ଆତ୍ମନିର୍ଭର ଭାରତର ପ୍ରତୀକ ଆଇଏନଏସ ବିକ୍ରାନ୍ତ

Spread the love

ତିରୁବନନ୍ତପୁରମ: ନୌସେନାରେ ସାମିଲ ହେଲା ଆଇଏନଏସ ବିକ୍ରାନ୍ତ।  ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବିକ୍ରାନ୍ତ ମହାସାଗରରେ ମହାବଳୀ ସଦୃଶ କାମ କରିବ। ଭାରତର ସବୁଠୁ ବଡ଼ ଯୁଦ୍ଧ ଜାହାଜ ବିକ୍ରାନ୍ତକୁ କେରଳ କୋଚି ସିପୟାର୍ଡରୁ ପ୍ରଧାନମନ୍ତ୍ରୀ ଲୋକାର୍ପିତ କରିଛନ୍ତି। ଏହା କେବଳ ବଡ଼ ଯୁଦ୍ଧ ଜାହାଜ ନୁହେଁ, ବରଂ ପରିଶ୍ରମ ଓ ପ୍ରତିବଦ୍ଧତାର ପ୍ରମାଣ।

ଏହି ବିମାନ ବାହକ ଜାହାଜ ଏକ ନୂଆ ସୂର୍ଯ୍ୟୋଦୟର ସାକ୍ଷୀ ଓ ଆର୍ମନିର୍ଭର ଭାରତର ପ୍ରତୀକ ହେବାକୁ ଯାଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ଭାରତୀୟ ନୌସେନାରେ ସାମିଲ ହେଲା ଆଇଏନଏସ ବିକ୍ରାନ୍ତ। କୋଚି ସିପୟାର୍ଡରୁ ସମ୍ପୂର୍ଣ୍ଣ ସ୍ୱଦେଶୀ ନିର୍ମିତ ଉଭୟ ଆକ୍ରମଣାତ୍ମକ ଓ ରକ୍ଷାତ୍ମକ କ୍ଷମତା ଥିବା ବଡ଼ ଯୁଦ୍ଧ ଜାହାଜ ବିକ୍ରାନ୍ତକୁ ଦେଶ ଉଦ୍ଦେଶ୍ୟର ସମର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ନୌସେନାର ନୂଆ ଧ୍ୱଜାକୁ ବି ଅନାବରଣ କରିଛନ୍ତି ପ୍ରଧାନମନ୍ତ୍ରୀ।

 ବିକ୍ରାନ୍ତ ସାମିଲ ପରେ ନୌସେନାର ଶକ୍ତି ବୃଦ୍ଧି ହେବ ବୋଲି କହିଛନ୍ତି ମୋଦି। ନୂଆ ସୂର୍ଯ୍ୟୋଦୟର ସାକ୍ଷୀ ଓ ଆତ୍ମନିର୍ଭର ଭାରତର ପ୍ରତୀକ ହେବାକୁ ଯାଉଛି ବିକ୍ରାନ୍ତ। ଯେତେବେଳେ ସାମୁଦ୍ରିକ କ୍ଷେତ୍ରର ସୁରକ୍ଷା ପାଇଁ ବିକ୍ରାନ୍ତ ଓହ୍ଲାଇବ, ସେଥିରେ ନୌସେନାର ଅନେକ ମହିଳା ସୈନିକ ବି ମୁତୟନ ହେବେ। ସମୁଦ୍ରର ଶକ୍ତି ସହ ଅସୀମ ମହିଳା ଶକ୍ତି ମିଶିଗଲେ, ଏହା ନୂଆ ଭାରତକୁ ନୂଆ ପରିଚୟ ଦେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ବିକ୍ରାନ୍ତ ସାମିଲ୍ ପରେ ଗୁଲାମୀର ଚିହ୍ନ ଓ ଗୁଲାମୀର ବୋଝ ଅପସରିଯାଇଛି। ଆଜିଠୁ ଭାରତୀୟ ସେନାକୁ ଏକ ନୂଆ ଧ୍ୱଜ ମିଳିଛି। କାରଣ ଏ ଯାଏ ଭାରତୀୟ ନୌସେନା ଉପରେ ଥିବା ଧ୍ୱଜା ଗୁଲାମୀର ପରିଚୟ ବହନ କରୁଥିଲା। କିନ୍ତୁ ଆଜିଠୁ ଛତ୍ରପତି ଶିବାଜୀଙ୍କ ପ୍ରେରଣାରେ ପ୍ରେରିତ ନୌସେନାର ନୂଆ ଧ୍ୱଜା ସମୁଦ୍ର ଓ ଆକାଶରେ ଫର ଫର ହୋଇ ଉଡ଼ିବ।

ବିକ୍ରାନ୍ତ ସାମର୍ଥ୍ୟର ଶକ୍ତି ବଳରେ ଶତୃର ନିଦ ଉଡ଼ିଯିବ। ବିକ୍ରାନ୍ତର ପ୍ରତିଟି ଅଂଶରେ ସ୍ୱତନ୍ତ୍ରତା, ତାକତ ଓ ବିକାଶଯାତ୍ରା ସାମିଲ ରହିଛି। ସ୍ୱଦେଶୀ ସାମର୍ଥ୍ୟ, ସ୍ୱଦେଶୀ ସଂଶାଧନ ଓ ସ୍ୱଦେଶୀ କୌଶଳର ପ୍ରତୀକ ଅଟେ ବିକ୍ରାନ୍ତ। ଆଇଏନଏସ ବିକ୍ରାନ୍ତ ଦେଶକୁ ଏକ ନୂଆ ବିଶ୍ୱାସ ଓ ନୂଆ ଭରସା ଦେଇଛି। ଯାହାର ଲକ୍ଷ୍ୟ ଦୂରନ୍ତ, ଯାତ୍ରା ଦିଗନ୍ତ, ସମୁଦ୍ର ଓ ଆହ୍ୱାନ ଅନନ୍ତ ହୁଏ। ତେବେ ଏହାର ଉତ୍ତର ହେଉଛି ବିକ୍ରାନ୍ତ। ଆଇଏନଏସ ବିକ୍ରାନ୍ତ ଭାରତର ପରିଶ୍ରମ, ପ୍ରତିଭା, ପ୍ରଭାବ ଓ ପ୍ରତିବଦ୍ଧତାର ପ୍ରମାଣ ଅଟେ।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *