଦ୍ୱୀପ ପୁଞ୍ଜରେ ନେତାଜୀଙ୍କ ସ୍ମାରକ ଲୋକଙ୍କ ମନରେ ଭକ୍ତିଭାବର ସଂଚାର କରିବ ବୋଲି ମୋଦି କହିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ ତମ ଜନ୍ମ ବାର୍ଷିକୀ ଅବସରରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ।

ସେପଟେ ନେତାଜୀଙ୍କ ଜନ୍ମଜୟନ୍ତୀ ଅବସରରେପଶ୍ଚିମବଙ୍ଗରେ ମଧ୍ୟ ବଡ଼ ଧରଣର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଆରଏସଏସ ଦ୍ୱାରା ଏକ ବଡ଼ କାର୍ଯ୍ୟକ୍ରମ ଯୋଗଦେଇ ଆରଏସଏସ ମୁଖ୍ୟ ମୋହନ ଭାଗବତ କହିଛନ୍ତି, ନେତାଜୀ ନିଜ ଜୀବନକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି। ନେତାଜୀଙ୍କ ଜୀବନ ପ୍ରାୟ ବନବାସରେ ରହିବା ପରି ଥିଲା। ସେ ଜୀବନର ଅଧିକାଂଶ ସମୟ ବନବାସରେ ବିତାଇଥିଲେ। ସେ ଦେଶ ପାଇଁ ନିଜର ସବୁକିଛି ବଳିଦାନ ଦେଇଥିଲେ। ସମଗ୍ର ବିଶ୍ୱ ଆଜି ଭାରତ ଆଡକୁ ଚାହିଁଛି, କିନ୍ତୁ ନେତାଜୀଙ୍କ ସ୍ୱପ୍ନ ଏପର୍ଯ୍ୟନ୍ତ ପୂରଣ ହୋଇନାହିଁ। ଏହାକୁ ଆମେ ପୂରଣ କରିବା। ଏଥିପାଇଁ ଏକଜୁଟ ହେବାକୁ ପଡ଼ିବ। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ଆମର ପୂର୍ବପୁରୁଷଙ୍କ ଦ୍ୱାରା ପ୍ରଦର୍ଶିତ ପଥ ଅନୁସରଣ କରି ଆମେ ଏହି ଦୁନିଆରେ ଶାନ୍ତି ଏବଂ ଭାଇଚାରା ସୃଷ୍ଟି କରିପାରିବା।

ଅନ୍ୟପଟେ ପରାକ୍ରମ ଦିବସ ଅବସରରେ ନୌସେନାରେ ସାମିଲ କରାଯାଇଛି ଆଇଏନଏସ୍ ବାଗିର୍। ଭାରତୀୟ ନୌସେନା ହେବ ଆହୁରି ଶକ୍ତିଶାଳୀ। ଶତ୍ରୁ ରାଷ୍ଟ୍ର ବିରୋଧରେ ଭାରତର ସମରସଜ୍ଜା। ଶତ୍ରୁଙ୍କ ନିଦ ଉଡାଇବ ଆଇଏନଏସ୍ ବାଗିର୍। ଆଜି ଭାରତୀୟ ନୌସେନାରେ ଅତ୍ୟାଧୁନିକ ଯୁଦ୍ଧପୋତ ଆଇଏନଏସ୍ ବାଗିର୍ କୁ ସାମିଲ କରାଯାଇଛି। ଏହି ବୁଡାଜାହାଜକୁ ନୌସେନା ଆଡମିରାଲ୍ ଆର୍.ହରି କୁମାର ଶୁଭାରମ୍ଭ କରିଛନ୍ତି। ଏହା ଭାରତୀୟ ନୌସେନାର ସ୍ୱତନ୍ତ୍ର ଅଭିଯାନ ସାମର୍ଥ୍ୟ ବୃଦ୍ଧି କରିବ। ଏହା ଫ୍ରାନ୍ସ ସ୍ଥିତ ଏମଏସ୍ ନାଭାଲ ଗ୍ରୁପ୍ ସହଯୋଗରେ ମୁମ୍ୱାଇର ମାଜାଗନ୍ ଡକ୍ ସିପ୍ ବିଲ୍ଡର୍ସ ଲିମିଟେଡ ଦ୍ୱାରା ନିର୍ମିତ ହୋଇଛି।

ତେବେ ଆଜି ଦୁଇ ମହାନ ଓଡିଆ ବିପ୍ଳବୀ ନେତା ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ। ଏହି ଦୁଇ ମହାପୁରୁଷଙ୍କୁ ଆଜି ମନେ ପକାଉଛି ସାରା ଦେଶ।

ପ୍ରେମଲତା ବାରିକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *