ମୋର୍ବି ଦୁର୍ଘଟଣା: ଦାୟିତ୍ବହୀନତାକୁ କାରଣ କଲା ଏଫଏସଏଲ

Spread the love

ନୂଆଦିଲ୍ଲୀ: ମୋର୍ବି ଝୁଲା ପୋଲ ଛିଣ୍ଡିବା ମାମଲାରେ ଆସିଲା ଫରେନ୍ସିକ ସାଇନ୍ସ ଲାବୋରେଟୋରୀ ବା ଏଫଏସଏଲ ରିପୋର୍ଟ। ରିପୋର୍ଟରେ ଓରେଭା ଓ ନଗର ନିଗମ ଦ୍ବାରା ଭ୍ରଷ୍ଟାଚାର ଓ ଅପରାଧିକ ଦାୟିତ୍ବହୀନତାର ଖୁଲାସା ହୋଇଛି। ଓରେଭା  ନିକଟରେ ପୋଲର ରକ୍ଷଣାବେକ୍ଷଣ, ପରିଚାଳନା ଓ ସୁରକ୍ଷାର ଠିକା ଥିଲା। ଅକ୍ଟୋବର ୩୦, ଯେଉଁଦିନ ପୋଲ ଦୁର୍ଘଟଣା ହୋଇଥିଲା ସେଦିନ ମୋଟ ୩୧୬୫ ଟିକେଟ ବିକ୍ରି ହୋଇଥିଲା।

ରିପୋର୍ଟ ଅନୁଯାୟୀ ଓରେଭା ଦ୍ବାରା ନିଯୁକ୍ତ ଗାର୍ଡ ଓ ଟିକେଟ କଲେକ୍ଟର ସବୁ ଥିଲେ ଅଶିକ୍ଷିତ ଓ ଶ୍ରମିକ। ପୋଲର କେବୁଲରେ ଜଙ୍କ ଲାଗିଥିଲା, ଏଙ୍ଗେଲ ଭାଙ୍ଗିଯାଇଥିଲା ଓ କେବୁଲକୁ ଏଙ୍ଗେଲ ସହ ଯୋଡୁଥିବା ବୋଲ୍ଟ ମଧ୍ୟ ଢିଲା ହୋଇଯାଇଥିଲା। କିନ୍ତୁ ସେଠାରେ ନିଯୁକ୍ତ ସବୁ ଶ୍ରମିକ ଶ୍ରେଣୀର ଥିବାରୁ ସେମାନଙ୍କୁ ଏସମ୍ପର୍କରେ ସୂଚନା ନ ଥିଲା କି ପୋଲର ଧାରଣ କ୍ଷମତା ଓ କେତେ ଲୋକଙ୍କୁ ଏକକାଳୀନ ପୋଲ ଉପରକୁ ଛଡାଯିବ ସେସମ୍ପର୍କରେ ସେମାନଙ୍କୁ କିଛି କୁହାଯାଇ ନ ଥିଲା। ତେଣୁ ମାତ୍ରାଧିକ ଓଜନ ଯୋଗୀ ବିପଦ ସଙ୍କୁଳ ସ୍ଥିତିରେ ଥିବା ପୋଲ ଛିଣ୍ଡି ପଡିଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି।

ଅକ୍ଟୋବର ୩୦ ତାରିଖରେ ଗୁଜୁରାଟର ମୋରବିରେ ମଚ୍ଛୁ ନଦୀ ଉପରେ ଥିବା ବ୍ରିଟିସ ଅମଳର ପୋଲ ଛିଣ୍ଡି ପଡିଥିଲା। ଏଥିରେ ୧୩୫ ଲୋକଙ୍କ ମୃତ୍ୟୁ ହୋଇଥିଲା।ଦୁର୍ଘଟଣା ପରେ ପୁଲିସ ପୋଲ ଦାୟିତ୍ବରେ ଥିବା ଓରେଭା ସମୂହର ୪ ଜଣଙ୍କ ସମେତ ୯ ଜଣଙ୍‌କୁ ଦୁର୍ଘଟଣା ପରଦିନ ଗିରଫ କରିନେଇଥିଲା। ପୋଲ ପରିଚାଳନାକାରୀ ସଂସ୍ଥା ବିରୋଧରେ ମାମଲା ଦାୟର ହୋଇଛି।

Leave a Reply

Your email address will not be published. Required fields are marked *