ଘରୋଇ ହସ୍ପିଟାଲରେ ମିଳିବ ନାଜାଲ କରୋନା ଟୀକା

Spread the love

ନୂଆଦିଲ୍ଲୀ: ମଙ୍ଗଳବାର ଠାରୁ ସାରା ଦେଶର ହସ୍ପିଟାଲରେ ମକଡ୍ରିଲ ଆୟୋଜିତ କରାଯିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। କ୍ରିସମାସ ଓ ନୂଆ ବର୍ଷକୁ ନେଇ ମନ୍ତ୍ରଣାଳୟ ନୂଆ ଗାଇଡଲାଇନ ପ୍ରସ୍ତୁତ କରୁଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି, ମହାମାରୀ ଏବେ ମଧ୍ୟ ଶେଷ ହୋଇ ନାହିଁ। ପାର୍ବଣ କାଳରେ କୋଭିଡ ଉପଯୁକ୍ତ ବ୍ୟବହାର ଅନୁପାଳନ ପାଇଁ ସଚେତନତାର ଆବଶ୍ୟକତା ରହିଛି ବୋଲି କୁହାଯାଇଛି।

ଏଥିସହ କୋଭିଡ ପାଇଁ ଟୁ ଡ୍ରପ ନାଜାଲ ଭ୍ୟାକ୍ସିନକୁ ମଧ୍ୟ ସରକାର ମଞ୍ଜୁରୀ ଦେଇଛନ୍ତି। ସୂତ୍ରରୁ ପ୍ରକାଶ କି, ଯେଉଁ ଲୋକମାନେ କୋଭିସିଲ୍ଡ ଓ କୋଭାକ୍ସିନ ନେଇଛନ୍ତି, ସେମାନେ ହେଟେରୋଲଗ୍ସ ବୁଷ୍ଟର ରୂପେ ଏହାକୁ ନେଇ ପାରିବେ। ଏହି ଟୀକାକୁ ଆଜିଠାରୁ ଟୀକାକରଣ ଅଭିଯାନରେ ସାମିଲ କରାଯାଇଛି ଓ   କୋୱାଇନ ଆପ୍ଲିକେସନ ଉପରେ ଦେଖାଦେବ। ତେବେ ଏହା ଘରୋଇ ହସ୍ପିଟାଲରେ ଉପଲବ୍ଧ ହେବ।

ସୂତ୍ରମୁତାବକ, ଆମକୁ ସଚେତନ ରହିବା ଜରୁରୀ, ଏହାକୁ ନେଇ ଏତେ ଭୟଭୀତ ହେବାର ଆବଶ୍ୟକତା ନାହିଁ। ଗତ ୮ ମାସରେ ଭାରତରେ ମାମଲାଗୁଡିକରେ ଲଗାତର ହ୍ରାସ ଦେଖା ଦେଇଛି। ପଜିଟିଭିଟି କେବଳ ୦.୧୪% ଥିଲା। ୪ କେନ୍ଦ୍ର ଶାସିତ ପ୍ରଦେଶଗୁଡିକ ଓ ରାଜ୍ୟଗୁଡିକରେ କୌଣସି ସକ୍ରିୟ ମାମଲା ନାହିଁ। ମାସ୍କ ପରିଧାନ ଆଡଭାଇଜରୀ ରୂପେ ରହିବ ଓ ଶନିବାରଠାରୁ ସମସ୍ତ ଏୟାରପୋର୍ଟରେ ରାଣ୍ଡମ ସାମ୍ପଲିଂ ଆରମ୍ଭ ହୋଇଯାଇଛି। ରାଣ୍ଡମ ସାମ୍ପଲିଂ ପାଇଁ ଯାତ୍ରୀଠାରୁ କୌଣସି ଶୁଳ୍କ ନିଆଯିବ ନାହିଁ ଓ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏହି ଖର୍ଚ୍ଚ ଉଠାଇବ। ଏୟାର ଲାଇନ୍ସ ୨% ଯାତ୍ରୀଙ୍କ ଚିହ୍ନଟ ପାଇଁ ଲକ୍ଷ୍ୟ ରଖିଛି।

ମନ୍ତ୍ରଣାଳୟ ପକ୍ଷରୁ ଆଜି କୁହାଯାଇଛି କି, କୋଭିଡ ଚୀନ, କୋରିଆ, ବ୍ରାଜିଲରେ ତାର କାୟା ବିସ୍ତାର ଆରମ୍ଭ କରିଛି । ଚୀନର ବିଏଫ-୭ ଦେଶରେ ଚିହ୍ନଟ ହେବା ପରେ କେନ୍ଦ୍ର ସରକାର ଆଗୁଆ ପ୍ରତିଷେଧକ ପଦକ୍ଷେପ ନେଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ତଥା ପ୍ରଧାନମନ୍ତ୍ରୀ କୋଭିଡକୁ ନେଇ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଆଜି ସବୁ ରାଜ୍ୟ ସହ ଏହାକୁ ନେଇ ବୈଠକ ହେବ।

Leave a Reply

Your email address will not be published. Required fields are marked *