ବୈବାହିକ ଦୁଷ୍କର୍ମକୁ ଅପରାଧ ଶ୍ରେଣୀଭୁକ୍ତ  ନ କରିବାକୁ ଆବେଦନ

Spread the love

ନୂଆଦିଲ୍ଲୀ: ବୈବାହିକ ଦୁଷ୍କର୍ମକୁ ଅପରାଧ ଘୋଷିତ କରିବାକୁ ବିରୋଧ। ସୁପ୍ରିମକୋର୍ଟରେ ଏନେଇ ଏକ ଯାଚିକା ଦାୟର କରାଯାଇଛି। ଏଥିରେ କୁହାଯାଇଛି କି, ଯଦି ବୈବାହିକ ଦୁଷ୍କର୍ମକୁ ଅପରାଧ ଘୋଷଣା କରାଯାଏ ତେବେ ଏହା ଦ୍ବାରା ବିବାହ ଅସ୍ଥିର ହୋଇପାରେ। ଏହି ଯାଚିକା ଏକ ଏନଜିଓ ପୁରୁଷ ଆୟୋଗ ପକ୍ଷରୁ ଦାଖଲ କରାଯାଇଛି। ଏନଜିଓର ଅଧ୍ୟକ୍ଷ ବରଖା ତ୍ରେହନ ଯାଚିକାରେ କୋର୍ଟଙ୍କୁ ଅନୁରୋଧ କରିଛନ୍ତି କି, ବୈବାହିକ ଦୁଷ୍କର୍ମକୁ ଅପରାଧ ଘୋଷିତ କରିବା ପାଇଁ ଯେଉଁ ଯାଚିକା ଦାଖଲ ହୋଇଛି କୋର୍ଟ ଏହା ଉପରେ ହସ୍ତକ୍ଷେପ କରନ୍ତୁ।

ଯାଚିକାରେ କୁହାଯାଇଛି କି, ପର୍ଯ୍ୟାପ୍ତ ପ୍ରମାଣ ବିନା ବୈବାହିକ ଦୁଷ୍କର୍ମ ମାମଲା ବୈବାହିକ ଜୀବନକୁ ନଷ୍ଟ କରିଦେବ। ଯଦି ଜୋରଜବରଦସ୍ତ ସମ୍ବନ୍ଧ ସ୍ଥାପନ ହୋଇଥିବ ତେବେ ଏହାର ଏକମାତ୍ର ପ୍ରମାଣ ପତ୍ନୀଙ୍କ ସାକ୍ଷ୍ୟ ହେବ, ଯାହା ବେଶ ସହଜରେ ବିବାହ ଅନୁଷ୍ଠାନକୁ ପ୍ରଭାବିତ କରିବ।

ଏନଜିଓ ପକ୍ଷରୁ ଓକିଲ ବିବେକ ନାରାୟଣ ଶର୍ମା ଏହି ଯାଚିକା ଦାଖଲ କରିଛନ୍ତି। ଶର୍ମା କହିଛନ୍ତି କି, ସାରା ଦେଶରେ ଏମିତି ଅନେକ ମାମଲା ସାମ୍ନାକୁ ଆସିଛି, ଯେଉଁଠି ମହିଳାମାନଙ୍କ ମିଛ ଅଭିଯୋଗ ପରେ ଅନେକ ପୁରୁଷ ଆତ୍ମହତ୍ୟା କରିଛନ୍ତି। ମହିଳାଙ୍କ ସୁରକ୍ଷା ପାଇଁ ଥିବା ଶାରୀରିକ ଉତ୍ପୀଡନ, ୪୯୮ଏ ଓ ଘରୋଇ ହିଂସା ମାମଲାରେ ମହିଳାମାନେ ଆଇନର ଦୁର୍ବ୍ୟବହାର କରୁଥିବାର ମଧ୍ୟ ବହୁ ଉଦାହରଣ ରହିଛି।

ଯାଚିକାରେ ଆହୁରି କୁହାଯାଇଛି କି, ପତ୍ନୀଙ୍କ ଦ୍ବାରା ଦୁଷ୍କର୍ମର ଅଭିଯୋଗ କେବଳ ମାତ୍ର ମୌଖିକ ହୋଇଥିଲେ ମଧ୍ୟ ଗ୍ରହଣ କରାଯିବ। ଅନ୍ୟପଟେ ପୁରୁଷ ନିଜକୁ ନିର୍ଦ୍ଦୋଶ ସାବ୍ୟସ୍ତ କରିବାକୁ ପ୍ରମାଣ କରି ପାରୁନାହାନ୍ତି। ସେପଟେ ଏହି ମାମଲାରେ କେନ୍ଦ୍ର ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହତା କୋର୍ଟରେ ଉପସ୍ଥିତ ହୋଇଥିଲେ। ଏହି ମାମଲାର ଶୁଣାଣି ମୁଖ୍ୟ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବାଧୀନ ଖଣ୍ଡପୀଠରେ କରାଯାଉଛି।

ମାମଲାଟି ଆଇନ ସଂଗତ ହୋଇଥିଲେ ମଧ୍ୟ ଏହାର ସାମାଜିକ ପ୍ରଭାବ ରହିଥିବାରୁ କୋର୍ଟ ଏହି କ୍ଷେତ୍ରରେ କେନ୍ଦ୍ର ସରକାରର ପକ୍ଷ ମାଗିଛନ୍ତି। ଏହି ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟ ରାଜି ହୋଇଥିବା ବେଳେ ଆସନ୍ତା ୧୫ ତାରିଖ ମଧ୍ୟରେ ସରକାରକୁ ଜବାବ ମଗାଯାଇଛି। ମାର୍ଚ୍ଚରେ ଏହାର ଶୁଣାଣି ହେବ।

Leave a Reply

Your email address will not be published. Required fields are marked *