ସଂସଦରେ ଜାତି ଧର୍ମ ଆଧାରରେ ଟିପ୍ପଣୀକୁ ସ୍ଥାନ ନାହିଁ: ଓମ ବିରଲା

Spread the love

ନୂଆଦିଲ୍ଲୀ: ଲୋକେ ସଂସଦକୁ ଜାତି ଓ ଧର୍ମ ଆଧାରରେ  ପ୍ରତିନିଧି ବାଛୁ ନାହାନ୍ତି, ତେଣୁ ସଂସଦ ଭିତରେ ଏହି ଦୁଇ ଆଧାରରେ ଚର୍ଚ୍ଚା  ନ କରିବାକୁ କଡା ତାଗିଦ କରିଛନ୍ତି ଲୋକସଭା ଅଧ୍ୟକ୍ଷ ଓମ ବିରଲା। ଏହାର ଉଲ୍ଲଙ୍ଘନ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ସୋମବାର ଅର୍ଥମନ୍ତ୍ରୀଙ୍କ ନିର୍ମଳା ସୀତାରମଣଙ୍କ ଏକ ବକ୍ତବ୍ୟ ପରେ ତେଲେଙ୍ଗାନାର ସାଂସଦ ଏ ଆର ରେଡ୍ଡି  ମନ୍ତ୍ରୀଙ୍କ ବିରୋଧରେ ଜାତିଆଣ ବୟାନ ଦେଇଥିବା ଅଭିଯୋଗ ଆଣିଥିଲେ।

ସୋମବାର ଦିନ ଅର୍ଥମନ୍ତ୍ରୀ ରେଡ୍ଡୀଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ କି, ସାଂସଦ ତେଲେଙ୍ଗାନାରୁ ଆସିଥିବାରୁ ତାଙ୍କର ହିନ୍ଦୀ ଦୁର୍ବଳ। ଏଥିସହ ସେ ମଧ୍ୟ ଦୁର୍ବଳ ହିନ୍ଦୀରେ ଉତ୍ତର ଦେବି ବୋଲି କହିଥିଲେ।  ଏହାକୁ ନେଇ ସାଂସଦ ତାଙ୍କ ପ୍ରତି ମନ୍ତ୍ରୀ ଜାତିଆଣ ମନ୍ତବ୍ୟ ଦେଇଛନ୍ତି ବୋଲି ଅଭିଯୋଗ ଆଣିଥିଲେ।

ଏହା ଶୁଣି ଅଧ୍ୟକ୍ଷ ସଂସଦରେ ଜାତିଆଣ ମନ୍ତବ୍ୟକୁ ସ୍ଥାନ ଦିଆଯିବ ନାହିଁ ବୋଲି ରୋକଠୋକ କହିବା ସହ ସାଂସଦଙ୍କୁ ଆକଟ କରିଥିଲେ। ଏଥିସହ କଂଗ୍ରେସର ଲୋକସଭାର ବିପକ୍ଷ ନେତା ଅଧିର ରଞ୍ଜନ ଚୌଧୁରୀଙ୍କୁ ସଂସଦରେ ସଦସ୍ୟଙ୍କ ବ୍ୟବହାର ସମ୍ପର୍କରେ ବୁଝାଇବାକୁ ଅପିଲ କରିଥିଲେ।

ପୂର୍ବରୁ ରେଡ୍ଡୀ ଟଙ୍କାର ମୂଲ୍ୟକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗତ ଟିପ୍ପଣୀର ଉଲ୍ଲେଖ କରି ଏହା ଉପରେ ପ୍ରଶ୍ନ କରିବା ଆରମ୍ଭ କରିଥିଲେ। ଏହାକୁ ନେଇ ଓମ ବିରଲା ତାଙ୍କୁ ଅଟକାଇଥିଲେ। ଏଥିରେ ଉତ୍ତେଜିତ ହୋଇ ରେଡ୍ଡୀ କହିଥିଲେ କି, ଅଧ୍ୟକ୍ଷ ମୋତେ ଏପରି ଅଟକାଇ ପାରିବେ ନାହିଁ। ତେବେ ଅଧ୍ୟକ୍ଷ ବିରକ୍ତ ହୋଇ ରେଡ୍ଡୀଙ୍କୁ କେବଳ ପ୍ରଶ୍ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ପ୍ରଧାନମନ୍ତ୍ରୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ସମୟ କହିଥିଲେ କି ଟଙ୍କା ଏବେ ଆଇସିୟୁରେ। ରେଡ୍ଡୀ ଏହା କହିବା ସହ ସାମ୍ପ୍ରତିକ ସମୟରେ ଟଙ୍କାର ମୂଲ୍ୟ ଡଲାର ତୁଳନାରେ ହ୍ରାସ ପାଇଥିବା କହିଥିଲେ। ତେବେ ଏହାର ଉତ୍ତରରେ ମନ୍ତ୍ରୀ କହିଥିଲେ କି, ୟୁକ୍ରେନ ଯୁଦ୍ଧ ତଥା କରୋନା ମହାମାରୀ ସତ୍ତ୍ବେ ବର୍ତ୍ତମାନ ଦେଶର ଅର୍ଥବ୍ୟବସ୍ଥାରେ ବ୍ୟାପକ ଉନ୍ନତି ହୋଇଛି।

Leave a Reply

Your email address will not be published. Required fields are marked *