ରାଜ୍ୟପାଳଙ୍କୁ ବାର୍ଷିକ ରିପୋର୍ଟ ପ୍ରଦାନ ବୀମା ଲୋକପାଳ

Spread the love

ଭୁବନେଶ୍ୱର : ବୀମା ଲୋକପାଳ ମନୋଜ ପରିଡ଼ା ଶୁକ୍ରବାର ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସାକ୍ଷାତ କରି ୨୦୨୨-୨୩ ମସିହାର ବାର୍ଷିକ ରିପୋର୍ଟ ପ୍ରଦାନ କରିଛନ୍ତି ।

ରାଜ୍ୟପାଳଙ୍କୁ ବୀମା ଲୋକପାଳଙ୍କ କାର୍ଯ୍ୟ ଓ ଦାୟିତ୍ୱ ସଂପର୍କରେ ସୂଚନା ଦେଇ ଶ୍ରୀ ପରିଡ଼ା କହିଲେ ଯେ ସମସ୍ତ ପ୍ରକାର ବୀମା ଯଥା ଜୀବନ ବୀମା, ସ୍ୱାସ୍ଥ୍ୟ ବୀମା, ଯାନବାହାନ ବୀମା, ଅଗ୍ନି ବୀମା ଆଦି ଲୋକପାଳଙ୍କ ପରିସରଭୁକ୍ତ । ବୀମା ଲୋକପାଳ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ନିଷ୍ପତି ନେଇପାରିବେ ଯାହାକି ବୀମା କମ୍ପାନୀ ପ୍ରଦାନ କରିବାକୁ ବାଧ୍ୟ ଏବଂ ଏହି ଆଦେଶ ବିରୋଧରେ କମ୍ପାନୀ ଅପିଲ୍ କରିପାରିବେ ନାହିଁ । ଆବେଦନକାରୀମାନଙ୍କ ଅଭିଯୋଗ ଅନୌପଚାରିକ ଭାବରେ ଶୁଣାଣି କରାଯାଏ ଏବଂ ଏହି ପ୍ରକ୍ରିୟାରେ କୌଣସି ଓକିଲଙ୍କୁ ଅଂଶଗ୍ରହଣର ସୁଯୋଗ ଦିଆଯାଏ ନାହିଁ । ଅଭିଯୋଗକାରୀ ନିଜ ଅଭିଯୋଗ ମାତୃଭାଷାରେ ଉପସ୍ଥାପନ କରନ୍ତି ଏବଂ କମ୍ପାନୀ ନିଜର ପକ୍ଷ ରଖନ୍ତି । ନିୟମ ଅନୁଯାୟୀ ଅଭିଯୋଗର ଫଏସଲା ୯୦ ଦିନ ମଧ୍ୟରେ ହେବା କଥା, କିନ୍ତୁ ଓଡ଼ିଶାରେ ଏହା ୬୦ ଦିନ ମଧ୍ୟରେ ହେଉଥିବା ଶ୍ରୀ ପରିଡ଼ା ପ୍ରକାଶ କରିଥିଲେ ।

ଲୋକମାନଙ୍କ ସୁବିଧା ନିମନ୍ତେ ବୀମା ଲୋକପାଳ ଭିଡିଓ କନ୍ଫରେନ୍ସିଙ୍ଗ ଓ ଅନଲାଇନରେ ମଧ୍ୟ ଶୁଣାଣି କରୁଛନ୍ତି । ବୀମା କମ୍ପାନୀ ଓଡ଼ିଶାର ବିଭିନ୍ନ ସ୍ଥାନରେ କ୍ୟାମ୍ପ କୋର୍ଟ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ଯାହା ଫଳରେ ଅଭିଯୋଗକାରୀଙ୍କୁ ଭୁବନେଶ୍ୱରକୁ ଆସିବାକୁ ପଡ଼ିବ ନାହିଁ ।

ଗତ ଆର୍ଥିକ ବର୍ଷରେ ୧୫୧୧ ଅଭିଯୋଗ ଆସିଥିଲା ଏବଂ ପୂର୍ବ ବର୍ଷର ଅଭିଯୋଗ ସହ ୧୫୩୬ ମାମଲାର ଫଏସଲା କରାଯାଇଛି । ମାର୍ଚ୍ଚ ମାସ ଶେଷ ସୁଦ୍ଧା ସବୁ ମାମଲା ଫଏସଲା ହୋଇଥିବା ଜଣାପଡିଛି ।

ଓଡିଶା ବୀମା ଅଭିଯୋଗ ଓ ମାମଲା ଫଏସଲା କ୍ଷେତ୍ରରେ ଭାରତରେ ଅଗଣୀ ଭୂମିକା ନେଇଥିବାରୁ ରାଜ୍ୟପାଳ ସନ୍ତୋଷ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *