ପ୍ରବଳ ବର୍ଷାରେ ବେହାଲ୍ ଆଇଟି ସହର ବେଙ୍ଗାଲୁରୁ

Spread the love

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ପ୍ରବଳ ବର୍ଷା ଲାଗି ଜନଜୀବନ ଅସ୍ତବ୍ୟସ୍ତ ହୋଇଉଠିଛି। ବେଙ୍ଗାଲୁରୁ ମହାନଗର ପାଳିକା ୨୪ ଘଣ୍ଟିଆ ହେଲ୍ପଲାଇନ ନମ୍ୱର ସହ ୱାଟସଅପ ନମ୍ୱର ଜାରି କରିଛି। ବର୍ଷାରେ ଫସିଥିବା ଲୋକଙ୍କୁ ଉଦ୍ଧାର ସହ ସେମାନଙ୍କ ପାଖରେ ସମସ୍ତ ସୁବିଧା ଉପଲବ୍ଧ କରିବାକୁ ଟୋଲ ଫ୍ରି ନମ୍ୱର ବି ଜାରି ହୋଇଛି। କୃତ୍ରିମ ବନ୍ୟାରେ କ୍ଷତିଗ୍ରସ୍ତ ରାସ୍ତା, ପୋଲ, ବିଦ୍ୟୁତ୍ ଖୁଣ୍ଟ, ଟ୍ରାନ୍ସଫର୍ମର, ସ୍କୁଲ ବିଲଡିଂ ମରାମତି ଲାଗି ୬ଶହ କୋଟି ଟଙ୍କା ରିଲିଜ କରିଛନ୍ତି କର୍ଣ୍ଣାଟକ ସରକାର।

ପ୍ରବଳ ବର୍ଷାରେ ବେହାଲ୍ ଆଇଟି ସହର ବେଙ୍ଗାଲୁରୁ। ଯୁଆଡେ ଚାହିଁଲେ ପାଣି ହିଁ ପାଣି। ରାସ୍ତାରେ ଲହଡ଼ି ମାରୁଛି ପାଣି। ଜଳ ନିଷ୍କାସନ ହୋଇପାରୁନି। ମଟର ଯୋଗେ ପାଣି ନିଷ୍କାସନ ଲାଗି ଯଦିଓ ପୁରା ଦମରେ ଲାଗିପଡ଼ିଛି ବେଙ୍ଗାଲୁରୁ ମହାନଗରନିଗମ। ୨୪ ଘଣ୍ଟିଆ ହେଲ୍ପଲାଇନ (୨୨୬୬ ୦୦୦୦), ଓ୍ୱାଟସଅପ ହେଲ୍ପଲାଇନ( ୯୪୮୦୬ ୮୫୭୦୦) ସହ ଟୋଲ ଫ୍ରି ନମ୍ୱର( ୧୫୩୩)  ବି ଜାରି କରାଯାଇଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପ୍ରବଳ ବର୍ଷା ଲାଗି କ୍ଷତିଗ୍ରସ୍ତ ରାସ୍ତା, ପୋଲ, ବିଦ୍ୟୁତ ସରବରାହ, ଟ୍ରାନ୍ସଫର୍ମର  ସ୍କୁଲ ଗୃହର ମରାମତି ଲାଗି ୬ଶହ କୋଟି ଟଙ୍କା ରିଲିଜ୍ କରିଛନ୍ତି। ମଙ୍ଗଳବାର ବି ବଲାରି, ବେଙ୍ଗାଲୁରୁ ରୁରାଲ୍, ବେଙ୍ଗାଲୁରୁ ଅର୍ବାନ୍, ଚମରଜନଗରା, ଚିକାମାଗାଲୁରୁ, ମହୀଶୁର, କୋଦାଗୁ, ହସନ୍, ଶିବମୋଗା ଓ ତୁମକୁର ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ଲାଗି ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ଏସଡିଆରଏଫ ଓ ଅଗ୍ନିଶମ ବିଭାଗ ପାଓ୍ୱାର ବୋଟ ଯୋଗେ ଜଳବନ୍ଦୀ ଲୋକଙ୍କୁ ଉଦ୍ଧାର କାମରେ ଲାଗିଛନ୍ତି। ବିଶେଷ କରି ଦକ୍ଷିଣ-ପୂର୍ବ ବେଙ୍ଗାଲୁରୁର ୟେମାଲୁରୁ-ବେଲାନ୍ଦୁର ଅଞ୍ଚଳରେ ଅନେକ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି।  ଏୟାରପୋର୍ଟ ଭିତରେ ବି ପାଣି ହିଁ ପାଣି। ଜଳବନ୍ଦୀ ଲୋକଙ୍କୁ ପିଇବା ପାଣି ଟ୍ୟାଙ୍କର ଯୋଗେ ଦେବାର ବ୍ୟବସ୍ଥା ହୋଇଛି। ମହାଦେବପୁରା ବିଜେପି ବିଧାୟକ ଅରବିନ୍ଦ ଲିମ୍ୱାଭାଲି ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ବେଳେ ଲୋକଙ୍କର ଆକ୍ରୋଶର ଶୀକାର ହୋଇଛନ୍ତି। ଏପରିକି ଜଣେ ମହିଳା ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିବା ବେଳେ ଉଚ୍ଚ ସ୍ୱରରେ କଥା ହେବାରୁ ବିଧାୟକ ତାଙ୍କୁ ଏଥିରୁ କ୍ଷାନ୍ତ କରିବା ବେଳେ ଏହାକୁ ନ ମାନିବାରୁ ସଂପୃକ୍ତ ମହିଳାଙ୍କୁ ଥାନାକୁ ନେଇଯିବାକୁ କହିଥିଲେ ବିଧାୟକ। ବହୁତଳ ଅଟ୍ଟାଳିକାରେ ତ ରହିଥିବା ଲୋକେ ପ୍ରମାଦ ଗଣିଲେଣି। କାରଣ ଜଳ ନିଷ୍କାସନ ହୋଇପାରୁନଥିବାରୁ ସେମାନେ ବି ଜଳବନ୍ଦୀ।

ବସ୍ତି ବାସିନ୍ଦାଙ୍କ ଦୁର୍ଦ୍ଦଶା ଆଖିରେ ଦେଖିହେବନି। ମୁନେକୋଲାଲ ବସ୍ତି ପୁରା ପାଣି ଘେରରେ। ଏ ଯାଏ ପ୍ରଶାସନ ବସ୍ତି ବାସିନ୍ଦାଙ୍କ ପାଖରେ ପହଞ୍ଚିପାରିନଥିବା ଅଭିଯୋଗ ହେଉଛି। ବେଲାନ୍ଦୁରରେ ଥିବା ବସ୍ତିର ବି ସମାନ ଦଶା ପଡ଼ିଛି। ବର୍ଷାରେ ବସ୍ ଫସିଥିବାରୁ ଲୋକେ ବସରେ କଅଣ ଅଫିସ ଯିବେ, ପାଲଟା ବସ୍ କୁ ଟାଣି ଉଦ୍ଧାର କରିଥିବାର ଦୃଶ୍ୟ ବି ସାମ୍ନାକୁ ଆସିଛି।

ବିନା ଯୋଜନାରେ ଗଢ଼ି ଉଠିଥିବା ସହର ଓ ଜବରଦଖଲ ସମସ୍ୟା ଆଇଟି ହବ୍ ବେଙ୍ଗାଲୁରୁକୁ ବର୍ଷାରେ କି ଦୁର୍ଦ୍ଦଶାକୁ ଠେଲିଦେଲା, ତାହା ଜଳଜଳ କରି ଦିଶୁଛି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *