ଗାନ୍ଧୀନଗର: ଗୁଜୁରାଟରେ ପ୍ରଧାନମନ୍ତ୍ରୀ ମୋଦି ମିଶନ ଲାଇଫର ଶୁଭାରମ୍ଭ କରିଛନ୍ତି। ବିଶେଷ କରି ପରିବେଶ ସୁରକ୍ଷା ପାଇଁ ଲାଇଫ ଷ୍ଟାଇଲ୍ କେମିତି ହେବା ଦରକାର, ତାକୁ ଫୋକସ କରି ଏହି ମିଶନର ଶୁଭାରମ୍ଭ ହୋଇଛି। ବ୍ୟକ୍ତିଗତ ଓ ସାମୂହିକସ୍ତରରେ ପରିବେଶ ସୁରକ୍ଷା ହିଁ ଏହି ମିଶନର ପ୍ରାଥମିକତା ସାଜିଛି। ତେବେ ଏହି ମିଶନ ଲାଇଫ କଅଣ ଓ ଏହାର ଭାରତ ସନ୍ଦର୍ଭରେ ଗୁରୁତ୍ୱ କଅଣ, ଆସନ୍ତୁ ଦେଖିବା ଏହି ରିପୋର୍ଟରେ।
ଜଳବାୟୁ ପରିବର୍ତ୍ତନକୁ ନେଇ ଏବେ ସମଗ୍ର ବିଶ୍ୱକୁ ଘାରିଛି ଚିନ୍ତା। ମଣିଷର ଜୀବନ ଶୈଳୀ ଓ ଉଚ୍ଚ ଆଧୁନିକ ସଭ୍ୟତା ଜଳବାୟୁ ପରିବର୍ତ୍ତନର ମୁଖ୍ୟ କାରଣ ସାଜିଛି। ଜଳବାୟୁ ପରିବର୍ତ୍ତନ ଜୀବନ ଓ ଜୀବିକାକୁ ପ୍ରଭାବିତ କରୁଛି। ସେଥିଲାଗି ଏହାକୁ ମୁକାବିଲା କରିବାକୁ ନଭେମ୍ୱରରେ ଜାତିସଂଘ ପ୍ରାୟୋଜିତ ବାୟୁ ସମିତିର ସବୁଜ ଇନ୍ଧନ ଅଧିବେଶନରେ ବିଶ୍ୱବାସୀଙ୍କୁ ଆହ୍ୱାନ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି। ଏହା ସହ ସମଗ୍ର ବିଶ୍ୱ ପାଇଁ ଗୋଟିଏ ସୌର ବିଦ୍ୟୁତ୍ ଗ୍ରୀଡ୍ ସ୍ଥାପନ ଲାଗି ବି ବିଶ୍ୱନେତାଙ୍କୁ ଅପିଲ୍ କରିଥିଲେ। ଗୋଟିଏ ସୌର ଗ୍ରୀଡ୍ ସ୍ଥାପନ ହେଲେ ସମସ୍ତଙ୍କ ଲାଗି ସବୁ ସମୟରେ ଓ ସବୁ ସ୍ଥାନରେ ସବୁଜ ଶକ୍ତି ଉପଲବ୍ଧ ହେବ। ଗୋଟିଏ ସୂର୍ଯ୍ୟ, ଗୋଟିଏ ବିଶ୍ୱ ପରି ସମଗ୍ର ବିଶ୍ୱ ଲାଗି ଗୋଟିଏ ସୌର ଗ୍ରୀଡ ସ୍ଥାପନ ଉପରେ ଗୁରୁତ୍ୱ ଦେଇଥିଲେ ମୋଦି। ଜୀବାଶ୍ମ ଇନ୍ଧନ ଲାଗି ବିଶ୍ୱରେ ଶିଳ୍ପ ବିପ୍ଳବ ଦେଖାଯାଇଥିଲା। କିନ୍ତୁ ଏହି ଶିଳ୍ପ ବିପ୍ଳବ ଅନେକ ରାଷ୍ଟ୍ରକୁ ବିକଶିତ କରିଥିଲା ବେଳେ ଅନେକଙ୍କୁ ଗରିବ ବି କରିଦେଇଛି। କାରଣ ଜୀବାଶ୍ମ ଇନ୍ଧନରେ ବ୍ୟବହାରକୁ ନେଇ ଯେଉଁ ପ୍ରତିଦ୍ୱନ୍ଦିତା ହୋଇଥିଲା, ତାହା ଏବେ ଜଳବାୟୁ ପରିବର୍ତ୍ତନ ଭଳି ବିପଦ ସୃଷ୍ଟି କରିଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ବିଶ୍ୱରେ ଛୋଟ ଛୋଟ ରାଷ୍ଟ୍ର ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି। ଏପରିକି ଅନେକ ଦେଶରେ ଜୀବନ ମରଣ ପରିସ୍ଥିତି ବି ଉପୁଜୁଛି। ଜଳବାୟୁ ପରିବର୍ତ୍ତନର ପ୍ରଭାବ କେବଳ ଭାରତରେ ନୁହେଁ ପୁରା ବିଶ୍ୱରେ ପଡ଼ିଛି। ନଭେମ୍ୱରରେ ଭାରତର ବିଭିନ୍ନ ସ୍ଥାନରେ ଅତ୍ୟଧିକ ବର୍ଷା ସହିତ ବିଶ୍ୱର ଅନେକ ଦେଶରେ ପାଣିପାଗରେ ହଠାତ ପରିବର୍ତ୍ତନ ଯୋଗୁଁ ବିପୁଳ କ୍ଷୟକ୍ଷତି ହୋଇଥିଲା। ନଭେମ୍ୱର ୨ରୁ ୧୩ ତାରିଖ ପର୍ଯ୍ୟନ୍ତ ସ୍କଟଲ୍ୟାଣ୍ଡର ଗ୍ଳାସଗୋ ଠାରେ ଆୟୋଜିତ ଜାତିସଂଘର ଜଳବାୟୁ ସମ୍ମିଳନୀ ବା କୋପ ୨୬ରେ ଏହାର ମୁକାବିଲା ଲାଗି ଚିନ୍ତା ପ୍ରକଟ କରାଯାଇଥିଲା। ବିଶ୍ୱ ଉତ୍ତାପନ ଉପରେ ରୋକ ପାଇଁ ୧୯୭ ଟି ଦେଶର ଭିନ୍ନ ଯୁକ୍ତି ଓ ପ୍ରସ୍ତାବକୁ ଏହି ସମ୍ମିଳନୀରେ ଗୁରୁତ୍ୱ ଦିଆଯାଇଥିଲା। ଗ୍ଲାସଗୋରେ ଅନୁଷ୍ଠିତ ଏହି ସମ୍ମିଳନୀରେ ସମୁଦ୍ର ଜଳରେ ଛିଡାହୋଇ ତୁଭାଲୁ ର ବୈଦେଶିକମନ୍ତ୍ରୀ ଜଳବାୟୁ ପରିବର୍ତ୍ତନ କେତେ ଭୟଙ୍କର ସେ ସମ୍ପର୍କରେ ଉଲ୍ଲେଖ କରିଥିଲେ। ବୈଦେଶିକମନ୍ତ୍ରୀ ସାଇମନ କୋଫେ କହିଥିଲେ, ତାପମାତ୍ର ବୃଦ୍ଧି କାରଣରୁ ତୁଭାଲୁ ଦେଶରେ ଜଳସ୍ତର ଦିନକୁ ଦିନ ବଢିବାରେ ଲାଗୁଛି। ଜଳବାୟୁ ପରିବର୍ତ୍ତନ ଏବଂ ସମୁଦ୍ର ପତନ ବୃଦ୍ଧି ହେତୁ, ତୁଭାଲୁ ର ଜନଜୀବନ ଉପରେ ପ୍ରଭାବକୁ ନେଇ କୋପ୍-୨୬ରେ ମନ୍ତ୍ରୀ କୋଫେ ସମୁଦ୍ର ମଧ୍ୟରେ ରହି ଜାତିସଂଘକୁ ସମ୍ୱୋଧିତ କରିଥିଲେ। ଭିଡିଓ ଦ୍ୱାରା କୋଫେ ଜଳବାୟୁ ପରିବର୍ତ୍ତନ ଦ୍ୱାରା ମାନବ ଉପରେ ପଡୁଥିବା କୁ ପ୍ରଭାବ ସମ୍ପର୍କରେ ଜଣାଇଥିଲେ। ତାପମାତ୍ରା ପରିବର୍ତ୍ତନ କାରଣରୁ କିପରି ଗ୍ଲାସିୟର ତରଳିବା ଦ୍ୱାରା ସମୁଦ୍ରପତ୍ତନ ବଢିବା ସହ ସମୁଦ୍ରକୂଳରେ ବାସ କରୁଥିବା ଜନ ଜୀବନ ଉପରେ ଏହାର ଭୟଙ୍କର ପ୍ରଭାବ ପଡୁଛି, ତାହାର ଅବତାରଣା କରିଥିଲେ।
ସ୍କଟଲ୍ୟାଣ୍ଡରେ ଅନୁଷ୍ଠିତ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ସବୁଜ ଗୃହ ଉତ୍ସଜନା ହ୍ରାସ ନିମନ୍ତେ ଏକ ଚିଠା ପ୍ରସ୍ତୁତ କରାଯାଇଥିଲା। ଏହି ଚିଠାକୁ ନେଇ ଅନେକ ଦେଶ ସହମତି ପ୍ରକାଶ କରିଥିବା ବେଳେ ଅନେକ ଦେଶ ଏହାକୁ ଗ୍ରହଣ କରି ନଥିଲେ। ଏହି ପ୍ରସ୍ତାବ ସମୟକ୍ରମେ ବେକାର ହୋଇଯିବ ବୋଲି ଅନେକ ଦେଶ ମତ ପୋଷଣ କରିଥିଲେ। ଧନୀ ରାଷ୍ଟ୍ରଗୁଡିକ ଜଳବାୟୁ ପରିବର୍ତ୍ତନ ପାଇଁ ଗରିବ ରାଷ୍ଟ୍ରଗୁଡିକୁ ଶହେ ବିଲିୟନ ଡଲାର ସହାୟତା କରିବେ ବୋଲି କହିଥିଲେ। ଯେତେବେଳେ ଏହି ତାଲିକାରେ ବିଶ୍ୱର ୪୬ ପ୍ରତିଶତ ଗରିବ ଦେଶ ରହିଛନ୍ତି। ଆଫ୍ରିକା, ଏସିଆ-ପାସିଫିକ ଏବଂ କାରବିଆନ ଭଳି ଦେଶର ପ୍ରାୟ ଶହେ କୋଟିରୁ ଅଧିକ ଲୋକ ଜଳବାୟୁ ପରିବର୍ତ୍ତନ ଜନିତ ବିପର୍ଯ୍ୟୟରେ ସର୍ବାଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ତେଣୁ ଏହି ଦେଶଗୁଡିକୁ ବର୍ଷକୁ ଶହେ ବିଲିୟନ ଡଲାର ସହାୟତା ପ୍ରଦାନ ନିମନ୍ତେ ବିଭିନ୍ନ ଫୋରମ ସଙ୍ଗଠନ ଗୁଡିକ ବିକଶିତ ରାଷ୍ଟ୍ରଗୁଡିକୁ ମନାଇବେ ବୋଲି ଆଶା କରାଯାଇଥିଲା। ସେହିପରି ବ୍ରାଜିଲ,ଦକ୍ଷିଣ ଆଫ୍ରିକା,ଭାରତ,ଚାଇନା ଏହି ବ୍ଳକ୍ରେ ରହିଥିବା ବେଳେ ଧନୀ ଦେଶଗୁଡିକ ଜଳବାୟୁ ପରିବର୍ତ୍ତନ ଲକ୍ଷ୍ୟ ହାସଲ ନିମନ୍ତେ ଅଧିକ ଅବଦାନ ଦେବାକୁ ଦାବି ରଖିଛନ୍ତି। କିନ୍ତୁ ଗରିବ ରାଷ୍ଟ୍ରମାନଙ୍କୁ ଏହି ସହାୟତା ମିଳିପାରୁ ନଥିବା ଆଶଙ୍କା କରାଯାଇଥିଲା।
ପ୍ରଦୀପ ନାୟକଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now