ହାଡଭଙ୍ଗା ଶୀତରେ ଥରୁଛି ଉତ୍ତର ଭାରତ

Spread the love

() ହାଡଭଙ୍ଗା ଶୀତରେ ଥରୁଛି ଦିଲ୍ଲୀ ସମେତ ଉତ୍ତର ଭାରତର ବହୁ ଅଞ୍ଚଳର। ଲୋକେ ଶୀତରେ ହନ୍ତସନ୍ତ ହେଉଥିବା ବେଳେ ଲୋକଙ୍କୁ ଆହୁରି ଡରାଇବା ପରି ତଥ୍ୟ ଦେଇଛନ୍ତି ପାଣିପାଗ ବିଶେଷଜ୍ଞ। ଏହା କିଛି ନୁହେଁ। ଶୀତ ତାର ପିକକୁ ଆସିନି। ଆଗକୁ ଆହୁରି ୪ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ତାପମାତ୍ରା।  ସେପଟେ ଶୀତ ଭିତରେ ଉତ୍ତର ଭାରତର କିଛି ସ୍ଥାନରେ ବର୍ଷା ଓ ତୁଷାରପାତ ହୋଇଛି। ଏହାକୁ ନେଇ ଜୋଶୀମଠବାସୀ ଆତଙ୍କରେ। ପୁଣି ଶୀତ ସାଙ୍ଗକୁ କୁହୁଡିର ଘନ ଆସ୍ତରଣରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଲାଣି। ଯାତାୟାତ, ବିମାନ ଓ ଟ୍ରେନ ଚଳାଚଳ ମଧ୍ୟ କୁହୁଡି ପାଇଁ ବାଧାପ୍ରାପ୍ତ ହେଉଛି।

ଆଗକୁ ଆହୁରି ୪ ଡିଗ୍ରୀ ତଳକୁ ଖସିବ ତାପମାତ୍ରା। ଏମିତି କିଛି ଭବିଷ୍ୟବାଣୀ କରିଛନ୍ତି ପାଣିପାଗ ବିଶେଷଜ୍ଞ, ଯାହା ଦେଶର ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତ ବାସୀଙ୍କୁ ଆହୁରି ଭୟଭୀତ କରୁଛି। ଡିସେମ୍ବର ମାସରୁ ଉତ୍ତର ଭାରତ ଶୀତରେ ଥରୁଥିବା ବେଳେ ବିଶେଷଜ୍ଞ ସତର୍କ କରାଇଦେଲେ କି, ଆଗାମୀ ଦିନ ପାଇଁ ପ୍ରସ୍ତୁତ ରୁହ। ଆଗାମୀ ୧୪ରୁ ୧୯ ଜାନୁଆରୀ ପର୍ଯ୍ୟନ୍ତ ଉତ୍ତର ଭାରତରେ ଭୀଷଣ ଶୀତ ଅନୁଭୂତ ହେବ। ବିଶେଷ କରି ୧୬ରୁ ୧୮ ମଧ୍ୟରେ ଶୀତ ଶୀର୍ଷରେ ପହଞ୍ଚିବ ଓ ତାପମାତ୍ରା ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ପାଣିପାଗ ବିଶେଷଜ୍ଞ ସତର୍କ କରିଦେଇଛନ୍ତି। 

ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡି କହିଛି କି, ଗୁରୁବାର ଓ ଶୁକ୍ରବାର ଦିଲ୍ଲୀ ଆକାଶକୁ ବାଦଲ ଛାୟୀ ରହିବା ସହ କିଛି ସ୍ଥାନରେ ହାଲକା ବର୍ଷା ସମ୍ଭାବନା ରହିଛି। ସେହିପରି  ପଞ୍ଜାବରୁ ହରିଆଣା, ଦିଲ୍ଲୀ, ଉତ୍ତର ପ୍ରଦେଶ,ବିହାର, ମଧ୍ୟପ୍ରଦେଶ, ତେଲେଙ୍ଗାନା, ଛତିଶଗଡ, ଆନ୍ଧ୍ର ପ୍ରଦେଶରେ  ଘନରୁ ଅଧିକ ଘନ କୁହୁଡି ଆଚ୍ଛାଦନ ଦେଖିବାକୁ ମିଳିବ। ଦିଲ୍ଲୀର ତାପମାତ୍ରା ୩ ଡିଗ୍ରୀ ସେଲସିୟସ ଛୁଇଁପାରେ ବୋଲି କହିଛି ଆଇଏମଡି। ପାଶ୍ଚାତ୍ୟ ବିକ୍ଷୋଭର ଅନ୍ତ ଓ ବରଫରେ ଆଚ୍ଛାଦିତ ପାହାଡରୁ ବହୁଥିବା ଉତ୍ତର ପଶ୍ଚିମୀ ଥଣ୍ଡା ବାୟୁ କାରଣରୁ ଆଗାମୀ ଦିନରେ ଉତ୍ତର ପଶ୍ଚିମ ଭାରତର ସମତଳ ଅଞ୍ଚଳରେ ପୁଣି  ଶୀତ ଲହର ଅନୁମାନ କରାଯାଉଛି।

ଆଇଏମଡି ମୁତାବକ, ବିଗତ ୨୩ ବର୍ଷ ମଧ୍ୟରେ ତୃତୀୟ ସବୁଠାରୁ ଥଣ୍ଡା ଚଳିତ ବର୍ଷ ଅନୁଭୂତ ହୋଇଛି। ଏହା ପୂର୍ବରୁ ୨୦୦୬ରେ ଏପରି ସ୍ଥିତିର ସମ୍ମୁଖୀନ ହେବାକୁ ପଡିଥିଲା ଓ ସେତେତେବେଳେ ତାପମାତ୍ରା ୧.୯ ଡିଗ୍ରୀ ସେଲସିୟସ ଛୁଇଁଥିଲା। ସେହିପରି ୨୦୧୩ରେ ମଧ୍ୟ ସମାନ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଉତ୍ତର ଭାରତ ଲୋକେ।  

ପ୍ରବଳ ଶୀତ ପାଇଁ ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ପରି ପାହାଡି ଅଞ୍ଚଳରେ ଗୁରୁବାର ସକାଳୁ ସକାଳୁ ତୁଷାରପାତ ଦେଖିବାକୁ ମିଳିଛି। ହିମାଚଳ ପ୍ରଦେଶ ପାଇଁ ବୁଧବାର ୟେଲୋ ୱାର୍ଣ୍ଣିଂ ଜାରି କରାଯିବା ସହ ଅଟଳ ଟନେଲ ରୋହତାଙ୍ଗ, ମନାଲି- ଲେହ ଜାତୀୟ ରାଜପଥ ସମେତ ପ୍ରାୟ ୧୮୨ ସଡକରେ ବାହନ ଚଳାଚଳକୁ ବନ୍ଦ କରାଯାଇଥିଲା। ୧୬୩ ବିଦ୍ୟୁତ୍ ଟ୍ରାନ୍ସଫର୍ମର ମଧ୍ୟ ବନ୍ଦ ହୋଇପଡିଥିବା ସୂଚନା ରହିଛି। ବୁଧବାର ରାତିରେ ଲାହୌଲ ଓ କୁଲ୍ଲୁର ପର୍ବତ ଶୀଖରେ ହିମପାତ ସହ ନିମ୍ନଭାଗରେ ବର୍ଷା ହୋଇଛି।  ତୁଷାରପାତ ପାଇଁ ସଡକ ପଥରେ ଯାତାୟାତ ଠପ ପଡିଛି। ପ୍ରଶାସନ ଲୋକଙ୍କୁ ଅନାବଶ୍ୟକ ସ୍ଥଳେ ଘରେ ରହିବାକୁ ସତର୍କ କରିଛି।

ଗୁରୁବାର ୧୦ଟା ପର୍ଯ୍ୟନ୍ତ ହିମାଚଳ ପ୍ରଦେଶ ବହୁ ଅଞ୍ଚଳରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ସେହିପରି ଦିଲ୍ଲୀ ସମେତ ଏହାର ଆଖପାଖ ଅଞ୍ଚଳରେ ଗୁରୁବାର ସକାଳ ୮.୩୦ ସୁଦ୍ଧା ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ କୁହୁଡି ପାଇଁ ଭିଜିବିଲିଟି ମାତ୍ର ୫୦୦ ମିଟର ମପାଯାଇଛି। ଉତ୍ତର ଭାରତରେ କୁହୁଡି ପାଇଁ ଭିଜିବିଲିଟି ହ୍ରାସ ପାଇବାରୁ ୨୩ଟି ଟ୍ରେନ ବିଳମ୍ବରେ ଯାତ୍ରା କରିଛି। ସେହିପରି ବିମାନ ଚଳାଚଳରେ ମଧ୍ୟ ବହୁ ଡେରି ଦେଖିବାକୁ ମିଳିଛି।

ସେପଟେ ଘନ କୁହୁଡି ଦେଶର ବିଭିନ୍ନ ସ୍ଥାନରେ ପ୍ରାଣଘାତୀ ସାବ୍ୟସ୍ତ ହୋଇଛି। ପରିବହନ ମନ୍ତ୍ରଣାଳୟର ଏକ ରିପୋର୍ଟ ମୁତାବକ ୨୦୨୧ରୁ କୁହୁଡି ପାଇଁ ସଡକ ଦୁର୍ଘଟଣାରେ ୧୩,୩୭୨ ଲୋକଙ୍କ ଜୀବନ ଗଲାଣି ଓ ୨୫,୩୬୦ ଆହତ ହୋଇଛନ୍ତି। କୁହୁଡି ପାଇଁ ୨୦୨୧ରେ ଉତ୍ତର ପ୍ରଦେଶରେ ସଡକ ଦୁର୍ଘଟଣାରେ ୩୭୮୨ ଲୋକଙ୍କ ପ୍ରାଣ ଯାଇଥିବା ବେଳେ ବିହାରରେ ୧୮୦୦, ମଧ୍ୟପ୍ରଦେଶରେ ୧୨୩୩ ମୃତ୍ୟୁ ରେକର୍ଡ ହୋଇଛି। ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଦେଶରେ ପ୍ରତିବର୍ଷ ୪ ଲକ୍ଷ ସଡକ ଦୁର୍ଘଟଣା ହେଉଥିବା ବେଳେ ଦେଢ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥାଏ। ଏହି ମୃତ୍ୟୁ ମଧ୍ୟରୁ ୯ ପ୍ରତିଷତ କୁହୁଡି ପାଇଁ ହୋଇଥାଏ।

Leave a Reply

Your email address will not be published. Required fields are marked *