ଜମ୍ମୁ ଜେଲ ଡିଜିଙ୍କ ଗଳାକାଟି ହତ୍ୟା, ଘରୋଇ ସହାୟକ ଉପରେ ସନ୍ଦେହ

Spread the love

ଶ୍ରୀନଗର:  କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଜମ୍ମୁ ଗସ୍ତ କାଳରେ ଜମ୍ମୁ ଜେଲ ଡିଜିଙ୍କୁ ନିର୍ମମ ହତ୍ୟା। ଜମ୍ମୁ କଶ୍ମୀର ଜେଲ୍ ଡିଜି ହେମନ୍ତ ଲୋହିଆଙ୍କୁ ଗଳା କାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ହତ୍ୟା କରିବା ପରେ ଶବ ଜଳାଇବାକୁ ବି ଉଦ୍ୟମ କରାଯାଇଥିଲା। ଲସ୍କର ଆତଙ୍କି ସଂଗଠନ ଯଦିଓ ଏହି ହତ୍ୟାକାଣ୍ଡ ଲାଗି ନିଜକୁ ଦାୟୀ କରିଛି, ତେବେ ଫେରାର ଥିବା ଘରୋଇ ସହାୟକ ଉପରେ ସମସ୍ତ ସନ୍ଦେହ ଘନୀଭୂତ ହୋଇଥିଲା।

ସୋମବାର ବିଳମ୍ୱିତ ରାତିରେ ଜମ୍ମୁ କଶ୍ମୀରର ଜେଲ ଡିଜି ହେମନ୍ତ ଲୋହିଆଙ୍କୁ ହତ୍ୟା କରାଯାଇଛି। ଜମ୍ମୁର ଉଦୟବାଲାରେ ରହୁଥିବା ଜଣେ ବନ୍ଧୁଙ୍କ ବାସଭବନରୁ ଡିଜିଙ୍କ ମୃତ ଦେହ ଠାବ ହୋଇଛି। ହତ୍ୟାକାଣ୍ଡ ପଛରେ କାହାର ସଂପୃକ୍ତି ଅଛି। କେଉଁ ଉଦେଶ୍ୟରେ ହତ୍ୟା କରାଯାଇଛି, ସେ ସବୁ ଦିଗକୁ ଛାନଭିନ ବେଳେ ଦୁଇଟି କଥା ପଦାକୁ ଆସିଛି। ଗୋଟିଏ ହେଉଛି ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ତ ଅନ୍ୟଟି ହତ୍ୟାକାଣ୍ଡ ପରେ ଲୋହିଆଙ୍କ ଘରୋଇ ସହାୟକଙ୍କ ଫେରାର। ଲୋହିଆଙ୍କ ଘରୋଇ ସହାୟକ ୟାସିର୍ ଅହମ୍ମଦ ଉପରେ ପୁଲିସ ସନ୍ଦେହ କରି ତଦନ୍ତ ଜାରି ରଖିଛି। ୧୯୯୨ ବ୍ୟାଚର ଆଇପିଏସ ଅଫିସର ହେମନ୍ତଙ୍କ ଗଳା କାଟି ହତ୍ୟା କରାଯାଇଛି। ଆଉ ହତ୍ୟା ପରେ ତାଙ୍କ ଶରୀରକୁ ଜାଳି ଦେବାକୁ ବି ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ।

ହେମନ୍ତଙ୍କୁ ଅଗଷ୍ଟ ମାସରେ କେନ୍ଦ୍ରଶାସିତ ଅଞ୍ଚଳର ଜେଲ ଡିଜି ଭାବେ ପଦୋନ୍ନତି ମିଳିଥିଲା। ପ୍ରାଥମିକ ତଦନ୍ତରୁ ଆପାତତଃ ସ୍ପଷ୍ଟ ହୋଇଥିଲା କି, ପ୍ରଥମେ ହତ୍ୟାକାରୀ ଲୋହିଆଙ୍କ ଗଳା ଚିପି ହତ୍ୟା କରିଥିଲା। ଏହା ପରେ ଭଙ୍ଗା ବୋତଲରେ ତାଙ୍କ ଗଳା କାଟିଛି। ଆଉ ଏହା ପରେ ନିଆଁ ଲଗାଇଥିଲା। ବାସଭବନରେ ମୁତୟନ ସୁରକ୍ଷାକର୍ମୀ ଯେତେବେଳେ ଘରେ ନିଆଁ ଲାଗିଥିବା ଦେଖିଥିଲେ, ସେତେବେଳେ ପହଞ୍ଚି ଦେଖନ୍ତି ତ, ଘର ଭିତରୁ ବନ୍ଦ ଥିଲା। ସେଥିଲାଗି ଘରର କବାଟ ଭାଙ୍ଗିଥିଲେ ସୁରକ୍ଷାକର୍ମୀ। ଲୋହିଆଙ୍କ ଘରେ ଫରେନସିକ୍ ଟିମ୍ ଓ ଅପରାଧ ଯାଞ୍ଚ ଦଳ ପହଞ୍ଚି ଛାନଭିନ କରିଛନ୍ତି। ଯାଞ୍ଚରୁ ଜଣାପଡ଼ିଛି କି, ଘରର ଚାକର ୟାସିର ଅହମ୍ମଦ ବହୁତ କ୍ରୋଧୀ ଥିଲା। ଆଉ ବେଶ୍ କିଛି ଦିନ ହେଲା ସେ ମାନସିକ ଚାପରେ ବି ଥିଲା। ଘରୁ ଜବତ ମାରଣାସ୍ତ୍ର ଓ ସହାୟକର ଡାଏରୀରୁ ଏହା ଜଣାପଡ଼ିଛି। ତେବେ ଏହି ହତ୍ୟାକାଣ୍ଡ ପଛରେ କୌଣସି ଆତଙ୍କି ସଂଗଠନର ହାତ ଅଛି କି ନା, ତାହାର ପୁଷ୍ଟି ହୋଇନି। ଯଦିଓ ହତ୍ୟାକାଣ୍ଡର ୧୦ ଘଣ୍ଟା ପରେ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ ଟିଆରଏଫ ସୋସିଆଲ ମିଡ଼ିଆରେ ନିଜକୁ ଏଥିଲାଗି ଦାୟୀ କରିଛି।

ଟିଆରଏଫ ହେଉଛି ନୂଆ ଆତଙ୍କି ସଂଗଠନ। ଜମ୍ମୁ କଶ୍ମୀରରେ ଅନେକ ହତ୍ୟାକାଣ୍ଡ ପଛରେ ଏହି ସଂଗଠନ ରହିଛି। ତେବେ ଜେଲ ଡିଜିଙ୍କ ହତ୍ୟା କିଏ କରିଛି ଓ କାହିଁକି କଲା, ତାକୁ ନେଇ ପୁଲିସ ଦିନରାତି ଏକ କରିଦେଇଛି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *