ସିବିଆଇ ନଜରରେ କେସିଆରଙ୍କ ଝିଅ

Spread the love

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା । ରବିବାର ସକାଳେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ରାଓଙ୍କ ଝିଅ ତଥା ବିଧାନ ପରିଷଦ ସଦସ୍ୟ କେ କବିତା ରାଓଙ୍କୁ ପଚରାଉଚରା କରିଛି ସିବିଆଇ । ପଚରାଉଚରା ବେଳେ କବିତା ସହଯୋଗ କରିଥିବା ସୂଚନା କହିଛି ।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇର ଜୋରଦାର ତଦନ୍ତ । ରବିବାର ଦିନ ତେଲେଙ୍ଗାନା ବିଧାନ ପରିଷଦ ସଦସ୍ୟ କେ କବିତା ରାଓଙ୍କୁ ପଚରାଉଚରା କରିଛି ସିବିଆଇ । କବିତାଙ୍କ ହାଇଦ୍ରାବାଦ ସ୍ଥିତ ବାସଭବନରେ ହୋଇଛି ଜେରା । ଏହି ସମୟରେ ସିବିଆଇକୁ ସମସ୍ତ ପ୍ରକାର ସହଯୋଗ କରିଥିବା କହିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କବିତା । ଜେରା ପୂର୍ବରୁ ତାଙ୍କ ଆବାସରେ ଏକତ୍ରିତ ନ ହେବା ପାଇଁ ତଦନ୍ତ ପୂର୍ବରୁ କବିତା ନିଜ ଦଳର କ୍ୟାଡର  ଓ ସମର୍ଥକଙ୍କୁ ନିବେଦନ କରିଥିଲେ ଓ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ । ଏହା ସତ୍ତ୍ବେ ସହର ସାରା କବିତାଙ୍କ ସମର୍ଥକ ବ୍ୟାନର ପୋଷ୍ଚର ଜାରି କରିଛନ୍ତି । ଜଣେ ଯୋଦ୍ଧାଙ୍କ ଝିଅ କେବେ ଡରନ୍ତି ନାହିଁ, ଆମେ କବିତାଙ୍କ ସହ ଅଛୁ ବୋଲି ପୋଷ୍ଟରରେ ଉଲ୍ଲେଖ ହୋଇଥିଲା । ତେବେ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛନ୍ତି।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଲାଞ୍ଚ ନେଇଥିବା ଅଭିଯୋଗରେ ଦିଲ୍ଲୀର ଏକ ଅଦାଲତରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଦାୟର ଏକ ରିମାଣ୍ଡ ରିପୋର୍ଟରେ କବିତାଙ୍କ ନାଁ ସାମ୍ନାକୁ ଆସିଥିଲା । ଏହାପରେ ସମସ୍ତ ପ୍ରକାର ଯାଞ୍ଚ ପାଇଁ ସେ ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ କବିତା । ସିବିଆଇ ଏହା ପୂର୍ବରୁ ତାଙ୍କୁ ୬ ଡିସେମ୍ୱରରେ ଜେରା ପାଇଁ ସମନ ଜାରି କରିଥିଲେ । କିନ୍ତୁ ସେ ସେଦିନ ବ୍ୟସ୍ତତା କାରଣ ଦର୍ଶାଇ ସିବିଆଇକୁ ଅନ୍ୟ ଏକ ତାରିଖ ଦେବା ପାଇଁ ଅନୁରୋଧ କରିଥିଲେ । ଏହାପରେ ସିବିଆଇ ଅଧିକାରୀ ତାଙ୍କୁ ୧୧ଡିସେମ୍ୱରରେ ପଚରାଉଚରା କରିବା ପାଇଁ ତାରିଖ ଧାର୍ଯ୍ୟ କରିଥିଲେ । ଦିଲ୍ଲୀରେ ନୂଆ ଅବକାରୀ ନୀତି ପ୍ରଚଳନ କରି କେଜ୍ରିଓ୍ୱାଲ ସରକାର କୋଟି କୋଟି ଟଙ୍କା ଦୁର୍ନୀତି କରିଥିବା ପ୍ରଥମେ ଦିଲ୍ଲୀ ଉପରାଜ୍ୟପାଳ ଅଭିଯୋଗ ଆଣିଥିଲେ । ଏହି ମାମଲାରେ ସିବିଆଇ ଯାଞ୍ଚ ହେଉ ବୋଲି ସେ ଆବେଦନ କରିଥିଲେ । ଏହାପରେ ଏହି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ନାଁ ମଧ୍ୟ ଉଠିଥିଲା । ସିବିଆଇ ୨୫ ନଭେମ୍ୱରରେ ଏହି ମାମଲାରେ ସମ୍ପୃକ୍ତ ୭ଜଣ ଅଭିଯୁକ୍ତଙ୍କ ବିରୋଧରେ ପ୍ରଥମ ଚାର୍ଜସିଟ ଦାୟର କରିଥିଲା । ସେହି ଅଭିଯୁକ୍ତଙ୍କ ମଧ୍ୟରେ ନଥିଲା ମନିଷ ସିସୋଦିଆଙ୍କ ନାଁ । ଯାହାକୁ ନେଇ ବିଜେପି ଅଯଥା ରାଜନୀତି କରୁଛି ବୋଲି ଆପ ସମାଲୋଚନା କରିଥିଲା ।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ତଦନ୍ତର ମୋଡ କେଉଁଆଡେ ଯାଉଛି ଓ କେବେ ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସୁଛି ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *